ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ଶ୍ରୀକ୍ଷେତ୍ରର ଶୈବପୀଠ ପ୍ରତି ଦୃଷ୍ଟି ଦିଆଯାଉ

– ଦେବପ୍ରସାଦ ମିଶ୍ର
ବର୍ତ୍ତମାନ ସମୟରେ ସମୟକୁ ଚାହିଁ ସମଗ୍ର ପୁରୀ ସହରକୁ ବିଶ୍ୱର ଏକ ପ୍ରଧାନ ଆଧ୍ୟାତ୍ମିକ କେନ୍ଦ୍ର ଓ ବିଶ୍ୱର ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରିବା ପାଇଁ ସରକାର ନୂଆ ଯୋଜନା ପ୍ରଣୟନ କରୁଛନ୍ତି, ଏହାର ପ୍ରାଥମିକ କାର୍ଯ୍ୟରେ ଯେଉଁ ମଠ ଗୁଡିକ ଅଯଥା ଜାଗା ମାଡିବସି ଜଗନ୍ନାଥ ମନ୍ଦିରର ଶୋଭାକୁ ବା ଦୂରରୁ ସଂପୂର୍ଣ୍ଣ ମନ୍ଦିର ଓ ମେଘନାଦ ପ୍ରାଚୀର ଦୃଶ୍ୟମାନ ହେଉନଥିଲା, ସେ ସବୁ ଅଂଶ କୁ ଭାଙ୍ଗିଦେବା ପରେ ଏବେ ସମଗ୍ର ପୁରୀ ସହରର ନକ୍ସା ବଦଳିବାକୁ ଯାଉଛି, ମହାପ୍ରଭୁ ଜଗନ୍ନାଥ ହେଲେ ସର୍ବଧର୍ମ ସମନ୍ୱୟର ପ୍ରତିକ ଯେଉଁ ଧର୍ମର ପ୍ରଚାରକମାନେ ସ୍ୱଧର୍ମ ପ୍ରଚାର ପାଇଁ ଆସିଛନ୍ତି ସେମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ତାଙ୍କ ମନୋନୀତ ରୂପରେ ଦର୍ଶନ କରିଛନ୍ତି, ପୁରୀ ଶ୍ରୀକ୍ଷେତ୍ର ଦେଶରେ ଗୋଟିଏ ଆଧ୍ୟାତ୍ମିକ କେନ୍ଦ୍ର ଓ ଧାମ ଅଟେ ଏହାକୁ ବର୍ତ୍ତମାନ ସରକାର ସାରା ବିଶ୍ୱର ଅନ୍ୟାନ୍ୟ ପବିତ୍ର ପୀଠ ପରି ପରିଗଣିତ କରିବାକୁ ଚିନ୍ତା ପ୍ରକଟ କରିଛନ୍ତି ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଏଠାରେ ଥିବା ଅନ୍ୟାନ୍ୟ ଦେବା ଦେବୀ ପବିତ୍ର କ୍ଷେତ୍ରକୁ ରାସ୍ତାଘାଟ ସେଠାରେ ଭକ୍ତଙ୍କ ରହଣୀ ଓ ପୀଠର ଐତିହାସିକ ବୀବରଣୀ ମଧ୍ୟ ସ୍ଥାନିତ କରି ସେଠାର ପୁନଃଉଦ୍ଧାର କାମ ମଧ୍ୟ ହାତକୁ ନେବାକୁ ଯୋଜନା କରୁଛନ୍ତି। ସ୍ଥାନୀୟ ବାସିନ୍ଦା ଓ ଆଧ୍ୟାତ୍ମିକ ପ୍ରେମୀ ଙ୍କ ଦାବି ଯେ, ପୁରୀ ଶ୍ରୀମନ୍ଦିର ଓ ତତ୍ ସଂଲଗ୍ନ ଅନୁଷ୍ଠାନର ଉନ୍ନତି ଓ ପୁନଃଉଦ୍ଧାର ସମେତ ପୁରୀ ସହରରେ ଆବାହନ କାଳରୁ ପୁରୀରେ ଥିବା ଶୈବପୀଠ ଗୁଡିକର ପୁନଃଉଦ୍ଧାର ଓ ସେଠାକୁ ଦର୍ଶନ ନିମନ୍ତେ ଯାଉଥିବା ଭକ୍ତଙ୍କର ସମସ୍ତ ପ୍ରକାର ବ୍ୟବସ୍ଥା ଯଥା ଗମନାଗମନ, ରହଣୀ, ଦର୍ଶନ, ପୂଜା ଓ ସେଠାରେ ଆଧ୍ୟାତ୍ମିକ ଆଲୋଚନା ପର୍ବପର୍ବାଣୀ ପାଳନ ପାଇଁ ବ୍ୟବସ୍ଥାର ସୁବନ୍ଦୋବସ୍ତ କରାଯାଉ ଏ କଥା ଆଜିର ନୁହେଁ ଅତୀତରେ ପୁରୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗବେଷକ, ଆଧ୍ୟାତ୍ମବାଦୀ ବ୍ୟକ୍ତି ବିଶେଷ ଯଥା ସର୍ବଶ୍ରୀ ସଦାଶିବରଥ ଶର୍ମା, ହରିହର ବାହିନୀ ପତି, ସଦାଶିବ ମିଶ୍ର, ରାଜକିଶୋର ରାୟ, ସତ୍ୟନାରାୟଣ ରାଜଗୁରୁ, ବନମାଳୀ ରଥ, ଗୌରୀକୁମାର ବ୍ରହ୍ମା, ପ୍ରମୁଖ ଶ୍ରୀକ୍ଷେତ୍ରରେ ଥିବା ଅନେକ ଶୈବପୀଠର ମାହାତ୍ମ୍ୟ ଓ ଏହାର ସ୍ୱତନ୍ତ୍ରତା ସଂପର୍କରେ ଉଲ୍ଲେଖ କରି ଏଗୁଡିକୁ ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ସ୍ୱରଉତ୍ତୋଳନ କରିଥିଲେ।

ଆସନ୍ତା ୧୮ ତାରିଖରୁ ଓଡିଶା ପର୍ଯ୍ୟଟନ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି ଏଥିରେ ରାଜ୍ୟ ତଥା ଦେଶର ବହୁ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର ଅଛି ସେଠାରେ ମଧ୍ୟ ପୁରୀର ଐତିହ୍ୟ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଆଲୋଚନା ବେଳେ ପୁରୀର ଶୈବପୀଠ ଉପରେ ମଧ୍ୟ ଆଲୋଚନା କରାଯାଉ। ସମଗ୍ର ରାଜ୍ୟରେ ଆମର ଯେତିକି ପର୍ଯ୍ୟଟନସ୍ଥଳୀ ଅଛି ତାର ପୁନଃଉଦ୍ଧାର ଓ ସଂରକ୍ଷଣର ବ୍ୟବସ୍ଥା କଲେ ରାଜ୍ୟର ଅର୍ଥନୀତିକୁ ଏହା ସମୃଦ୍ଧି କରିବାରେ ସହାୟକ ହେବା ସଙ୍ଗେ ସଙ୍ଗେ ଅନେକ ମଧ୍ୟ କର୍ମ ନିଯୁକ୍ତିର ସୁବିଧା ପାନ୍ତେ। ଶ୍ରୀକ୍ଷେତ୍ର ବା ପୁରୀ ଏକ ପୌରାଣିକ ତଥା ଐତିହାସିକ କ୍ଷେତ୍ର ଭାବରେ ଦେଶ ବା ବିଦେଶରେ ପରିଚିତ। ଏହା ବର୍ତ୍ତମାନ ଏକ ପ୍ରଧାନ ସାଂସ୍କୃତିକ କ୍ଷେତ୍ର ଭାବରେ ପରିଚିତ। ଓଡିଶାର କଳା, ସାହିତ୍ୟ, ଶିଳ୍ପ, ସଙ୍ଗୀତ, ନୃତ୍ୟ ଆଦିରେ ଶ୍ରୀକ୍ଷେତ୍ର ଭୂମିକାକୁ ଭୁଲିହେବ ନାହିଁ। ଶ୍ରୀକ୍ଷେତ୍ରର ପ୍ରଧାନ ଆକର୍ଷଣ ହେଲା ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥ। ଶ୍ରୀ ଜଗନ୍ନାଥଙ୍କୁ ଧାରଣ କରି ଏହି କ୍ଷେତ୍ର ହୋଇଛି ପରମ ପାବନ ଓ ଧନ୍ୟ। ପୁରୁଷୋତ୍ତମ ଭଳି ଶ୍ରେଷ୍ଠତମ କ୍ଷେତ୍ର ଅନ୍ୟତ୍ର ନାହିଁ ବୋଲି ବ୍ରହ୍ମପୁରାଣରେ ସ୍ୱୟଂ ବ୍ରହ୍ମା କହିଛନ୍ତି –
ତୀର୍ଥରାଜଃ କ୍ଷେତ୍ରରାଜୋ
ଦେବ ରାଜ ଶ୍ଚ ଯତ୍ରବୈ
ତସ୍ମାତ୍ ଶ୍ରେଷ୍ଠତମଂ ନାସ୍ତି କ୍ଷେତ୍ରଂ
ଶ୍ରୀ ପୁରୁଷୋତ୍ତମାତ୍।

ପୁରୁଷାଖ୍ୟ ସମଂ କ୍ଷେତ୍ର ନାସ୍ତ୍ୟତ୍ର ପୃଥିବୀ ତଳେ। ଶିବ ପୁରାଣରେ ଉଲ୍ଲେଖ ଅଛି –

ପୁରୁଷୋତ୍ତମାତ୍ ପରଂକ୍ଷେତ୍ର
ନାସ୍ତ୍ୟନ୍ୟଦ୍ ଭବ ମୋଚନମ୍
ଯତ୍ର ସାକ୍ଷାତ ପରଂବ୍ରହ୍ମ
ଦାରୁ ବ୍ୟାଜ ଶରୀରଭୁତ୍।

ଯୁଗେ ଯୁଗେ ବିଭିନ୍ନ ପୁରାଣକାରମାନେ ଏହି ପରମ ପାବନ କ୍ଷେତ୍ରର ମହିମା ଗାନ କରିଛନ୍ତି। ଏହି ପୁରୁଷୋତ୍ତମ କ୍ଷେତ୍ରର ଜଳ ସ୍ଥଳ, ଅନ୍ତରୀକ୍ଷ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ପବିତ୍ର ହୋଇଥିବାରୁ ଏଠାରେ ପ୍ରାଣତ୍ୟାଗ କରୁଥିବା ମନୁଷ୍ୟ ବିଷ୍ଣୁଙ୍କର ପରମ ପଦଲାଭ କରେ। ଏହିଭଳି ପରମ, ପବିତ୍ର ଓ ଶ୍ରେଷ୍ଠକ୍ଷେତ୍ର କେଉଁଠାରେ ନାହିଁ ବୋଲି ବ୍ରହ୍ମା ସନକାଦି ଋଷିମାନଙ୍କୁ ଦୃଢତାର ସହ କହିଛନ୍ତି ସେଥିପାଇଁ ଏହି କ୍ଷେତ୍ରର ଦାଣ୍ଡ ହେଉଛି ବଡ ଦେଉଳ, ସାଗର ହେଉଛି ମହୋଦଧି, ଶ୍ମଶାନ ହେଉଛି ସ୍ୱର୍ଗଦ୍ୱାର। ଶ୍ରୀ ଜଗନ୍ନାଥ ଏହି କ୍ଷେତ୍ରର ମୁଖ୍ୟ ଆରାଧ୍ୟ ଦେବତା ହୋଇଥିବାରୁ ଏହାକୁ ପୁରୁଷୋତ୍ତମ କ୍ଷେତ୍ର ବା ବିଷ୍ଣୁକ୍ଷେତ୍ର କୁହାଯାଏ। ଉକ୍ତ କ୍ଷେତ୍ର ମୁଖ୍ୟତଃ ବୈଷ୍ଣବ କ୍ଷେତ୍ର ହେଲେ ମଧ୍ୟ ଏହି କ୍ଷେତ୍ର ସର୍ବଧର୍ମ ଓ ସଂପ୍ରଦାୟର ଏକ ସମନ୍ୱୟ ପୀଠ। କଥିତ ଅଛି ଏକଲକ୍ଷ ରୁ ମାତ୍ର କେତେଗୋଟି ଶିବଲିଙ୍ଗ କମ ହେବାରୁ ପୁରୀ ପରିବର୍ତ୍ତେ ଭୁବନେଶ୍ୱର ବା ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ନିର୍ମାଣ କରାଗଲା ତଥାପି ଏ କ୍ଷେତ୍ରରେ ଅନେକ ଶୈବ ପୀଠ ଅବସ୍ଥିତ ଓ ଏହାର ସ୍ୱାତନ୍ତ୍ର୍ୟ ମଧ୍ୟ ପରିଲକ୍ଷିତ। ବଳଭଦ୍ରଙ୍କୁ ସ୍ୱୟଂ ମହାଦେବ ବୋଲି ମଧ୍ୟ କେତକ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଶ୍ରକ୍ଷେତ୍ରର ଶୈବପୀଠମାନଙ୍କ ମଧ୍ୟରେ ଯମେଶ୍ୱର, ଶ୍ରୀଲୋକନାଥ, ମାର୍କଣ୍ଡେୟ, କପାଳମୋଚନ ଓ ନୀଳକଣ୍ଠେଶ୍ୱର ପ୍ରଧାନ। ଏହି ପଞ୍ଚମହାଦେବଙ୍କୁ ପଞ୍ଚୁ-ପାଣ୍ଡବ କୁହାଯାଏ। ଶ୍ରୀ ମନ୍ଦିରର ନୀତି ଓ ଯାନିଯାତ ସହିତ ଏମାନଙ୍କର ଅନେକ ସଂପର୍କ ଅଛି। ଏହି ଶିବ ବିଗ୍ରହମାନେ ପ୍ରଭୁଙ୍କ ସହିତ ଚନ୍ଦନଯାତ୍ରାକୁ ଯାଆନ୍ତି; ରାମକୃଷ୍ଣଙ୍କ ଚାପରେ ବିଜେ ହୁଅନ୍ତି। ଦୋଳ ଯାତ୍ରାରେ ଦୋଳ ବେଦୀକୁ ପ୍ରଦକ୍ଷିଣ କରି ସ୍ୱ ସ୍ୱ ଦୋଳବେଦୀକୁ ବିଜେ କରନ୍ତି। ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀଙ୍କ ସହିତ ଗୁଣ୍ଡିଚା ମଣ୍ଡପକୁ ଯାଇ ରଥ ଓ ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଶୀତଳ ଶଷ୍ଠୀ ( ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ) ଦିନ ଯମେଶ୍ୱର ରଥରେ ଓ ଅନ୍ୟମାନେ ବୃଷଭ ବାହନ ରେ ଚଢି ଶ୍ରୀ ମନ୍ଦିର ଭିତର କାଠ ପାଖକୁ ଯାଇ ଶ୍ରୀ ଜଗନ୍ନାଥ ଦେବଙ୍କୁ ଦର୍ଶନ କରନ୍ତି ଓ ମହାଲକ୍ଷ୍ମୀଙ୍କ ଅଗ୍ରମଣ୍ଡପରେ ବିଜେ ହୋଇ ପଞ୍ଚଗ୍ରାସୀ ଭୋଗ ଖାଆନ୍ତି ଓ ତା ପରଦିନ ସମଗ୍ର ନଗରରେ ଗୁଆଲି ବୁଲନ୍ତି। ଏମାନଙ୍କ ମଧ୍ୟରୁ ଯମେଶ୍ୱର ଶ୍ରୀମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ହରଚଣ୍ଡୀସାହି ଓ ଗୌଡବାଡସାହି କେନ୍ଦ୍ରସ୍ଥଳରେ, ଶ୍ରୀଲୋକନାଥ ଶଙ୍ଖକ୍ଷେତ୍ର ବା ଶ୍ରୀକ୍ଷେତ୍ରର ଉପରିଭାଗରେ ବାଲିବନ୍ତ ଉପରେ, ମାର୍କଣ୍ଡେୟ ମାର୍କଣ୍ଡ ସରୋବର ନିକଟରେ ( ଶ୍ରୀ ମନ୍ଦିରର ଉତ୍ତର-ପଶ୍ଚିମ ପାର୍ଶ୍ୱ ) କପାଳମୋଚନ ଶ୍ରୀମନ୍ଦିର ନିକଟରେ ମଣିକର୍ଣ୍ଣିକା ସାହିରେ ନୀଳକଣ୍ଠେଶ୍ୱର ଇନ୍ଦ୍ରଦ୍ୟୁମ୍ନ ସରୋବର ନିକଟରେ ଅବସ୍ଥିତ। ଏହି ପଞ୍ଚଶମ୍ଭୁ ବା ପଞ୍ଚପାଣ୍ଡବଙ୍କ ବିଷୟରେ ନୀଳାଦ୍ରି ମହୋଦୟରେ ବର୍ଣ୍ଣନା କରାଯାଇଅଛି। କାର୍ତ୍ତିକ ମାସ ଶୁକ୍ଳ ଦ୍ୱିତୀୟା ( ଯମ ଦ୍ୱିତୀୟା ) ରେ ଯମେଶ୍ୱରଙ୍କୁ ଦର୍ଶନ କଲେ ଯମ ଭୟ ଲାଗେନାହିଁ କଥିତ ଅଛି। ଏହି ଦିନ ମଧ୍ୟ ଏଠାରେ ଏକ ଯାତ୍ରା ଅନୁଷ୍ଠିତ ହୁଏ। ପୁରୀ ସହର ଓ ଆଖପାଖ ଅଞ୍ଚଳର ଲୋକମାନେ ଆସି ଯମେଶ୍ୱରଙ୍କୁ ଦର୍ଶନ କରନ୍ତି। ଲୋକକଥାରେ ଉଲ୍ଲେଖ ଅଛି ରାମଚନ୍ଦ୍ର ବନବାସ ସମୟରେ ଶ୍ରୀକ୍ଷେତ୍ରକୁ ଆସିଥିଲେ, ସେତେବେଳେ ଏହା ଏକ ବାଲିବନ୍ତ ଥିଲା। ଶ୍ରୀରାମଚନ୍ଦ୍ର ଶିବ ପୂଜା କରିବା ପାଇଁ ଶିବଲିଙ୍ଗର ଅନ୍ୱେଷଣ କଲେ, କିନ୍ତୁ ପାଇଲେ ନାହିଁ। ଶେଷରେ ଏକ ଲାଉକୁ ଶିବଲିଙ୍ଗ ରୂପରେ ପୂଜାକଲେ, ଲାଉକୁ ଶିବଲିଙ୍ଗ ଭାବରେ ପୂଜା କରିଥିବାରୁ ଲଉକନାଥ ରୂପରେ ପୂଜିତ ହେଲେ। କାଳକ୍ରମେ ଲଉକନାଥରୁ ଲୋକନାଥ ହୋଇଅଛି। ଶ୍ରୀ ଲୋକନାଥ ହେଉଛନ୍ତି ଶ୍ରୀ ମନ୍ଦିରର ଭଣ୍ଡାର ରକ୍ଷକ। ଶ୍ରୀ ମନ୍ଦିରର ଭିତର କାଠ ପାଖରେ ବାମ ପାଶ୍ୱର୍ରେ ଶ୍ରୀ ଲୋକନାଥଙ୍କ ପ୍ରତିମା ବିରାଜମାନ। ଶିବରାତ୍ର ଦିନ ଶ୍ରୀ ଲୋକନାଥଙ୍କ ପାଖରେ ଜାଗର ଯାତ୍ରା ଅନୁଷ୍ଠିତ ହୁଏ। ମଧ୍ୟ ରାତ୍ରରେ ଶ୍ରୀ ମନ୍ଦିରରୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଶ୍ରୀ ଲୋକନାଥ ମନ୍ଦିରକୁ ବିଜେ କରନ୍ତି ହରି-ହର ଭେଟ ହୁଏ। ଶ୍ରୀ ଲୋକନାଥଙ୍କ ମନ୍ଦିର ଶ୍ରୀକ୍ଷେତ୍ର ଓ ଏହାର ଆଖପାଖ ଅଞ୍ଚଳର ମହାନ ଶୈବପୀଠ ଭାବରେ ପରିଚିତ। ଭକ୍ତମାନେ ନିଜର ମାନସିକ ପୂରଣ ପାଇଁ ମଧ୍ୟ ଏଠାରେ ଗୁହାରିଆ ପଡନ୍ତି। ବୈଶାଖ ମାସର ଶେଷ ସୋମବାର ବା ସରନ୍ତି ସୋମବାରରେ ମଧ୍ୟ ଏଠାରେ ଏକ ମେଳା ହୁଏ। ଇନ୍ଦ୍ର ନୀଳମଣି ପୁରାଣ ବା ପୁରୁଷୋତ୍ତମ ପୁରାଣରେ ପଞ୍ଚପାଣ୍ଡବଙ୍କର ରହସ୍ୟାତ୍ମକ ଶ୍ଳୋକ ବର୍ଣ୍ଣିତ ହୋଇଅଛି।

ଯମେଶ୍ୱର ଧର୍ମରାଜଃ ସାକ୍ଷାତ ହରିହରାତ୍ମକଃ
ଭୀମଃ ଲୋକେଶ୍ୱର ପାର୍ଥଃ ମାର୍କଣ୍ଡେୟ ଶିବୋତ୍ତମଂ।
କପାଳ ମୋଚନ ରୁଦ୍ର ନକୂଳ ମାଦ୍ରିନନ୍ଦନଃ
ସହଦେବ ତଥା ନୀଳକଣ୍ଠ ନାମ୍ନା ସର୍ବେ ଉମାଦବଃ।
ପତଞ୍ଚିତେ ଶିବରୂପେଶ୍ଚ ପାଣ୍ଡବାନାଂ ପ୍ରତିଷ୍ଠିତଃ
ବଷ୍ଣୁପ୍ରିୟ ପଞ୍ଚଶମ୍ଭୋ କ୍ଷେତ୍ରପାଳ ବରପ୍ରଦଃ।

ଏହି ଶ୍ଳୋକ ଅନୁଯାୟୀ ଯମେଶ୍ୱର, ଧର୍ମରାଜ, ଭୀମ ଶ୍ରୀ ଜଗନ୍ନାଥଂ ଭଣ୍ଡାର ରକ୍ଷକ ଶ୍ରୀ ଲୋକନାଥ, ଅର୍ଜ୍ଜୁନ, ମାର୍କଣ୍ଡେୟ, ନକୁଳ କପାଳ ମୋଚନ ଓ ସହଦେବ ନୀଳକଣ୍ଠେଶ୍ୱର ଅଟନ୍ତି।

ଏହି ପଞ୍ଚ ମହାଦେବଙ୍କ ବ୍ୟତୀତ ମାର୍କଣ୍ଡେଶ୍ୱର ସାହି, ବିମାନବଡୁ ସାହି, ବାସେଳି ସାହି, ଦୋଳ ମଣ୍ଡପ ସାହିରେ ବାନାମ୍ବର ନାମରେ ଶୈବପୀଠ ଅବସ୍ଥିତ। ହେରାଗୋହୀରୀ ସାହି ମୁଣ୍ଡରେ ନୀଳକଣ୍ଠେଶ୍ୱର ମନ୍ଦିର ମଧ୍ୟ ଅନ୍ୟ ଏକ ଶୈବପୀଠ। ଶ୍ୟାମକାଳୀ ମନ୍ଦିର ନିକଟରେ ଅବସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ଏକ ମହାନ ଶୈବପୀଠ। ଅଷ୍ଟଶମ୍ଭୁ ବା ଅଷ୍ଟ ଶିବ ଲିଙ୍ଗ ( ଖୁବ୍ ସୁଦୃଶ୍ୟ ଓ ମନୋହର ) ଏଠାରେ ପୂଜିତ। ପିଲାମାନଙ୍କର ରୋଗ ହେଲେ ସେମାନଙ୍କୁ ଅଷ୍ଟଶମ୍ଭୁ ସ୍ନାନ ଜଳରେ ସ୍ନାନ କରାଇଲେ ରୋଗରୁ ମୁକ୍ତି ମିଳେ ବୋଲି ଏବେ ମଧ୍ୟ ଲୋକମାନଙ୍କର ବିଶ୍ୱାସ ରହିଛି। ପ୍ରତିଦିନ ଏଠାକୁ ଅନେକ ଶିଶୁ ଓ ଭକ୍ତ ଏଥିପାଇଁ ଆସିଥାନ୍ତି। ଏହା ବ୍ୟତୀତ ଶ୍ୟାମାକାଳୀ ମନ୍ଦିର ପରିସରରେ ମଧ୍ୟ ଅଷ୍ଟଶମ୍ଭୁ ଏବେ କେତେବର୍ଷ ହେଲା ପ୍ରତିଷ୍ଠିତ ହୋଇଛନ୍ତି। ଷ୍ଟେସନ ଛକ ନିକଟରେ ଏକ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରତିଷ୍ଠା ହୋଇ ସେ ଅଞ୍ଚଳର ଭକ୍ତମାନଙ୍କର ଶିବଙ୍କୁ ଦର୍ଶନ କରିବାରେ ସହାୟକ ହୋଇଛି ଏହା ଛଡା ରାମଚଣ୍ଡି ସାହିର ରାମଚଣ୍ଡୀ ମନ୍ଦିରରେ ଶିବଲିଙ୍ଗ ପୂଜା ପାଇବା ସହିତ ସହରର ଅନେକ ସାହିରେ ଶିବ ମନ୍ଦିରରେ ଶିବ ପୂଜା ପାଉଛନ୍ତି। ଶିବ ହେଉଛନ୍ତି ମଙ୍ଗଳଦାତା ଓ ଶିବଙ୍କୁ ପୂଜା କଲେ ଖୁବ ଶିଘ୍ର ବର ମିଳେବୋଲି ପୁରାଣ ଓ ଲୋକ କଥାରୁ ଏହା ପ୍ରମାଣିତ। ଶ୍ରୀ ମନ୍ଦିରରେ ପୂଜିତ ହେଉଥିବା ଶିବ ପ୍ରତିମାମାନେ ହେଲେ ବାଇଶି ପାହାଚରେ କାଶୀ ବିଶ୍ୱନାଥ, ବଟ ବୃକ୍ଷ ପାଖରେ ସହଦେବ, ମାର୍କଣ୍ଡେୟ, ଅନନ୍ତେଶ୍ୱର, ମନ୍ଦିରର ଉତ୍ତରପାଶ୍ୱର୍ରେ ପାତାଳେଶ୍ୱର ଓ ଗୁପ୍ତେଶ୍ୱର। ଶ୍ରୀକ୍ଷେତ୍ର ଏକ ବିଷ୍ଣୁ କ୍ଷେତ୍ର ଭାବରେ ପରିଚିତ ହେଲେ ମଧ୍ୟ ଶିବ ଉପାସନା ଓ ଶୈବପୀଠ ଭାବ କୌଣସି ଦୃଷ୍ଟିରୁ କମ ନୁହେଁ।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top