ad
ଆମ ପର୍ବ ପର୍ବାଣୀ

ହାର୍ଦ୍ଦିକ ଅଭିନନ୍ଦନ: ଆଜି ଓଡ଼ିଆ ନବବର୍ଷ; ମହାବିଷୁବ ସଂକ୍ରାନ୍ତି ..

ଜି ମହା ବିଷୁବ ସଂକ୍ରାନ୍ତି। ଓଡ଼ିଆ ନବ ବର୍ଷ। ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତି ଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ। ଏହା ସୌର ବୈଶାଖର ପ୍ରଥମ ଦିବସ। ଏହି ଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ। ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ। ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ। ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କ ଠାରୁ ଚଳି ଆସୁଥିବାର ଅନୁମାନ କରାଯାଏ। ମହାବିଷୁବ ସଂକ୍ରାନ୍ତିରେ ଓଡ଼ିଶାରେ ହନୁମାନ ଜୟନ୍ତୀ ମଧ୍ୟ ପାଳନ ହୋଇଥାଏ।

ଓଡ଼ିଆ ନବବର୍ଷ ଗଣନା ପଦ୍ଧତି : –

ପୃଥିବୀର ପାଞ୍ଚ ପ୍ରକାର ଗତି ଅଛି। ସେଥିମଧ୍ୟରୁ ୩ଟି ପ୍ରତ୍ୟକ୍ଷ ଓ ୨ଟି ପରୋକ୍ଷ। ୩ଟି ପ୍ରତ୍ୟକ୍ଷ ଗତି ମଧ୍ୟରୁ ଦୋଳନ ଗତି ଅନ୍ୟତମ। ଏହି ଦୋଳନ ଗତି ଥରେ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨୬ହଜାର ବର୍ଷ ଲାଗିଥାଏ। ଏହି ଗତି ବର୍ତ୍ତମାନ ପଶ୍ଚାତ କ୍ରମରେ ମୀନ ଆଡ଼କୁ ୨୪ଡିଗ୍ରୀ ଘୁଞ୍ଚି ଆସିଲାଣି। ଏହି କ୍ରମରେ ଏହା ୩୬୦ଡିଗ୍ରୀ ପର୍ଯ୍ୟନ୍ତ ଗତି କରିବ। ଏହା ସମସ୍ତ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସିଦ୍ଧାନ୍ତିମାନଙ୍କ ମତ। କିନ୍ତୁ, ଓଡ଼ିଶାର ମହାନ ବିତତ୍ତ୍ୱବିତ୍ ପଠାଣି ସାମନ୍ତଙ୍କ ମତ ଅନୁଯାୟୀ ଏହି ଗତି ଆଗକୁ ୨୭ଡିଗ୍ରୀ ଓ ପଛକୁ ୨୭ଡିଗ୍ରୀ ଗତି କରିବ। ଏହିପରି ଏହା କେବଳ ୫୪ ଡିଗ୍ରୀ ଭିତରେ ହିଁ ଗତି କରିପାରିବ। ଏହି ଗତି ଫଳରେ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଆସେ। ଏହାକୁ ନିରୟଣ ପଦ୍ଧତି କୁହାଯାଏ। ଭାରତୀୟ ଜ୍ୟୋତିର୍ବିଦମାନେ ନିରୟଣ ମତବାଦର ସପକ୍ଷରେ। ଏହି ମତ ଅନୁଯାୟୀ ସ୍ପଷ୍ଟ ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୪/୧୫ ତାରିଖରେ ପ୍ରବେଶ କରନ୍ତି। ଏହିଠାରୁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ। ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ।

ପାଳନ ବିଧି : –
ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ମାସ ପ୍ରଥମ ଦିନରେ) ପଡ଼ିଥାଏ। ଚଳିତ ବର୍ଷ ଏହା ଏପ୍ରିଲ ୧୩ ତାରିଖରେ ପଡ଼ିଛି। ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ମଧ୍ୟ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଏହି ଦିନଠାରୁ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣା ପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିର ମାନଙ୍କରେ ପଣା ଭୋଗର ବିଧି ରହିଛି। ଏହି ଦିନ ସାହିପଡ଼ିଶା, ବନ୍ଧୁବାନ୍ଧବ ମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପଣା ସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକ ମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ। ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଣ୍ଡିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ। ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷ ଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ। ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି। ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ। ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି। ବ୍ରତଧାରୀ ମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି। ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଖୁବ୍ ପ୍ରସିଦ୍ଧ। ତେବେ ଚଳିତ ବର୍ଷ କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ଘୋଷଣା କାରଣରୁ ଦଣ୍ଡଯାତ୍ରା ସେତେ ବ୍ୟାପକ ରୂପରେ ପାଳନ କରାନଯାଇ କେବଳ ବିଧି ପାଳନ କରାଯାଉଛି। /– ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top