Home Top News ଆଜି ଥିଲା ବିନା ଠେଲାପେଲାରେ ସ୍ୱାଗତ ..

ଆଜି ଥିଲା ବିନା ଠେଲାପେଲାରେ ସ୍ୱାଗତ ..

84

ଭୁବନେଶ୍ୱର: କିଛି ଦିନ ହେଲା ବିଜେପିରେ ଏକ ଠେଲାପେଲାରେ ସ୍ୱାଗତ ପ୍ରତିଯୋଗିତା ଚାଲିଥିଲା। କୌଣସି କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ପଦାଧିକାରୀ କିମ୍ବା କୌଣସି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଏୟାରପୋର୍ଟରେ ସ୍ୱାଗତ କରାଯିବା ସମୟରେ ରାଜ୍ୟ ବିଜେପି ପକ୍ଷରୁ ନିଜ ନିଜ ଭିତରେ ଏକ ଠେଲାପେଲା ପ୍ରତିଯୋଗିତା ଚାଲିଥିଲା। କୌଣସି କେନ୍ଦ୍ରୀୟ ନେତୃତ୍ୱଙ୍କୁ ସ୍ୱାଗତ କରାଯିବା ସମୟରେ ଦେଖିଲେ ଲାଗେ, ରାଜ୍ୟ ବିଜେପିର କିଛି ନେତାନେତ୍ରୀ ଶରୀରରେ ସତେ ଯେପରି ଟ୍ରାଫିକ୍ ପୋଲିସର ଆତ୍ମା ପସିଯାଇଛି। ଯିଏ ଯେଝା ବାଟରେ ନିଜକୁ ସଂପୃକ୍ତ ନେତୃତ୍ୱଙ୍କ ନିକଟତର ବୋଲି ଦେଖାଇ ହେବାକୁ କିମ୍ୱା ଟିଭିରେ, ଫଟୋରେ ବାହାରିବାକୁ ଏହିପରି ଆଚରଣ ଦେଖାଇଲା ପରି ଅନୁଭୂତ ହୁଏ। ଏପରିକି କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଜଣେ ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଧକ୍କା ମାରିବାର ଭିଡିଓ ଭାଇରାଲ୍ ହୋଇଥିଲା। ସେହିପରି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପାର୍ଥିନୀ ଘୋଷଣା ହେବା ପରେ ଏୟାରପୋର୍ଟରେ ତାଙ୍କୁ ସ୍ବାଗତ କରାଯିବା ସମୟରେ ଦଳର ଏକମାତ୍ର ମହିଳା ବିଧାୟିକା କୁସୁମ ଟେଟେଙ୍କୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପେଲିଦେଇ ଯିବାର ଦେଖିବାକୁ ମିଳିଥିଲା। ନିକଟରେ ନବନିଯୁକ୍ତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂସଲଙ୍କ ଗସ୍ତ ସମୟରେ ମଧ୍ୟ ଲେଖାଶ୍ରୀଙ୍କ ସେହିପରି ଆଚରଣ ଦେଖିବାକୁ ମିଳିଥିଲା।ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପ୍ରଭାବରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପତିଆରା ଲଢ଼େଇ ଦେଖାଇବାକୁ ଯାଇ ଏପରି ଠେଲାପେଲା ଚାଲେ ବୋଲି କୁହାଯାଏ। ଏପରିକି କୌଣସି କେନ୍ଦ୍ରୀୟ ନେତୃତ୍ବଙ୍କୁ କିଏ କିଏ ସ୍ୱାଗତ କରିବାକୁ ଯିବ ନେଇ ରାଜ୍ୟ ବିଜେପିରୁ ଗୋଟେ ଆଉ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ଗୋଟେ, ଏପରି ଦୁଇ ଦୁଇଟି ଲିଷ୍ଟ ଏୟାରପୋର୍ଟ ଅଧିକାରୀଙ୍କ ପାଖକୁ ଯାଉଥିଲା, ଏବଂ ଏଥିନେଇ ଏ’ ଭିତରେ ରାଜ୍ୟ ବିଜେପିର ଦୁଇ ଜଣ ବରିଷ୍ଠ ପଦାଧିକାରୀ ଏୟାରପୋର୍ଟ ଅଧିକାରୀଙ୍କ ସହ ପାଟିତୁଣ୍ଡ କରିଥିବା ଶୁଣିବାକୁ ମିଳୁଛି। ତେବେ, ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ମୁଣ୍ଡାଙ୍କୁ ସ୍ୱାଗତ କରାଯିବା ସମୟରେ ସେପରି କିଛି ଠେଲାପେଲା ଦେଖିବାକୁ ମିଳିନଥିଲା। ସ୍ୱାଗତ ପାଇଁ ଅପରାଜିତା ନଥିଲେ, କି ତାଙ୍କ ସମର୍ଥକ ଗୋଷ୍ଠୀ ନଥିଲେ। ପ୍ରାୟ ସବୁ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଥିଲେ। ତେଣୁ, ଆଜି ଠେଲାପେଲା ଅବା କାହିଁକି ହେବ ବୋଲି କୁହାଯାଇପାରେ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.