Home ଓଡ଼ିଶା ଅଟୋ ଚାଳକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅଟୋ ଚାଳକ ମାନଙ୍କର ଦାବି

ଅଟୋ ଚାଳକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅଟୋ ଚାଳକ ମାନଙ୍କର ଦାବି

264

ଭୁବନେଶ୍ୱର, ୨୯/୪ (ଓଡ଼ିଆ ପୁଅ) – କରୋନା ବିଶ୍ୱ ମହାମାରୀ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ। ଭାରତ ବର୍ଷରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦୃତଗତିରେ ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବଢ଼ିବାରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଏକମାସରୁ ଉର୍ଦ୍ଧ୍ୱକାଳ ଧରି ତାଲାବନ୍ଦ ହେବା ଯୋଗୁଁ କ୍ଷୁଦ୍ର ବ୍ୟବସାୟୀ, ଶ୍ରମଜୀବି ଓ ପରିବହନ କ୍ଷେତ୍ରରେ ନିୟୋଜିତ ଅଟୋ ଚାଳକମାନେ ବିଶେଷଭାବରେ କ୍ଷତିଗ୍ରସ୍ଥ ହୋଇଛନ୍ତି। ମାସକରୁ ଉର୍ଦ୍ଧ୍ୱ ହେବ ଅଟୋ ବନ୍ଦ ହେତୁ ଅଟୋ ଚାଳକମାନଙ୍କର ଦୈନିକ ରୋଜଗାର ବନ୍ଦ ହୋଇଯାଇଛି। ଅଟୋରିକ୍ସାର ବୀମା ପ୍ରିମିୟମ, ଟ୍ୟାକ୍ସ, ଫିଟନେସ୍ ଓ ପରମିଟ୍ ଦେୟ ସରକାରଙ୍କୁ ଆଗୁଆ ଦେବା ସତ୍ୱେ ଲକ୍‌ଡ଼ାଉନ୍ ଯୋଗୁଁ ବର୍ତ୍ତମାନ ଅଟୋ ଚାଳକମାନେ ଓ ତାଙ୍କ ପରିବାରବର୍ଗ ଖାଦ୍ୟବିନା ଛଟପଟ ହେଉଛନ୍ତି। ଦିନକୁ ଦିନ ପରିସ୍ଥିତି ଅସମ୍ଭାଳ ହେବାକୁ ବସିଲାଣି। ରାଜ୍ୟ ସରକାର ଏକଥା ଭଲଭାବରେ ଜାଣିଛନ୍ତିଯେ, ଅଟୋ ଚାଳକମାନେ ଖଟିଲେ ବା ଚକଗଡ଼ିଲେ ହିଁ ତାଙ୍କର ପିଲାମାନେ ଓ ପରିବାର ବର୍ଗର ପେଟକୁ ଦାନାଯାଏ। ଏଭଳି ପରିସ୍ଥିତିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ୱେ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ସହାୟତା ମିଳିପାରିଲା ନାହିଁ। ଯେତେବେଳେ ଦିଲ୍ଲୀ ରାଜ୍ୟ ସରକାର ପରିବହନ ଶ୍ରମିକମାନଙ୍କୁ ଏବଂ ଅଟୋ ଚାଳକମାନଙ୍କୁ ୫୦୦୦ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି, ଆମ ରାଜ୍ୟରେ ରାଜ୍ୟ ସରକାର କୌଣସି ସାହାଯ୍ୟ ନଦେବା ଫଳରେ ବାଧ୍ୟହୋଇ ଅଟୋ ଚାଳକମାନଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱଠାରେ ଶାରରୀକ ଦୂରତା ରକ୍ଷାକରି ଅଟୋଚାଳକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାର ସହୃଦୟେ ବିଚାରକରି ତୁରନ୍ତ ଅଟୋଚାଳକ ମାନଙ୍କ ନିମନ୍ତେ ସହାୟତା ଘୋଷଣା କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ଆଜି ରାଜଧାନୀ ଆଟୋ ଚାଳକ ସଂଘ ଏବଂ ଅଟୋ ମହାସଂଘର ପକ୍ଷରୁ ମିଳିତ ଭାବରେ ରେଳୱେ ଷ୍ଟେସନ ଅଟୋ ଷ୍ଟାଣ୍ଡ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭରେ ଶାରରୀକ ଦୂରତା ବଜାୟରଖି ରାଜଧାନୀ ଆଟୋ ଚାଳକ ସଂଘ ସଭାପତି ସୁର ଜେନା, ଅଟୋ ମହାସଂଘ କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତ, ଅନ୍ୟତମ ସଂପାଦକ ବିଜୟ କୁମାର ପଟ୍ଟନାୟକ, ଏବଂ ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନା ରାଜଧାନୀ ଅଟୋ ଚାଳକ ସଂଘର ରାଧାକାନ୍ତ ଶତପଥୀ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦାବି ସମ୍ମଳିତ ପ୍ଲାକର୍ଡ଼ମାନ ପ୍ରଦର୍ଶନ କରି ବିଭିନ୍ନ ଧ୍ୱନିଦେଇ ବିକ୍ଷୋଭରେ ନେତୃତ୍ୱ ନେଇଥିଲେ। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ଓ ପରିବହନମନ୍ତ୍ରୀଙ୍କୁ ଅଟୋଚାଳକମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.