Home ଜିଲ୍ଲା ପରିକ୍ରମା ମେଡିକାଲ କଲେଜ ଆଗରେ ଅସାମାଜିକ ଯୁବକଙ୍କ ଆଡ୍ଡା: ଜିଲ୍ଲାପାଳଙ୍କଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଫେରାଦ

ମେଡିକାଲ କଲେଜ ଆଗରେ ଅସାମାଜିକ ଯୁବକଙ୍କ ଆଡ୍ଡା: ଜିଲ୍ଲାପାଳଙ୍କଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଫେରାଦ

32

ବାଲେଶ୍ୱର, ୨୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ରେମୁଣା ସ୍ଥିତ ଫକୀର ମୋହନ ମେଡିକାଲ କଲେଜ କ୍ୟାମ୍ପସ ପ୍ରବେଶ ପଥରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟକୁ ନେଇ ଡାକ୍ତରୀ ଛାତ୍ରଛାତ୍ରୀମାନେ ଆଜି ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ମେଡିକାଲ କଲେଜ ଉଦଘାଟିତ ହେବା ପରେ ୨୦୧୯ ମସିହାରୁ ସେଠାରେ ଆରମ୍ଭ ହୋଇଛି ପାଠ୍ୟକ୍ରମ। ମେଡିକାଲ କଲେଜରେ ୨୦୧୯ ଓ ୨୦୨୦ ଦୁଇଟି ବ୍ୟାଚରେ ପାଠ ବଢ଼ୁଥିବା ଦୁଇ ଶହ ଛାତ୍ରଛାତ୍ରୀ ମୁଖ୍ୟ କ୍ୟାମ୍ପସ ସହ ନିୟମିତ ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ମଧ୍ୟ ଶିକ୍ଷା ଗ୍ରହଣ ନିମନ୍ତେ ଆସିଥା’ନ୍ତି। ତେବେ ରେମୁଣା ମୁଖ୍ୟ ରାସ୍ତାରୁ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତାଟି ସମ୍ପ୍ରତି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ମେଡିକାଲ କଲେଜ ରାସ୍ତାରେ ସାଧାରଣ ଲୋକଙ୍କ ଚଳ ପ୍ରଚଳ ନଥିବାର ସୁଯୋଗ ନେଇ ଗତ କିଛିଦିନ ଧରି ଅସାମାଜିକ ଯୁବକମାନେ ଡାକ୍ତର ଛାତ୍ରୀଙ୍କୁ ନାନା ପ୍ରକାରର କମେଣ୍ଟ ମାରୁଥିବା ସେମାନେ ପ୍ରକାଶ କରିଛନ୍ତି। ବିଶେଷ କରି ସନ୍ଧ୍ୟା ସମୟରେ ଯୁବକମାନଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପଡୁଥିବା ସେମାନେ ଅଭିଯୋଗ କରିଛନ୍ତି। ମେଡିକାଲ କଲେଜ ରାସ୍ତା ମୁଣ୍ଡରେ ଥିବା ଏକ ହୋଟେଲ ଓ ଅନତି ଦୁରରେ ଥିବା ମଦ ଦୋକାନ ଯୋଗୁଁ ଯୁବକମାନେ ସେଠାରେ ରୁଣ୍ଡ ହୋଇ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। କୌଣସି କାର୍ଯ୍ୟପାଇଁ କ୍ୟାମ୍ପସରୁ ବାହାରିବା ବେଳକୁ ଅସାମାଜିକ ଯୁବକମାନେ ଡାକ୍ତରୀ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ବେଳ ବେଳେ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ ବାରମ୍ବାର ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରାଯିବା ସତ୍ତ୍ୱେ୍ୱ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟରେ ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ବୋଲି ଡାକ୍ତରୀ ଛାତ୍ରଛାତ୍ରୀମାନେ କହିଛନ୍ତି। ଏମିତିକି ଆଗାମୀ ଦିନରେ ସେଠାରେ ହସପିଟାଲ କାର୍ଯ୍ୟକ୍ଷମ ହେବା ପରେ ସନ୍ଧ୍ୟା ପରେ ଡ୍ୟୁଟିକୁ ଯିବା ଅସମ୍ଭବ ହୋଇପଡ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ମେଡିକାଲ କଲେଜ ଗେଟକୁ ପ୍ରବେଶ ପଥର ପ୍ରାରମ୍ଭକୁ ସ୍ଥାନାନ୍ତର ସହ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି। ଏଥି ସହିତ ସନ୍ଧ୍ୟା ସମୟରେ ନିୟମିତ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ସହ ସେଠାରେ ଏକ ପୋଲିସ ବିଟ୍ ସ୍ଥାପନ ପାଇଁ ଡାକ୍ତରୀ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି। ଏନେଇ ଏକ ଦାବିପତ୍ର ସେମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.