Home ଓଡ଼ିଶା ଛାତ୍ରଛାତ୍ରୀଙ୍କ ସାଇକେଲ ଚାଳନା, ସତର୍କତା ଜରୁରୀ

ଛାତ୍ରଛାତ୍ରୀଙ୍କ ସାଇକେଲ ଚାଳନା, ସତର୍କତା ଜରୁରୀ

195

ରାଉରକେଲା ୨୫-୭ (ଓଡ଼ିଆ ପୁଅ/ସୁବୋଧ ନାୟକ): ରାଉରକେଲା ରାଜରାସ୍ତାରେ ଦିନରାତି ଗଡୁଛି ଶହଶହ ବାଇକ, ତିନିଚକିଆ ଅଟୋ ତଥା ଚାରି ଚକିଆ ଯାନବାହାନ। ଏହା ସହିତ ତାଳ ମିଳାଇ ରାଜରାସ୍ତାରେ ଦେଖିବାକୁ ମିଳୁଛି ସାଇକେଲ ଆରୋହୀଙ୍କ ସଂଖ୍ୟା। ଶ୍ରମିକଙ୍କ ଠାରୁ ଆରମ୍ଭ କରି ସରକାରୀ ଅବା ବେସରକାରୀ ଚାକିରିଆ, ବାଳକ, ବାଳିକା, ଯୁବକ ଓ ଯୁବତୀ ମାନେ ସାଇକେଲରେ ରାସ୍ତାରେ ଯାତ୍ରା କରିବା ପ୍ରତିଦିନ ଦୃଷ୍ଟିଗୋଚର ହୋଇଥାଏ। ସାଇକେଲ ଚଳାଇବା ଗୋଟିଏ ପଟେ ସ୍ୱାସ୍ଥ୍ୟ ପାଇଁ ହିତକାର ସାବ୍ୟସ୍ତ ହେଉଥିବା ବେଳେ, ଏହା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଖର୍ଚ୍ଚକାଟ ମଧ୍ୟ ହୋଇପାରିଥାଏ। ଅପରପକ୍ଷରେ ନାବାଳକ ଓ ନାବାଳିକା ହାତରେ ସାଇକେଲ ଚାଳନା କେତେ ଯେ, ନିରାପଦ ଏହାକୁ ସମୀକ୍ଷା କଲେ ବହୁ କିଛି ତଥ୍ୟ ସାମନାକୁ ଆସିଥାଏ। ରାତିପାହିଲେ ରାଉରକେଲାର ବିଭିନ୍ନ ସ୍କୁଲ, ଘରୋଇ ଟିଉସନ ତଥା କଲେଜକୁ ନାବାଳକ, ନାବାଳିକା ମାନେ ସାଇକେଲରେ ଯାତ୍ରା କରିଥାନ୍ତି। ୧୦ ବର୍ଷରୁ ଆରମ୍ଭ କରି ୧୭ ବର୍ଷ ବର୍ଗର ନାବାଳକ ଓ ନାବଳିକା ମାନେ ରାସ୍ତାରେ ସାଇକେଲକୁ ଖୁବ ଜୋରରେ ଚାଳନା କରିବା ଯୋଗୁ ଏହା ସେମାନଙ୍କ ପାଇଁ ସମୟ ସମୟରେ ବିପଦକୁ ଆମନ୍ତ୍ରଣ କରୁଥିବା ବେଳେ, ବାଇକ ଚାଳକ ମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଇକେଲ ଚଳାଇବା ବେଳେ ଆଦୌ ବାଡ଼ବତା ମାନୁ ନାହାନ୍ତି। କେତେକ ସମୟରେ ନାବାଳକ ମାନେ ସାଇକେଲ ଧରି ରାସ୍ତାରେ ମେଳି କରିବା ଯୋଗୁ ଏହା ଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ଗାଡ଼ି ମୋଟର ପାଇଁ ବାଧକ ସାଜୁଛି। ରାସ୍ତାରେ ନାବାଳକ ମାନେ ସାଇକେଲ ଉପରେ ଛିଡ଼ା ହୋଇ ଷ୍ଟଂଟ ପ୍ରଦର୍ଶନ ମଧ୍ୟ କରିବା ଦୃଷ୍ଟିଗୋଚର ହେଉଛି। ଏହି କ୍ଷେତ୍ରରେ କେତେବେଳେଯେ, ଏକ ଦୁର୍ଘଟଣା ଘଟିବ ଏ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ। ନାବାଳକ ମାନେ ରାସ୍ତାର ଉଭୟ ପାଶ୍ୱର୍କୁ ନିରୀକ୍ଷଣ ନକରି ହଠାତ ରାସ୍ତା ସାଇକେଲରେ ପାର ହୋଇ ଯାଉଥିବାରୁ ଏହା ଅନ୍ୟ ବାଇକ ଆରୋହୀ ମାନଙ୍କ ପାଇଁ ସମୟ ସମୟରେ କାଳ ସାଜିଛି! ଏପରି ସ୍ଥଳେ ନାବାଳକ ଓ ନାବାଳିକା ମାନଙ୍କ ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ସାଇକେଲ ଚାଳନା ପ୍ରତି ଯତ୍ନବାନ ହେବା ପାଇଁ ସୁପରାମର୍ଶ ଦେବା ନିହାତି ଜରୁରୀ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.