ad
ଓଡ଼ିଶା

୨୦୩୦ ସୁଦ୍ଧା ଅନୁର୍ବର ହୋଇପଡ଼ିଥିବା ୫୦ ଲକ୍ଷ ହେକ୍ଟର ଜମିର ପୁନରୁଦ୍ଧାର ଲାଗି ଭାରତ ସଂକଳ୍ପବଦ୍ଧ

– ମିଳିତ ଜାତିସଂଘ ସମ୍ମେଳନ(ୟୁଏନସିସିଡି)ପକ୍ଷମାନଙ୍କ ୧୪ତମ ସମ୍ମିଳନୀ (ସିଓପି୧୪)ର ଆୟୋଜନ କରିବ ଭାରତ
– ଅନୁର୍ବରତା ସମସ୍ୟାର ମୁକାବିଲା ଦିଗରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରିବ ଏବଂ ବିଶ୍ୱକୁ ଏକ ସକାରାତ୍ମକ ମାର୍ଗ ଦେଖାଇବ : ଜାଭଡ଼େକର

ନୂଆ ଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) ଭାରତ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ମିଳିତ ଜାତିସଂଘ ସମ୍ମେଳନ (ୟୁଏନସିସିଡି) ପକ୍ଷମାନଙ୍କ ୧୪ତମ ସମ୍ମିଳନୀ (ସିଓପି ୧୪)ର ଆୟୋଜନ କରିବ। ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ସେଂଟର ଆଣ୍ଡ ମାର୍ଟରେ ୨ରୁ ୧୩ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ଏହାର ଆୟୋଜନ କରାଯିବ। ନୂଆଦିଲ୍ଲୀଠାରେ ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ ଯେ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ଭାରତ ସଂକଳ୍ପ ବ୍ୟକ୍ତ କରିଛି। ଶ୍ରୀ ଜାଭଡ଼େକର କହିଥିଲେ ଯେ ଅନୁର୍ବରତା ଏକ ବୈଶ୍ୱିକ ସମସ୍ୟା। ଏହାଦ୍ୱାରା ୨୫ କୋଟି ଲୋକ ଏବଂ ପୃଥିବୀର ଏକ ତୃତୀୟାଂଶ ଭାଗ ପ୍ରଭାବିତ ହେଉଛି। ଏହାର ମୁକାବିଲା କରିବା ଲାଗି ଭାରତ ଆସନ୍ତା ୧୦ ବର୍ଷ ମଧ୍ୟରେ ଉର୍ବରତା ହରାଇଥିବା ପାଖାପାଖି ୫୦ ଲକ୍ଷ ହେକ୍ଟର ଜମିର ପୁନରୁଦ୍ଧାର କରି ପୁଣିଥରେ ସେଗୁଡ଼ିକୁ ଉର୍ବର କରିବ। ଏଥିରେ ନୂଆଦିଲ୍ଲୀ ଘୋଷଣାପତ୍ରର ବ୍ୟବସ୍ଥାକୁ ଲାଗୁ କରାଯିବ, ଏହାକୁ ସମ୍ମିଳନୀ ଶେଷରେ ସ୍ୱୀକାର କରାଯିବ। ଏହାଛଡ଼ା ଡେରାଡୁନରେ ଏକ ଉତ୍କର୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ।

ଜମିର ଉପଯୋଗ ଏବଂ ଏହାର ପରିଚାଳନା ଦିଗରେ ନିରନ୍ତର କାର୍ଯ୍ୟ କରିବା ଉପରେ ପରିବେଶ ମନ୍ତ୍ରୀ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସେ କହିଥିଲେ, ପରିବେଶର ସୁରକ୍ଷା ଲାଗି ଆମେ ଆମର କର୍ତବ୍ୟ ପାଳନ କରିବା ଉଚିତ। ପରିବେଶ ଉପରେ ଯେପରି କୌଣସି ଖରାପ ପ୍ରଭାବ ନପଡ଼ିବ ତାହା ଆମେ ସୁନିଶ୍ଚିତ କରିବା ଉଚିତ। ଆସନ୍ତା ଦୁଇ ବର୍ଷ ଲାଗି ୟୁଏନସିସିସି ସିଓପିର ଅଧ୍ୟକ୍ଷ ଭାବେ ଭାରତର ପ୍ରମୁଖ ଭୂମିକା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜାଭଡ଼େକର କହିଥିଲେ, ଅନୁର୍ବରତାର ମୁକାବିଲା ହେଉଛି ବିଶ୍ୱର ସହଭାଗୀ ସଂକଳ୍ପ ଏବଂ ଭାରତ ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିବ। ଅନ୍ୟ ଦେଶଗୁଡ଼ିକର ସମର୍ଥନ ସହିତ ବିଶ୍ୱକୁ ଏକ ସକାରାତ୍ମକ ଦିଗରେ ନେଇଯିବ।

ଉକ୍ତ ୧୨ ଦିନିଆ ସମ୍ମିଳନୀରେ ୧୯୬ଟି ଦେଶର ପ୍ରତିନିଧି ନିଜ ନିଜର ବିଶେଷଜ୍ଞତା ଉପସ୍ଥାପନ କରିବା ସହିତ ଲକ୍ଷ୍ୟ ହାସଲ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରାଦନ କରିବେ। ପ୍ରତିନିଧିମାନଙ୍କ ମଧ୍ୟରେ ଜାତୀୟ ଏବଂ ସ୍ଥାନୀୟ ସରକାରଙ୍କ ବୈଜ୍ଞାନିକ ଏବଂ ପ୍ରତିନିଧି, ବିଶ୍ୱର ପ୍ରମୁଖ ଉଦ୍ୟୋଗୀ, ଏନଜିଓ, ପରିବେଶ ସହ ଜଡ଼ିତ ସଂଗଠନ, ଯୁବଗୋଷ୍ଠୀ, ସାମ୍ବାଦିକ ଏବଂ ସାଧାରଣ ଗୋଷ୍ଠୀ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଜାତିସଂଘ ସମ୍ମେଳନ ୧୯୯୬ରେ ଆରମ୍ଭ ହୋଇଥିଲା। ଏହା ଜଳବାୟୁ ପରିର୍ବତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ ସମ୍ମେଳନ (ୟୁଏନଏଫସିସିସି) ଏବଂ ଜୈବ ବିବିଧତା ଉପରେ ସମ୍ମେଳନ (ସିବିଡି) ସହିତ ତିନୋଟି ରିୟୋ ସମ୍ମେଳନ ମଧ୍ୟରୁ ଗୋଟିଏ। ଭାରତ ୧୪ ଅକ୍ଟୋବର ୧୯୯୪ରେ ୟୁଏନସିସିଡିରେ ସ୍ୱାକ୍ଷର କରିଥିଲା ଏବଂ ୧୭ ଡିସେମ୍ବର ୧୯୯୬ରେ ଏହାକୁ ମଞ୍ଜୁର କରିଥିଲା। ସମ୍ମେଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁର୍ବରତାର ମୁକାବିଲା କରିବା ଏବଂ ଉତ୍କଟ ମରୁଡ଼ି ସମସ୍ୟା ଭୋଗୁଥିବା ରାଷ୍ଟ୍ରରେ ମରୁଡ଼ିର ପ୍ରଭାବକୁ ହ୍ରାସ କରିବା ଲାଗି ଏକ ଦୀର୍ଘକାଳୀନ ସମନ୍ୱିତ ରଣନୀତି କାର୍ଯ୍ୟକାରୀ କରିବା। ଯାହାଫଳରେ ପ୍ରଭାବିତ ଅଂଚଳରେ ଭୂମିର ଉନ୍ନତ ଉତ୍ପାଦକତା, ପୁନର୍ବାସ, ସଂରକ୍ଷଣ ଏବଂ ଭୂମି ଓ ଜଳ ସମ୍ପଦର ନିରନ୍ତର ପରିଚାଳନା ସୁନିଶ୍ଚିତ ହୋଇପାରିବ। ଏହା ଲୋକମାନଙ୍କ ଜୀବନ ନିର୍ବାହସ୍ତରରେ ମଧ୍ୟ ଉନ୍ନତି ଆଣିପାରିବ। ଏହି ସମ୍ମେଳନର ୧୯୭ଟିପକ୍ଷ ମରୁଡ଼ି ପୀଡ଼ିତ କ୍ଷେତ୍ରର ଲୋକମାନଙ୍କ ଜୀବନ ନିର୍ବାହ ସ୍ଥିତିରେ ସୁଧାର, ଜମି ଓ ମାଟିର ଉତ୍ପାଦକତାକୁ ବଜାୟ ରଖିବା ଏବଂ ପୁନରୁଦ୍ଧାର କରିବା ସହିତ ମରୁଡ଼ିର ପ୍ରଭାବକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବେ। ୟୁଏନସିସିଡି ଅନୁର୍ବର ହୋଇପଡ଼ିଥିବା ଜମିର ଉର୍ବର କ୍ଷମତା ଫେରାଇ ଆଣିବାରେ ସ୍ଥାନୀୟ ଲୋକଙ୍କ ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ଲାଗି ସଂକଳ୍ପବଦ୍ଧ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top