Home ଓଡ଼ିଶା ଅଦିନିଆ ଲଗାଣ ବର୍ଷା ଓ ଚକଡ଼ା ପୋକ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ...

ଅଦିନିଆ ଲଗାଣ ବର୍ଷା ଓ ଚକଡ଼ା ପୋକ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କିଷାନ କଂଗ୍ରେସର ଦାବି

61

ଭୁବନେଶ୍ୱର, ୨୫/୧୧ (ଓଡ଼ିଆ ପୁଅ) – ରବି ଚାଷ ସମୟରେ ଖରିଫ୍ ଧାନ ସଂଗ୍ରହ ବେଳେ ବିଭିନ୍ନ ଜିଲ୍ଲାରେ ଅଦିନିଆ ଲଗାଣ ବର୍ଷା ଓ ଚକଡ଼ା ପୋକ ଦ୍ୱାରା ବ୍ୟାପକ ଫସଲ ହାନି ଘଟିଛି। ସେହିପରି ଖରିଫ୍ ଋତୁରେ ୩୫ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯାଇଥିବା ବେଳେ ପ୍ରଥମେ ଅଭାବୀ ବର୍ଷା ଓ ପରବର୍ତ୍ତୀ ସମୟରେ ଅଧିକ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା। ଫଳରେ ଧାନ ସହିତ ବହୁଳ ଭାବରେ ପନିପରିବା ଚାଷ ଉଜୁଡ଼ି ଯାଇଛି। ଏଥିରେ ଚାଷୀ ଗୁରୁତର କ୍ଷତି ସହିଛନ୍ତି। ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସରକାର କେବଳ ଚାଷ ଓ ଚାଷୀର ବିକାଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାର ପ୍ରମାଣିତ ହେଉଛି। ଏଭଳି ସଙ୍ଗୀନ ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାର ବାସ୍ତବ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି। ଚକଡ଼ା ପୋକଦ୍ୱାରା ଫସଲ ହାନୀ ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ସରକାର ଏହାର ପ୍ରତିକାର କରିବା ପରିବର୍ତ୍ତେ ନିଧଡ଼କ ହୋଇ ବସିଛନ୍ତି। ଅନୁରୂପ ଭାବେ ଚଳିତ ରବି ଚାଷ ପାଇଁ କୃଷି, ଉଦ୍ୟାନ, ଜଳସେଚନ ଓ ସମବାୟ ବିଭାଗ ପକ୍ଷରୁ ସେଭଳି ଆନ୍ତରିକତା ଦେଖାଯାଉ ନାହିଁ। ଚାଷୀ ଋଣ ଭାରରେ ଛନ୍ଦି ହୋଇ ପଡ଼ିଛି। ଏପରି ସ୍ଥଳେ ସମସ୍ତ ଚାଷୀଙ୍କଠାରୁ ଋଣ ଛାଡ଼ କରିବା ଜରୁରୀ। ତେଣୁ ଶ୍ରୀ ପଟ୍ଟନାୟକ ସରକାରଙ୍କ ତରଫରୁ ତୁରନ୍ତ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ, ଚାଷୀଙ୍କୁ ଏକର ପିଚ୍ଛା ୨୦ ହଜାର ଟଙ୍କା କ୍ଷତିପୁରଣ, ଗତ ଖରିଫ୍ କୃଷି ଋଣ ଛାଡ଼, ବିନା ସୁଧରେ ରବି ଚାଷ ପାଇଁ କୃଷିଋଣ, ମାଗଣାରେ ଧାନ, ତୈଳବୀଜ ବିହନ ଓ ପନିପରିବା ମଞ୍ଜି, ସାର, କୀଟନାଶକ ଔଷଧ ଚାଷୀମାନଙ୍କୁ ଯୋଗାଇ ଦେବା ସହ ମନରେଗାରେ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ, ଚାଷ କାର୍ଯ୍ୟପାଇଁ ବିଦ୍ୟୁତ ଶୁଳ୍କ ଛାଡ଼ ଓ ରବି ଚାଷ ପାଇଁ ବିଭିନ୍ନ ଜଳସେଚନ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବାକୁ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ସରକାରଙ୍କଠାରେ ଦୃଢ଼ ଦାବି କରିଛନ୍ତି। ଯଦି ସରକାରଙ୍କ ପକ୍ଷରୁ ଏ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରା ନ ଯାଏ ନିକଟରେ ଅନୁଷ୍ଠିତ ପିସିସି କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି କ୍ରମେ ସରକାରଙ୍କ ବିରୁଦ୍ଧରେ ବ୍ଳକ ଓ ଜିଲ୍ଲାସ୍ତରରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.