Home ଓଡ଼ିଶା ଅତି ଭୟଙ୍କର ସାମୁଦ୍ରିକ ଝଡ ଫନୀ: ମେ ୩ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ...

ଅତି ଭୟଙ୍କର ସାମୁଦ୍ରିକ ଝଡ ଫନୀ: ମେ ୩ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ଓଡିଶା ଉପକୂଳ ଅତିକ୍ରମ କରିବ ଫନୀ

2603

– ମେ ୩ ସଂଧ୍ୟାରେ ଓଡିଶା ଉପକୂଳରେ ଘଂଟାପ୍ରତି ୨୦୦ କିମି ବେଗରେ ପବନ ବହିବ
– ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା
– ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଓ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ
– ମେ ୧ରୁ ୪ ମଧ୍ୟରେ ସମୁଦ୍ର ମଧ୍ୟକୁ ଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି

ଭୁବନେଶ୍ୱର (ଓଡ଼ିଆ ପୁଅ) ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ଫନୀ ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୪ କିମି ବେଗରେ ଉତରପଶ୍ଚିମ ଦିଗରେ ଗତିକରି ବୁଧବାର ସକାଳ ୮.୩୦ ସୁଦ୍ଧା ୧୪.୧ ଡିଗ୍ରୀ ଉତର ଅକ୍ଷାଂଶ ଏବଂ ୮୩.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ପୁରୀଠାରୁ ୬୬୦ କିମି ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଓ ବିଶାଖାପାଟଣାଠାରୁ ୪୦୦ କିମି ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ ପହଂଚିଛି। ଆଗାମୀ ୧୨ ଘଂଟା ମଧ୍ୟରେ ଏହା ଉତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି। ଏହାପରେ ଏହି ସାମଦ୍ରିକ ଝଡ ଉତର-ଉତରପୂର୍ବ ମୋଡ ନେଇ ମେ ୩ ଅପରାହ୍ନ ସୁଦ୍ଧା ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟଦେଇ ପୁରୀ ଦକ୍ଷିଣରେ ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଘଂଟା ପ୍ରତି ୧୭୦-୧୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିଲାବେଳେ ଏହା ସର୍ବାଧିକ ଘଂଟାପ୍ରତି୨୦୦ କିମିରେ ପହଂଚିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ମେ ୨ରେ ଓଡିଶାର ଦକ୍ଷିଣ ଉପକୂଳର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ ୩ରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି। ମେ ୪ରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ଉତର ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ବାତ୍ୟାର ପ୍ରଭାବରେ ମେ ୨ ରେ ଆନ୍ଧ୍ର ଓ ଓଡିଶା ଉପକୂଳରେ ପବନର ବେଗ ଘଂଟା ପ୍ରତି ୪୦-୫୦କିମି ବେଗରେ ଆରମ୍ଭ ହୋଇ ୬୦ କିମିରେ ପହଂଚିବ। ମେ ୩ ସକାଳୁ ପବନର ବେଗ ବୃଦ୍ଧି ପାଇ ଘଂଟାପ୍ରତି ୬୦-୭୦ କିମି ଓ ପରେ ୮୫କିମିରେ ପହଂଚିବ। ସଂଧ୍ୟାବେଳକୁ ଓଡିଶା ଉପକୂଳରେ ପବନର ବେଗ ଆହୁରି ବୃଦ୍ଧି ପାଇ ଘଂଟାପ୍ରତି ୧୭୫-୧୮୫ କିଲୋମିଟର ବେଗରେ ପହଂଚିବ ଏବଂ ସର୍ବାଧିକ ଘଂଟାପ୍ରତି ୨୦୫ କିମି ଛୁଇଁବ।

ମେ ୨ରୁ ୪ ମଧ୍ୟରେ ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଏବଂ ପ୍ରାୟ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ। ଝଡ ସ୍ଥଳଭାଗ ଛୁଇଁବା ସମୟରେ ଜୁଆରର ଉଚ୍ଚତା ବୃଦ୍ଧି ପାଇବ ଏବଂ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାମାନଙ୍କର ତଳିଆ ଅଂଚଳକୁ ସମୁଦ୍ର ପାଣି ମାଡି ଆସିବାର ସମ୍ଭାବନା ରହିଛି। ମେ ୧ରୁ ୪ ମଧ୍ୟରେ ସମୁଦ୍ର ମଧ୍ୟକୁ ଢ଼ଙ୍ଗା ନେଇ ନଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ସତର୍କ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.