Home ଜିଲ୍ଲା ପରିକ୍ରମା ଅପୂର୍ବ ରଂଜନ ରାୟ ଥିଲେ ଭଦ୍ରକର ଗର୍ବ ଓ ଗୌରବ

ଅପୂର୍ବ ରଂଜନ ରାୟ ଥିଲେ ଭଦ୍ରକର ଗର୍ବ ଓ ଗୌରବ

25

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ସ୍ତମ୍ଭକାର, ସମାଲୋଚକ, ସାମ୍ବାଦିକ, ସମ୍ପାଦକ, ସଂଗଠକ ତଥା ସୁବକ୍ତା ଭାବରେ ୰ଅପୂର୍ବ ରଂଜନ ରାୟ ଯେଉଁ ବିପୁଳ ସିଦ୍ଧି ପ୍ରାପ୍ତ ହୋଇଥିଲେ, ଯେଉଁ ଅମଳିନ ଯଶ ଓ ଖ୍ୟାତି ଲାଭ କରିଥିଲେ ତାର ତୁଳନା ଅନ୍ୟତ୍ର ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ମହାନ ଯଶସ୍ୱୀ ସ୍ରଷ୍ଟାଙ୍କର ତିରୋଧାନ ଭଦ୍ରକ ମାଟିରେ ବିଶେଷତଃ ଓଡ଼ିଶାର ସାରସ୍ୱତ ଜଗତରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟିକଲା ତାହା ପୂରଣ ହେବା ସମ୍ଭବ ନୁହେଁ। ଷାଠିଏ ଖଣ୍ଡରୁ ଉର୍ଦ୍ଧ୍ୱ ପୁସ୍ତକର ରଚୟିତା ଅପୂର୍ବ ରଂଜନ ଅନେକ ଅନାଲୋଚିତ ପ୍ରତିଭାଧର ବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣିବା ସହିତ ସାହିତ୍ୟ ସୃଷ୍ଟି ଦିଗରେ ସେମାନଙ୍କର ପ୍ରେରଣାର ଉତ୍ସଥିଲେ ବୋଲି ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଅପୂର୍ବ ରଞ୍ଜନ ରାୟଙ୍କ ଷଷ୍ଠ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅପୂର୍ବ ରଂଜନ ରାୟ ସ୍ମୃତି ସଂସଦ ଆନୁକୂଲ୍ୟରେ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସ୍ମୃତି ସଭାରେ ସଂସଦର ସଭାପତି ଅଜୟ କୁମାର ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ସମ୍ମାନିତ ଅତିଥି ଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ ଓ ସମ୍ମାନିତ ବକ୍ତା ଭାବେ ଡା. ପ୍ରଦୀପ କୁମାର ନାୟକ ପ୍ରମୁଖ ଯୋଗଦେଇ ଭଦ୍ରକର ସାରସ୍ୱତ-ସାଂସ୍କୃତିକ ଓ ସାମାଜିକ ଜୀବନଧାରା ସହିତ ନିଜକୁ ଓତଃପ୍ରୋତ ଭାବରେ ଜଡ଼ିତ ରଖିଥିବା ୰ ଅପୂର୍ବ ରଂଜନ ରାୟ ଯଥାର୍ଥରେ ଭଦ୍ରକର ଗର୍ବ ଓ ଗୌରବ ଥିଲେ ବୋଲି କହିଥିଲେ। କବି ବିଜୟ କୁମାର ବହଳୀ ମଞ୍ଚ ଆମନ୍ତ୍ରଣ ଓ ଅଧୀବକ୍ତା ଗଦାଧର ବଳ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସ୍ମୃତି ସଂସଦର ସଂପାଦକ ପ୍ରବୀର କୁମାର ଜେନା ସ୍ୱାଗତ ଭାଷଣ ପ୍ରସଙ୍ଗରେ ୰ରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକା ପାଠାଗାର ପରିକଳ୍ପନାକୁ ସାକାର କରିବା ପାଇଁ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଗବେଷକ ଡ.ଅଜୟ କୁମାର ପଣ୍ଡାଙ୍କୁ ‘ଅପୂର୍ବ ରଂଜନ ରାୟ ସ୍ମୃତି ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା। ଲିପିପୁଷ୍ପା ରାୟ ମାନପତ୍ର ପାଠ କରିଥିବା ବେଳେ କବୟିତ୍ରୀ ମନୋରମା ରାୟ ଏଥିରେ ସହଯୋଗ କରିଥିଲେ। ଡ.ପଦ୍ମକାନ୍ତ ଧଳ, ଡ.ରାମଚନ୍ଦ୍ର ପଣ୍ଡା, ବାସୁଦେବ ବାରିକ, ଡ.ଗୋଲକ ବିହାରୀ ସାହୁ ସ୍ୱର୍ଗତ ରାୟଙ୍କ ସ୍ମୃତି ଚାରଣ କରିଥିଲେ। ବିକାଶ କୁମାର ଶତପଥି ବେଦପାଠ କରିଥିବା ବେଳେ ସୁଧାକର ରାଉତ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଗୋପାଳଜୀଉ ମନ୍ଦିରର ପ୍ରାଙ୍ଗଣରେ ବିଜୁ ଜନତା ଦଳ ଓ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସ୍ୱେଚ୍ଛାକୃତ ରତ୍କଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହା ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ବହୁ ଯୁବକ ଏଥିରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମନୋଜ କୁମାର ଦାସ, ଆଶିଷ କୁମାର ରାୟ, ସଂଗ୍ରାମ ସାହୁ, ରାଜେଶ କୁମାର ଦାସ, ବିଶ୍ୱପ୍ରତାପ ମଲ୍ଲିକ, ସମୀର କାନ୍ତ ଦାସ, କିଶୋର କୁମାର ଲଢ଼ା, ରାଜେଶ ରାୟ, ସୁବ୍ରତ ସାମଲ, ତ୍ରୈଲୋକ୍ୟ ରାୟ, ବୈକୁଣ୍ଠ ବିଶ୍ୱାଳ ଏବଂ ଦୁଃଶାସନ ମହାନ୍ତି ପ୍ରମୁଖ ଉତ୍ସବ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.