Home ଜିଲ୍ଲା ପରିକ୍ରମା ଅଯୋଗ୍ୟ ଖୋଜୁଛି ଯୋଗ୍ୟତା ପ୍ରମାଣ

ଅଯୋଗ୍ୟ ଖୋଜୁଛି ଯୋଗ୍ୟତା ପ୍ରମାଣ

61

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଭଦ୍ରକ ଜିଲ୍ଲା ପାଇଁ ଶେଷ ହୋଇ ଯାଇଛି । ୭ଟି ବ୍ଲକ ପାଇଁ ୮ଟି ଚୟନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହିତ ୩ଜଣ ଚୟନକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ବ୍ଲକ ପ୍ରଶାସନର ସହଯୋଗରେ ୧୮,୧୯,୨୦ ଏବଂ ଭଦ୍ରକ ମ୍ୟୁନିସିପାଲିଟି ଓ ବ୍ଲକ ପାଇଁ ୨୦,୨୧ ତାରିଖ ଦୁଇଦିନ ଧରି ଚୟନ ପ୍ରକ୍ରିୟା ଜାରି ରହିଥିଲା । ଏହା ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କର ନିୟମାବଳୀ ଆଧାରରେ ହୋଇଛି ବୋଲି ଭଦ୍ରକ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ୨୩ ତାରିଖ ‘ପ୍ରମେୟ’ ସମ୍ବାଦପତ୍ରରେ ସ୍ପଷ୍ଟିକରଣ ଦେଇ ସାରିଛନ୍ତି । ମାତ୍ର ୨୨ ତାରିଖ ‘ସର୍ବସାଧାରଣ’ ଓ ‘ନିତିଦିନ’ ଦୈନିକ ଖବର କାଗଜରେ ନିର୍ମଳ ରାଉତ ନାମକ ଜଣେ ବ୍ୟକ୍ତି ବିଚାରକ ମଣ୍ଡଳୀଙ୍କୁ ଅଯୋଗ୍ୟ ଓ ସଲାସୁତରାରେ କଳାକାରଙ୍କ ଠାରୁ ଉତ୍କୋଚ ନେବା ପ୍ରକାଶ କରିବା ନିନ୍ଦନୀୟ, ଦୁର୍ଭାଗ୍ୟ ଜନକ ଓ ପରିତାପର ବିଷୟ । ଅପରପକ୍ଷରେ ଶ୍ରୀ ନିର୍ମଳ ରାଉତଙ୍କର ଲୋକକଳାର ଦକ୍ଷତା ଉପରେ ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ବ୍ଲକ ସ୍ତରୀୟ ଉପସଭାପତି, ଜିଲ୍ଲା ଉପସଭାପତି ଓ ୮ଜଣ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀ ରାଉତଙ୍କର ଯୋଗ୍ୟତା କଣ! ଏବଂ ଭଦ୍ରକ ଜିଲ୍ଲାର ସାହିତ୍ୟ ସଂସ୍କୃତି ଓ କଳାକ୍ଷେତ୍ରରେ ତାଙ୍କର ଅବଦାନର ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ସଂଘ ଦାବି କରୁଛି । ଯଦି କେବଳ ସାର୍ଟିଫିକେଟ କେତେଖଣ୍ଡ ଓ କେତୋଟି ରେଫରେନ୍‌ସ ମାଧ୍ୟମରେ ଓଡ଼ିଶା ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର ହାତେଇ ଥା’ନ୍ତି, ତାକୁ ଫେରେଇବେ କି! ଚୟନ କମିଟିରେ ୮ ଜଣ ଏକ୍‌ସ୍‌ପାର୍ଟଙ୍କ ମଧ୍ୟରୁ ୪ଜଣ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ, ୩ ଜଣ ନାଟ୍ୟକାର, ନାଟ୍ୟନିର୍ଦ୍ଦେଶକ ଓ ପ୍ରଫେସର, ଅନ୍ୟ ଜଣେ ଓଡ଼ିଶାର ବିଭିନ୍ନ କଳା, ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନର ସକ୍ରିୟ ସଦସ୍ୟ, ରାଜ୍ୟ ଯାତ୍ରା କଳାକାର ମହାସଂଘର ରାଜ୍ୟ ସଂଯୋଜକ ଓ ଜୀବନ ବ୍ୟାପୀ ଜଣେ ବରିଷ୍ଠ ମଞ୍ଚ ଅଭିନେତା । ଏପରି ଏକ କପୋଳକଳ୍ପିତ ସମ୍ବାଦ ଦୈନିକ ଖବର କାଗଜରେ ପ୍ରକାଶ କରି ଆମ ଭଦ୍ରକ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ସାହିତ୍ୟ ପ୍ରତି ଯେ ଶ୍ରୀ ରାଉତ ଅବମାନନା କରିଛନ୍ତି ଏହା ନିଃସନ୍ଦେହ । ଏହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦାନ କରାଗଲା ଏବଂ ଶ୍ରୀ ରାଉତ ଏ ସବୁ ପ୍ରକାର କୁତ୍ସିତ କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ ବୋଲି ଅନୁରୋଧ ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.