Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗର ଚଢାଉ, ପୁଣି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୧୦...

ଅବକାରୀ ବିଭାଗର ଚଢାଉ, ପୁଣି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୧୦ ମାମଲା ରୁଜୁ, ୧୧ କୋର୍ଟ ଚାଲାଣ

45

ଭଦ୍ରକ, ୩ । ୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏବେ ଆଗକୁ ଆସୁଛି କାଳୀପୂଜା । ଯଦିଓ କୋଭିଡ୍‌-୧୯ ର ସରକାରୀ କଟକଣା ପାଇଁ ଏହି ପାର୍ବଣ ଫିକା ପଡିବାକୁ ଯାଉଛି, ତେବେ ମଦ ମାଫିଆଙ୍କ ପାଇଁ ଏବେଠାରୁ ଅବକାରୀ ବିଭାଗ ତାର ଚଢାଉ ଆରମ୍ଭ କରିଦେଇଛି । ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିରୀକ୍ଷକ ଧନେଶ୍ୱର ବରାଡ ଏହି ମଦ ମାଫିଆଙ୍କ ପାଇଁ ଯମ ପାଲଟିଛନ୍ତି । କାହିଁକି ନା ଶ୍ରୀ ବରାଡଙ୍କ ଯୋଗଦାନ ପରେ ଭଦ୍ରକରେ ବହୁ ଦେଶୀ ବିଦେଶୀ ଚୋରା ମଦ ମାଫିଆମାନେ ତ୍ରାହି ତ୍ରାହି ଡାକିଲେଣି । ଗତ ୫ ଦିନ ତଳେ ଏହି ବିଭାଗ ବିପୁଳ ପରିମାଣର ମଦ ଜବତ କରି ୧୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଜି ପୁଣି ଥରେ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ପୁରୁଣାବଜାର ଥାନା ଅଧୀନସ୍ଥ ଚରମ୍ପା, ନରିପୁର, ମିର୍ଜାପୁର, ନଚ୍ଛିପୁର, ଚଢେୟା ଭଳି ବିଭିନ୍ନ ଅଂଚଳ ଉପରେ ଚଢାଉ କରି ୫୧୦ ଲିଟର ଦେଶୀ ମଦ, ୩୦ ଲିଟର ବିୟର, ୩୦ ଲିଟର ଆସ୍କା ଫଟି ସହ ଗୋଟିଏ ମଦପୂର୍ଣ୍ଣ ଫ୍ରିଜ୍ ଓ ମଦ ବୋଝେଇ ବାଇକ୍ ଜବତ କରିବା ସହ ୧୦ ଟି କେଶ୍ ମୂଳେ ଜଣେ ମହିଳାଙ୍କ ସମେତ ୧୧ ଜଣଙ୍କୁ କୋର୍ଟ ଚାଲାଣ କରିଛି । ବିଶେଷକରି ଏହି ଚଢାଉବେଳେ ସହରାଞ୍ଚଳ ଥାନା ଅଧୀନସ୍ଥ ବଙ୍କସାହି ସ୍କୁଲ ସମ୍ମୁଖରେ ବେଆଇନ୍ ଭାବେ ଘରକରି ରହୁଥିବା ଗଣେଶ ମହାନ୍ତିଙ୍କ ଘର ମଧ୍ୟରୁ ବିପୁଳ ପରିମାଣର ଦେଶୀ-ବିଦେଶୀ ମଦ ଜବତ ହୋଇଥିବାବେଳେ ଏହି ଘରର ପଛପଟେ ଥିବା ଜଳ ନିଷ୍କାସନ ନାଳ ବନ୍ଧରେ ଗାତକରି ତାହା ମଧ୍ୟରେ ମାଟି କଳସି ପୋତି ମଦକୁ ଅଭିନବ ଭାବେ ଲୁଚାଇ ବିକ୍ରି କରିଆସୁଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଥିପାଇଁ ଅବକାରୀ ବିଭାଗକୁ ଏହି ମଦ ଗୁଡିକ ଗାତ ଖୋଳି ବାହାର କରିବାକୁ ନାକେଦମ୍ ହେବାକୁ ପଡିଥିଲା । ଅନୁରୂପ ମିର୍ଜାପୁର ନିବାସୀ ଶକ୍ତିଧର ଦାସଙ୍କ ନରିପୁରସ୍ଥିତ ଘରୁ ୩୦ ଲିଟର ବିୟର ଭର୍ତ୍ତି ଫ୍ରିଜ୍ ମଧ୍ୟ ଜବତ ହୋଇଛି ।

ଏଥିସହ ଜଳଙ୍ଗା ନିବାସୀ ପ୍ରଶାନ୍ତ ବେହେରା ଓ ସୁଜନ ଜେନାଙ୍କୁ ଗିରଫ କରାଯାଇ ସେମାନେ ବ୍ୟବହାର କରୁଥିବା ଓଡି-୨୨-୫୧୩୨ ନମ୍ବରର ହିରୋହୋଣ୍ଡା ସୁପର ସ୍ପେ୍ଲଣ୍ଡର ମୋଟର ସାଇକେଲ୍‌କୁ ଜବତ କରାଯାଇଛି । ସେହିଭଳି ଡଗରାସାହିର ମୀନା ସିଂହ, ଗରଦପୁରର ଗଜେନ୍ଦ୍ର ମାଝୀ, ମିର୍ଜାପୁରର ଉମାକାନ୍ତ ବେହେରା ଓ ଚଢେୟାର ନାରାୟଣ ବେହେରା, ଅଶୋକ ବେହେରା, ପଂଚାନନ ବେହେରା ଓ ରମାକାନ୍ତ ବେହେରାଙ୍କ ନିକଟରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଶ୍ରୀ ବରାଡଙ୍କ ନେତୃତ୍ୱରେ ଉପରୋକ୍ତ ଚଢାଉରେ ଏସ୍‌ଆଇ ସନ୍ତୋଷ କୁମାର ବଳ, ସ୍ପନ୍ଦନ କୁମାର ମହାନ୍ତି, ଏଏସ୍‌ଆଇ ପ୍ରହ୍ଲାଦ ସାମଲ, ଭବେଶ ଦାସ, ପୁରୁଷୋତ୍ତମ ମଲ୍ଲିକ, ଦୀପକ କୁମାର ରାଉତ ଓ କନେଷ୍ଟବଳ ପ୍ରଦୀପ ମଲ୍ଳିକ, ମୁରଲୀ ପ୍ରଧାନ, ରମେଶ ନାୟକ, ଅଜିତ୍ କୁମାର ସିଙ୍କୁ, ଶିବପ୍ରସାଦ ସାହୁ, ପରେଶ ଟୁଡୁ, ରଶ୍ମିରେଖା ଜେନା, ସନ୍ଧ୍ୟାରାଣୀ ଜେନା, ମିଥୁନ ଜେନା ଓ ଖଗେଶ୍ୱର ଜେନା ପ୍ରମୁଖ ସାମିଲ ଥିଲେ । ଏଥିନେଇ ଅବକାରୀ ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ୧୦ଟି ମାମଲା ରୁଜୁ କରାଯାଇ ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ସମସ୍ତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଶ୍ରୀ ବରାଡ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.