Home ଓଡ଼ିଶା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢେଇବାକୁ ଦାବି : ମୁଖ୍ୟମନ୍ତ୍ରୀଙ୍କୁ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢେଇବାକୁ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

767

ଭୁବନେଶ୍ୱର, ୩ା୦୮ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଶସ୍ୟବୀମା ଯୋଜନା ଅନ୍ତର୍ଭୁକ୍ତ ହେବାର ଅବଧି ଜୁଲାଇ ୩୧ ତାରିଖରେ ଶେଷ ହୋଇଯାଇଛି। ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ବୀମା କରିପାରିନାହାଁନ୍ତି। ସ୍ୱଳ୍ପ ବୃଷ୍ଟି ଏବଂ ବିଳମ୍ବିତ ମୌସୁମୀ ଯୋଗୁଁ ରାଜ୍ୟରେ ଚାଷ କାର୍ଯ୍ୟ ବହୁ ପଛେଇ ଯାଇଛି। ଅନେକ ଯାଗାରେ ତଳି ବୁଢା ହେବାକୁ ଲାଗିଲାଣି। ବର୍ଷାକୁ ଚାତକ ଭଳି ଚାହିଁ ରହି ଚାଷୀ ଦିନ ଗଣୁଛି। ମରୁଡ଼ିର ଭୟରେ ଚାଷୀମାନେ ବିଭିନ୍ନ ସମବାୟ ସମିତି ଆଗରେ ବୀମାଭୁକ୍ତ ହେବାପାଇଁ ଧାଡ଼ି ଲଗାଇଛନ୍ତି, କିନ୍ତୁ ସମୟ ସରିଯାଇଥିବା ଯୋଗୁଁ ହତାଶ ହୋଇ ସମବାୟ ସମିତିରୁ ତାଙ୍କୁ ଫେରିବାକୁ ପଡ଼ୁଛି। ଆଗାମୀ ଦିନରେ ଯଦି ମରୁଡ଼ି ହୁଏ, ଶସ୍ୟହାନୀ ଜନିତ ବୀମା ପାଇବାରୁ ଓଡ଼ିଶାର ଲକ୍ଷଲକ୍ଷ ଚାଷୀ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଫସଲବୀମା ଅବଧିକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ତୁରନ୍ତ ବୀମା ଅବଧି ୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ସମ୍ବେଦନଶୀଳ ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ୧୭% ରୁ ୫୯% ପ୍ରତିଶତ ପର୍ଯ୍ୟନ୍ତ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବୁଣାବୁଣି ଓ ରୁଆ ବେଉଷଣ କାର୍ଯ୍ୟ ପଛେଇ ଯାଇଛି। ୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯଦି ତାହା ହୁଏ, ତାହେଲେ ରାଜ୍ୟରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ତେଣୁ ରାଜ୍ୟର ଚାଷୀମାନଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ଅନ୍ତତଃପକ୍ଷେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲବୀମା ଅବଧି ବଢାଇବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ କମିଟି ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.