Home ଜିଲ୍ଲା ପରିକ୍ରମା ବିଭିନ୍ନ ଦାବି ଓ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ

ବିଭିନ୍ନ ଦାବି ଓ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ

58

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସଦୀୟ କ୍ଷେତ୍ରର ଓଡ଼ିଶା କୋଷ୍ଟ କେନାଲର ପୁନରୁଦ୍ଧାର, ସାଗରତଟ ସମୃଦ୍ଧି ଯୋଜନାରେ ଉପକୂଳ ଅଂଚଳର ଭିତ୍ତିଭୂମି ପ୍ରତିଷ୍ଠା, ଧାମରାଠାରେ ଲାଇଟ୍ ହାଉସ, ଚାନ୍ଦବାଲି ଠାରେ ନାବିକ ପ୍ରଶିକ୍ଷଣ କେନ୍ଦ୍ରର ଡିଜି ସିପିଂଙ୍କ ଅନୁମୋଦନ ଓ ଚୂଡାମଣିଠାରେ ବନ୍ଦର ଓ ଲାଇଟ୍ ହାଉସ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ସଂସଦୀୟ କାର୍ଯ୍ୟାଳୟ ଠାରେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ଲିଖିତ ପତ୍ର ସହିତ ସାକ୍ଷାତ୍ କରି ଦାବି ରଖିଛନ୍ତି। ଅନ୍ତର୍ଦ୍ଦେଶୀୟ ଜଳପଥର ବିକାଶ ପାଇଁ ଭାରତ ସରକାର ଜାତୀୟ ଜଳପଥ ଅଧିନିୟମ, ୨୦୧୬ ପ୍ରଣୟନ କରିଛନ୍ତି। ଯେଉଁଥିରେ ୧୧୧ ଗୋଟି ଜଳପଥକୁ ଜାତୀୟ ଜଳପଥ ଭାବରେ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ଛଅଗୋଟି ଜଳପଥ ଓଡ଼ିଶାରେ ଅବସ୍ଥିତ। ୨୦୦୮ ମସିହାରେ ଓଡ଼ିଶାର ପ୍ରାୟ ୫୮୮ କିଲୋମିଟର ପରିବ୍ୟାପ୍ତ ତାଳେଚର ଠାରୁ ଧାମରା ପର୍ଯ୍ୟନ୍ତ ବିସ୍ତାରିତ ନଦୀ ପ୍ରଣାଳୀ ଯଥା ବ୍ରାହ୍ମଣୀ-ଖରସୁଆ-ମନ୍ତେଇ ଓ କୋଷ୍ଟ କେନାଲ, ଗୋଏନ ଖାଲିରୁ ଚାରବାଟିଆ ପର୍ଯ୍ୟନ୍ତ ବିସ୍ତାରିତ ପୂର୍ବତନ କେନାଲ, ଚାରବାଟିଆରୁ ଧାମରା ପର୍ଯ୍ୟନ୍ତ ବିସ୍ତୃତ ମନ୍ତେଇ ନଦୀ ଏବଂ ମହାନଦୀର ତ୍ରିକୋଣ ଭୂମିକୁ ଜାତୀୟ ଜଳପଥ-୫ ଭାବେ ଘୋଷଣା କରିଥିଲେ। ତା ୩୦.୦୬.୨୦୧୪ ରିଖରେ ପଙ୍କପାଳରୁ ଧାମରା (୨୦୧ କିମି) ଏବଂ ପାରାଦ୍ୱୀପ ବନ୍ଦର (୧୩୧ କିମି) ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ବିକାଶ ପାଇଁ ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ, ଓଡ଼ିଶା ସରକାର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଏବଂ ଧାମରା ପୋର୍ଟ କଂପାନୀ ଲିମିଟେଡ୍ ମଧ୍ୟରେ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି।

ଜାତୀୟ ଜଳପଥ ୫ ର ଅନ୍ୟ ସ୍ଥାନରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ସ୍ଥଳେ ଓଡ଼ିଶା କୋଷ୍ଟ କେନାଲର କୌଣସି କାର୍ଯ୍ୟ ଆରମ୍ଭ ହେଉନଥିବାରୁ ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ର ଜଳପଥ ମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ନିକଟରେ ଦୃଢ ଦାବି ରଖିଛନ୍ତି। ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି। ଏହି କୋଷ୍ଟ କେନାଲ ଦିନେ ଓଡ଼ିଶାର ନୌବାଣିଜ୍ୟ, ଗମନାଗମନ, ପାନୀୟ ଜଳ, ଜଳସେଚନ, ମଧୁର ଜଳ ସଂରକ୍ଷଣ ଓ ଜଳ ନିଷ୍କାସନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। କାଳକ୍ରମେ ଏହା ପୋତି ହୋଇ ନଷ୍ଟ ହୋଇଯାଇଛି। ଦିନ ଥିଲା ଏହି କୋଷ୍ଟକେନାଲରୁ ଜଳସେଚନ କରାଯାଇ କୃଷିକ୍ଷେତ୍ରକୁ ଶସ୍ୟଶ୍ୟାମଳା କରାଯାଉଥିଲା। ଏହି କେନାଲ ଜଳକୁ କୃଷିକ୍ଷେତ୍ରରେ ଅଧିକ ବିନିଯୋଗ ଲାଗି ଉଭୟ ପାଶ୍ୱର୍ରେ ପବନ ଚାଳିତ ପାଣିପମ୍ପ କାର୍ଯ୍ୟକାରୀ କରାଯାଇଥିଲା। ସେସବୁ ଏବେ ଅଚଳ ହୋଇପଡିଛି। କୃଷି ଏବଂ ବାଣିଜ୍ୟ ବ୍ୟବସାୟରେ ବ୍ୟବହୃତ ହେଉଥିବା ଏହି କୋଷ୍ଟକେନାଲ ଲୋକମାନଙ୍କର ମୁଖ୍ୟ ପଥ ଥିଲା। ୧୮୬୬ ରେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସ୍ଥିତିକୁ ନଜରରେ ରଖି ଇଂରେଜ ସରକାର ୧୮୮୦ ରେ ଓଡ଼ିଶା କୋଷ୍ଟକେନାଲ ଖନନ ହୋଇ ୧୮୮୫ ରେ ଶେଷ ହୋଇଥିଲା। ବାଣିଜ୍ୟ ବ୍ୟବସାୟ ବ୍ରିିଟିଶ କଂପାନୀଗୁଡିକ ଲାଗି ଜଳପଥ ହିଁ ସେତେବେଳେ ସୁଗମ ହୋଇଥିଲା। ଇଷ୍ଟଇଣ୍ଡିଆ କଂପାନୀ କଲିକତାରେ ବାଣିଜ୍ୟ ବ୍ୟବସାୟର ସାମ୍ରାଜ୍ୟ ବିଛାଇଥିଲେ ମଧ୍ୟ ଉତ୍କଳ ନୌବାଣିଜ୍ୟ ଉପରେ ନଜର ରହିଥିଲା।

ଏଥିପାଇଁ ପଶ୍ଚିମବଙ୍ଗ ଗଙ୍ଗାନଦୀ ଗେଉଆଁଖାଲିରୁ କୋଷ୍ଟ କେନାଲ ଖନନ ଆରମ୍ଭ ହୋଇ କଟକ ପର୍ଯ୍ୟନ୍ତ ଲମ୍ବିଥିବା ଐତିହାସିକ ତଥ୍ୟରୁ ଜଣାପଡେ। ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ନସରାବାଦରୁ ଏହି କୋଷ୍ଟ କେନାଲ ୨୧୪ କିମି ବ୍ୟାପ୍ତ ଭଦ୍ରକ ସଂସଦୀୟ କ୍ଷେତ୍ରର ସୋରୋ, ସିମୁଳିଆ, ବାସୁଦେବପୁର, ଚାନ୍ଦବାଲି ସହ ଯାଜପୁର ଓ କଟକ ଜିଲାର ନଦୀପଥକୁ ସଂଯୋଗ କରାଯାଇଛି। ଓଡ଼ିଶା ସହିତ ପଶ୍ଚିମବଙ୍ଗ କଲିକତା ସହରରୁ କମ୍ ଖର୍ଚ୍ଚରେ ମାଲ ପରିବହନ ଓ ଗମନାଗମନ ଦୃଷ୍ଟିରୁ ଏହାର ଗୁରୁତ୍ୱ ଅଧିକ ଥିଲା। ନୌବାଣିଜ୍ୟର ସୁବିଧା ସୁଯୋଗ ଥିବାରୁ ଓଡ଼ିଶରେ ନଦୀକୂଳ ସହରଗୁଡିକର ଶିଳ୍ପ କଳକାରଖାନାର ମୂଳଦୁଆ ଭିତ୍ତିଭୂମି ଗଢିଉଠିଥିଲା। ଅପରପକ୍ଷରେ ଦେଶ ସ୍ୱାଧୀନ ହେବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି କୋଷ୍ଟ କେନାଲର ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେଉନଥିବାରୁ କେନାଲ ପୋତିହୋଇ ସ୍ଥିତି ହରାଇ ବସିଛି। ଏହାର ପୁନରୁଦ୍ଧାର ହେଲେ ଏହା ଓଡ଼ିଶାର ଅର୍ଥନୈତିକ ବିକାଶରେ ସହାକୟ ହେବା ସହିତ ବାଣିଜ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ, ଭଦ୍ରକ ସଂସଦୀୟ କ୍ଷେତ୍ରରେ ଉପକୂଳ ଅଂଚଳର ଶିକ୍ଷିତ ଓ ବେକାର ଯୁବକ-ଯୁବତୀଙ୍କ ନିଯୁକ୍ତ ସୁଯୋଗ ସୃଷ୍ଟି, ଧାମରା ବନ୍ଦରକୁ କମ୍ ଖର୍ଚ୍ଚରେ ଯୋଗାଯୋଗ ସହିତ ଜଳପଥରେ ପରିବହନ ପରିବେଶ ପ୍ରଦୂଷଣକୁ ବହୁ ମାତ୍ରାରେ ରୋକାଯାଇ ପାରିବ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ସହିତ ଆଲୋଚନା କରି ନିଜର ମତ ରଖିଥିଲେ। ଏହି ସାକ୍ଷାତ୍ ସମୟରେ ଧାମନଗରର ପୂର୍ବତନ ବିଧାୟକ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.