Home ଓଡ଼ିଶା ଅଟଳ ବିହାରୀ ବାଜପେୟୀ ଥିଲେ ଭାରତର ପ୍ରଗତି ପୁରୁଷ

ଅଟଳ ବିହାରୀ ବାଜପେୟୀ ଥିଲେ ଭାରତର ପ୍ରଗତି ପୁରୁଷ

69

ଭୁବନେଶ୍ୱର ୧୬ା୮ (ଓଡ଼ିଆ ପୁଅ) : ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ କବି, ଭାରତ ବର୍ଷର ଜନମାନସର ଲୋକପ୍ରିୟ ରାଜନେତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ପ୍ରତିଷ୍ଠାନସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପଦାନ ପୂର୍ବକ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆରମ୍ଭରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବାଜପେୟୀଙ୍କ ସ୍ମୃତିଚାରଣ ପୂର୍ବକ ସଂଗୀତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଓଡ଼ିଶା ରାଜ୍ୟ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଶ୍ୱରଂଜନ ବଡ଼ଜେନା, ସୁଦୀପ୍ତ ରାୟ, ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ପ୍ରତିଷ୍ଠାନର କୁଳସଚିବ ବି.ବି. ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ରାଜକିଶୋର ଦାଶ, ପ୍ରଫେସର (ଡଃ) ପ୍ରଭାସ ତ୍ରିପାଠୀ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ଅଟଳ ବିହାରୀ ବାଜପେୟୀ ଜନସଂଘ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଭ୍ୟ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲା ବେଳେ ସେ ସମସ୍ତ ଧର୍ମାବଲମ୍ବୀମାନଙ୍କର ଆପଣାର ମଣିଷ ଥିଲେ। ସେଥିପାଇଁ ସେ ମୁସଲମାନ ବହୁଳ ଲକ୍ଷ୍ନୌ ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ଭାବରେ ସାଂସଦ ଭାବରେ ନିର୍ବାଚିତ ହେଉଥିଲେ। ୧୯୭୭ ମସିହାରେ ମୋରାଜୀ ଦେଶାୟୀଙ୍କ ମନ୍ତ୍ରୀମଣ୍ଡଳରେ ବୈଦେଶିକ ମନ୍ତ୍ରୀ ଭାବରେ ତାଙ୍କର ବୈଦେଶିକ ନୀତି ପାଇଁ ସେ ଚିର ସ୍ମରଣୀୟ ହୋଇ ରହିଛନ୍ତି। ବିଭିନ୍ନ ସମୟରେ ସେ ଦେଶ ଓ ରାଷ୍ଟ୍ର ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆମ ଦେଶର ସୁନାମ ବୃଦ୍ଧି କରିଛନ୍ତି। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପ୍ରଣୟନ ସହ ସ୍ୱର୍ଣ୍ଣଚର୍ତୁଭୁଜ ଯୋଜନାରେ ସଡ଼କ, ଯୋଗାଯୋଗ ବ୍ୟବସ୍ଥା ସମ୍ପ୍ରସାରଣ ସହିତ ପୋଖରାନ୍ ଆଣବିକ ପରୀକ୍ଷଣ କରି ସେ ଭାରତ ବର୍ଷକୁ ଅନ୍ୟତମ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବରେ ସୁପରିଚିତ କରିଥିଲେ। ଜଣେ କବି ଭାବରେ ତାଙ୍କ କବିତା ସାଧାରଣ ବ୍ୟକ୍ତିର ହୃଦୟକୁ ସ୍ପର୍ଶ କରିପାରୁଥିଲା। ସେ ଥିଲେ ବାସ୍ତବରେ ଭାରତ ବର୍ଷର ପ୍ରଗତି ପୁରୁଷ ଓ ଜନମାନସର ଲୋକପ୍ରିୟ ନେତା ବୋଲି ମତ ଦେଇ ବକ୍ତାମାନେ ଯୁବ ଓ ଛାତ୍ରସମାଜ ଅଟଳଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଅଟଳ ବିହାରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.