Home କେନ୍ଦ୍ରାପଡ଼ା ଅଳପୁଆ ସରକାରୀ ନୋଡାଲ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବି

ଅଳପୁଆ ସରକାରୀ ନୋଡାଲ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବି

178

କେନ୍ଦ୍ରାପଡ଼ା, ୧୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅଧିନ ଅଳପୁଆ ପଞ୍ଚାୟତର ସର୍ବପୁରାତନ ଅଳପୁଆ ସରକାରୀ ନୋଡାଲ ହାଇସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସେହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପଞ୍ଚାୟତର ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ହାଇସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୮ଜଣ ଶିକ୍ଷକଙ୍କ ସ୍ଥାନରେ ମାତ୍ର ୫ଜଣ ଶିକ୍ଷକ ଅଛନ୍ତି। ଏତଦବ୍ୟତିତ ନବମ ଓ ଦଶମ ଶ୍ରେଣୀରେ ୨ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜଣେ ମାତ୍ର ବିଜ୍ଞାନ ଶିକ୍ଷୟତ୍ରୀ ଅଛନ୍ତି। ଏହି ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ, ଖେଳ ଶିକ୍ଷକ, ଅନ୍ୟ ଶିକ୍ଷକ, କିରାଣୀ, ରାତ୍ର ଜଗୁଆଳି ପଦ ଗୁଡିକ ଖାଲି ପଡିଛି। ନିକଟରେ ସେହି ବିଦ୍ୟାଳୟର କେତେକ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇ ଦିଆଯାଇଥିବା ଅଭିଭାବକମାନେ କହିଛନ୍ତି। କରୋନା ଯୋଗୁଁ ପ୍ରାୟ ୨ବର୍ଷ କାଳ ସ୍କୁଲ ବନ୍ଦ ରହିଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଚିନ୍ତାକରି ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏତଦବ୍ୟତିତ କେତେକ ଶିକ୍ଷକ, ଶିକ୍ଷୟିତ୍ରୀ ବିଳମ୍ବରେ ସ୍କୁଲକୁ ଆସି ନିଜ ଦାୟୀତ୍ୱରେ ଅବହେଳା କରୁଥିବା ନେଇ ଅଭିଭାବକମାନେ ଅସନ୍ତାଷ ବ୍ୟକ୍ତ କରିଛନ୍ତି। ତେଣୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନକୁ ଗୁରୁତ୍ୱ ପ୍ରଦାନ କରାଯାଇ ତୁରନ୍ତ ନିଜ ଦାୟୀତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ସେଠାରୁ ବଦଳି କରାଯିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ପ୍ରଦାନ କରିବାକୁ ଛାତ୍ରାଭିଭାବକମାନଙ୍କ ପକ୍ଷରୁ ଗୋବିନ୍ଦ ସେଠୀ, ଆଶୁତୋଷ ନାୟକ, ସନ୍ତୋଷ ଦାସ, କୃଷ୍ଣ ଚନ୍ଦ୍ର ସେଠୀ, ମଧୁସୁଦନ ଦାସ, ଗଗନ ମାହାଳିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏହି ଅଭିଯୋଗର ନକଲ ଜିଲ୍ଲା ଶିକ୍ଷା ଅଧିକାରୀ, ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିର୍ଦେଶକଙ୍କୁ ପ୍ରଦାନ କରାଯାଇଥିବା ଛାତ୍ରାଭିଭାବକମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.