Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ଏଏସପିଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର ଘଟଣା : ଶିଶୁ ଶ୍ରମିକ ସୁରକ୍ଷା ଆଇନ...

ଅବସରପ୍ରାପ୍ତ ଏଏସପିଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର ଘଟଣା : ଶିଶୁ ଶ୍ରମିକ ସୁରକ୍ଷା ଆଇନ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ

139

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରୁ ଅନୁସୂଚୀତ ଜନଜାତିର ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଘଟଣାକୁ ଚାପି ଦେବାକୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡ଼ବ୍ଲ୍ୟୁସି)ର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକଙ୍କ କଠୋର ଆଭିମୁଖ୍ୟ ପାଇଁ ସମ୍ଭବ ହୋଇ ପାରିନାହିଁ । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରମାଣ ମିଳିଛି । ୨ଦିନ ମଧ୍ୟରେ ସିଡ଼ବ୍ଲ୍ୟୁସି ଶ୍ରମ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିଜର ରିପୋର୍ଟ ଦାଖଲ କରିବ ଏବଂ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ବୋଲି ଡ଼. ବାରିକ କହିଛନ୍ତି । ଏଥି ସହିତ ସଂପୃକ୍ତା ନାବାଳିକାର ଭବିଷ୍ୟତ ଦୃଷ୍ଟିରୁ ତା’କୁ ବାପ ମା’ଙ୍କୁ ହସ୍ତାନ୍ତର କରାନଯାଇ ଏକ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ । ସରକାରଙ୍କ ନିୟମାନୁଯାୟୀ ନାବାଳିକାର ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବାରୁ ସେଠାରେ କାର୍ଯ୍ୟ କରୁଥିବା କୌଣସି ଶିଶୁ ଯତ୍ନ ଅନୁଷ୍ଠାନରେ ରଖିବା ପାଇଁ କେନ୍ଦୁଝର ସଡ଼ବ୍ଲ୍ୟୁସିକୁ ସୁପାରିଶ କରାଯିବ ବୋଲି ଡା. ବାରିକ କହିଛନ୍ତି । ସେହିପରି ଆମେ ଚାଇଲ୍ଡଲାଇନ, ଶିଶୁ ସୁରକ୍ଷା ଅଧିକାରୀ ଓ ସିଡ଼ବ୍ଲ୍ୟୁସି ରିପୋର୍ଟକୁ ଅପେକ୍ଷା କରିଛୁ । ରିପୋର୍ଟ ଆସିଲେ ଆମେ ମାମଲା ରୁଜ୍ଜୁ କରିବୁ ବୋଲି ଜିଲ୍ଲା ଶ୍ରମ ଉପ ନିର୍ଦ୍ଦେଶକ କୁବେର ବେହେରା କହିଛନ୍ତି । ସୂଚନାଯୋଗ୍ୟ ଗତ ୨୭ତାରିଖ ଜନୈକ ଅବସରପ୍ରାପ୍ତ ଅତିରିକ୍ତ ଏସପି ଯଶବନ୍ତ ନାରାୟଣ ମହାପାତ୍ରଙ୍କ ଭଣ୍ଡାରିପୋଖରୀ ବ୍ଲକ ଛତାବରସ୍ଥିତ ଘରୁ ଚାଇଲ୍ଡଲାଇନ ଦ୍ୱାରା ଶ୍ରମ, ଶିଶୁ ସୁରକ୍ଷା ଓ ଶିଶୁ ମଙ୍ଗଳ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ଅନୁସୂଚିତ ଜନଜାତିର ୮ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇଥିଲା । ସଂପୃକ୍ତ ଅଧିକାରୀ ଉକ୍ତ ନାବାଳିକାକୁ ନିଜର ଝିଅ ପରି ଘରେ ରଖି ପାଠ ପଢ଼ାଉଥିଲେ ବୋଲି ସଫେଇ ଦେଇଥିଲେ ମଧ୍ୟ କାଉନସେଲିଂ ସମୟରେ ସବୁ କିଛି ସତ ପଦାକୁ ଆସିଥିଲା ।

ନାବାଳିକାର ବୟାନ ଅନୁଯାୟୀ ଗତ ୩ବର୍ଷ ହେଲା ସେ ଏହି ବ୍ୟକ୍ତିଙ୍କ ଘରେ ରହି କାମ କରୁଥିଲା । ରାତି ୪ଟାରୁ ଉଠି ଘର ଖରକିବା, ପୋଛିବା, ବାସନ ମାଜିବା, ଫୁଲ ତୋଳିବା ପରେ ରୋଷେଇ କରୁଥିଲା । ଏପରିକି ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କ ଗୋଡ଼ରେ ତେଲ ମାଲିସ କରି ଆସୁଥିଲା । ସମୟ ହେଲେ ୨କିମି ଦୂରରେ ଥିବା ଏକ ବିଦ୍ୟାଳୟକୁ ପଢ଼ିବାକୁ ରାସ୍ତାରେ ଗାଡ଼ି ଲିପ୍ଟ ମାଗି ଯାଉଥିଲା । ଅନୁରୂପ ବୟାନ ଉକ୍ତ ନାବାଳିକା କେତେକ ଗଣମାଧ୍ୟମ କ୍ୟାମେରା ସମ୍ମୁଖରେ ମଧ୍ୟ ରଖିଥିଲା । ସେହିପରି ୪ବର୍ଷ ପୂର୍ବରୁ ସେ ନିଜ ଝିଅକୁ ସେଠାରେ ଛାଡ଼ିଛି ବୋଲି ନାବଳିକାର ବାପା ସିଡ଼ବ୍ଲ୍ୟୁସି ସମ୍ମୁଖରେ କହିଥିଲେ । ତେବେ ସେହି ଦିନଠାରୁ ଉକ୍ତ ନାବାଳିକାକୁ ସିଡ଼ବ୍ଲ୍ୟୁସିର ନିର୍ଦ୍ଦେଶରେ ଆସିଆନା ମୁକ୍ତ ଆଶ୍ରୟ କେନ୍ଦ୍ରରେ ରହିଛି । ତେବେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଭାବେ ଶିଶୁ ଶ୍ରମିକ ସମ୍ପର୍କୀତ ଆଇନ ସମ୍ପର୍କରେ ଅବଗତ ଥାଇ ମଧ୍ୟ ଏଭଳି ବେଆଇନ କାର୍ଯ୍ୟ କରିବା ଘଟଣାକୁ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବହୁ ସ୍ୱେଛାସେବୀ ନାପସନ୍ଦ କରିଛନ୍ତି । ନିଜ ଚାକିରି ଜୀବନ ମଧ୍ୟରେ ‘ସ୍ମାଇଲ’, ‘ମୁସ୍କାନ’,‘ପରୀ’ ପରି ବିଭିନ୍ନ ଶିଶୁ ମଙ୍ଗଳ, ପୁନରୁଦ୍ଧାରଭିତ୍ତିକ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ରହି ମଧ୍ୟ ଜଣେ ନାବାଳିକାକୁ ଶିଶୁ ଶ୍ରମିକ ଭାବେ ନିୟୋଜିତ କରିବା ସ୍ପୃହଣୀୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.