Home Top News ସମ୍ପର୍କ : ଏକ ମନୁଷ୍ୟକୃତ ସାମାଜିକ ବନ୍ଧନ (୧)

ସମ୍ପର୍କ : ଏକ ମନୁଷ୍ୟକୃତ ସାମାଜିକ ବନ୍ଧନ (୧)

62

ସମ୍ପର୍କ କୌଣସି ପ୍ରାକୃତିକ ନିବନ୍ଧନ ନୁହେଁ। ସମ୍ପର୍କ କେବଳ ମଣିଷ ସମାଜର ଏକ ବନ୍ଧନ ବ୍ୟବସ୍ଥା ଯାହା ମଣିଷ ନିଜର ସ୍ୱାର୍ଥ ଦୃଷ୍ଟିରୁ ସୃଷ୍ଟି କରିଛି। ମଣିଷ ସମାଜ ବ୍ୟତୀତ ଅନ୍ୟ କୌଣସି ଜୀବ ଜଗତରେ କୌଣସି ସମ୍ପର୍କ ଦେଖିବାକୁ ମିଳେ ନାହିଁ। ପ୍ରାକୃତିକ ଭାବେ କେହି କାହାର କିଛି ନୁହନ୍ତି। କୌଣସି ପରିସ୍ଥିତିରେ ଏକ ନୂତନ ଜନ୍ମ ଦେବା କେବଳ ପ୍ରାକୃତିକ ସରଂଚନା ମାତ୍ର। ଜନ୍ମଦାତ୍ରୀ – ନବଜନ୍ମିତର ଯେଉଁ ସମ୍ପର୍କ ମଣିଷ ସମାଜରେ ପ୍ରଚଳିତ ରହିଛି ତାହାର କୌଣସି ପ୍ରାକୃତିକ ସଜ୍ଞା ନାହିଁ ପ୍ରକୃତି ପାଖରେ ଯିଏ ଆମ ସମସ୍ତଙ୍କୁ ଜନ୍ମ ଦେଇଛି ତା’ରି କୋଳରେ ପୃଥିବୀ ପୃଷ୍ଠରେ ଜୀବନ ପ୍ରାରମ୍ଭରୁ। ଅନୁରୂପ ସମ୍ପର୍କ ଅନ୍ୟାନ୍ୟ ପ୍ରାଣୀ ଜଗତରେ ମଧ୍ୟ ଦେଖିବାକୁ ମିଳେ ମା’ର କୋଳ ଛାଡିବା ପର୍ଯ୍ୟନ୍ତ ଶିଶୁ। କି’ନ୍ତୁ ତାହା ପରବର୍ତ୍ତୀ କୌଣସି ସମ୍ପର୍କ ଦେଖିବାକୁ ମିଳେନାହିଁ ଅନ୍ୟାନ୍ୟ ପ୍ରାଣୀ ମାନଙ୍କ କ୍ଷେତ୍ରରେ ଯାହା ମଣିଷଙ୍କ କ୍ଷେତ୍ରରେ ମୃତ୍ୟୁ ପର୍ଯ୍ୟନ୍ତ ଅତ୍ୟନ୍ତ ଘନିଷ୍ଠତାର ସହିତ ଯୋଡି ହୋଇ ରହିଥାଏ। ନୂତନ ଜନ୍ମ ଦେବା ଏକ ପ୍ରାକୃତିକ ପ୍ରାବଧାନ ଯାହା କେବଳ ପ୍ରାକୃତିକ ସଂଯୋଜିତ ଏକ କ୍ଷଣ ସମ୍ପର୍କ ଜନିତ। ସେହି କ୍ଷଣ ସମ୍ପର୍କ ଜୀବର ନିଜସ୍ୱ ସୃଷ୍ଟି ନୁହେଁ ବରଂ ପ୍ରାକୃତିକ ସଂରଚିତ ସଂଯୋଜନା ଯାହାର ମନୁଷ୍ୟକୃତ ସମ୍ପର୍କ ସହିତ କୌଣସି ପ୍ରତ୍ୟେକ୍ଷ ସମ୍ବନ୍ଧ ନାହିଁ। ମଣିଷ ସମାଜରେ ପ୍ରଚଳିତ ସମ୍ପର୍କ ଅନେକ ପ୍ରକାର ରହିଛି ଯାହାସବୁ ପ୍ରକାର ଭେଦକୁ ନେଇ ତା’ର ଘନିଷ୍ଠତା ଅନୁଭୂତ ହୋଇଥାଏ। ମଣିଷର ବିଭିନ୍ନ ସମ୍ପର୍କ ଗୁଡିକୁ ଆଲୋଚନା କରିବା ପୂର୍ବରୁ ଆମକୁ ଏତିକି ଜାଣି ରଖିବାକୁ ହେବ ଯେ ମଣିଷର ସବୁଠାରୁ ଶକ୍ତ ସମ୍ପର୍କ ହେଉଛି ଜନ୍ମଦାତ୍ରୀ ମାତା ଓ ସନ୍ତାନର, ଏବଂ ସବୁଠାରୁ ଦୁର୍ବଳ ହେଉଛି ପତି-ପତ୍ନୀ ମଧ୍ୟରେ ସମ୍ପର୍କ ! ଏହି ଦୁଇ ଶକ୍ତ ଏବଂ ଦୁର୍ବଳ ସମ୍ପର୍କର ଜଟିଳତା ବିଷୟ ଶେଷରେ ସମୀକ୍ଷା କରିବା ପୂର୍ବରୁ ଅନ୍ୟାନ୍ୟ ସମ୍ପର୍କ ଗୁଡିକର ଘନିଷ୍ଠତା ପରିବେଶକୁ ନେଇ ସୃଷ୍ଟି ହୋଇଥାଏ କେମିତି ଓ କାହିଁକି ଆଲୋଚନା କରିବା ..

ଜଣେ ମଣିଷର ବାଲ୍ୟ କାଳରେ ମା’ ଘର ଲୋକଙ୍କ ସହିତ ବାପାଙ୍କ ପରିବାର ଲୋକଙ୍କ ସମ୍ପର୍କ ବିଭିନ୍ନ ରୂପରେ ଦେଖିବାକୁ ମିଳେ। କିଶୋର ବୟସରେ ସାମାଜିକ ସମ୍ପର୍କ ଜନିତ କିଛି ପାରିବାରିକ ରକ୍ତଗତ ସମ୍ପର୍କ ବ୍ୟତୀତ କେତେକ ବନ୍ଧୁଙ୍କ ସହିତ ସମ୍ପର୍କ ସ୍ଥାପିତ ହୋଇଥାଏ। ପ୍ରାପ୍ତ ବୟସରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୁଏ ସ୍ତ୍ରୀ / ସ୍ୱାମୀ ଏବଂ ତାଙ୍କ ପରିବାର ବର୍ଗଙ୍କ ସହିତ। ମଣିଷ ଧୀରେ ଧୀରେ ପୁରୁଣା ସମ୍ପର୍କ ଗୁଡିକୁ ଭୁଲିବାକୁ ଲାଗେ ଯେତେବେଳେ ବୈବାହିକ ଜୀବନ ଆରମ୍ଭ ହୁଏ। ଅର୍ଥାତ ବାଲ୍ୟ କାଳରୁ ଗଢି ଉଠିଥିବା ସମ୍ପର୍କ ଗୁଡିକ ଭୁଲି ମଣିଷ ବୈବାହିକ ସମ୍ପର୍କ ସହିତ ଏତେ ମାତ୍ରାରେ ଯୋଡି ହୋଇଯାଏ ଯେ ଆଉ ସେହି ପୁରୁଣା ସମ୍ପର୍କ ଗୁଡିକ ଭଲ ଲାଗେ ନାହିଁ। ସାମାଜିକ ପରିବେଷ୍ଟନୀରେ ଗଢ଼ିଉଠିଥିବା ସମସ୍ତ ସମ୍ପର୍କ ଗୁଡିକୁ ପ୍ରତ୍ୟାଖ୍ୟାନ କରି କେବଳ ସ୍ୱାମୀ, ସ୍ତ୍ରୀ ସମ୍ପର୍କ ଏତେ ମାତ୍ରାରେ ଘନିଷ୍ଠତା ସୃଷ୍ଟି କରେଯେ ମଣିଷର ସମସ୍ତ ସ୍ମରଣିକା ଲିଭିଯାଏ ମନ ମାନସରୁ। ତେଣୁ ଅତି ସର୍ବତ୍ର ଗହୀର୍‌ତମ ଉକ୍ତିର ସତ୍ୟତା ଉପରେ ଆଧାରିତ ଏକ ପ୍ରକାର ମାନସିକ ଉତ୍ତେଜନା ସୃଷ୍ଟି ହୁଏ ସମୟକ୍ରମେ ଯେତେବେଳେ ସେହି ସମ୍ପର୍କ ଦୁର୍ବଳ ହେବାକୁ ଲାଗେ। ଏମିତିକି ପରିପକ୍ୱ ସମୟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଅତ୍ୟନ୍ତ ଦୁର୍ବଳ ଅବସ୍ଥାକୁ ଆସିଗଲା ପରେ ସାମାଜିକ ସହାୟତା ଦୃଷ୍ଟିରୁ ଉଭୟଙ୍କ ମନରେ କୌଣସି ଆନ୍ତରିକ ଭାବ ନଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବାହ୍ୟ ସମ୍ପର୍କର ଦୃଢ଼ତା ଦେଖିବାକୁ ମିଳେ କେବଳ ସହାନୁଭୂତି ଏବଂ ସାମାଜିକ ସୁରକ୍ଷା କାରଣରୁ। ଠିକ୍ ସେତିକି ବେଳେ ପୁନଃ ଏକ ନୂତନ ତଥା ଶେଷ ସମ୍ପର୍କର ଅଧ୍ୟାୟ ଆରମ୍ଭ ହୁଏ ନିଜ ସନ୍ତାନ ମାନଙ୍କ ସହିତ ଯାହା ସେମାନଙ୍କୁ ସାମାଜିକ ସୁରକ୍ଷା, ସହାୟତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାର ଆଶା ରଖିଥାଏ। କେତେକ କ୍ଷେତ୍ରରେ ସେହି ସମ୍ପର୍କର ସୁଦୃଢତା ଦେଖିବାକୁ ମିଳୁଥିବା ବେଳେ ଆଜିକାଲି ଆଉ ସେହି ଶେଷ ସମ୍ପର୍କ ଏମିତି ଏକ ସ୍ତରରେ ଆସି ପହଂଚିଲାଣି ଯେ ଜୀବନର ଶେଷ ଅଧ୍ୟାୟରେ ସମସ୍ତେ ନିଜର ନିଃସହାୟ ଭାବକୁ ନେଇ ପ୍ରାୟତଃ ବୁଝିବାକୁ ଲାଗନ୍ତି ଯେ ସମ୍ପର୍କ ବୋଲି କିଛି ନାହିଁ ସଂସାରରେ ଯାହା ଆମେ ବାଲ୍ୟ କାଳରୁ ସ୍ତର ସ୍ତର କରି ଗଢି ଥାଉ। ଏହି ଜ୍ଞାନ ଯଦି ଜଣେ ମଣିଷର ବାଲ୍ୟ କାଳରୁ ଉଦୟ ହୋଇଥା’ନ୍ତା ହୁଏତ ସମୟ କ୍ରମରେ ସେ ନିଜକୁ ଏବଂ ସମସ୍ତ ସମ୍ପର୍କକୁ ସନ୍ତୁଳିତ କରି ରଖିଥା’ନ୍ତା ଯାହା ତାକୁ ଜୀବନର ଶେଷ ସମୟରେ ଏତେ ଦୁଃଖ ଦେଇନଥା’ନ୍ତା। ଅଜ୍ଞାନ ମଣିଷ ସାମାଜିକ ସମ୍ପର୍କ ଗୁଡିକୁ ସମୀକ୍ଷା କରି ବୁଝିବା କ୍ଷମତା ନରଖି କେବଳ ପରିପାଶ୍ୱିର୍କ କୁହେଳିକାରେ ନିଜକୁ ସମାନ୍ତରାଳ କରି ଯାହା ସବୁ ଶିକ୍ଷା ପାଇଥା’ନ୍ତି ତାହାର ପ୍ରତିଫଳନ ସ୍ୱରୂପ ନିଜର ସାମାଜିକ ଦାଇତ୍ୱ ସମ୍ପର୍ଣ୍ଣ କରିବା ଲକ୍ଷ ରଖି ଗଢି ଥିବା ସମ୍ପର୍କ ଯେ କେବେ ସେମାନଙ୍କୁ ଏତେବଡ଼ ଧୋକା ଦେବ ତାହା କେବେ ଆସିନଥାଏ ସେମାନଙ୍କ ମନ ମାନସରେ। କି’ନ୍ତୁ ଜୀବନର ଶେଷ ସମୟରେ ସବୁ ବୁଝିଲା ବେଳକୁ ଆଉ କିଛି ନଥାଏ ନିଜକୁ ସୁଧାରିବା ପାଇଁ ଯାହା ସେମାନଙ୍କୁ ଅତ୍ୟନ୍ତ ଦୁଖୀ କରି ବଂଚିବାରେ ଯଥେଷ୍ଟ କ୍ରିୟାଶୀଳ କରିଥାଏ।

ସମ୍ପର୍କର ଦୃଢ଼ତାକୁ ନେଇ ମଣିଷର କିଛି ଆଶା, ଭରସା ରହିଥାଏ ମନରେ ଯେ ସମୟରେ ସେ ସେମାନଙ୍କ ଠାରୁ କିଛି ସାହାଯ୍ୟ, ସହଯୋଗ ପାଇପାରିବ। ଆଶା ଠାରୁ ଅଧିକ ପାଇବା, ମଣିଷକୁ ଆନନ୍ଦ ପ୍ରଦାନ କରୁଥିବା ବେଳେ ଅନେକ ସମୟରେ ଆଶା ଠାରୁ କ୍ଷୀଣ ସହଯୋଗରେ ମଣିଷ ଦୁଖୀ ହୋଇଥାଏ। ଅର୍ଥାତ ଜଣେ ସମ୍ପର୍କୀୟଙ୍କ ଠାରୁ ସମ୍ପର୍କର ଦୃଢ଼ତାକୁ ନେଇ ଯଦି କୌଣସି ସାମାଜିକ ସ୍ୱାର୍ଥ ହାସଲ କରିବାରେ ଅସମର୍ଥ ମଣିଷ ଅତ୍ୟନ୍ତ ଦୁଖୀ ହୋଇଥା’ନ୍ତି। କି’ନ୍ତୁ ପ୍ରଥମେ ବୁଝିବାକୁ ହେବ ଯେ ଯେତିକି ଦେବା ସେତିକି ପାଇବା। ଅର୍ଥାତ ଆମେ ଅନ୍ୟକୁ ସମ୍ପର୍କର ସ୍ନେହ ଯେତିକି ମାତ୍ରାରେ ବିତରଣ କରିବା ସେତିକି ମାତ୍ରାରେ ପାଇବା ଆଶା କରିବା ହିଁ ଠିକ୍। କି’ନ୍ତୁ ନିଜେ ନଦେଇ କାହାଠାରୁ ଆଶା କରିବା ନିରର୍ଥକ। ଆଉ ଏମିତି ମଧ୍ୟ ହୋଇଥାଏ ଯେ ଦେଇଥିବା ସ୍ନେହର ବିପରୀତମୁଖୀ ଉତ୍ତର ମିଳିଥାଏ ସମୟରେ। ସେଇଥିରେ ବିଚଳିତ ହେଲେ ନିଜର ହିଁ ଆହୁରି ଅଧିକ କ୍ଷତି ହେବା ସମ୍ଭାବନା କାରଣରୁ ସମୟସାପେକ୍ଷ ବିଚାରଧାରା ରଖି ଚାଲିବା ଆମର ସର୍ବାଦୌ କର୍ତବ୍ୟ ହେବା ଆବଶ୍ୟକ। ସମୟରେ ଏମିତି ମଧ୍ୟ ହୁଏ ଯେ ଯେଉଁ ସବୁ ରକ୍ତ ସମ୍ପର୍କ ହେଉକି ବନ୍ଧୁ ମାନଙ୍କ ସହିତ ଆମ ଜୀବନର ପର୍ଯ୍ୟାପ୍ତ ସମୟ ଆନନ୍ଦର ସହିତ କଟିଥାଏ ଅସମୟରେ ସେମାନେ ମୁହଁ ମୋଡିଦେଇ ଥା’ନ୍ତି ! ଠିକଣା ସମୟରେ କେହି ଜଣେ ଜ୍ଞାତ / ଅଜ୍ଞାତ ବନ୍ଧୁ ହୁଅନ୍ତୁ କି ଶୁଭ ଚିନ୍ତକ / ସମାଜ ସେବକ ମଣିଷକୁ କଠୋର ସମସ୍ୟାରୁ ଉଦ୍ଧାର କରିଥା’ନ୍ତି ! ଏହିଭଳି ଉଦାହରଣ କିଛି ନୂଆ କଥା ନୁହେଁ ଆମ ସମାଜରେ। ସେତିକି ବେଳେ ମଣିଷ ଭାବିଥାଏ ଯେ ରକ୍ତ ସମ୍ପର୍କ ଆଉ କୌଣସି ସମ୍ପର୍କ ନଥିବା ସମ୍ପର୍କ ମଧ୍ୟରେ ଅନ୍ତର କେତେ ! ବାସ୍ତବିକ ଏହିଭଳି ଉଦାହରଣରୁ ସଦ୍ୟ ସାବ୍ୟସ୍ତ ହୂଏକି ସମ୍ପର୍କ ବୋଲି ସଂସାରରେ କିଛି ନାହିଁ। ସମ୍ପର୍କ କେବଳ ସମୟ ସାପେକ୍ଷ ସ୍ନେହ, ସହାନୁଭୂତି ଆଦାନ ପ୍ରଦାନର ଏକ ରୂପାନ୍ତରିତ ଅନୁଭବ ମାତ୍ର। କାହାପ୍ରତି ପ୍ରଗାଢ଼ ଅନୁରୋକ୍ତି ତଥା ଆନ୍ତରିକ ଶ୍ରଦ୍ଧାର ଆସର ଢ଼ାଲିଦେଇ ସମାଜରେ ଅନ୍ୟାନ୍ୟ ସମ୍ପର୍କ ଗୁଡିକୁ କ୍ଷୀଣ କରି ରଖିବା ମଣିଷଙ୍କ ଶେଷ ସମୟ ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ। କାରଣ ମଣିଷର ଭାବନା ଏବଂ ସମୟ ଚକ୍ରର ବିଡମ୍ବନା ବୁଝିବା ସାଧାରଣ ମଣିଷ ମସ୍ତିଷ୍କର ବହିର୍ଭୁତ ରହିଥାଏ ସେମାନଙ୍କର ଯେଉଁମାନେ ସଂସାର ପ୍ରେମୀ ହୋଇଥା’ନ୍ତି। ତେଣୁ ସଂସାରରେ ବଂଚିଥିବା ପର୍ଯ୍ୟନ୍ତ ଚତୁର୍ପାର୍ଶ୍ୱର ସମସ୍ତ ମଣିଷଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରି ଚାଲିଲେ ହୁଏତ ଶେଷ ସମୟରେ ଅତ୍ୟଧିକ ସହାନୁଭୂତି ତଥା ଆନ୍ତରିକ ମନୋଭାବ ମିଳିବା ସମ୍ଭାବନା ଯଥେଷ୍ଟ ଅଧିକ ରହିବ ! (କ୍ରମଶଃ)

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.