Home ଅପରାଧ ସରକାରଙ୍କ ଯୋଜନା କାହା ପାଇଁ, ଟାଙ୍ଗିରିଆପାଳ ପଞ୍ଚାୟତର ୭୦ବର୍ଷର ଆଦିବାସୀ ବିଧବାଙ୍କୁ ମିଳୁନାହିଁ ଭତ୍ତା

ସରକାରଙ୍କ ଯୋଜନା କାହା ପାଇଁ, ଟାଙ୍ଗିରିଆପାଳ ପଞ୍ଚାୟତର ୭୦ବର୍ଷର ଆଦିବାସୀ ବିଧବାଙ୍କୁ ମିଳୁନାହିଁ ଭତ୍ତା

10

ହରିଚନ୍ଦନପୁର, ତା ୨୪ ନଭେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଟାଙ୍ଗିରିଆପାଳ ଗ୍ରାମ ପଞ୍ଚାୟତରେ ଆଦିବାସୀ ବୃଦ୍ଧବୃଦ୍ଧାମାନେ ସରକାରଙ୍କ ଭତ୍ତା ଯୋଜନାରୁ ବଞ୍ଚିତ ହୋଇରହିଥିବା ଅଭିଯୋଗ ହୋଇଛି । ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ଖାମଖିଆଲି ମନୋଭାବ ଓ ଅବହେଳା କାରଣରୁ ଅନେକ ଆଦିବାସୀ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇରହିଥିବା ନଜିର ରହିଛି । ସରକାରଙ୍କ ଏହି ଭତ୍ତା ଯୋଜନା କାହା ପାଇଁ ? ଏହି ଯୋଜନା ସଫଳ ରୂପାୟନ ହୋଇ ସବୁ ବର୍ଗର ଲୋକଙ୍କ ପାଖରେ ଆଦୃତ ହୋଇଛି । ହେଲେ ଏହି ଯୋଜନା କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକର କେତେକ ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କ ଅବହେଳା ଯୋଗୁଁ ବାଟବଣା ହୋଇପଡ଼ିଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ । ଟାଙ୍ଗିରିଆପାଳ ପଞ୍ଚାୟତ ମହିସୀଗୋଠ ସାହିର ଆଦିବାସୀ ବିଧବା ବୃଦ୍ଧା ଗୌରୀ ସୋରେନ (୭୦)ଙ୍କୁ ଭତ୍ତାଟିଏ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ସ୍ବାମୀ ଭୁତୁଳୁ ସୋରେନ ଆଜକୁ ୧୦ବର୍ଷ ପୂର୍ବେ ମୃତ୍ୟୁ ବରଣ କରିବା ପରେ ଗୌରୀ ଅତି ଗରିବ ଓ ଅସହାୟ ହୋଇପଡିଛନ୍ତି । ଭତ୍ତାଟିଏ ପାଇଁ ବହୁବାର ପଞ୍ଚାୟତ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତିରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି । ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ତାଙ୍କୁ ଭତ୍ତାଟିଏ ମିଳିପାରିନାହିଁ, ଦିନକୁ ଦିନ ବୟସ ବଢିବା କାରଣରୁ ୩୦ କିଲୋମିଟର ଅତିକ୍ରମ କରି ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଯିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଆଉ କେତେ ବର୍ଷ ବୟସ ହେଲେ ତାଙ୍କୁ ସରକାରଙ୍କ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଓ ଭତ୍ତାଟିଏ ତାଙ୍କୁ ମିଳିବ ବୋଲି ସେ କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ତାଙ୍କୁ ଯଥାଶୀଘ୍ର ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.