Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

85

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଂସ୍କୃତି ଭବନ ପ୍ରକୋଷ୍ଠରେ ସାମାଜିକ ଦୂରତା ଅବଲମ୍ବନ କରି ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ଏହି ବୈଠକରେ ପୌରୋହିତ୍ୟ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରା ଉପସ୍ଥିତ ରହି ସରକାରଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍‌କ ପାଇଁ ନୀତିନିୟମ ବାବଦରେ ସଭାରେ ସମସ୍ତଙ୍କୁ ଅବଗତ କରିଥିଲେ । ପ୍ରଥମେ ଚୀନ ଭାରତ ଯୁଦ୍ଧରେ ସହିଦ ହୋଇଥିବା ଓଡ଼ିଶାର ଦୁଇ ବୀର ଯବାନ ଓ ଭଦ୍ରକ ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀ ସ୍ୱର୍ଗାରୋହଣ କରିଥିବାରୁ ସଂଘ ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ପରେ ରାଜ୍ୟ ସଂଗୀତ କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଏଥି ସହିତ ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସଂଘର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ପୂର୍ବ ବୈଠକର ବିବରଣୀ ପାଠ କରିବା ସହିତ ସଂଘ ପଞ୍ଜିକୃତ ହୋଇଥିବାରୁ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଥିଲେ । କୋଷାଧ୍ୟକ୍ଷ ବିଜୟ କୁମାର ସେନାପତି ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ । ଜିଲ୍ଳାର ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରିବା ନିମନ୍ତେ ଆସନ୍ତା ଜୁଲାଇ ମାସରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ବୈଠକରେ ସ୍ଥିର କରାଗଲା । ଜିଲ୍ଲାର ସମସ୍ତ ବ୍ଲକ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳର ବରିଷ୍ଠ ନାଗରିକ ସଂଘକୁ ଜିଲ୍ଲା ମହାସଂଘ ସହିତ ଅନୁବନ୍ଧିତ କରିବାକୁ ସିଦ୍ଧାନ୍ତ ନିଆଯାଇଥିଲା । ମହାସଂଘର ବାଇ-ଲ ପ୍ରସ୍ତୁତ ଅନୁସାରେ ସଭ୍ୟ ଦେୟ ଓ ଅନୁବନ୍ଧନ ଦେୟ ଦେବାକୁ ସ୍ଥିର କରାଗଲା । ଉକ୍ତ ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ଉପସଭାପତି ଶଚିକାନ୍ତ ପଣ୍ଡା, ସହସମ୍ପାଦକ ବିଭୂତି ଭୂଷଣ ସେନାପତି, କାର୍ଯ୍ୟକାରିଣୀ ସଦସ୍ୟ ଶଶୀକାନ୍ତ ପାଢୀ, ମହେଶ ପ୍ରସାଦ ଦାସ, ହରେକୃଷ୍ଣ ମହାକୁଡ, ରତ୍ନାକର ବାରିକ, ଅଜୟ କୁମାର ପାଢୀ, ରାମଚନ୍ଦ୍ର ସାହୁ, ଉପଦେଷ୍ଟା ଏସ୍‌.ଏମ୍‌. ଫାରୁକ, ନିହାର ଦାସ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ସଭ୍ୟ ଶଶୀକାନ୍ତ ପାଢୀ ୧୦ ହଜାର ଟଙ୍କା, ଫେଲୋସିପ ଅନୁଷ୍ଠାନ ତରଫରୁ ୫ ହଜାର, ଦିଲିରଂଜନ ଖୁଣ୍ଟିଆ ୨ ହଜାର, କୈଳାସ ମହାପାତ୍ର ୧୫୦୦, ନିହାର ଦାସ ୨ ହଜାର ଟଙ୍କାର ସହଯୋଗ ଦେୟ ପ୍ରଦାନ କରିଥିବାରୁ ଆନନ୍ଦ ପ୍ରକାଶ କରାଯାଇଥିଲା । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.