Home ଜିଲ୍ଲା ପରିକ୍ରମା ଭଦ୍ରକରେ ଲଘୁଚାପ ଜନିତ ବର୍ଷାରେ ପୌରପାଳିକାର ବିଭିନ୍ନ ୱାର୍ଡ ବେହାଲ

ଭଦ୍ରକରେ ଲଘୁଚାପ ଜନିତ ବର୍ଷାରେ ପୌରପାଳିକାର ବିଭିନ୍ନ ୱାର୍ଡ ବେହାଲ

310

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ହେବାର ତିନି ଦଶନ୍ଧି ଛୁଇଁଲାଣି । ହେଲେ ଏହାର ବିଭିନ୍ନ ୱାର୍ଡରେ ଥିବା ଜଳ ନିଷ୍କାସନ ପଥଗୁଡିକର ଅଧପନ୍ତରିଆ ଅବସ୍ଥା ଯୋଗୁଁ ଅସରାଏ ବର୍ଷାରେ ୱାର୍ଡବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ବ୍ରିଟ୍ରିଶ୍ ସମୟରୁ ସହରର ଉଦ୍‌ବୃତ୍ତ ବର୍ଷା ଓ ଅନ୍ୟ ନିଷ୍କାସିତ ଜଳ ସାଳନ୍ଦୀ ନଦୀକୁ ସ୍ୱରେଜ ବ୍ୟବସ୍ଥା ଦେଇ ପ୍ରବାହିତ ହୋଇଆସୁଥିଲା । ମାତ୍ର ତାହା ଏବେ କେତେକ ଅସାଧୁ ଓ ପ୍ରଭାବଶାଳୀ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇ ତା ଉପରେ ଦୋକାନ ଓ କୋଠାବାଡି ନିର୍ମାଣ ହେବା ଫଳରେ ଉକ୍ତ ସ୍ୱରେଜ ବ୍ୟବସ୍ଥା ଭୁଶୁଡି ପଡିଛି । ଫଳରେ ସହରରେ ଲଘୁଚାପ ଜନିତ ବର୍ଷା ଓ ବର୍ଷାଦିନରେ ‘ ବେଙ୍ଗ ମୁତିଲେ ମନୁଷ୍ୟାକୃତ ବନ୍ୟା’ ଭଳି ପରିସ୍ଥିତି ଉପୁଜିଥାଏ । ବିଶେଷକରି ତଳିଆ ୱାର୍ଡଗୁଡିକରେ ଥିବା କଚ୍ଚା ଓ ପକ୍କା ଘର ମଧ୍ୟରେ ପାଣି ପ୍ରବେଶ କରିବା ଫଳରେ ଲୋକେ ବହୁ ହଇରାଣ ହୋଇଥାନ୍ତି । ଗତ କିଛିବର୍ଷ ଧରି ଡ୍ରେନେଜ୍ ବିଭାଗ ପକ୍ଷରୁ ସହର ମଧ୍ୟରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ତାହା ଶେଷ ହୋଇପାରିନାହିଁ । ଫଳରେ ବହୁ ୱାର୍ଡ ଏବେବି ଜଳାର୍ଣ୍ଣବ ହୋଇପଡିଛି । ପୌରପାଳିକା ଅଧୀନ ୫ ନଂ ୱାର୍ଡବାସୀ ଏବେ ଯାତାୟତ ପଥ ବର୍ଷାଜଳ ଯୋଗୁଁ ବୁଡି ରହିବା ଫଳରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ତେବେ ଏହି ୱାର୍ଡର ଡ୍ରେନ୍ ନିର୍ମାଣ ନେଇ ୨୦ ଲକ୍ଷ ଟଙ୍କାର ୩ ଟି ପ୍ରକଳ୍ପକୁ ମଂଜୁରି ଦିଆଯାଇଥିବାରୁ ଖୁବ୍ ଶୀଘ୍ର ଏହି ଅଂଚଳରେ ଡ୍ରେନ୍ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.