Home ଓଡ଼ିଶା ଅଭିନବ ଉପାୟରେ ଆନ୍ତଃରାଜ୍ୟ ଲୁହାପଥର ଚୋରା ଚାଲାଣ, ଟ୍ରକ ଜବତ, ୪ ଗିରଫ

ଅଭିନବ ଉପାୟରେ ଆନ୍ତଃରାଜ୍ୟ ଲୁହାପଥର ଚୋରା ଚାଲାଣ, ଟ୍ରକ ଜବତ, ୪ ଗିରଫ

118

ଯୋଡା, ୧୩/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସରକାରଙ୍କ ଏତେ କଟକଣା ସତ୍ୱେ ଯୋଡା ଖଣି କ୍ଷେତ୍ରରେ ଚୋରା ଲୁହାପଥର ଚାଲାଣ ରୋକିବା ନା ଧରୁନାହିଁ । ବୁଧବାର ଦିନ ଯୋଡା ଖଣି କ୍ଷେତ୍ର ତଥା ବାମେବାରୀ ପୁଲିସ ଅନ୍ତର୍ଗତ କାଳିମାଟି ଅଞ୍ଚଳରୁ ରାଜସ୍ଥନ ଅଞ୍ଚଳର ୨ଟି ଟ୍ରକରେ ଲୁହାପଥର ଚୋରା ଚାଲାଣ ହେବାକୁ ପ୍ରସ୍ତୁତ ହେଉଥିବା ବେଳେ ବାମେବାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ଟି ଟ୍ରକ ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହା ସହିତ ଏକ ପିକପ ଭ୍ୟାନ ମଧ୍ୟ ଜବତ ହୋଇଛି । ଜବତ ଟ୍ରକ ଗୁଡିକ ହେଲା ଆର.ଜେ.୧୭ଜିଏ-୬୯୦୮ ଏବଂ ଆର.ଜେ. ୨୦ଜିଏ-୫୪୮୫ ଏବଂ ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଛୋଟୁ ଲାଲ ଗୁଜର, ହେମରାଜ ମୀନା ଏବଂ ଏମାନଙ୍କୁ ଲୁହାପଥର ଚୋରାରେ ବିକିବା ପାଇଁ ଯୋଜନା କରିଥିବା ୨ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାର ଯଦୁମଣି ମହାନ୍ତ ଏବଂ ଘସିପୁରା ଅଞ୍ଚଳର କାବୁଲା ପାତ୍ର ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ତେବେ ଏହି ଲୁହାପଥର ଚୋରା ଚାଲାଣ ଏକ ଅଭିନବ ଉପାୟରେ ହେଉଥିବା ପୁଲିସ ନଜରକୁ ଆସିଛି । ଏହି ଟ୍ରକ ୨ଟି ମୟୁରଭଞ୍ଜ ଜିଲ୍ଲା ବାରିପଦା ଖଣି କ୍ଷେତ୍ର ଅନ୍ତର୍ଗତ ବି.ସି. ଡୋଗରାଙ୍କର ସୁଲେଇପାଟ ଲୌହ ଖଣିରୁ ଲୁହାପଥର ବୋଝେଇ କରି ଛତିଶଗଡ ର ରାଇପୁରରେ ଅନ୍ତର୍ଗତ ସିଲତାରାରେ ଥିବା ମହେନ୍ଦ୍ର ସ୍ପଞ୍ଜ ଏଣ୍ଡ ପାୱାର ଲିଃକୁ ଲୁହାପଥର ପରିବହନ ନିମନ୍ତେ ଅମରଦିପ ଟ୍ରାନ୍ସପୋର୍ଟ କମ୍ପାନୀ ମାଧ୍ୟମରେ ପରିବହନ ହେବାର ଥିଲା । ଚଳିତ ମାସ ୬ ତାରିଖରେ ଏହା ବୋଝେଇ ହୋଇଥିବା ବେଳେ ୧୫ ତାରିଖ ପର୍ଯ୍ୟନ୍ତ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ବଧ୍ୟତା ରହିଥିଲା । ତେବେ ଏହି ଲୁହାପଥରକୁ ଯୋଜନାବଦ୍ଧ ଭାବେ ଝାରଖଣ୍ଡର କୌଣସି ସ୍ଥାନରେ ସେମାନେ ବିକ୍ରି କରିଦେଇ କାଳିମାଟି ଠାରୁ ଚୋରା ଲୁହାପଥର ବୋଝେଇ କରି ସୁଲେଇପାଟର ଟ୍ରାଞ୍ଜିଟ ପାସ୍ ମାଧ୍ୟମରେ ରାଇପୁର ଚାଲାଣ କରିବାକୁ ଯୋଜନା କରିଥିଲେ । ଏହି ଚୋରା ଲୁହାପଥର ଚାଲାଣ ଏକ ଅଭିନବ ଉପାୟରେ ହୋଇଆସୁଥିବା ବେଳେ ଏହା ସେଥି ମଧ୍ୟରୁ ଗୋଟିଏ ଦୃଷ୍ଟାନ୍ତ ମାତ୍ର । ଏହି ଚୋରା ଚାଲାଣ ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ସହ ମୂଲ୍ୟବାନ ଲୁହାପଥର ଏ ଅଞ୍ଚଳରୁ ଖାଲି ହେବାରେ ଯାହା ଚିନ୍ତାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.