Home Top News ଅକ୍ଟୋବର ୩୧ ରେ ଇନ୍ଦିରା ପାର୍କ ଠାରୁ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା”ର ଶୁଭାରମ୍ଭ :...

ଅକ୍ଟୋବର ୩୧ ରେ ଇନ୍ଦିରା ପାର୍କ ଠାରୁ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା”ର ଶୁଭାରମ୍ଭ : ନିରନ୍ତର ବିକାଶ ଓ ପରିବର୍ତ୍ତନ ପାଇଁ ପଦଯାତ୍ରା – ପ୍ରଦେଶ କଂଗ୍ରେସ

69

ଭୁବନେଶ୍ୱର ୨୮.୧୦ (ଓଡ଼ିଆ ପୁଅ) – ଆମର ପ୍ରିୟ ନେତା ସମ୍ମାନନୀୟ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଅନୁକରଣରେ ଓଡ଼ିଶାରେ ସମ୍ମାନନୀୟ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ ତଥା ଅଧ୍ୟକ୍ଷ, “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟାନ୍ୱୟନ କମିଟି ସୂଚନା ଦେଇଛନ୍ତି। ଏହି ଭାରତ ଯୋଡ଼ ଯାତ୍ରା ଓଡ଼ିଶାରେ ୨୭ ଟି ଜିଲ୍ଲା, ୧୯ ସଂସଦୀୟ କ୍ଷେତ୍ର, ୨୨୫୦ କି.ମି. ରାସ୍ତାକୁ ପ୍ରାୟ ୧୦୦ ଦିନରେ ଅତିକ୍ରମ କରିବ। ଏହି ଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ଛାମୁଆ ସଂଗଠନ, ଜିଲ୍ଲା କଂଗ୍ରେସ ସଭାପତି, ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ବେକାର ଯୁବକ ଯୁବତୀ, ମହିଳା, ଛାତ୍ର ଛାତ୍ରୀ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିବେ। ଓଡ଼ିଶାରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ସ୍ଥିତିର ବୈପ୍ଳବିକ ପରିବର୍ତ୍ତନ ପାଇଁ ଏହି “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା” ଉଦ୍ଦିଷ୍ଟ।

ଅକ୍ଟୋବର ୩୧ ତାରିଖ ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କ ଠାରୁ ପ୍ରଭାତରୁ ଏହି ଯାତ୍ରା ଆରମ୍ଭ ହେବ। ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଛାଦିନର ପ୍ରତାରଣାରେ ଆଜି ଦେଶର ତଥା ଓଡ଼ିଶାର ଜନସାଧାରଣ ଅତିଷ୍ଠ। ଜାତି, ଧର୍ମ, ବର୍ଣ୍ଣ, ଭାଷା, ଖାଦ୍ୟ, ପୋଷାକ ଓ ଆଂଚଳିକ ବାଦକୁ ନେଇ କେବଳ ରାଜନୈତିକ ଫାଇଦା ପାଇଁ ମୋଦି, ବିଜେପି ଏବଂ ଆରଏସଏସ ଦେଶରେ ଘୃଣା, ହିଂସା ଏବଂ ବିଦ୍ୱେଷର ମଞ୍ଜି ବୁଣୁଛନ୍ତି। ଭାରତୀୟ ମାନଙ୍କର ଏକତା, ଭାତୃଭାବ, ସଂହତିକୁ କୌଶଳକ୍ରମେ ନଷ୍ଟ କରାଯାଉଛି। ଭାରତର ଗଣତନ୍ତ୍ର ଓ ସମ୍ବିଧାନ ତଥା ସାମ୍ବିଧାନିକ ଅନୁଷ୍ଠାନକୁ ବିପଦଗ୍ରସ୍ତ କରାଯାଉଛି। ମୋଦି ଓ ଆରଏସଏସର ଚାପରେ ସମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଦୁର୍ବଳ ହୋଇପଡ଼ିଛି। ଆଉ ନିରପେକ୍ଷ ହୋଇନାହିଁ। ଭାରତୀୟ ଗଣତନ୍ତ୍ରର ଗରିମା ନଷ୍ଟ ହୋଇ ପଡ଼ୁଛି। ଦିନକୁ ଦିନ ଗଣତନ୍ତ୍ର ବଦଳରେ ମୋଦି ତନ୍ତ୍ର ବଳବତର ହେଉଛି।

ବିକାଶ ନାମରେ ଆହ୍ୱାନ ଦେଉଥିବା ମୋଦି ଆଠ ବର୍ଷ ଭିତରେ ଭାରତବର୍ଷର ବିନାଶ କରିଛନ୍ତି। ଜନସାଧରଣଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ରକ୍ଷା କରିବାରେ ଅସମର୍ଥ ହୋଇଛନ୍ତି। ଯୁବକମାନେ ଆଜି ଦିଶାହୀନ। ଦୁଇକୋଟି ନିଯୁକ୍ତିର ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି। ୮ ବର୍ଷରେ ୧୬ କୋଟି ଲୋକ ନିଯୁକ୍ତି ପାଇବା କଥା। ମାତ୍ର ଭାରତ ସରକାରଙ୍କର ସମୁଦାୟ ମଞ୍ଜୁରିପ୍ରାପ୍ତ ୪୦, ୩୫, ୨୦୩ ପଦବୀରୁ ୯.୭୯ ଲକ୍ଷ ପଦବୀ ଖାଲି ପଡ଼ିଛି। କୋଟି କୋଟି ଲୋକ ବେକାରୀ ବୋଝରେ ହନ୍ତସନ୍ତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନିଦକ ବସିଛନ୍ତି। ମୋଦିଙ୍କ “ପକୋଡ଼ା ନିଯୁକ୍ତି” ବୟାନ ଦେଶର ବେକାର ଯୁବକ ଯୁବତୀ ମାନଙ୍କପାଇଁ ଉପହାସ। ମହଙ୍ଗା ମାଡ ଓ ଦାରିଦ୍ର‌୍ୟ ପରିସ୍ଥିତି ଅଣାୟତ ହୋଇପଡ଼ିଛି। ଅତି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ଜିଏସଟି ଲାଗୁ ହେବା ଫଳରେ ସାଧାରଣ ଲୋକଙ୍କର ଜୀବନଯାପନ ଦୁଃର୍ବିସହ ହୋଇପଡ଼ିଛି। ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦର ଆକାଶ ଛୁଆଁ। ବିଶ୍ୱ ଖାଦ୍ୟ ସୂଚାଙ୍କର ତଥ୍ୟ ଅନୁସାରେ ଭାରତ ଏକ ଭୋକିଲା ଦେଶ (୧୨୧ ରୁ ୧୦୭ ସ୍ଥାନ) ର ଅପବାଦ ମୁଣ୍ଡାଇଛି। ପ୍ରତି କଥାରେ କଂଗ୍ରେସ ଓ ନେହେରୁଙ୍କ ଦୋଷାରୋପ କରୁଥିବା ମୋଦି କଂଗ୍ରେସ, ନେହେରୁ, ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିଂହ ରାଓ ଓ ମନମୋହନ ସିଂ ଦେଶପାଇଁ ଯେଉଁ ସଂପତି ସୃଷ୍ଟି କରିଥିଲେ ତାହାକୁ ତାଙ୍କର ବନ୍ଧୁ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛନ୍ତି। ଏୟାରଇଣ୍ଡିଆ, ବନ୍ଦର, ଖଣି, ରେଳବାଇ, ବ୍ୟାଙ୍କ, କେନ୍ଦ୍ର ସରକାରଙ୍କର ଶିଳ୍ପ, ଏଲଆଇସି ପ୍ରଭୃତି କେନ୍ଦ୍ର ସରକାରଙ୍କ ସଂସ୍ଥା ଗୁଡ଼ିକୁ ଏବେ ମୋଦିଙ୍କର ପ୍ରିୟ ପୁଞ୍ଜିପତି ମାନଙ୍କ ହାତକୁ ଚାଲିଯାଉଛି। ଭାରତ ଏବେ ଋଣଗ୍ରସ୍ତ ହୋଇପଡ଼ିଛି। କଳା କୃଷି ଆଇନ କରି ଦେଶର କୃଷି ଓ କୃଷକଙ୍କର ସର୍ବନାଶ କରିବାପାଇଁ ବସିଥିଲେ। ଲକ୍ଷୀମପୁର ଖେରୀରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁତ୍ର ଆନ୍ଦୋଳନରତ ୮ଜଣ ଚାଷୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟାକଲେ। ଦିଲ୍ଲୀରେ ମୋଦିଙ୍କ ନିଷ୍ଠୁରତା ପାଇଁ ଆନ୍ଦୋଳନ ରତ ୭୦୦ ଜଣ ଚାଷୀ ମୃତ୍ୟୁବରଣ କଲେ। ବିମୁଦ୍ରୀକରଣ, ରାଫେଲ ଡିଲ, କରୋନା ମୁକାବିଲାରେ ବିଫଳତା, ଟଙ୍କାର ମୂଲ୍ୟ ହ୍ରାସ, ପ୍ରତି ଲୋକଙ୍କ ଜମାଖାତାରେ ୧୫ଲକ୍ଷ ଟଙ୍କା ଜମା ଓ ପେଗାସସର ଅନୈତିକ ବ୍ୟବହାର ପ୍ରସଙ୍ଗରେ ମୋଦିଙ୍କର ଅସଲମୂଖା ଖୋଲିଯାଇଛି। ଏଭଳି ପରିସ୍ଥିତିର ପରିବର୍ତ୍ତନ ପାଇଁ ଆଜି ମାନ୍ୟବର ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ଆଗେଇ ଚାଲିଛନ୍ତି। ଏହି ଯାତ୍ରାରେ ଲକ୍ଷ ଲକ୍ଷ ସାଧାରଣ ଜନତା ଯୋଗ ଦେଉଛନ୍ତି।

ଓଡ଼ିଶାରେ ୨୨ ବର୍ଷ ଧରି ଏକ ନିକମା, ଦୁର୍ନୀତିଖୋର ଏବଂ ଭ୍ରଷ୍ଟାଚାରୀ ସରକାର ଚାଲିଛି। ବିଜେଡ଼ି ଓ ବିଜେପି ଏକତ୍ର ୯ବର୍ଷ ଶାସନ କରିଥିଲେ ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଅଲଗା ହେଲେବି ସମସ୍ତ ନୀତି ନିଷ୍ପତିରେ ଏକାଠି କାର୍ଯ୍ୟ କରୁଛି। ନବୀନ ଶାସନରେ ଓଡ଼ିଶା ଆଜି ରସାତଳଗାମୀ। ବର୍ଷକୁ ୨ଲକ୍ଷ ଚାକିରୀର ପ୍ରତିଶୃତି ଦେଇଥିବା ନବୀନ ସରକାର ୨୨ ବର୍ଷରେ ୪୨ଲକ୍ଷ ଚାକିରୀ ଦେବାକଥା, ମାତ୍ର ଆଜି ତାହା ପ୍ରତାରଣାପୂର୍ଣ୍ଣ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ୮ଲକ୍ଷ ୮୦ ହଜାର ଏମ୍ପେ୍ଲାଇମେଂଟ ଏକ୍ସଚେଞ୍ଜରେ ନାମ ପଞ୍ଜିକରଣ କରି ବେକାର ହୋଇ ବସିଛନ୍ତି। ଓଡ଼ିଶା ସରକାରଙ୍କର ସମୁଦାୟ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି। ନିଯୁକ୍ତି ନପାଇ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଓଡ଼ିଶାର ଯୁବକମାନଙ୍କର ଭବିଷ୍ୟତ ଓ ସ୍ୱପ୍ନ ଆନ୍ଧ୍ରର ଇଟାଭାଟି ଓ ସୁରଟ ସୂତାକଳରେ ହଜିଯାଉଛି। ବିଜୁ ଯୁବ ବାହିନୀ ନାମରେ ରାଜକୋଷ ଲୁଟ ହୋଇଛି। ଷ୍ଟାଫସିଲେକସନ କମିଶନ ମାଧ୍ୟମରେ ଚାକିରି ବିକ୍ରି ହେଉଛି। ଓଡ଼ିଶା ଋଣଗ୍ରସ୍ତ। ୨୦୦୦ ମସିହାରେ ଓଡ଼ିଶାର ଋଣଭାର ୧୮ ହଜାର କୋଟି ଥିବା ବେଳେ ଏବେ ତାହା ୧ଲକ୍ଷ ୧୨ ହଜାର କୋଟି ହୋଇଛି। ମୁଣ୍ଡପିଛା ଋଣ ଭାର ଏବେ ୨୨ ହଜାର ଟଙ୍କା। ଓଡ଼ିଶାର ସାଧାରଣ ବଂଟନ ବ୍ୟବସ୍ଥାର ଚାଉଳ ଓ ଗହମ ପଶୁଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଓଡ଼ିଶା ବିଷାକ୍ତ ଔଷଧ ବିକ୍ରିର ପେଣ୍ଠସ୍ଥଳ ପାଲଟିଛି। ଦାରିଦ୍ର‌୍ୟ ଓ ବେକାରୀ ଆଜି ଉତ୍କଟ। ୨୨ ବର୍ଷରେ ୮ ହଜାର ଚାଷୀ ଆତ୍ମହତ୍ୟା କଲେଣି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଏବଂ କଂଗ୍ରେସ ଶାସିତ ରାଜସ୍ଥାନରେ ଧାନ କ୍ୟୁଂଟାଲ ପିଛା ୨୫ ଶହ ଟଙ୍କା ଦିଆଯାଉଥିଲା ବେଳେ ଓଡ଼ିଶାରେ କୃଷକ ତାର ଉପଯୁକ୍ତ ପ୍ରାପ୍ୟ ପାଉନାହିଁ। ସରକାର – ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର କୃଷକମାନେ ଧାନର ଅଭାବୀ ବିକ୍ରିରେ ଶିକାର ହେଉଛନ୍ତି। ଓଡ଼ିଶାରେ ମହିଳା ଅସୁରକ୍ଷିତ। ଇତିଶ୍ରୀ, ବେବିନା, ମାଧବୀଲତା, କୁନ୍ଦୁଲୀ ଛାତ୍ରୀ, ସ୍ମିତାରାଣୀ, ପରୀ, ମମିତା ପ୍ରଭୃତିଙ୍କ ପରିବାର ନ୍ୟାୟ ପାଇପାରିଲେ ନାହିଁ। କେନ୍ଦ୍ର ସରକାରଙ୍କର ଏନସିଆରବିର ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୨୧ ମସିହାରେ ୩୩୦୦ ମହିଳା ଦୁଷ୍କର୍ମ ଘଟଣା ଘଟିଛି। ପ୍ରତିଦିନ ୯ଜଣ ମହିଳା ଏବଂ ୬ଜଣ ଅପ୍ରାପ୍ତ ବୟସ୍କା ବାଳିକାମାନେ ଦୁଷ୍କର୍ମରେ ଶିକାର ହେଉଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ମା’କୁ ସମ୍ମାନ ଆହ୍ୱାନ ମୂଲ୍ୟହୀନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସାଧାରଣ ଏବଂ ନଗଣ୍ୟ ସଂସ୍ଥା ଠାରୁ ଜୀବନବ୍ୟାପି ସାଧନା ପୁରସ୍କାର ପାଇ ଖୁସି।

ରାଜ୍ୟର ଏ ପରିସ୍ଥିତିର ପରିବର୍ତ୍ତନ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ। ଏଣୁ ଆସନ୍ତୁ ସ୍ୱାଭିମାନୀ, ସୁରକ୍ଷିତ, ଦୁର୍ନୀତିମୁକ୍ତ ଓ ସ୍ୱାବଲମ୍ବୀ ଓଡ଼ିଶା ଗଠନ ପାଇଁ ଅଭିପ୍ରେତ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା”ରେ ସାମିଲ ହେବା। ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ଭାରତ ଯୋଡ଼ ଯାତ୍ରା-ଓଡ଼ିଶା କାର୍ଯ୍ୟାନ୍ୱୟନ କମିଟିର ସଦସ୍ୟ ମାନସ ଚୌଧୁରୀ, ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ସଂଜୟ ତ୍ରିପାଠୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.