Home ଅନୁଗୁଳ କଟକ-ସମ୍ବଲପୁର-ଅନୁଗୁଳ-ଢେଙ୍କାନାଳ ଏନ୍‌ଏଚ୍‌-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଦାବି: ବିଜେପି

କଟକ-ସମ୍ବଲପୁର-ଅନୁଗୁଳ-ଢେଙ୍କାନାଳ ଏନ୍‌ଏଚ୍‌-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଦାବି: ବିଜେପି

52

ଏନ୍‌ଏଚ୍‌ଆଇ ଆଂଚଳିକ ଅଧିକାରୀଙ୍କୁ ଭେଟିଲେ ଅନୁଗୋଳ ଓ ଢେଙ୍କାନାଳର ବିଜେପି ପ୍ରତିନିଧି ମଣ୍ଡଳୀ

– ଗତ ଏପ୍ରିଲ ୨୬ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ।

– ଗତ ଡିସେମ୍ବର ମାସରେ ଅନୁଗୋଳ ଜିଲ୍ଲା ପ୍ରଶାସନ ନିଜ ଆଡୁ ବଅଁରପାଳରୁ ରନ୍ତଲେଇ ରାସ୍ତାର ମରାମତି ପାଇଁ ଡିଏମ୍‌ଏଫ ପାଣ୍ଠିରୁ ଖର୍ଚ୍ଚ କରିବାର ଦାୟିତ୍ୱ ନେଇଥିଲେ।

– ଡିଏମ୍‌ଏଫ୍‌ରୁ ମରାମତି ପାଇଁ ୮କୋଟି ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଛି।

– ଜାତୀୟ ରାଜପଥ-୫୫ର କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାର ମରାମତି କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି।

ଭୁବନେଶ୍ୱର, ୨୭/୦୭ (ଓଡ଼ିଆ ପୁଅ) : ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୫୫ (ପୁରୁଣା ଏନ୍‌ଏଚ୍‌-୪୨) କଟକ-ସମ୍ବଲପୁର-ଅନୁଗୋଳ-ଢେଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ବୁଧବାର ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚ୍‌ଏଆଇ)ର ଆଂଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡାଙ୍କୁ ଭେଟି ଆଲୋଚନା କରିବା ସହ ଦାବି ପତ୍ର ଦେଇଛନ୍ତି।

ପ୍ରତିନିଧି ମଣ୍ଡଳୀର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରତାପ ପ୍ରଧାନ ମିଳିତଭାବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏନଏଚ୍‌-୫୫ ସେକ୍ସନର ବଅଁରପାଳରୁ ରନ୍ତଲେଇ ରାସ୍ତାର ମରାମତି ପାଇଁ ଏନ୍‌ଏଚ୍‌ଏଆଇ ତରଫରୁ ପଦକ୍ଷେପ ନିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ଉକ୍ତ ରାସ୍ତାର ମରାମତି ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ) ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରଶାସନ ଏନଏଚ୍‌ଆଇକୁ ପ୍ରତିଶ୍ରୁତି ଦେଇଥିଲା। ତେବେ ଗତ ଡିସେମ୍ବର ମାସରୁ ରାସ୍ତାର ମରାମତି ଦାୟିତ୍ୱ ଜିଲ୍ଲା ପ୍ରଶାସନ ନିଜ ଆଡୁ ଡିଏମ୍‌ଏଫ ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ ଦାୟିତ୍ୱ ନେଇଥିଲା। ମାତ୍ର ରାସ୍ତା ମରାମତି ପାଇଁ ୮କୋଟି ଅର୍ଥ ଖର୍ଚ୍ଚ ହୋଇଥିଲେ ସୁଦ୍ଧା ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଛି। ଆଜି ଏନଏଚ୍‌ଏଆଇ ଅଧିକାରୀଙ୍କୁ ଭେଟି ଏବିଷୟରେ ଅବଗତ କରିବା ପରେ କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାର ମରାମତି କାର୍ଯ୍ୟ ଶୀଘ୍ର କରାଯିବ ବୋଲି ଏନଏଚଏଆଇ ଆଂଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି।

ଜାତୀୟ ରାଜପଥ-୫୫ ପୂର୍ବ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଛି। ଅନୁଗୋଳ ଓ ଢେଙ୍କାନାଳ ଦେଇ ଯାଉଥିବା କଟକରୁ ସମ୍ବଲପୁର ନିର୍ମାଣାଧିନ ଏନଏଚ୍‌-୫୫ ଅନେକ ଶିଳ୍ପଭିତିକ ସହର, କୃଷିକେନ୍ଦ୍ର ଏବଂ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଦେଇ ଯିବ। ଏନଏଚ-୫୫ ସମ୍ବଲପୁର-କଟକ ସେକ୍ସନ ୩ଟି ପ୍ୟାକେଜରେ ବିଭକ୍ତ ରହିଛି। ଅନୁଗୋଳ ଜିଲ୍ଲାବାସୀଙ୍କ ପକ୍ଷରୁ ଏହି ରାସ୍ତା ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ବାରମ୍ବାର ଦାବି କରାଯାଉଛି। ମାତ୍ର ନିର୍ମାଣ କାର୍ଯ୍ୟ ବିଳମ୍ବ ହେବା କାରଣରୁ ନିକଟରେ ଅନେକ ସଡକ ଦୁର୍ଘଟଣା ଘଟୁଛି। ବର୍ଷା ଋତୁରେ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଯାତାୟତରେ ବହୁତ ଅସୁବିଧା ହେଉଛି।

ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲ ୨୬ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀଠାରେ ବ୍ୟକ୍ତିଗତଭାବେ ଭେଟି ଏସମ୍ପର୍କିତ ଏକ ପତ୍ର ଦେବା ସହ ଆଲୋଚନା କରିଥିଲେ। ଗତ ବର୍ଷ ଅକ୍ଟୋବର ୫ତାରିଖରେ ମଧ୍ୟ ପତ୍ର ଲେଖି ଓଡ଼ିଶାର ସାମାଜିକ ଆର୍ôଥକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଏନ୍‌ଏଚ-୫୫ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ।

୨୦୧୮ ଡିସେମ୍ବରରେ ଏନ୍‌ଏଚ-୫୫ର ଶିଳାନ୍ୟାସ ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ରାଜ୍ୟରେ ଭିତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ଏବଂ କଟକ ଓ ଅନୁଗୋଳ ମଧ୍ୟରେ ଯାତାୟତ ସମୟକୁ ହ୍ରାସ କରିବା ପାଇଁ ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା। ମାତ୍ର ଏପର୍ଯ୍ୟନ୍ତ ଏହି ଜାତୀୟ ରାଜପଥର ନିର୍ମାଣ କାମ ଶେଷ ହୋଇନାହିଁ। ତେଣୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କ ସୁବିଧା ଦୃଷ୍ଟିରୁ ଜାତୀୟ ରାଜପଥ-୫୫ କାମକୁ ତ୍ୱରାନ୍ୱିତ ହେଲେ ଲୋକମାନଙ୍କ ଯାତାୟତରେ ଆଉ ଅସୁବିଧା ହେବ ନାହିଁ ବୋଲି ପ୍ରତିନିଧି ମଣ୍ଡଳୀ ପକ୍ଷରୁ କୁହାଯାଇଛି।

ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ବିଭୂତି ପ୍ରଧାନ, ଅଶୋକ ମହାନ୍ତି, ଶତ୍ରୁଘ୍ନ ଜେନା, ଦୀପକ ଗୋଚ୍ଛାୟତ, ଅନୁପମା ସାହୁ, ସୁଦୀପ ଗଡନାୟକ, ଦିଲ୍ଲୀପ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃତ୍ୱମାନେ ସାମିଲ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.