Home ଓଡ଼ିଶା ସାଲିସବିହୀନ ନେତା ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଜିଲାବ୍ୟାପୀ ଶୋକ, ନିଜ ନିର୍ବାଚନ ମଣ୍ଡଳୀ ଧାମନଗର,...

ସାଲିସବିହୀନ ନେତା ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଜିଲାବ୍ୟାପୀ ଶୋକ, ନିଜ ନିର୍ବାଚନ ମଣ୍ଡଳୀ ଧାମନଗର, ଭଦ୍ରକ ଓ ଜନ୍ମମାଟି ତିହିଡିରେ ବିପୁଳ ଶ୍ରଦ୍ଧାଞ୍ଜଳି

93

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ନିର୍ବାଚନ ମଣ୍ଡଳୀର ଜଣେ ଦରଦୀ ସାଲିସ ବିହିନ ରାଜନେତା, କବି, ସାହିତ୍ୟିକ, ବିରୋଧିଦଳ ଉପନେତା ତଥା ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କର ଆଜି ସକାଳେ ଭୁବନେଶ୍ୱରରେ ଏମ୍ସ ଡ଼ାକ୍ତରଖାନାରେ ପରଲୋକ ଘଟିବା ପରେ ଜିଲାବ୍ୟାପୀ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବିଶେଷକରି ତାଙ୍କ ମର ଶରୀରକୁ ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଧାମନଗର ଓ ପରେ ଭଦ୍ରକ ଅଣାଯାଇ ଜିଲା କାର୍ଯ୍ୟାଳୟ ଓ ସହରର କୁଆଁସସ୍ଥିତ ତାଙ୍କ ବାସଭବନରେ ଅପେକ୍ଷାରତ ଶତାଧିକ ଶୁଭେଚ୍ଛୁଙ୍କ ଗହଣରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଗାଁ ଠାରୁ ସହର ଯାଏ ବିଷ୍ଣୁ ସେଠୀ ଅମର ରହେ ଧ୍ୱନିରେ ହଜାର ହଜାର ବିଷ୍ଣୁ ପ୍ରେମୀ ଓ ସାଧାରଣ ଜନତା ଏକ ଶୋକାକୂଳ ପରିବେଶ ମଧ୍ୟରେ ନିଜର ପ୍ରିୟ ନେତାକୁ ହରାଇ ମ୍ରିୟମାଣ ହୋଇପଡ଼ିଥିବାର ଦେଖାଯାଇଥିଲା। ଆଜି ଅପରାହ୍ନ ୪ଘଟିକା ସମୟରେ ଧାମନଗର ଛକଠାରୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀର ପହଂଚିବା ପରେ ଶହ ଶହ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। ଶବ ଶୋଭାଯାତ୍ରା ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଛକବଜାର ସ୍ଥାନରେ ପହଂଚିଥିଲା। ସେଠାରେ ସ୍ୱର୍ଗତ ସେଠୀଙ୍କ ପ୍ରାର୍ଥୀବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ।

ଏହି ଅବସରରେ ବିଜେପି ଜିଲ୍ଳାସଭାପତି ହେମନ୍ତ ପାଢୀ, ବିଜେପି ନେତା ଅଭିମନ୍ୟୁ ସେଠୀ, ଆଇନ୍‌ଜୀବୀ ନିରାକାର ଜେନା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଳିକ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ମଳୟ କୁମାର ଜେନା, ବିଜେପି ଜିଲ୍ଳା ପୂର୍ବତନ ସଭାପତି ବଦ୍ରିନାରାୟଣ ଧଳ, ଧାମନଗର ଏନ୍‌ଏସିର ଅଧ୍ୟକ୍ଷା ନିବେଦୀତା ଜେନା, ବିଜେପି ନେତା ଜଗନ୍ନାଥ ଦାସ, ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଅଶୋକ ପୁହାଣ, ବୈକୁଣ୍ଠ ସାହୁ, ପ୍ରଦୀପ ନାୟକ, କୈଳାଶ ମହାପାତ୍ର, ମନୋଜ କୁମାର ମଲ୍ଲିକ, ଅରବିନ୍ଦ ପତି, ଶରତ ମହାନ୍ତି, ବିଜେଡ଼ି ନଗରସଭାପତି ସୁଶାନ୍ତ କୁମାର ରାଉତ, ବିଜେଡ଼ି ଜିଲ୍ଳାସଭାପତି ଜଗନ୍ନାଥ ସ୍ୱାଇଁ, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ଧାମନଗର ବିଜେଡ଼ି ପର୍ଯ୍ୟବେକ୍ଷକ ସରୋଜ କୁମାର ମହାପାତ୍ର ସମେତ ଦଳୀୟ ନେତା, କର୍ମୀ ଓ ଅନ୍ୟଦଳର ନେତାମାନେ ସ୍ୱର୍ଗତ ସେଠୀଙ୍କ ଶେଷ ଦର୍ଶନ କରିଥିଲେ। ସେହିପରି ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଧାମନଗର ବିଜୁ ପଟ୍ଟନାୟକ ଛକ ଠାରେ ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଏବିଡ଼ିଓ ଶର୍ମିଷ୍ଠା ମଲ୍ଳିକ, ଅତିରିକ୍ତ ତହସିଲଦାର ଅନୁପ୍ ବେହେରା, ସାଇ ସିଲୋନା, ବିପିଏମ୍ ପିତବାସ ବିଶ୍ୱାଳ, ଧାମନଗର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ଧାମନଗର ଓକିଲ ସଂଘର ସମ୍ପାଦକ ଅମରେନ୍ଦ୍ର ମହାନ୍ତି, ଧାମନଗର ପ୍ରେସ୍ କ୍ଳବର ସଭାପତି ବାସୁଦେବ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି କିଶାନ କୁମାର ରାଉତ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା, ସରୋଜ କୁମାର ସେଠୀ, ପ୍ରଶାନ୍ତ କୁମାର ସାହୁ, ସେକ୍ ଜାଫର ଅଲ୍ଳୀ, ଜ୍ଞାନେନ୍ଦ୍ର ସାହୁ, ଏମ୍‌ଡ଼ି ଜିଲ୍ଳାନି, ଧାମନଗର କାନ୍ତସାହିତ୍ୟ ପରିଷଦର ସଭାପତି ରସାନନ୍ଦ ମହାପାତ୍ର ପ୍ରମୁଖ ଶେଷଦର୍ଶନ କରିଥିଲେ।

ସୂଚନା ଥାଉକି ସ୍ୱର୍ଗତ ସେଠୀ ୧୯୯୧ ଓ ୧୯୯୬ ମସିହାରେ ଭଦ୍ରକ ଲୋକସଭା ଆସନ ପାଇଁ ଦୁଇ ଦୁଇଥର ପ୍ରାର୍ଥୀଭାବରେ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ। ୨୦୦୦ ମସିହାରେ ଚାନ୍ଦବାଲି ନିର୍ବାଚନ ମଣ୍ଡୀଳରେ ନେତ୍ରାନନ୍ଦ ମଲ୍ଲିକଙ୍କୁ ହରାଇ ଶ୍ରୀ ସେଠୀ ବିଧାନସଭାକୁ ନିର୍ବାଚିତ ହୋଇଥଲେ। ପରେ ୨୦୦୪ ମସିହାରେ ଚାନ୍ଦବାଲିରେ ବିଧାୟକ ଭାବେ ପ୍ରାର୍ଥୀ ହୋଇ ନେତ୍ରାନନ୍ଦ ମଲ୍ଳିକଙ୍କ ଠାରୁ ପରାଜୟ ବରଣ କରିଥିଲେ। ୨୦୦୬ ମସିହାରେ ରାଜ୍ୟର ମେଣ୍ଟ ସରକାରରେ ଶ୍ରୀ ସେଠୀ କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଥିଲେ। ପରେ ୨୦୦୯ ମସିହାରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୁ ଜନତାଦଳର ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଠାରୁ ପରାଜୟ ବରଣ କରିଥିଲେ। ଅନୁରୂପ ଭାବେ ୨୦୧୪ ମସିହାରେ ମୁକ୍ତିକାନ୍ତ ମଣ୍ଡଳଙ୍କ ଠାରୁ ବିଧାୟକ ପ୍ରାର୍ଥୀ ଭାବେ ପରାଜୟ ବରଣ କରିଥିଲେ। ପରବର୍ତ୍ତି ସମୟରେ ଦୀର୍ଘଦିନର ରାଜନୈତୀକ ପଶାପାଲିର ଗୋଟିଚାଲାଣା ସଫଳ ହୋଇଥିଲେ। ବିଜେଡ଼ିର ଗୋଷ୍ଠୀ କନ୍ଦଳର ଗୋଳିଆ ପାଣିରୁ ଫାଇଦା ନେଇଥିଲେ। ବିଜେଡ଼ି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦୀର୍ଘଦିନର ବିଜେପିର ସାଂଗଠନିକ ଦୃଷ୍ଟିକୁ ଆଖିଆଗରେ ରଖି ବିଜେପି ବିରୋଧିଦଳର ଉପନେତା ଭାବେ ମନୋନୀତ କରିଥିଲେ। ସୂଚନା ଥାଉକି ବିଧାୟକ ଶ୍ରୀ ସେଠୀ ବିଭିନ୍ନ ସମୟରେ ବିଧାନ ସଭାରେ ପ୍ରଶ୍ନଉତ୍ତର ରଖି ବେଶ୍ ଚର୍ଚ୍ଚାରେ ରହିଥିଲେ। ତେବେ ତାଙ୍କର ଏହି ଅକାଳ ବିୟୋଗରେ ଭଦ୍ରକ ଜିଲ୍ଳା ତଥା ରାଜ୍ୟ ରାଜନୀତୀରେ ଜଣେ ନେତାକୁ ହରାଇଲା। ସୂଚନା ଥାଉକି ତାଙ୍କର ମରଶରୀରକୁ ଧାମନଗର ବ୍ଳକର ବିଭିନ୍ନ ଅଂଚଳ ପରିକ୍ରମା କରାଯିବା ପରେ ତାଙ୍କ ନିଜ ପୈତୃକ ସ୍ଥାନ ତିହିଡ଼ି ବ୍ଲକର ମଙ୍ଗରାଜପୁରର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ଭଦ୍ରକ ଜିଲ୍ଲାର ଜଣେ ଟାଣୁଆ ନେତାଙ୍କୁ ହରାଇଲା ବୋଲି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.