Home ଓଡ଼ିଶା ଏ ଇ ଏସ୍‌ ହାତରୁ ଯାଇ ଆଦାନୀ ହାତରେ – କାହା ସ୍ୱାର୍ଥରେ ? ମହରଗରୁ...

ଏ ଇ ଏସ୍‌ ହାତରୁ ଯାଇ ଆଦାନୀ ହାତରେ – କାହା ସ୍ୱାର୍ଥରେ ? ମହରଗରୁ ଯାଇ କାନ୍ତାରରେ

92

ଭୁବନେଶ୍ୱର ୧୩-୮ (ଓଡ଼ିଆ ପୁଅ) ବହୁତ ବଡ଼ ମହତାକାଂକ୍ଷା ନେଇ ଓଡ଼ିଶାରେ ୧୯୯୫ ରୁ ବିଦ୍ୟୁତ୍ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆରମ୍ଭ ହୋଇଥିଲା। ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇବ, ଶସ୍ତା ଓ ସୁବିଧାରେ ରାଜ୍ୟର ଉପଭୋକ୍ତାଙ୍କ ନିକଟରେ ବିଦ୍ୟୁତ ପହଂଚିବ। ବିଦ୍ୟୁତ ସରୋବରାହ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଘଟିବ। ବିଦ୍ୟୁତ୍ ସରବରାହ ଜନିତ କ୍ଷତି ଓ ବିଦ୍ୟୁତ୍ ଚୋରି କମି ଜାତୀୟ ହାର ସହିତ ସମାନ ବା ତା ଠାରୁ କମ୍ ରହିବ। ରାଜ୍ୟ ସହୁଥିବା କ୍ଷତି ହେବନାହିଁ। ଏହି ସଂସ୍କାର ପରେ ଦୀର୍ଘ ୨୦ବର୍ଷକାଳ ନିରବଚ୍ଛିନ୍ନଭାବେ ନବୀନବାବୁଙ୍କ ସରକାର ରାଜ୍ୟରେ ରହି ଆସିଛନ୍ତି। ସଂସ୍କାରର ଗୋଟିଏ ବି ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ପୂରଣ ହେଲା ନାହିଁ। ବରଂ ସବୁ କ୍ଷେତ୍ରରେ ସ୍ଥିତି ଅଧିକ ଖରାପ ହୋଇଥିବାର ଦେଖାଯାଇଛି। ବରଂ ବିଭିନ୍ନ ଭାବରେ ପାଖାପାଖି ୨୨ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଯାଇଛି କେନ୍ଦ୍ରୀୟ ଅନୁଦାନ ସହିତ୧୨ ହଜାର କୋଟି ଟଙ୍କାର ଋଣ ଅଣା ଯାଇଛି। ଏପରି ମୋଟ ୩୪ ହଜାର କୋଟି ଟଙ୍କା ବିଦ୍ୟୁତ୍ କ୍ଷେତ୍ରରେ ଖର୍ଚ୍ଚ ହୋଇ ସାରିଛି। ଏ ମଧ୍ୟରେ ବିତରକ କମ୍ପାନୀ ସେସୁକୁ ଶାଗମାଛ ଦରରେ ଟାଟା ବିଦ୍ୟୁତ୍ କମ୍ପାନୀ ହାତକୁ ଟେକି ଦିଆଗଲା। ଟାଟା ଆରମ୍ଭରୁ କହିଲାଣି ଯେ ଯାହାସବୁ ସେସୁ ଅଧିନସ୍ଥ ଲାଇନ୍ ବା ବିଦ୍ୟୁତ୍ ବ୍ୟବସ୍ଥା ଅଛି ତାହା ଖରାପ। ସେହି ଆଳରେ ସେ ବିଭିନ୍ନ ସୁବିଧା ସୁଯୋଗ ହାତେଇବାର ବ୍ୟବସ୍ଥା କରିବ। ବିତରଣର ନିୟମ ପାଳନ ପାଇଁ ଗ୍ରୀନ୍ ଏନର୍ଜୀ ଅର୍ଥାତ୍ ସୋଲାର ଏନର୍ଜୀ ଉତ୍ପାଦନ ନିମନ୍ତେ ଜମି ହାତେଇବ। ରାଜ୍ୟକୁ ମିଳିଥିବା କୋଲ୍ ବ୍ଲକରୁ ବଡ଼ ଧରଣର ଫାଇଦା ଉଠାଇବା ପାଇଁ ଆଦାନୀ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ (Odisha Power Generation Corporation) ର ମୁଖ୍ୟ ଅଂଶ ୪୯% ହାତେଇବାକୁ ଚେଷ୍ଟା କରିଛି ଓ ସରକାର ରାଜ୍ୟର ଏକ ବିରାଟ ସଂପତିକୁ ତା ହାତକୁ ଶାଗମାଛ ଦରରେ ଅର୍ଥାତ୍ ବାର ହଜାର କୋଟି ଟଙ୍କାର ଜିନିଷକୁ ମାତ୍ର ୧୦୦୦ କୋଟି ଟଙ୍କାରେ ଟେକି ଦେବା ମସୁଧା କରିଛନ୍ତି। ଅଗଷ୍ଟ ୫ ଓ ୬ ତାରିଖରେ ଅଫିସର ମହଲରେ ଏ ସଂପର୍କରେ ବିଚାର ଆଲୋଚନା ଆରମ୍ଭ ହୋଇଛି।

ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ ଓ ଜ୍ଞାନଦେବ ବେଉରା କଂଗ୍ରେସ ପକ୍ଷରୁ ଏହି ପରିପ୍ରେୀକ୍ଷରେ ରାଜ୍ୟ ସରକାରଙ୍କୁ କେତେଗୋଟି ପ୍ରଶ୍ନ ପଚାରିବା ସହ କିଛି ଦାବି ଉପସ୍ଥାପନ କରିଛନ୍ତି ଯାହାକି ରାଜ୍ୟବାସୀ ଜାଣିବାର ଅଛି। ଏ-ଇ-ଏସ୍ କମ୍ପାନୀ ଏବଂ ରାଜ୍ୟ ସରକାର ମଧ୍ୟରେ ହୋଇଥିବା ଚୁକ୍ତି – ଏଗ୍ରୀମେଂଟ ଧାରା-୧୪ର କେଉଁ କେଉଁ ପକ୍ଷ କେଉଁ କେଉଁ ଉପଧାରା ଖିଲାପ କରିଛନ୍ତି । ଯେଉଁଥିପାଇଁ ଉଭୟ ଓହରି ଯିବାକୁ ବସିଛନ୍ତି ବା ନିଜ ନିଜର ସେୟାର ବିକ୍ରି କରିବାକୁ ଚାହାନ୍ତି। ଏହି ଖିଲାପକାରୀଙ୍କ ଉପରେ କି କି ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରାଜ୍ୟ ସରକାର ନିଜସ୍ୱ ଗ୍ରୀଡ଼୍‌ରୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ନିର୍ମାଣ କରିଥିବା ୟୁନିଟ୍‌-୩, ୟୁନିଟ୍‌-୪ କେଉଁ ସ୍ଥିତିରେ ଅଛି। ଏଥିରୁ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ହୋଇଥିଲା କି ନାହିଁ ।

ଏଥିପାଇଁ OPGC ଯେଉଁ ଋଣ କରିଥିଲେ (୭୫୬୦ କୋଟି) ଟଙ୍କାରୁ କେଉଁ ସେୟାର ହୋଲ୍ଡର କେତେ ଭାଗିଦାର ଥିଲା ଓ କାହା ଉପରେ ସୁଧମୂଳ ସହିତ କେତେ ବାକି ଅଛି । ଅବା କେଉଁ ଧରଣର ଗ୍ୟାରେଂଟି ପ୍ରଦାନ କରାଯାଇଥିଲା ।

ଆଦାନୀଙ୍କର ନୂଆ କମ୍ପାନୀ ରାଜ୍ୟ OPGC କର୍ପୋରେସନ୍ ହାତକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ସୁଧ ଓ ମୂଳ କେଉଁ ହାରରେ ପରିଶୋଧ କରିବେ। ଓ ସର୍ତ ସବୁ କ’ଣ ।

ରାଜ୍ୟ ସରକାର ଓ Power Generation Corporation ପାଇଁ ଯେଉଁ କୋଲ ବ୍ଲକ୍ ପାଇଥିଲେ ସେଥିରୁ ଉତ୍ପାଦିତ ସମସ୍ତ କୋଇଲା ଉତ୍ପାଦନରେ ଲାଗିବା ପରେ ଅଧିକ ବା ଉଦ୍‌ବୃତ ବଜାରରେ କିଏ ବିକ୍ରି କରିବ ଓ ସେହି ଧନ କାହାକୁ ପ୍ରାପ୍ତି ହେବ ।

ବିଦ୍ୟୁତ୍ ଉତ୍ପାଦନ କରପୋରେସନର ଅଂଶ କ୍ରୟ ପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନୀ ଏକ ନା ଏକାଧିକ। ସେମାନଙ୍କର ସର୍ତର୍ଗୁଡ଼ିକ ସଂପର୍କରେ ସରକାର ଅବଗତ ଥିବେ। ସେଗୁଡ଼ିକୁ ସାଧାରଣରେ ପ୍ରକାଶ କରୁ ନାହାନ୍ତି କାହିଁକି। କାରଣ ଅତି କମ୍ ଦରରେ ସୁଝୁଥିବା ଟନ୍ ପିଛା ରୟାଲଟି ମାତ୍ର ୧୦୦ଟଙ୍କା – ମନୋହରପୁର ଓ ଡିପ୍ ମନୋହରପୁର କୋଲ ବ୍ଲକ ହେତୁ ୟୁନିଟ୍ ପିଛା ଉତ୍ପାଦନ ଖର୍ଚ୍ଚ ଖୁବ୍ କମ୍ ପଡ଼ିଥାନ୍ତା। ଫଳତଃ ରାଜ୍ୟବାସୀ ବା ଉପଭୋକ୍ତାମାନେ କମ୍ ଦରରେ ବିଦ୍ୟୁତ୍ କ୍ରୟ କରିବାର ସୁଯୋଗ ପାଇଥାନ୍ତେ। ରାଜ୍ୟରେ ମଧ୍ୟ ରାଜସ୍ୱ ବୃଦ୍ଧି ଘଟିଥାନ୍ତା।

ଏକ ଦେଶ ଏକ ଗ୍ରୀଡ଼୍ – One Nation, One Gread ର ନାରା ଦେଇ ବି-ଜେ-ପି ସରକାର ରାଜ୍ୟର ବିଦ୍ୟୁତଊ ଗ୍ରୀଡ଼୍‌କୁ କେନ୍ଦ୍ରୀୟ ଗ୍ରୀଡ଼୍ ସହିତ ମିଶାଇବାକୁ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହାଦ୍ୱାରା ଓଡ଼ିଶା ଓ ଓଡ଼ିଶାର ଲୋକେ କ୍ଷତିଗ୍ରସ୍ତ ହେବେ। ବିଦ୍ୟୁତ୍ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଉତ୍ପାଦନକାରୀ କ୍ଷେତ୍ର। ଏବେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ବିତରଣ ବ୍ୟବସ୍ଥାକୁ କେତେକ ନିର୍ଦ୍ଦିଷ୍ଟ କମ୍ପାନୀ ଓ ପୁଞ୍ଜିପତି ଯଥା ଟାଟା, ଆଦାନୀ, ଅମ୍ବାନୀଙ୍କ ହାତକୁ ରାଜ୍ୟ ସରକାର କାହାର ଓ କେଉଁ ସ୍ୱାର୍ଥରେ ଟେକି ଦେବାକୁ ଚାହାନ୍ତି ।

ଓଡ଼ିଶା ପାୱାର ଜେନେରେସନ୍ କରପୋରେସନର (OPGC) ଆବଶ୍ୟକ ପୁଞ୍ଜି ନିମନ୍ତେ ରାଜ୍ୟ ସରକାର O.H.P.C.(Odisha Hydro Production Ltd.) ଓ OMC ର ସହାୟତା ନେଲେ ନାହିଁ କାହିଁକି ।

ଆଦାନୀ ନିୟନ୍ତ୍ରିତ ବିଦ୍ୟୁତ୍ କମ୍ପାନୀର ଅତୀତ ଦେଖିଲେ ସେ ଯେ ଆଦୌ ସଫଳ ହେବ ନାହିଁ ଏକଥା ସ୍ପଷ୍ଟ। ସେହିସବୁ ବିଦ୍ୟୁତ୍ ଉତ୍ପାଦନ ସଂସ୍କାର କମ୍ପାନୀ ବାଲାନ୍‌ସ ସିଟ୍ ରାଜ୍ୟ ସରକାର ଅଧ୍ୟୟନ କରିଛନ୍ତି କି। କରିଥିଲେ ଜାଣିଥାନ୍ତେ କେତେବଡ଼ କ୍ଷତିରେ ସେ ସବୁ ଚାଲିଛି। ଏଠି ଉତ୍ପାଦନରେ ହେଳା କରି ସେ କୋଇଲା ବିକ୍ରି ପାଇଁ ମସୁଧା କରିଛି।

ଆଦାନୀ କମ୍ପାନୀକୁ ସୋଲାର ଏନର୍ଜୀ ଉତ୍ପାଦନ ପାଇଁ ୧୪୭ ହେକ୍ଟର ଜମି ମାଗଣା ବା ଅଳ୍ପଦରରେ ଦେବାର ବ୍ୟବସ୍ଥା ରାଜ୍ୟ ସରକାର କେଉଁ ସ୍ୱାର୍ଥରେ କଲେ। ଏଥି ସହିତ ତାକୁ ଯୋଡ଼ି ରଖା ଯାଇଛି କି ।

ଏହି ପ୍ରଶ୍ନଗୁଡ଼ିକର ଉତର ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ ଦେବା ଦରକାର ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ବିଧାନସଭାରେ ଆଗାମୀ ଅଧିବେଶନରେ ରାଜ୍ୟ ବିଦ୍ୟୁତ୍ ସଂସ୍କାରର ପରବର୍ତ୍ତୀ ଅବସ୍ଥାରେ ଘଟିଥିବା ଲାଭ, କ୍ଷତି ସଂପର୍କିତ ତଥ୍ୟ ରଖି ଶ୍ୱେତପତ୍ର ଉପସ୍ଥାପନ ନିମନ୍ତେ କଂଗ୍ରେସ ଦଳ ଦାବି କରିବ। ଉଭୟ ଏନର୍ଜୀ ଓ ଫାଇନାନ୍‌ସିଆଲ ଅଡିଟ୍‌ର ଆବଶ୍ୟକତା ଥିବାରୁ ଏନର୍ଜୀ ଅଡ଼ିଟ୍ ଏକ ବାହାର ବୈଷୟିକଜ୍ଞାନ ସଂପନ୍ନ ଗୋଷ୍ଠୀ ଦ୍ୱାରା ଓ ଫାଇନାନ୍‌ସିଆଲ ଅଡ଼ିଟ୍ ସି-ଏ-ଜିଙ୍କ ଦ୍ୱାରା କରାଇବାକୁ କଂଗ୍ରେସ ଦାବି କରୁଛି। ରାଜ୍ୟ ବିଦ୍ୟୁତ୍ ଉତ୍ପାଦନ (OPGC) କୁ ରାଜ୍ୟ ସରକାର ରାଜ୍ୟର ମାଇନିଂ କର୍ପୋରେସନ୍‌, ଜଳବିଦ୍ୟୁତ୍ ନିଗମ ସହାୟତରେ ପରିଚାଳନା କରିବାକୁ ଆମେ ଦାବି କରୁଛୁ ଓ AES ର ୪୯% ଅଂଶକୁ ପ୍ରଦାନ କରାଯାଉ। ଟାଟାକୁ ବିତରଣ ଦାୟିତ୍ୱ ନ ଦେଇ ସେସୁ ହାତରେ ରଖାଯାଇ ଓ ଟାଟାର ରିପୋର୍ଟ ଅନୁସାରେ ସେସୁର କ୍ଷୟକ୍ଷତି ପାଇଁ ଦାୟୀ ସେକ୍ରେଟାରୀ ହେମନ୍ତ ଶର୍ମା ସେସୁ ଅଫିସର ଇଂଜିନିୟର ଓ ସଂପୃକ୍ତ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ କାନୁନ୍‌ଗୋ ଦାବି କରିଛନ୍ତି।

ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବିପିନ୍ ଦାସ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.