Home ଓଡ଼ିଶା ଅର୍ଥ ସାଜିଛି ବାଧକ; ଅସ୍ୱାଭାବିକ ଭାବେ ବଢୁଛି ଆଖିଡୋଳା

ଅର୍ଥ ସାଜିଛି ବାଧକ; ଅସ୍ୱାଭାବିକ ଭାବେ ବଢୁଛି ଆଖିଡୋଳା

166

କନ୍ଧମାଳ, ୪/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମୁଁ ବି ମୋ ସାଙ୍ଗମାନଙ୍କ ସହ ଖେଳିବି, ସେମାନଙ୍କ ସହ ସ୍କୁଲକୁ ଯାଇ ପଢ଼ିବି। ଦୟାକରି ମୋ ଆଖି ଭଲ କରିବାରେ ସହାଯ୍ୟ କରନ୍ତୁ। ଇଏ ହେଉଛି ଜଣେ ୧୪ ବର୍ଷର ସିଦ୍ଧାର୍ଥର କୋହ ଭରା କଥା। ଚକ୍ଷୁ ରୋଗରେ ସେ ପୀଡ଼ିତ ଥିବା ବେଳେ ପରିବାରର ଅର୍ଥାଭାବ ଯୋଗୁଁ ଚିକିତ୍ସା ସମ୍ଭବପର ହୋଇପାରୁନାହିଁ। ସିଦ୍ଧାର୍ଥର ବାପା କିଶୋର ମହାନ୍ତି ଓ ମା’ ରଶ୍ମିବାଳା ମହାନ୍ତି ଅନାଇ ବସିଛନ୍ତି କେହି ହୁଏତ ଚିକିତ୍ସା ପାଇଁ ସହୟତାର ହାତ ବଢାଇବ ଏବଂ ତାଙ୍କ ପୁଅ ପୁଣି ଥରେ ସାଧାରଣ ପିଲାଙ୍କ ଭଳି ଖେଳିବ, ସ୍କୁଲ ଯିବ ଆଉ ପାଠ ପଢିବ। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ ତିଡିସାହିରେ ଲଡୁ କିଶୋର ମହାନ୍ତିଙ୍କ ଘର। ଏକ ଠେଲାରିକ୍ସାରେ ଜଳଖିଆ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ପତ୍ନୀ ରଶ୍ମୀବାଳା ଓ ୩ ପୁଅଙ୍କୁ ନେଇ ତାଙ୍କ ପରିବାର। ବଡ ପୁଅ ଶୁଭମ ନବମ ଶ୍ରେଣୀରେ ପଢୁଥିବା ବେଳେ ତାହାର ଗୋଟିଏ ଆଖି ଦୃଶ୍ୟଶକ୍ତି ହୀନ। ଦ୍ୱିତୀୟ ପୁଅ ସିଦ୍ଧାର୍ଥ ୮ମ ଶ୍ରେଣୀରେ ପଢ଼େ ଆଉ ସାନ ପୁଅ ବେଦାନ୍ତ ୬ଷ୍ଠ ଶ୍ରେଣୀରେ। ପୂର୍ବରୁ ଲଡୁକିଶୋର ସୁରଟରେ ଲୁଗା କଳରେ କାମ କରୁଥିଲେ। ସେଠାରେ ୨୦୦୭ ମସିହାରେ ସିଦ୍ଧାର୍ଥର ଜନ୍ମ। ଜନ୍ମ ବେଳେ ସିଦ୍ଧାର୍ଥ ଅନ୍ୟ ଶିଶୁଙ୍କ ଭଳି ସାଧାରଣ ଥିଲା। ହେଲେ ସିଦ୍ଧାର୍ଥକୁ ଏକ ବର୍ଷ ହୋଇଥିବା ବେଳେ ତାର ଦୁଇଟି ଯାକ ଆଖି ଡୋଳା ଧୀରେ ଧୀରେ ବଢିବାକୁ ଲାଗିଲା। ସେଠାରେ ଡାକ୍ତର ଦେଖାଇଥିଲେ ରୋଗ ଭଲ ହେଲା ନାହିଁ। ୫ ବର୍ଷ ଧରି ଚିକିତ୍ସା କରାଇବା ସହ ତାଙ୍କ ପାଖରେ ଥିବା ପୁଞ୍ଜି ଶେଷ ହୋଇ ଯିବାରୁ ଗତ ୨୦୧୩ରେ ନିଜ ଗ୍ରାମକୁ ଫେରି ଆସିଲେ। ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସିଦ୍ଧାର୍ଥର ଚିକିତ୍ସା କରାଇଥିଲେ ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ରେଫର କରିଦିଆଗଲା। ସିଦ୍ଧାର୍ଥକୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ନେଇ ଚିକିତ୍ସା କରାଗଲା। ବ୍ରହ୍ମପୁରରେ ଚିକିତ୍ସାରେ ଆବଶ୍ୟକ ଅର୍ଥ ପାଇଁ ଲଡୁକିଶୋର ନିଜର ଜମି ବିକ୍ରି କରି କଲେ। ତେବେ ପୁଅ ଭଲ ନହେବାରୁ ତାକୁ ଏମସକୁ ନେବାକୁ ସ୍ଥିର କରି ଜିଲ୍ଲା ପ୍ରଶାସନର ସହାୟତା ଲୋଡିଲେ। ୨୦୧୪ ମସିହାରେ ତତ୍କାଳୀନ ଜିଲ୍ଲାପାଳ ତାଙ୍କୁ ରେଡକ୍ରସ ପାଣ୍ଠିରୁ ୨ ହଜାର ଓ ପରେ ଆଉ ୨ ହଜାର ଟଙ୍କା ସହାୟତା କରିଥିଲେ। ଏମସରେ ହୋଇଥିବା ଚିକିତ୍ସାରେ ପୁଅର ରୋଗ କିଛି ମାତ୍ରାରେ କମିଥିଲା। ଆଖି ଡୋଳା ବଢିବା ବନ୍ଦ ହୋଇଥିଲା। ସେଠାରୁ ଫେରିବା ପରେ ପୁଅକୁ ଗାଁ’ ସ୍କୁଲରେ ପଢିବା ପାଇଁ ଭର୍ତି କରିଥିଲେ। ହେଲେ କିଛି ଦିନ ପରେ ପୁଣି ସିଦ୍ଧାର୍ଥର ଆଖି ପୂର୍ବପରି ବଢିବା ଆରମ୍ଭ ହେଲା। ଲଡୁକିଶୋର ପୁଣି ତାର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେଲେ। ୨୦୧୫ରେ ଜିଲ୍ଲା ପ୍ରଶାସନ ତାକୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ମସ୍ତିସ୍କରେ ଟ୍ୟୁମର ହୋଇଥିବା କହିଥିଲେ। ଏହାର ଅପରେସନରେ କଲେ ବିପଦ ଅଛି। ତେଣୁ ଏହାର ଚିକିତ୍ସା ରାଜ୍ୟ ବାହାରର ବଡ ସହରରେ ଥିବା ଅତ୍ୟାଧୁନିକ ଡାକ୍ତରଖାନାରେ କରିବା ପାଇଁ ପରାମର୍ଶ ଦେଲେ। ସେଠାକୁ ନେଇ ଚିକିତ୍ସା କରାଇବାକୁ ହେଲେ ଲକ୍ଷାଧିକ ଟଙ୍କା ଆବଶ୍ୟକ ଯାହା ସିଦ୍ଧାର୍ଥଙ୍କ ପରିବାର ପାଇଁ ଅସମ୍ଭବ ହୋଇପଡ଼ିଛି। ଶୋଇଲା ବେଳେ ଆଖିପତା ମଧ୍ୟ ପକାଇ ପାରୁନାହିଁ। ସରକାର ଚାହିଁଲେ ପୁଣିଥରେ ସିଦ୍ଧାର୍ଥ ନୂଆ ଜୀବନ ପାଇବାରନ୍ତା ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.