Home ଓଡ଼ିଶା ଅଳପୁଆ, ଦାମୋଦରପାଟଣାର ବ୍ରାହ୍ମଣୀ ନଦୀବାଲିକୁ ବେଆଇନ ଚାଲାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅଳପୁଆ, ଦାମୋଦରପାଟଣାର ବ୍ରାହ୍ମଣୀ ନଦୀବାଲିକୁ ବେଆଇନ ଚାଲାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

82

କେନ୍ଦ୍ରାପଡା ୨୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଏବଂ ଦାମୋଦରପାଟଣା ଗ୍ରାମ ଠାରେ ବ୍ରାହ୍ମଣୀ ନଦୀ ବାଲିକୁ ବେଆଇନ ଭାବେ ବିନା ଲିଜରେ ଚାଲାଣ କରାଯାଉଥିବା ନେଇ ଆଜି ସଂପୃକ୍ତ ଅଚଂଳର ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ କରାଯାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରାପଡା ସହରର ଖଡିଅଙ୍ଗ ଗ୍ରାମର ସେକ ରେଜାନିଙ୍କ ପୁଅ ସେକ ରିୟାନ ଓ ତାଙ୍କର ସହଯୋଗୀ ସେକ ହନିମ, ସେକ ହଲିମ ଓ ସେକ ପପୁ ପ୍ରମୁଖ ସରକାରୀ ନୀତିନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ବେଆଇନ ଭାବେ ପ୍ରୋକଲିନ ଦ୍ୱାରା ନଦୀକୁ ଖୋଳି ଦିନକୁ ୨ଶହରୁ ଉର୍ଦ୍ଧ୍ୱ ହାଇୱାରେ ବାଲି ବୋଝେଇ କରି ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଦିନକୁ ଶହ ଶହ ଭାରୀଯାନ ଯିବାଆସିବା ଦ୍ୱାରା ସେହି ଅଂଚଳର ମୁଖ୍ୟ ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇ ଲୋକମାନଙ୍କ ଗମନାଗମନରେ ବହୁ ଅସୁବିଧା ସୃଷ୍ଟି ହୋଇଛି। ନଦୀରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ଆଗାମୀ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ବ୍ରାହ୍ମଣୀ ନଦୀକୂଳ ମାଟିକ୍ଷୟ ହୋଇ ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ବିପଦ ସୃଷ୍ଟି କରିଛି। ପରିବେଶ ମଞ୍ଜୁରୀ ମିଳିନଥିବା ଓ ସରକାରଙ୍କ ପକ୍ଷରୁ ନିଲାମ ହୋଇନଥିବା ବାଲିଘାଟରୁ କିଭଳି ଦୈନିକ ଶହ ଶହ ଟ୍ରକ ବାଲି ବେଆଇନ ଭାବେ ଚାଲାଣ ହୋଇ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଥିଲେ ମଧ୍ୟ ସ୍ଥାନୀୟ ପଟ୍ଟାମୁଣ୍ଡାଇ ତହସିଲଦାର ନୀରବଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ବେଆଇନ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିିରୋଧ କରାଗଲେ ମିଥ୍ୟା ପୋଲିସ କେଶ କରାଯାଇ ଗ୍ରାମବାସୀଙ୍କୁ ଜବତ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ବାଲି ମାଫିଆମାନଙ୍କ ପକେଟକୁ ବେଆଇନ ଭାବେ କୋଟି କୋଟି ଟଙ୍କା ଯାଉଥିବା ବେଳେ ଏଥିରେ ସ୍ଥାନୀୟ ରାଜସ୍ୱ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ପରୋକ୍ଷ ସହଯୋଗ ଯୋଗୁଁ ସେହି ବାଲିମାଫିଆମାନେ ସ୍ଥାନୀୟବାସୀନ୍ଦାଙ୍କୁ ଏକ ପ୍ରକାର ଧମକାଇ ଚୁପ କରିଦେବାରେ ସଫଳ ହୋଇଛନ୍ତି। ନଦୀକୁଳ କ୍ଷୟକ୍ଷତି ହେଉଥିବା ବେଳେ ନଦୀବନ୍ଧ ରାସ୍ତାଟି ଜାମ ହୋଇ ସାଧାରଣ ଜାତାୟତରେ ବାଧା ସୃଷ୍ଟି କରିବା ଓ ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବା ସହ ପରିବେଶ ଦୁଷିତ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ସ୍ଥାନୀୟ ପରିବେଶର ସୁରକ୍ଷା, ଧନଜୀବନର ସୁରକ୍ଷା ସହ ନଦୀକୂଳ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଏବଂ ରାସ୍ତାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘଟଣାର ବିଧିବଦ୍ଧ ତଦନ୍ତ ବାସ୍ତବତା ଅନୁଧ୍ୟାନ ପୂର୍ବକ ବାଲିମାଫିଆ ଓ ସେମାନଙ୍କୁ ଏହି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅକ୍ଷୟ କୁମାର ରାଉତ, ମହେଶ୍ୱର ରାଉତ, ପୂର୍ଣ୍ଣଚନ୍ଦ୍ର ରାଉତ, କୁଳମଣୀ ରାଉତ, କ୍ଷୀରୋଦ ଚନ୍ଦ୍ର ରାଉତ, ଅନନ୍ତ ରାଉତ, ରମେଶ ରାଉତ, କୁମୁଦିନି ରାଉତ, ହେମଲତା ରାଉତ, ରୀନାରାଣୀ ରାଉର, ବୈଜୟନ୍ତୀ ରାଉତ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.