Home Top News ହିଂସାକାରୀଙ୍କୁ ସୁରକ୍ଷା ଦେବା ବିଜେପିର ପୁରୁଣା ଅଭ୍ୟାସ : ବିଜେଡି

ହିଂସାକାରୀଙ୍କୁ ସୁରକ୍ଷା ଦେବା ବିଜେପିର ପୁରୁଣା ଅଭ୍ୟାସ : ବିଜେଡି

58

ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବାରେ ବିଜେପିର ରେକର୍ଡ
ମୟୁରଭଞ୍ଜ ସାଂସଦଙ୍କ ପରେ ଦେବଗଡ ବିଧାୟକ
ଭୁବନେଶ୍ୱର, ୦୧/୦୫ (ଓଡ଼ିଆ ପୁଅ) : ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ନିଜ ଦଳର ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହେଲାଣି। କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ଲୋକସଭା ସାଂସଦ ଶ୍ରୀ ବିଶେଶ୍ୱର ଟୁଡୁ ମୟୁରଭଞ୍ଜ ଜିଲ୍ଲା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଗତକାଲି ଦେବଗଡ ବିଜେପି ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀ ଦେବଗଡ ଜିଲ୍ଲା ତିଲେଇବଣି ବିଡିଓଙ୍କୁ ଆକ୍ରମଣ କରିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଓ ଭୟଭୀତ କରିବା ଓଡିଶାର ବିଜେପି ଜନପ୍ରତିନିଧୀଙ୍କ ଅଭ୍ୟାସରେ ପରିଣତ ହୋଇଛି ଏବଂ ସେମାନଙ୍କ ଏଭଳି ହିଂସାକୁ ନିନ୍ଦା କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଏକ ଅଭ୍ୟାସରେ ପରିଣତ ହୋଇଛି। ଯେତେବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଲୋକସଭା ସାଂସଦ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ, ଆମେ ଆଶା କରିଥିଲୁ ଯେ ଓଡିଶା ବିଜେପି ଏହାକୁ ନିନ୍ଦା କରିବ କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଲୋକସଭା ସାଂସଦଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟଆଡେ ନେବାକୁ ଚେଷ୍ଟା କରିଥିଲେ।

ଆଜି ମଧ୍ୟ ଯେତେବେଳେ ବିଜେପି ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓଡିଶା ବିଜେପି ଶ୍ରୀ ପାଣିଗ୍ରାହୀଙ୍କ ହିଂସାତ୍ମକ ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ଦୁର୍ଭାଗ୍ୟବଶତଃ ତାଙ୍କୁ ଏବଂ ତାଙ୍କ ହିଂସାତ୍ମକ କାର୍ଯ୍ୟକୁ ସୁରକ୍ଷା ଦେଉଛନ୍ତି। ବିଜୁ ଜନତା ଦଳ ସର୍ବଦା ଆଇନ୍‌ର ଶାସନ ସହିତ ଅଛି ଏବଂ ଆଇନ୍‌କୁ ତା ବାଟରେ ଯିବାକୁ ଦେଇଥାଏ। ଅତୀତରେ ଦଳମତ ନିର୍ବିଶେଷରେ ଆଇନ୍ ଅନୁଯାୟୀ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଜି ମଧ୍ୟ ତାହା ହେଉଛି।

କିନ୍ତୁ ଦୁର୍ଭାଗ୍ୟବଶତଃ ଓଡିଶା ବିଜେପି ଦୋଷୀଙ୍କୁ ରକ୍ଷା କରିବାକୁ ଚାହୁଁଛି ଏବଂ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟ ଆଡେ ନେବାକୁ ଚେଷ୍ଟା କରୁଛି। ଏହି କାରଣରୁ ଓଡ଼ିଶାର ଲୋକ ବିଜେପିକୁ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରୁଛନ୍ତି। ଆମେ ଆଶା କରୁଛୁ ଯେ ଓଡିଶା ବିଜେପି ମିଥ୍ୟା ପ୍ରଚାରରୁ ଦୂରେଇ ରହିବ ଏବଂ ସେମାନଙ୍କ ଦଳର ଜନପ୍ରତିନିଧୀଙ୍କ ଦ୍ୱାରା ଏପରି ହିଂସାତ୍ମକ କାର୍ଯ୍ୟକୁ ନେଇ ରାଜନୀତି କରିବ ନାହିଁ ଏବଂ ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଆଇନ୍‌କୁ ସ୍ୱାଗତ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.