Home Top News ପ୍ରଥମ ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହେଲା ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୧’

ପ୍ରଥମ ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହେଲା ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୧’

264

ଉଦ୍‌ଘାଟନୀ ସନ୍ଧ୍ୟାରେ ବିଶ୍ୱର କୋଣ ଅନୁକୋଣରୁ ଭାଗନେଲେ ଲକ୍ଷାଧିକ ଦର୍ଶକ

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର, ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି, ଓଡିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନଙ୍କ ଯୋଗଦାନ

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ଉଜ୍ଜୀବିତ ରଖିବା ପାଇଁ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୧’ ପ୍ରଥମ ଥର ପାଇଁ ଏକ ଚମତ୍କାର ଓ ଅନନ୍ୟ ଢଙ୍ଗରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆଜି ଆରମ୍ଭ ହୋଇଛି। କୋଭିଡ୍‌-୧୯ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି, ଏହି ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୧’ ୨୭ ଏବଂ ୨୮, ମାର୍ଚ୍ଚ ୨୦୨୧ରେ ଦୁଇ ଦିନ ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେଉଅଛି। ଏହି ଦୁଇ ଦିନିଆ ବିଶାଳ ସାଂସ୍କୃତିକ ମହାକୁମ୍ଭରେ ଭର୍ଚୁଆଲ ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଅଛି ସମୃଦ୍ଧ ଐତିହ୍ୟ ସମ୍ପନ୍ନ ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ। ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ବିଶ୍ୱର କୋଣ ଅନୁକୋଣରୁ ପ୍ରାୟ ଲକ୍ଷାଧିକ ଦର୍ଶକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତି, ଐତିହ୍ୟ, ପରମ୍ପରାରେ ବିମୋହିତ ହୋଇଥିଲେ।

ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ସଭାପତି, ଓଡିଆ ସମାଜ, ନୂଆଦିଲ୍ଲୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ‘ବନ୍ଦେ ଉତ୍କଳ ଜନନୀ’ରୁ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ଦିବସର ପ୍ରଥମ ସନ୍ଧ୍ୟା। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର, ରାଜ୍ୟସଭା ସାଂସଦ, ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି, ପିଭିଏସ୍‌ଏମ୍‌, ଏଭିଏସ୍‌ଏମ୍‌, ଏସ୍‌ଏମ୍‌, ଭିଏସ୍‌ଏମ୍‌, ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ସଭାପତି, ଓଡିଆ ସମାଜ ସ୍ୱାଗତ ସମ୍ଭାଷଣ ଉପସ୍ଥାପନ କରିଥିଲେ।

ଏହି ଅବସରରେ ନିଜର ବାର୍ତ୍ତା ରଖି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଦେଶ ତଥା ବିଶ୍ୱରେ ଥିବା ଓଡ଼ିଆଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରିବା ଓ ସମସ୍ତଙ୍କୁ ଓଡ଼ିଆ ମାଟିର ଭାବାବେଗ ସହ ଯୋଡିବାରେ ଓଡ଼ିଆ ସମାଜର ଉଦ୍ୟମ ପ୍ରଶଂସାଯୋଗ୍ୟ। ଚଳିତବର୍ଷ କୋରନା ମହାମାରୀର ସୀମା ଭିତରେ ଆୟୋଜିତ ଭର୍ଚୁଆଲ ଓଡିଶା ପର୍ବରେ ଟେକ୍ନୋଲୋଜି ଜରିଆରେ ଭାବଗତ ସମ୍ପର୍କର ନୂଆ ସୁଯୋଗ ପାଇବାରେ ଆମେ ସକ୍ଷମ ହୋଇଛୁ। ଏହି ଓଡ଼ିଶା ପର୍ବ ଆମ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଓଡ଼ିଶାର ଅପହଞ୍ଚ ତୃଣମୂଳ ସ୍ତରର ନିରବ ସାଧକମାନଙ୍କଠାରୁ ବିଶ୍ୱର ସମୃଦ୍ଧ ଅଞ୍ଚଳ ପର୍ଯ୍ୟନ୍ତ ଯୋଡିବାରେ ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିବ ବୋଲି ମୋର ଦୃଢ଼ ଆଶା। ଆସନ୍ତୁ ଓଡ଼ିଶାର ଅଦମ୍ୟ ଉତ୍ସାହ ସହ ପ୍ରଗତିର ନୂଆ ସ୍ରୋତରେ ସାମିଲ ହେବା। ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ଜାତିର କଠିନ ପରିଶ୍ରମ ଆମକୁ ସାରା ବିଶ୍ୱରେ ନିଶ୍ଚୟ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବ।

ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ସ୍ଥପତି, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର, କହିଥିଲେ ଯେ, ନୂତନ ଓଡ଼ିଶାରେ ବେଶ୍ ପରିବର୍ତ୍ତନ ଘଟିଛି। ଉତ୍କଳର କଳାକୃତିକୁ ପ୍ରସିଦ୍ଧ କରିବାକୁ ହେଲେ ସ୍ଥପତି କଳାକୁ ସମଗ୍ର ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାକୁ ପଡ଼ିବ। ଆମ ରାଜ୍ୟ ଓଡ଼ିଶାରେ କୋଣାର୍କସ୍ଥିତ ଇଣ୍ଟରପ୍ରିଟେସନ ସେଣ୍ଟରଠାରେ ପୁରାତନ ସ୍ଥାପତ୍ୟ କଳା, ଭାସ୍କର୍ଯ୍ୟ ପୁର୍ନରୁଦ୍ଧାର କରାଯିବା ସହ ବିଶ୍ୱ ଦର୍ଶକଙ୍କୁ ଏକ ପ୍ରାଚୀନ ଓଡ଼ିଶାର ଅନନ୍ୟ ତଥା ସୌନ୍ଦର୍ଯ୍ୟମୟ କଳା ସହ ପରିଚିତ କରାଇ ପାରିଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶିଳ୍ପୀ ସମାଜର ସମୃଦ୍ଧି ହେବା ସହ ଏହି କଳା ମାଧ୍ୟମରେ ଓଡ଼ିଶାର ଇତିହାସ ଗୌରବମୟ ହେଉ।

ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଥିଲେ ଯେ, ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଅଦମ୍ୟ ଜାତୀୟତାବାଦର ସଂରକ୍ଷଣ ତଥା ପ୍ରଚାର ପାଇଁ ଓଡ଼ିଆ ସମାଜ ନିରବଚ୍ଛିନ୍ନ ପ୍ରୟାସ କରିଆସୁଛି। ଏହା ଜାଣିବା ଅତ୍ୟନ୍ତ ହୃହୟସ୍ପର୍ଶୀ ଯେ ଗତ ୪ ବର୍ଷ ମଧ୍ୟରେ ଓଡ଼ିଆ ସମାଜ ରାଜ୍ୟର ବହୁ ପ୍ରତିଭାଙ୍କୁ ଆଣି ଏକ ଅନ୍ତର୍ଜାତୀୟ ପ୍ଲାଟଫର୍ମ ପ୍ରଦାନ କରିଛି, ଯାହା ଓଡ଼ିଶାର ଅଦମ୍ୟ ଆତ୍ମାକୁ ପ୍ରଦର୍ଶନ କରୁଛି। ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ଏହି ଓଡ଼ିଶା ପର୍ବ, ରାଜ୍ୟ ବାହାରେ ବିଶେଷ କରି ଦିଲ୍ଲୀବାସୀଙ୍କ ମନରେ ଓଡ଼ିଶା ପ୍ରତି ଥିବା ଦୃଷ୍ଟିକୋଣରେ ଆଣିଛି ଏକ ନୂତନ ପରିବର୍ତ୍ତନ।

ଓଡ଼ିଶାର ଯୁବପିଢି ଅଧିକ ସଂଖ୍ୟାରେ ପ୍ରତିରକ୍ଷା ବାହିନୀରେ ଯୋଗଦେବା ସହ ମାତୃଭୂମିର ସ୍ୱାର୍ଥ ପାଇଁ ସୁରକ୍ଷା କବଚ ହେବା ଉଚିତ୍ ବୋଲି ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରେ। ପ୍ରତିରକ୍ଷା ସେବାରେ ଯୋଗ ଦେବା ପାଇଁ ଆମର ଯୁବପିଢିଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ତାଲିମ କେନ୍ଦ୍ର ନିର୍ମାଣ କରିବାର ଆବଶ୍ୟକତା ରହିଛି। ଖୁବଶୀଘ୍ର ଭାରତରେ ଅଧିକ ସଂଖ୍ୟକ ସୈନିକ ସ୍କୁଲ ପ୍ରତିଷ୍ଠା ହେବାକୁ ଯାଉଛି, ଯେଉଁଥିରୁ ଓଡ଼ିଶା ମଧ୍ୟ ଏକ ଯଥାର୍ଥ ଅଂଶ ପାଇବ।

ଉଦ୍‌ଘାଟନୀ ସମାରୋହରେ ଉଦବୋଧନ ଦେଇ ଓଡ଼ିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ କହିଥିଲେ ଯେ, ଓଡ଼ିଶାର ପ୍ରାଚୀନ ଇତିହାସ ଓ ବିଶ୍ୱକୁ ଏହାର ଅବଦାନ ସମ୍ପର୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇବାକୁ ଆମର ଏହି ଉଦ୍ୟମ। ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ଏବଂ ପ୍ରତ୍ୟେକ ଓଡ଼ିଆ ଜଣେ ଜଣେ ପାଇକ ଓ ସଂଗ୍ରାମୀ। ପ୍ରାଚୀନ ଓ ନୂତନ ଓଡ଼ିଶାର ଇତିହାସ ଏବଂ ସ୍ୱାଧିନତା ସଂଗ୍ରାମକୁ ଆମେ ଭୁଲିବା ନାହିଁ।

ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ମଧୁମିତା ରାଉତ ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ବିଶ୍ୱଶାନ୍ତି ପାଇଁ ଓଡ଼ିଶୀ ନୃତ୍ୟ ‘ଶାନ୍ତି ମନ୍ତ୍ର’ ପରିବେଷଣ କରାଯାଇଥିଲା। ଏହାପରେ ଓଡ଼ିଶା ପର୍ବ ଉପରେ ଆଧାରିତ ବୃତ୍ତଚିତ୍ର ‘ଅଦମ୍ୟ ଓଡ଼ିଶା’, ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ସମ୍ପର୍କିତ ପ୍ରାମାଣିକ ଚିତ୍ର ଏବଂ ‘ଅମୃତ ମହୋତ୍ସବ’; ଭାରତ ସ୍ୱାଧିନତାର ୭୫ ବର୍ଷ, ଭାରତର ସ୍ୱାଧିନତାରେ ଓଡ଼ିଶାର ଅବଦାନ ଏବଂ ଅଭିବୃଦ୍ଧି ଘଟୁଥିବା ଭାରତୀୟ ଜାତୀୟତାବାଦକୁ ଦର୍ଶାଇ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ କରାଯାଇଥିଲା।

ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ତଥା ପ୍ରାଚୀନ ନୃତ୍ୟ ଓ କଳା ଶଙ୍ଖଧ୍ୱନି, ପଶୁମୁଖା ନୃତ୍ୟ, ରଣପା ନୃତ୍ୟ, ଓଡ଼ିଆ ଆସୋସିଏସନ, ଆମେରିକା ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ(ଧୁଡ଼ୁକୀ ନାଚ), ସୌଭାଗିନୀ ଦେବୀ ଏବଂ ତାଙ୍କ ଦଳ (ସମସ୍ତ ମହିଳା କଳାକାର), ତାଳଚେର ଦ୍ୱାରା ସାମରିକ କଳା ପ୍ରଦର୍ଶନ, ସମ୍ବଲପୁର ‘କଳାଜିବି’ ଦ୍ୱାରା ପ୍ରସ୍ତୁତ ପଶ୍ଚିମ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଲୋକନୃତ୍ୟ ‘ରଙ୍ଗବତୀ’, ପୁରୀ ଫେଟ୍ ଫାଇଟରଙ୍କ ଦ୍ୱାରା ମାଲଖମ୍ବ ଆଦି ପରିବେଷଣ କରାଯାଇଥିଲା। ପାଇକ ବିଦ୍ରୋହର ସ୍ୱର୍ଣ୍ଣିମ ଇତିହାସକୁ ସ୍ମରଣ କରିବା ପାଇଁ କଟକର ମୋକ୍ଷ ଡ୍ୟାନ୍ସ ଗ୍ରୂପ ଦ୍ୱାରା ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ପରିବେଷିତ ‘ମାଟିର ପୁଅ ପାଇକ ପୁଅ ବୀର ସଂଗ୍ରାମୀ’ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନରେ ଭରିଥିଲା ଦେଶପ୍ରେମର ଉନ୍ମାଦନା।

ପଦ୍ମ ବିଭୂଷଣ ଡଃ ସୋନାଲ ମାନସିଂହ ଏବଂ ପଦ୍ମ ଭୂଷଣ ଶ୍ରୀ ସୁଦର୍ଶନ ସାହୁ ଚିଟ୍‌ଚାଟ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଜୀବନ କାହାଣୀ ଦର୍ଶକଙ୍କୁ ଅନୁପ୍ରାଣିତ କରିଥିବା ବେଳେ ଶ୍ରୀମତୀ ଉଷାରାଣୀ ତ୍ରିପାଠୀଙ୍କ କୁକ୍‌-ଟକ୍ ଦର୍ଶକଙ୍କୁ ଦେଇଥିଲା ଭିନ୍ନ ଅନୁଭୂତି। କାର୍ଯ୍ୟକ୍ରମରେ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ନନ୍ଦ କିଶୋର ପୃଷ୍ଟି, ସୁଶ୍ରୀ ପୂର୍ଣ୍ଣମାସୀ ଜାନୀ, ଶ୍ରୀମତୀ ଶାନ୍ତି ଦେବୀ ଏବଂ ଡଃ କୃଷ୍ଣ ମୋହନ ପାଠୀଙ୍କ ପ୍ରଦତ୍ତ ବାର୍ତ୍ତା ମଧ୍ୟ ରହିଥିଲା, ଯେଉଁମାନଙ୍କର ସମାଜ ପ୍ରତି ଅବଦାନ ଦେଶର ଅନେକ ନାଗରିକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଶେଷରେ ସୂରସନ୍ଧ୍ୟା କାର୍ଯ୍ୟକ୍ରମର ଅଂଶ ବିଶେଷ ସୁଦୂର ଚିକାଗୋରୁ ସୂରଜ ପଟ୍ଟନାୟକଙ୍କ କଣ୍ଠରେ ସୁମଧୁର ଭଜନ ଏବଂ ଓଲିଉଡ୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ତାନ୍‌ସେନ ସିଂଙ୍କ ସମେତ ଯୁବ କଣ୍ଠଶିଳ୍ପୀ ତପୁ ମିଶ୍ର, ଦିପ୍ତୀରେଖା, ଆଶୁତୋଷ ଆଦିଙ୍କ ଦ୍ୱାରା ଆଧୁନିକ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ କରିଥିଲା ବେଶ୍ ମନ୍ତ୍ରମୁଗ୍ଧ।

ଆସନ୍ତା କାଲି ୨୮ ମାର୍ଚ୍ଚ, ୨୦୨୧ ସନ୍ଧ୍ୟା ୭ ଘଟିକାରୁ ଏହି ବିଶାଳ ପର୍ବର ଦ୍ୱିତୀୟ ତଥା ଉଦ୍‌ଯାପନୀ ସନ୍ଧ୍ୟାରେ ସେହିପରି ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିବା ସହ ଏକ ନିଆରା ଅନୁଭୂତି ପ୍ରଦାନ କରିବ ବୋଲି ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ବ୍ୟକ୍ତ କରାଯାଇଛି। www.odishaparba.live ରେ ଲଗ୍‌ଇନ୍ କରି କାର୍ଯ୍ୟକ୍ରମର ମଜା ନେବା ପାଇଁ ଜମାରୁ ଭୁଲିବେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.