Home ଓଡ଼ିଶା ଏକଜିଟ୍ ପୋଲ ଫଳକୁ ନେଇ ଭୋଟ ଗଣତିକୁ ଅପେକ୍ଷା

ଏକଜିଟ୍ ପୋଲ ଫଳକୁ ନେଇ ଭୋଟ ଗଣତିକୁ ଅପେକ୍ଷା

376

ନୟାଗଡ଼, ୨୨ା୫ (ଓଡ଼ିଆ ପୁଅ) : ଏକ୍ସଜିଟ୍ ପୋଲର ଫଳାଫଳକୁ ଦେଖି ସମ୍ଭାବ୍ୟ ଜିତିବା ପ୍ରାର୍ଥୀଙ୍କର ଉତ୍ସାହ ନାହିଁ କି ପରାଜୟ ବରଣ କରିବାକୁ ଯାଉଥିବା ପ୍ରାର୍ଥୀଙ୍କର ବି ବିଶ୍ୱାସ ରହୁନି। ଏକ୍ଜିଟ ପୋଲ ବିଜେଡି ସମର୍ଥକଙ୍କୁ ଉତ୍ଫୁଲିତ କରିପାରେ ବା ବିଜେପି ସମର୍ଥକଙ୍କୁ ମର୍ମାହତ କରିପାରେ। ମାତ୍ର ଏହି ଏକଜିଟ୍ ପୋଲ ବାସ୍ତବରେ କେତେ ବିଶ୍ୱାସଯୋଗ୍ୟ ସେଥିକୁନେଇ ଜନତାଙ୍କ ମନରେ ଏବେ ବେଶୀ ସଂଶୟ ସୃଷ୍ଟିକରିଛି। ମତଦାତାମାନେ ଏମିତି ଏଥର ମତଦାନ କରିଛନ୍ତି କୋଉ ଭୋଟ କୁଆଡ଼େ ଯାଇଛି ପ୍ରାର୍ଥୀମାନେ ଆକଳନ କରିବା ବଡ଼ ମୁସ୍କିଲ ହୋଇପଡ଼ିଛି। କିଏ କେତେ ଭୋଟରେ ବିଜୟ ଲାଭ କରିବ ହିସାବ ବେଳକୁ ବେଳ ଭିନ୍ନ ଭିନ୍ନ ହେବାରେ ଲାଗିଛି। ନୟାଗଡ଼ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କିଏ କେଉଁଥିରେ ବିଜୟ ଲାଭ କରିବ ବିଭିନ୍ନ ଗଣମାଧ୍ୟମରେ ହୋଇଥିବା ଆନୁମାନିକ ଫଳାଫଳକୁ ନେଇ ଭିନ୍ନ ଭିନ୍ନ କଥା କୁହାଯାଇଛି। ଜିଲ୍ଳାର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ୪ରୁ ୪ ବିଜେଡି ପ୍ରାର୍ଥୀମାନେ ବିଜୟ ଲାଭ କରିବେ ବୋଲି ଆକଳନ କରି କହିଥିବାବେଳେ ଆଉ କେତେକ ଗଣମାଧ୍ୟମରେ ଗୋଟିଏରେ ବିଜେପି ଓ ଅନ୍ୟ ୩ଟିରେ ବିଜେଡି ପ୍ରାର୍ଥୀ ବିଜୟ ହେବେ ବୋଲି ସୂଚନା ଦେଇଛନ୍ତି। ତେବେ ଫରକ ଫରକ ପୂର୍ବାନୁମାନ ଆକଳନକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲୁଥିବାବେଳେ ୨୩ ତାରିଖରେ ବାସ୍ତବରେ କିଏ ବିଜୟ ଲାଭ କରି ସିଂହାସନ ଦଖଲ କରିବ ତାହା ଜଣାପଡ଼ିଯିବ। ନୟାଗଡ଼ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦାୟ ଏଥର ୨୯ଜଣ ପ୍ରାର୍ଥୀ ମଇଦାନ ଉପରକୁ ଓହ୍ଲାଇଛନ୍ତି। ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ୨୪୫ଟି ବୁଥ୍ରେ ୧ଲକ୍ଷ ୬୭ହଜାର ୩୮୬ ଜଣ ଭୋଟର ମତ ସାବ୍ୟସ୍ତ କରିଛନ୍ତି। ସେହିପରି ଦଶପଲ୍ଲାରେ ୭ଜଣ ପ୍ରାର୍ଥୀ ଥିଲାବେଳେ ୨୩୪ଟି ବୁଥ୍ ରେ ଭୋଟ ଗ୍ରହଣ କରାଯାଇଛି। ଖଣ୍ଡପଡ଼ାରେ ୪ଜଣ ପ୍ରାର୍ଥୀ ଥିଲାବେଳେ ୨୧୭ ବୁ୍ଥ୍ ଗ୍ରହଣ କେନ୍ଦରେ ୧ଲକ୍ଷ ୩୫ହଜାର ୯୧୫ଜଣ ଭୋଟର ମତସାବ୍ୟସ୍ତ କରିଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବାବେଳେ ୨୪୦ଟି ମତଦାନ କେନ୍ଦ୍ରରେ ୧ଲକ୍ଷ ୪୯ହଜାର ୪୬ଜଣ ଭୋଟର ମତ ସାବ୍ୟସ୍ତ କରିଛନ୍ତି। ତେବେ ଯେତେ ପ୍ରାର୍ଥୀ ମଇଦାନ ଉପରେ ଅବତୀର୍ଣ୍ଣ ହୋଇଥିଲେବି ନୟାଗଡ଼, ଦଶପଲା ଓ ରଣପୁର ନିର୍ବାଚନ ମଣ୍ଡଳୀରେ ସିଧାସଳଖ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢେଇ ହୋଇଥିବାବେଳେ ଖଣ୍ଡପଡ଼ାରେ କେବଳ ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଚାଲିଥିଲା ବୋଲ କୁହଯାଉଛି। ଖଣ୍ଡପଡ଼ାରେ ବିଜେଡିର ସୌମ୍ୟଞ୍ଜନ ପଟ୍ଟନାୟକ ଓ ସ୍ୱାଧୀନ ପ୍ରାର୍ଥୀ ଦୁଷ୍ମତ ସ୍ୱାଇଁଙ୍କ ମଧ୍ୟରେ ଏହି ଲଢେଇ ଚାଲିଥିଲା। ଏଠାରେ ବିଜେପିର ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ସ୍ୱାଧୀନ ପ୍ରାର୍ଥୀଙ୍କ ପଛକୁ ପଡ଼ିଯାଇଥିବା ଦେଖାଯାଇଥିଲା। ଏଠାରେ ବିଜେଡିର ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୟୀ ହେବା ସମ୍ଭାବନା ଅଧିକ ବୋଲି ଭୋଟରମାନେ ଆଲୋଚନା କରୁଛନ୍ତି। ସେହିପରି ଦଶପଲ୍ଲାରେ ବିଜେପିର ପୂର୍ଣ୍ଣଚନ୍ଦ୍ର ନାୟକ ଓ ବିଜେଡିର ରମେଶ ବେହେରାଙ୍କ ମଧ୍ୟରେ କଡ଼ା ଟକ୍କର ଲାଗିଥିବା ଏବଂ ଏଠାରେ ଦୁଇ ପ୍ରାର୍ଥୀ ଜିତିବା ଅବସ୍ଥାରେ ଥିବା ନେଇ ଉଭୟେ ଆଶାବାଦୀ ଥିବା କୁହାଯାଉଛି। ସେହିପରି ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ସତ୍ୟନାରାୟଣ ପ୍ରଧାନ ଓ ବିଜେପିର ସୁରମା ପାଢୀଙ୍କ ମଧ୍ୟରେ ଜୋରଦାର ଲଢେଇ ଚାଲିଥିଲାବେଳେ ଏଠାରେ କିଏ ଜିତିବ କିଏ ହାରିବ କହିବା ମୁସ୍କିଲ ବୋଲି ମତଦାତାଙ୍କ ଠାରୁ ଶୁଣାଯାଉଛି। ଯିଏ ଜିତିବ ପାଂଚ ସାତ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି କୁହାଯାଉଛି। ତେବେ ଉଭୟ ପ୍ରାର୍ଥୀ ଜିତିବା ନେଇ ଆଶାବାଦୀ ଥିବା ସେମାନଙ୍କ ସମର୍ଥଙ୍କଠାରୁ ଶୁଣିବାକୁ ମିଳୁଛି। ତେବେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସବୁଠାରୁ ଚର୍ଚ୍ଚାରେ ରହିଛି। ରାଜ୍ୟ ରାଜନୀତିରେ ନୟାଗଡ଼ରେ ଗୁରୁତ୍ୱ ଅଧିକ। କାରଣ ଏଠାରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଟାଣୁଆ ନେତା ଡ.ଅରୁଣ କୁମାର ସାହୁ। ତାଙ୍କ ସାଂଗଠନିକ କାର୍ଯ୍ୟାଧାର ଟିକେ ଅଲଗା। ତେବେ ଏଠାରେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଇରାନି ରାୟ। କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ପୁତ୍ର ମନୋଜ ସାହୁ। ତେବେ ଏଠାରେ ଦୁଇ ପ୍ରମୁଖ ଦଳ ବିଜେଡିର ଅରୁଣ ସାହୁ ଓ ଇରାନୀ ରାୟଙ୍କ ମଧ୍ୟରେ ଲଢେଇ ହୋଇଥିଲା। ଉଭୟେ ଏଠାରେ ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଥିବା କୁହାଯାଉଥିବାବେଳେ ପୋତା ଭୋଟରେ ଭୋଟ କୁଆଡ଼େକୁ ଯାଇଛି ତାହା ଆକଳନ କରିବା ଅବ୍ୟସମ୍ଭାବି ହୋଇ ପଡ଼ିଛି। ନେତାଙ୍କ କଥା ଓ ଭୋଟରଙ୍କ କଥା ଅଲଗା ଅଲଗା ଶୁଣାଯାଉଥିବାବେଳେ ପ୍ରକୃତରେ କିଏ ଏଠାରେ ବିଜୟ ଲାଭ କରୁଛି ତାହା ଆକଳନ କରିବା ମୁସ୍କିଲ ହୋଇପଡ଼ିଛି। ତେବେ ଜିଲ୍ଳାର ୪ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସୌମ୍ୟରଞନ ପଟ୍ଟନାୟକ ସର୍ବାଧିକ ହାରରେ ବିଜୟୀ ହେବା ଆଲୋଚନା ଜୋର ଧରିଥିବାବେଳେ ଅନ୍ୟ ୩ଟି ନିର୍ବାଚନ ମଣ୍ଡଳୀରେ ଯେଉଁ ପ୍ରାର୍ଥୀ ବିଜୟୀ ହେବେ ସେମାନଙ୍କର ହାରଜିତର ବ୍ୟବଧାନ ଖୁବ୍ କମ୍ ରହିପାରେ ବୋଲି ସମୀକ୍ଷକମାନଙ୍କ ଆକଳନରୁ ଅନୁମାନ କରାଯାଉଛି। ତେବେ ଏଥର ଏକ୍ଜିଟ୍ ପୋଲର ଫଳାଫଳ ସାଧାରଣରେ କେତେ ବିଶ୍ୱାସ ଆଣିପାରୁଛି ତାହା ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.