ବାଲେଶ୍ୱର, ୧୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସମେତ ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିର ସହ ବାଗଦେବୀ ମାଆ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା କୋହଳ ହେବା ପରେ ବସନ୍ତ ପଞ୍ଚମୀ ଉତ୍ସବ ପ୍ରଥମ ସାମୂହିକ ପର୍ବ ଭାବେ ପାଳିତ ହୋଇଥିବା ଦେଖିବାକୁ ମିଳିଛି। ତେବେ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସାମାଜିକ ଦୂରତା ରକ୍ଷା ପୂର୍ବକ ବିଦ୍ୟାଳୟମାନଙ୍କରେ ମାଆଙ୍କର ଏହି ପୂଜାରେ ଛାତ୍ରଛାତ୍ରୀମାନେ ଯୋଗ ଦେଇପାରି ନଥିଲେ। ମାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷ ବିଧିରକ୍ଷା ପାଇଁ ପୂଜାର୍ଚ୍ଚନା କରିଥିବା ଲକ୍ଷ୍ୟ କରାଯାଇଛି। ଏମିତିକି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପ୍ରବେଶ ଆଶଙ୍କାରେ କେତେକ ବିଦ୍ୟାଳୟ ଫାଟକରେ ତାଲ ସହ ପୂଜା କରାଯାଇଥିଲା। ଅନ୍ୟପକ୍ଷରେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ମାଆଙ୍କ ପୂଜା କରାଯାଇଥିଲା। ବିଧି ଅନୁସାରେ ଛାତ୍ରଛାତ୍ରୀମାନେ ସଂକଳ୍ପ ଓ ପୁଷ୍ପାଞ୍ଚଳି ପ୍ରଦାନ ପୂର୍ବକ ମାଆଙ୍କୁ ଆରଧାନା କରିଥିଲେ। ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ମାଆ ସରସ୍ୱତୀଙ୍କ ପୂଜା ହୋଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପୂର୍ବବର୍ଷ ମାନଙ୍କ ଭଳି ବାଲେଶ୍ୱର ସହରର ସମସ୍ତ କ୍ଲବରେ ପୂଜା ହୋଇ ନଥିଲେ ବି କିଛି କିଛି ମଣ୍ଡପରେ ନିରାଡ଼ମ୍ବର ପୂଜା କରାଯାଇଥିଲା। ତେବେ ବାସନ୍ତୀ ପୂଜା, ଚନ୍ଦନଯାତ୍ରା ଏମିତିକି ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଦୂର୍ଗା, ଲକ୍ଷ୍ମୀ ଓ କାଳିପୂଜା ପ୍ରଭୃତି ସାମାଜିକ ଦୂରତା ରକ୍ଷା ପାଇଁ ଫିକା ପଡ଼ିଯାଇଥିଲ। ମାତ୍ର ପ୍ରଥମ ଥର ପାଇଁ କିଛି କିଛି ସ୍ଥାନରେ ହୋଇଥିବା ପୂଜାରେ ଡାକବାଜି ଯନ୍ତ୍ର ବାଜୁଥିବା ଦେଖାଯାଇଛି। କରୋନାର ପ୍ରକୋପ ସମ୍ପୂର୍ଣ୍ଣ ହ୍ରାସ ପାଇବା ପରେ ଆଗାମୀ ଦିନରେ ସାଧାରଣ ଜୀବନଯାତ୍ରା ଚଳ ଚଞ୍ଚଳ ହେବା ସହ ସମସ୍ତ ପର୍ବପର୍ବାଣୀ ଉତ୍ସବମୁଖର ହେବ ବୋଲି ସବୁ ମହଲରୁ ଆଶା ପ୍ରକାଶ କରାଯାଇଛି।








