Home ଉପ ନିର୍ବାଚନ ପୌରାଞ୍ଚଳରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପ୍ରଚାର ଜାରି

ପୌରାଞ୍ଚଳରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପ୍ରଚାର ଜାରି

44

ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ପ୍ର୍ରମୁଖ ତିନି ଦଳର ପ୍ରାର୍ଥୀ ଘୋଷଣା ଶେଷ ହୋଇଥିବା ବେଳେ ପ୍ରଚାର କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଆଗୁଆ ଥିବା ଲକ୍ଷ୍ୟ କରାଯାଇଛି। ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ସ୍ୱର୍ଗତ ଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ ଦତ୍ତ ନାମାଙ୍କନପତ୍ର ଦାଖଲ କରି ନଥିଲେ ବି ଗତକାଲିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ସ୍ୱର୍ଗର୍ତ ପିତାଙ୍କ ପଦାଙ୍କ ଅନୁସରଣ ପୂର୍ବକ ଶ୍ରୀ ଦତ୍ତ ଗତକାଲି ପୁରୁଣା ବାଲେଶ୍ୱରସ୍ଥିତ ବାବା ବାଣେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରଚାର କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ଆଜି ସେ ବାଲେଶ୍ୱର ପୌରାଞ୍ଚଳରେ ପ୍ରଚାର ଜାରି ରଖିଥିବା ଲକ୍ଷ୍ୟ କରାଯାଇଛି। ସହରର ସିନେମାଛକସ୍ଥିତ ଶିବ ମନ୍ଦିର ଓ ମୋତିଗଞ୍ଜ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେ ଘରକୁ ଘର ଯାଇ ଲୋକମାନଙ୍କୁ ସାକ୍ଷାତ କରିଥିଲେ। ବାଲେଶ୍ୱର ସହର ସମେତ ସଦର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ପିତା ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ସ୍ୱପ୍ନକୁ ସାକାର କରିବା ସହିତ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲୋକାଭିମୁଖୀ କାର୍ଯ୍ୟ ସମ୍ପନ୍ନକୁ ଅଧିକ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଦତ୍ତ କହିଥିଲେ। ବାପାଙ୍କର ଅଧୂରା କାର୍ଯ୍ୟ ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ ସୁଯୋଗ ଦେବାକୁ ସେ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଦଳୀୟ ନିର୍ବାଚନ ପ୍ରଚାର କମିଟିର ନିଷ୍ପତି କ୍ରମେ ଆରମ୍ଭ ହୋଇଥିବା ଏହି ପ୍ରଚାର କାର୍ଯ୍ୟରେ ବିଜେପି କର୍ମକର୍ତ୍ତା ପର୍ଶୁରାମ ବେହେରା, ସୁଜିତ୍ ଦେବ, ପିଣ୍ଟୁ ପୋଦାର, ବିଭୂପଦ ଦାସଙ୍କ ସମେତ ସଦର ନିର୍ବାଚନମଣ୍ଡଳୀର ବହୁକର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.