Home କଳାହାଣ୍ଡି କଳାହାଣ୍ଡିର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି, କଳାହାଣ୍ଡି ବିକାଶ ପରିଷଦର ଆଲୋଚନା ଚକ୍ରରେ ଆଲୋଚକଙ୍କ ମତ

କଳାହାଣ୍ଡିର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି, କଳାହାଣ୍ଡି ବିକାଶ ପରିଷଦର ଆଲୋଚନା ଚକ୍ରରେ ଆଲୋଚକଙ୍କ ମତ

30

କଲାହାଣ୍ଡି ୧୬.୦୯ (ଓଡ଼ିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ର ଧର୍ମ, କଳା, ସଂସ୍କୃତି ଅନନ୍ୟ ଓ ସ୍ୱତନ୍ତ୍ର। ଏଠାକାର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା ଅନ୍ୟ ଠାରୁ ପ୍ରଭାବିତ ହୋଇନାହିଁ। ପ୍ରସ୍ତର ଯୁଗରୁ କଳାହାଣ୍ଡିର ବିକାଶ ହୋଇଥିବା ଏବଂ ଏଠାରେ ଏକ ଅସ୍ତ୍ର ଶସ୍ତ୍ର କାରଖାନା ଥିବା ଐତିହାସିକ ସ୍ଥଳ ରେ ହୋଇଥିବା ଖନନ ରୁ ମିଳିଥିବା ତଥ୍ୟ ରୁ ଜଣାପଡେ। ଏହି ଅଂଚଳର ମଣିଷ ଯାହା କରିପାରିଲା ତାହା ବିଜ୍ଞାନର ଆଖ୍ୟା ଦେଲା ଏବଂ ଯାହା କରିପାରିଲା ନାହିଁ ତାକୁ ଦୈବୀ ଶକ୍ତି ବୋଲି କହିଲା। ଯେଉଁ ସବୁ କରିପାରିଲା ସେସବୁ ଯେପରି ପରପିଢୀ ଜାଣି ପାରିବେ ସେଥିପାଇଁ ବିଭିନ୍ନ ପଥର ଖୋଦେଇ କରି ଚିତ୍ର ଆଙ୍କୁଥିଲା। ଗୁଡହାଣ୍ଡି, ଦେବଗିରି, ଗୁରୁ ଡଙ୍ଗରୀ, ଯୋଗୀମଠ ଆଦି ସ୍ଥାନର ପଥର ଖୋଦେଇ ଚିତ୍ର ଏହାର ପ୍ରମାଣ। ମୋହନଗିରି, ଟୋପିଆ, ଅମାଠ, ବେଲଖଣ୍ଡି, ମାରାଗୁଡା, ବୁଧିକୋମନା ଆଦି ଅଂଚଳର ଭଗ୍ନାଂଶ, ପ୍ରଚୀନ ନଗର ଜୁନାଗଡ ରେ ଥିବା ଗଡଖାଇ ମଧ୍ୟରେ ବସତି ସ୍ଥାପନ, ସାପଗରଣ୍ଡା, ଗୁଡହାଣ୍ଡି ତଥା ଜୋଙ୍କ ନଦୀ ପାଶ୍ୱର୍ରେ ବଡ ଶିବ ଲିଙ୍ଗ, ବୁଧିକୋମନାର ଶିବ ମନ୍ଦିର ତଥା ଅନେକ ମନ୍ଦିର ମାନଙ୍କରେ ନିର୍ମାଣ ଶୈଳୀ କଳାହାଣ୍ଡିର ଶିଳ୍ପୀ ମାନଙ୍କ ନିର୍ମାଣ କଳା କୌଶଳ ଉଚ୍ଚ କୋଟୀର ଥିବାର ସ୍ପଷ୍ଟ ପ୍ରମାଣ ମିଳେ। ଏପରିକି ଛୋରିଆଗଡ, ଜୁନାଗଡ, ମାନିକ ଗଡ, ଗୋରାଗଡ, ଅସୁରଗଡ, କୋମନାଗଡ ଠାରେ ମଧ୍ୟ ଆମ ଐତିହ୍ୟ ପରିଦୃଶ୍ୟ ହୁଏ।

ସ୍ଥାନ ନଥିଲେ ଇତିହାସ ଲେଖି ହେବ ନାହିଁ। ଇତିହାସ ସହ ଭୂଗୋଳର ସଂପର୍କ ରହିଛି। ଭୈାଗୋଲିକ ସ୍ଥିତି ଉପରେ ସଂସ୍କୃତି ଓ ବିକାଶ ନିର୍ଭର କରେ। କଳାହାଣ୍ଡିର ସଂସ୍କୃତି ଆଦିମ ସଂସ୍କୃତି ଯାହାକି ଆଦିବାସୀ ସଂସ୍କୃତି ନାମରେ ପରିଚିତ। ୧୮୫୩ ପୂର୍ବରୁ କଳାହାଣ୍ଡି ରାଜ ପରିବାର ଜଣେ ଆଦିବାସୀ କନ୍ୟାକୁ ବିବାହ କରିଥିବା ବେଳେ ୧୭୭୫ ପୂର୍ବରୁ ଖରିଆର ରାଜ ପରିବାର ନ୍ଖକ୍ସ କନ୍ୟାକୁ ଜଣେ ଗଣ୍ଡ ସଂପ୍ରଦାୟର ବ୍ୟକ୍ତିକୁ ବିବାହ କରାଇଥିଲେ। ଏଥିରୁ ବୁଝାପଡେ ଯେ, କଳାହାଣ୍ଡିର ସଂସ୍କୃତି ଓ ପରଂପରା କେବେ କାହା ଦ୍ୱାରା ପ୍ରଭାବିତ ହୋଇନାହିଁ। ବରଂ ଏଠାକୁ ଯିଏ ଆସିିଛି ସିଏ ପ୍ରଭାବିତ ହୋଇଛି ବୋଲି କଳାହାଣ୍ଡି ବିକାଶ ପରିଷଦ ଦ୍ୱାରା ଧର୍ମଗଡ ଠାରେ ଆୟୋଜିତ ଅବିଭକ୍ତ କଳାହାଣ୍ଡିର ସଂସ୍କୃତିର ସୁରକ୍ଷାରେ ଲେଖକ ଓ କଳାକାରଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇ ବିଶିଷ୍ଟ ଐତିହାସିକ ଫଣିନ୍ଦମ ସିଂ ଦେଓ ପ୍ରକାଶ କରିଥିଲେ। ଲୋକଙ୍କ ଜୀବନଧାରା ଓ ଦୃଷ୍ଟି ଭଙ୍ଗୀର ପ୍ରଥୀକ ହେଉଛି ଲୋକ ନାଚ, ଲୋକକଥା, ଲୋକ ଗୀତ, ଲୋକ ସଂସ୍କୃତି, ଗାଁ ଗହଳିରେ ଗଢି ଉଠିଥିବା ଦେବାଦେବୀ ଗୁଡି, ମନ୍ଦିର ତଥା ସାହିତ୍ୟ ଯାହାକି କଳାହାଣ୍ଡିର ପରିବେଶ ଓ ପରିପାଶ୍ୱର୍ରେ ଗଢିଉଠିବା ସହିତ ସୁଦୃଢ ହୋଇଛି। ଏଣୁ କଳାହାଣ୍ଡିର କଳାସଂସ୍କୃତିକୁ ବିଝିବାକୁ ହେଲେ ଏଅଂଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିସ୍ଫୁଟନଶୀଲତାକୁ ବିଶ୍ଲେଷଣ କରିବା ଗୁରୁତ୍ୱପୂର୍ଣ୍ଣ। ଯେଉଁ ଅଂଚଳର ଲିଖିତ ଇତିହାସ ନାହିଁ ସେହି ଅଂଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନଧାରା ଯେପରି ଲିଖିତ ଭାବେ ଇତିହାସରେ ସ୍ଥାନ ପାଏ ସେଥିପ୍ରତି ଲେଖକ, ଐତିହାସିକ, ସାହିତ୍ୟିକ, କଳାକାର ମାନେ ସଜାଗ ହେବା ଉଚିତ ବୋଲି ଆଲୋଚନାକ୍ରମରେ ଶ୍ରୀ ସିଂ ଦେଓ ପ୍ରକାଶ କରିଥିଲେ ଏବଂ ସେଥିପ୍ରତି ଗୁରୁତ୍ୱ ଦେଇ ଏହାର ସୁରକ୍ଷା ପାଇଁ ଆଗେଇ ଆସିଥିବାରୁ କଳାହାଣ୍ଡି ବିକାଶ ପରିଷଦକୁ ସାଧୁବାଦ ଜଣାଇଥିଲେ। କଳାହାଣ୍ଡିର କଳା ଓ ସଂସ୍କୃତି କେବଳ ନିଜ ଅଂଚଳର ପରିପ୍ରକାଶ ନୁହେଁ ବରଂ ମହାନ ଧରୋହର ଏବଂ ଜାତୀୟ ସଂସ୍କୃତି, ପରଂପରା ଓ ଅର୍ଥନୀତିର ଉତ୍ସ ପରିପୂରକ। କଳାହାଣ୍ଡିର କଳା ସଂସ୍କୃତି ବିକାଶ ପ୍ରସ୍ତର ଯୁଗର ଅବଶେହର ଅନ୍ୱେଷଣ ଓ ଅଧ୍ୟୟନ ଦ୍ୱାରା ଚିହ୍ନଟ ହୋଇଛି। ତେଲ ନଦୀ ତଟର ଛିଲଦା, ଜୋଙ୍କ ନଦୀ ତଟର ମାରାଗୁଡା ଠାରେ ପ୍ରସ୍ତର ଯୁଗର ହାତ ହତିଆର ତିଆରି ହେଉଥିବାର ସୂଚନା ମିଳିଛି। ଗୁଡହାଣ୍ଡି, ଯୋଗୀମଠ, ଗୁରୁଡଙ୍ଗର ର ପ୍ରାକୃତିକ ପଥର ଗୁମ୍ଫା ମାନଙ୍କ ରେ ପ୍ରାକ ଐତିହାସିକ ଆକର୍ଷଣୀୟ ଅଙ୍କିତ ଛବି ବିବିଧ ରଙ୍ଗର ବ୍ୟବହାର ପ୍ରସ୍ତର ଯୁଗର ସୃଜନଶୀଳ ପରିପ୍ରକାଶ ର ମୂକ ସାକ୍ଷୀ। ଏତେ ସବୁ ସମୃଦ୍ଧ ରେ ବରପୁର ଥିବା କଳାହାଣ୍ଡି ଆଜି ବିଶ୍ୱ ଦରବାରରେ କଙ୍କାଳ ରୂପ ରେ ଚିତ୍ରଣ କରାଯାଉଛି। ଏସବୁର ସତ୍ୟତାକୁ ଉପସ୍ଥାପନ କରିବାକୁ ଆଜି ଏଭଲି କର୍ମଶାଳା ର ଆୟୋଜନ କରି ଏହାକୁ ଲୋକାଭିମୂଖି କରାଯିବାର ପ୍ରଯତ୍ନ କରାଯାଇଥିବାର

କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡଃ ସୁନୀତି ମୁଣ୍ଡ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ପ୍ରକାଶ କରିଥିଲେ। ପଂଚାୟତ କଲେଜ ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ନିର୍ମଳ ନାଏକ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବହୁ ଲେଖକ, ସାହିତ୍ୟିକ, ଲୋକ କବି, କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.