Home ଓଡ଼ିଶା ଜାତୀୟ ଭାବନା ପୋଷଣ ପୂର୍ବକ ସମ୍ବଲପୁର ସ୍ଥିତ ବେଜବରୁଆ ଭବନର ସଂରକ୍ଷଣ ପାଇଁ ଓଡ଼ିଶା ଏବଂ...

ଜାତୀୟ ଭାବନା ପୋଷଣ ପୂର୍ବକ ସମ୍ବଲପୁର ସ୍ଥିତ ବେଜବରୁଆ ଭବନର ସଂରକ୍ଷଣ ପାଇଁ ଓଡ଼ିଶା ଏବଂ ଆସାମ ମିଳିତ ଭାବେ ଆଗେଇ ଆସନ୍ତୁ

129

ସମ୍ବଲପୁର, ୬/୮ – (ଓଡ଼ିଆ ପୁଅ) ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆ ଅହମୀୟା ଭାଷାର ଆଦ୍ୟ ଗଦ୍ୟ ଲେଖକ ହେବା ସହ ଆଧୁନିକ ଅହମୀୟା ସାହିତ୍ୟର ଜନକ ଅଟନ୍ତି। ତାଙ୍କୁ ଦେଶର ଅଗ୍ରଣୀ ସାହିତ୍ୟିକ ରୂପେ ବର୍ଣ୍ଣନା କରାଯାଇଛି। ଏଭଳି ଜଣେ ମହାପୁରୁଷଙ୍କ ଘର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରାଚୀନ ସ୍ମାରକୀ ଅଟେ। ଏହାର ପୁନରୁଦ୍ଧାର ତଥା ସଂରକ୍ଷଣ ପାଇଁ ବୃହତ୍ ଜାତୀୟ ଭାବନା ପୋଷଣ ପୂର୍ବକ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ତଥା ଏ ଦିଗରେ ଓଡ଼ିଶା ଏବଂ ଆସାମ ସରକାର ମିଳିତ ପଦକ୍ଷେପ ନେବା ପାଇଁ ଆଗେଇ ଆସିବାକୁ ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତି ରକ୍ଷା ସମିତି, ଆସାମର ସଭାପତି ପ୍ରଦ୍ୟୋତ କୁମାର ଚୌଧୁରୀ ତଥା ସମ୍ପାଦକ ରଣ୍ଟୁ ଡେକା କହିଛନ୍ତି। ଭୁବନେଶ୍ୱରରେ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତଥା ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗର ଉଚ୍ଚାଧିକାରୀମାନଙ୍କ ସହ ବୈଠକ କରିବା ପରେ ସମ୍ବଲପୁର ଆଗମନ ଅବସରରେ କମିଟୀର ପଦାଧିକାରୀ ଦ୍ୱୟ କହିଛନ୍ତି ଯେ, ବେଜବରୁଆଙ୍କ ସମ୍ବଲପୁର ସ୍ଥିତ ସାଧନା ଗୃହ ଏବଂ ଆବାସିକ ଭବନର ଜୀର୍ଣ୍ଣୋଦ୍ଧାର ତଥା ସଂରକ୍ଷଣ ସକାଶେ ମୋଟ ୧ କୋଟି ୯୮ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ଓଡ଼ିଶାର ପର୍ଯ୍ୟଟନ ବିଭାଗ ଏଥିପାଇଁ ୫୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଆସାମ ସରକାର ମଧ୍ୟ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶା ଏବଂ ଆସାମ ମଧ୍ୟରେ ଆଲୋଚନା ଏବଂ ସମନ୍ୱୟ ସ୍ଥାପନ ପୂର୍ବକ ଅବଶିଷ୍ଟ ଆବଶ୍ୟକ ଟଙ୍କାର ବ୍ୟବସ୍ଥା କରାଯାଇ ଉଭୟ ଗୃହର ସମ୍ପୂର୍ଣ୍ଣ ଜୀର୍ଣ୍ଣୋଦ୍ଧାର ଏବଂ ଏତଦ୍ ପରେ ଲାଇବ୍ରେରୀ, ମ୍ୟୁଜିୟମ, ସାହିତ୍ୟ ୱାର୍କସପ ସେଣ୍ଟର ଏବଂ ସାହିତ୍ୟିକ ଗତିବିଧି କେନ୍ଦ୍ର ଜରିଆରେ ବେଜବରୁଆ ସ୍ମୃତି ଭବନ ରୂପେ ବିକଶିତ କରିବା ଦିଗରେ ପ୍ରଯତ୍ନ ହେବା ଆବଶ୍ୟକ। ଏହା ଓଡ଼ିଶା ଏବଂ ଆସାମ ମଧ୍ୟରେ ସମନ୍ୱୟର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ତଥା ଓଡ଼ିଶାର ପର୍ଯ୍ୟଟନର ବିକାଶରେ ସହାୟକ ହେବ। ବେଜବରୁଆ ଏବଂ ସମ୍ବଲପୁର ଆସାମବାସୀଙ୍କ ହୃଦୟରେ ସଦାବେଳେ ରହିଛି। ସମ୍ବଲପୁରକୁ ଆସାମବାସୀ ତୀର୍ଥଭୂମି ରୂପେ ବିବେଚନା କରନ୍ତି। ସିଧାସଳଖ ଟ୍ରେନ୍ ବ୍ୟବସ୍ଥା ନଥିବାରୁ ଇତିମଧ୍ୟରେ ଆସାମବାସୀ ଗୁଆହାଟୀରୁ ସମ୍ବଲପୁର ପାଇଁ ଏକ ଟ୍ରେନ ଚଳାଚଳ ପାଇଁ ଦାବି କରିଛନ୍ତି।

ଶ୍ରୀ ଚୌଧୁରୀ ଏବଂ ଶ୍ରୀ ଡେକା ଗତକାଲି ସମଲେଶ୍ୱରୀ ମନ୍ଦିର, ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିବା ସହିତ ସମ୍ବଲପୁରୀ ବସ୍ତ୍ର ଦେଖିଥିଲେ ଓ କ୍ରୟ କରିଥିଲେ। ସନ୍ଧ୍ୟାରେ ସମ୍ବଲପୁରର କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବିଚାର ବିନିମୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.