Home ଜିଲ୍ଲା ପରିକ୍ରମା ବନ୍ତଛକରୁ ୨୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ : ୨ ଗିରଫ

ବନ୍ତଛକରୁ ୨୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ : ୨ ଗିରଫ

94

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଦିନକୁ ଦିନ ବ୍ରାଉନ୍ ସୁଗାରର ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏ ଦିଗରେ ଜିଲା ଅବକାରୀ ବିଭାଗ ଚେଇଁ ଶୋଇଥିବାବେଳେ ନିକଟ ଅତୀତରେ ବହୁବାର କଟକସ୍ଥିତ ଅବକାରୀ ବିଭାଗର କେନ୍ଦ୍ରୀୟ ଗୁଇନ୍ଦା ଟିମ୍ ବହୁ ଚୋରା ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ତେବେ ଆଜି ଭୋର୍‌ର ସମୟରେ ସଦର ଅବକାରୀ ବିଭାଗର ଏକ ଟିମ୍ ସହରାଞ୍ଚଳ ଥାନା ଅଧୀନସ୍ଥ ବନ୍ତଛକ ନିକଟରୁ ଦୁଇଜଣ ଯୁବକଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା-ଏଲଖା ଅଂଚଳ ସମେତ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲପୁର ପଂଚାୟତର ରାଜପୁର ତିହିଡି, ଜୁଣିଆପାଳ ଭଳି ଅଂଚଳର କେତେକ ଅସାମାଜିକ ଯୁବକ ଏହି ମାଦକ ଦ୍ରବ୍ୟକୁ ଚୋରାରେ ଆଣି ଅପର୍ତ୍ତିବିନ୍ଧା ଛକ ଓ ବନ୍ତଛକ ଚରମ୍ପା ଭଳି ଅଂଚଳରେ ବିକ୍ରି କରିଆସୁଛନ୍ତି । ଏ ସଂପର୍କରେ ଖବର ପାଇ ଆଜି ଭୋର୍ ସମୟରେ ସଦର ଅବକାରୀ ବିଭାଗର ଥାନାଧିକାରୀ ସନ୍ତୋଷ କୁମାର ବଳ ସଦଳବଳେ ବନ୍ତଛକରେ ଛକି ବସିଥିବାବେଳେ ଅପର୍ତ୍ତିବିନ୍ଧା-ଏଲଖା ଅଂଚଳର ରାଜା ଓରଫ ସୁଜିତ୍ ଦାସ (୪୪) ଓ ଏବେ ନରିପୁର ବଙ୍କସ୍କୁଲ ପାଖରେ ରହୁଥିବା ପ୍ରଶାନ୍ତ ବେହେରା (୩୬) (ଯାହାର ନିଜଘର ବରପଦାର ଅବଦୁଲାପୁର ଅଟେ) ଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ଦୁଇଜର ଯୁବକ ଓଡି-୨୨ପି-୪୬୬୦ ନମ୍ବରର ଏକ ବାଜାଜ୍ ପଲସର ମୋଟର ସାଇକେଲ୍‌ରେ ଆସୁଥିବାବେଳେ ସେମାନଙ୍କୁ ୨୦ ଗ୍ରାମ ବାଉନ୍ ସୁଗାର ସହ ଗିରଫ କରାଯାଇଛି । ଏହି ଦୁଇଜଣ ଯୁବକ କେଉଁଠାରୁ ଏହା ଆଣି ଏଭଳି କାରବାର କରୁଛନ୍ତି, ସେଥିନେଇ ଅବକାରୀ ବିଭାଗ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.