Home ଓଡ଼ିଶା ଅନ୍ୟ ପାଇଁ ଉଦାହରଣ କେନ୍ଦ୍ରାପଡ଼ାର ଉଚ୍ଚଶିକ୍ଷିତା ଝିଅ ଗୀତାଞ୍ଜଳି : ଜଳଖିଆ ଦୋକାନ କରି ଆତ୍ମନିର୍ଭରଶୀଳ...

ଅନ୍ୟ ପାଇଁ ଉଦାହରଣ କେନ୍ଦ୍ରାପଡ଼ାର ଉଚ୍ଚଶିକ୍ଷିତା ଝିଅ ଗୀତାଞ୍ଜଳି : ଜଳଖିଆ ଦୋକାନ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି

92

କେନ୍ଦ୍ରାପଡ଼ା, ୧୨ା୬ (ଓଡ଼ିଆ ପୁଅ) : ଚାକିରୀ ପଛରେ ଗୋଡାଇ ବେକାରୀ ହେବା ଅପେକ୍ଷା ନିଜେ କିଛି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ଶ୍ରେୟସ୍କର। କାରଣ କୌଣସି ବ୍ୟବସାୟ କରିବା ଦ୍ୱାରା ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିବେ। ଏହିଭଳି ଜଣେ ଶିକ୍ଷିତା ଯୁବତୀ ହେଉଛନ୍ତି ଗୀତାଞ୍ଜଳି ସାହୁ। ଗୀତାଞ୍ଜଳି କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଏକ ଜଳଖିଆ ଦୋକାନ କରିଛନ୍ତି। ଗୀତାଞ୍ଜଳି ଶିକ୍ଷା(ଏଜୁକେସନ) ଅନର୍ସ ରଖି ୨୦୧୮ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଏ ପାସ କରିଛନ୍ତି। ଏହାପରେ ସେ ଚାକିରୀ ପଛରେ ନ ଗୋଡାଇ ନିଜେ ବ୍ୟବସାୟ କରୁଛନ୍ତି। ଏଥିସହିତ ସେ ଜଣେ ସମାଜସେବୀ ଭାବେ ମଧ୍ୟ ବେଶ ପରିଚିତ। ଗୀତାଞ୍ଜଳିଙ୍କ ୪ ଭଉଣୀ। ଏହି ଦୋକାନରେ ସେ ଦିନକୁ ୧୦ ଘଣ୍ଟା କାମ କରନ୍ତି। ୪ ଭଉଣୀ ମଧ୍ୟରୁ ଗୀତାଞ୍ଜଳି ଦ୍ୱିତୀୟ। କେନ୍ଦ୍ରାପଡା ସହରର ବଡ଼ବାରଙ୍ଗ ଗ୍ରାମର କେଶବ ସାହୁ କୁହନ୍ତି ଗୀତାଞ୍ଜଳି ମୋ ଝିଅ ଓ ପୁଅ ଉଭୟ। କାରଣ ସେ ପୁଅ ଭଳି ଦୋକାନ ସମ୍ଭାଳୁଛି ଓ ଝିଅ ହୋଇ ଘର କାମ ମଧ୍ୟ କରୁଛି। ସେ ଦୋକାନ ନ ସମ୍ଭାଳିଲେ ଦୋକାନ ଚାଲି ପାରେ ନାହିଁ। ତାର ଯଦି କୌଣସି ଦିନ ଦେହ ଅସୁସ୍ଥ ହୁଏ ତାହା ହେଲେ ଦୋକାନ କାର୍ଯ୍ୟ ଠିକ ଭାବେ ହୋଇ ପାରେ ନାହିଁ। କାରଣ ଦୋକାନର ସବୁ କାର୍ଯ୍ୟ ମୁଁ କରିପାରେ ନାହିଁ। ତେଣୁ ମୁଁ କେବେ ଅନୁଭବ କରିନାହିଁ ଯେ ମୋର ପୁଅ ନାହିଁ ବୋଲି। ଗୀତାଞ୍ଜଳି ମୋ ପୁଅ ହୋଇ ଘର ଓ ବାହାର ଉଭୟ କାର୍ଯ୍ୟ କରିପାରେ। ଦୋକାନ ପାଇଁ ଜିନିଷପତ୍ର ମଧ୍ୟ ସେ ବଜାରରୁ କିଣି ନେଇ ଆସେ ବୋଲି ସେ କହିଛନ୍ତି। ଚାକିରୀ ସମ୍ପର୍କରେ ପଚାରିବାରେ ଗୀତାଞ୍ଜଳି କୁହନ୍ତି ଆମେ ସମସ୍ତେ ଯଦି ଚାକିରୀ ପଛରେ ଦୌଡିବା ତାହା ହେଲେ ଆମ ଅର୍ଥନୀତି ସୁଦୃଢ ହୋଇ ପାରିବ ନାହିଁ। ତେଣୁ ଆମକୁ ବ୍ୟବସାୟ ମଧ୍ୟ କରିବାକୁ ପଡିବ। କାରଣ ମୁଁ ଦୋକାନ ପାଇଁ ଯେଉଁ ସବୁ ଜିନିଷ ବଜାରରୁ କିଣୁଛି ସେ ଜିନିଷ ପ୍ରସ୍ତୁତ କରିବା ପାଇଁ ଅନେକ ପରିବାର ପରୋକ୍ଷରେ ନିୟୋଜିତ ହୋଇଛନ୍ତି। ତେଣୁ ପରୋକ୍ଷରେ ମୋ ଦୋକାନ ପାଇଁ ଅନେକ ପରିବାର ପ୍ରତିପୋଷଣ ହୋଇ ପାରୁଛନ୍ତି। ସେ କହିଛନ୍ତି ପାଠ ପଢିଥିଲେ ସବୁ କ୍ଷେତ୍ରରେ ତାହାକୁ କାର୍ଯ୍ୟକାରୀ କରିହେବ। କେବଳ ପାଠ ପଢି ଯେ ଚାକିରୀ କରିବା ସେ ମାନସିକତାରୁ ଶିକ୍ଷିତ ଯୁବକ ଯୁବତୀମାନେ ଦୂରେଇ ରହିବା ଆବଶ୍ୟକ। କାରଣ ପାଠର ମହତ୍ୱ ସବୁ ସ୍ଥାନରେ ରହିଛି ବୋଲି କହିଛନ୍ତି ଗୀତାଞ୍ଜଳି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.