Home ଓଡ଼ିଶା ଇସିଜିସି ଜରିଆରେ କାର୍ଯ୍ୟଶୀଳ ପୁଞ୍ଜି ଋଣ ଲାଗି ବ୍ୟାଙ୍କଗୁଡ଼ିକର ବୀମା ସୁରକ୍ଷାକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ...

ଇସିଜିସି ଜରିଆରେ କାର୍ଯ୍ୟଶୀଳ ପୁଞ୍ଜି ଋଣ ଲାଗି ବ୍ୟାଙ୍କଗୁଡ଼ିକର ବୀମା ସୁରକ୍ଷାକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କଲା ବାଣିଜ୍ୟ ମନ୍ତ୍ରଣାଳୟ

78

– ବିଦେଶୀ ମୁଦ୍ରା ଏବଂ ଟଙ୍କା ରପ୍ତାନି ଋଣକୁ ଅଧିକ ସୁନିଶ୍ଚିତ ସୁରକ୍ଷା
– ରପ୍ତାନୀ ଋଣକୁ ବଢ଼ାଇବା ଲାଗି ପ୍ରୋତ୍ସାହନ ପ୍ୟାକେଜ

ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ବାଣିଜ୍ୟ ଓ ଉଦ୍ୟୋଗ ଏବଂ ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରପ୍ତାନୀ ଋଣ ବୀମା ଯୋଜନା (ଇସିଆଇଏସ) ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଅବସରରେ ବାଣିଜ୍ୟ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ। ରପ୍ତାନି ବୃଦ୍ଧି କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରେ ୧୪ ସେପ୍ଟେମ୍ବର, ୨୦୧୯ରେ ଏହି ଯୋଜନାର ଘୋଷଣା କରିଥିଲେ।

ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଏବଂ ଫସି ରହିଥିବା ଋଣ ବୃଦ୍ଧି କାରଣରୁ ବ୍ୟାଙ୍କଗୁଡ଼ିକ ଉପରେ ଚାପ ରହିଛି। ଏହି କାରଣରୁ ବ୍ୟାଙ୍କଗୁଡ଼ିକୁ ଅତିରିକ୍ତ ସହାୟତାର ଆବଶ୍ୟକତା ରହିଛି। ବ୍ୟାଙ୍କ ସମ୍ମିଶ୍ରଣ ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ତଥା ବ୍ୟାଙ୍କଗୁଡ଼ିକୁ ଅତିରିକ୍ତ ପୁଞ୍ଜି ଯୋଗାଇ ଦିଆଯାଇଛି। ବ୍ୟାଙ୍କଗୁଡ଼ିକୁ ଆହୁରି ଅଧିକ ସହାୟତା ଦେବା ଲାଗି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ୍ସପୋର୍ଟ କ୍ରେଡିଟ ଗ୍ୟାରେଂଟି କର୍ପୋରେସନ ଅଫ ଇଣ୍ଡିଆ (ଇସିଜିସି) ଜରିଆରେ କାର୍ଯ୍ୟଶୀଳ ପୁଞ୍ଜି ଋଣ ଲାଗି ବ୍ୟାଙ୍କଗୁଡ଼ିକର ବୀମା ସୁରକ୍ଷାକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି। ଏହି ପଦକ୍ଷେପ ଫଳରେ ରପ୍ତାନିକାରୀଙ୍କ ପାଇଁ ବିଦେଶୀ ମୁଦ୍ରା ଏବଂ ଟଙ୍କା ଆକାରରେ ରପ୍ତାନି ଋଣର ସୁଧ ଦର ଯଥାକ୍ରମେ ୪ ପ୍ରତିଶତ ଏବଂ ୮ ପ୍ରତିଶତ ନିମ୍ନରେ ରହିବ। ପ୍ରୋତ୍ସାହନ ପ୍ୟାକେଜ ଫଳରେ ବ୍ୟାଙ୍କଗୁଡ଼ିକୁ, ବିଶେଷ କରି ଏମଏସଏମଇ କ୍ଷେତ୍ର ଲାଗି ରପ୍ତାନି ଋଣ ପ୍ରଦାନ କରିବା ସହଜ ହେବ।

ଇସିଜିସି ଦ୍ୱାରା ଜାରି ବର୍ତମାନର ସୁରକ୍ଷା ଏଣିକି ଉପଭୋକ୍ତା ବ୍ୟାଙ୍କଗୁଡ଼ିକୁ ମିଳିବ। ଅନୁରୂପ ସୁରକ୍ଷା ଅନ୍ୟ ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ଉପଲବ୍ଧ ହେବ। ଇସିଜିସି କଭର ଅନ୍ତର୍ଗତ ଆସୁଥିବା ସମସ୍ତ ଆକାଉଂଟକୁ ଇସିଆଇଏସର ସୁରକ୍ଷା ମଧ୍ୟ ମିଳିବ।

ଏହି ସୁରକ୍ଷା ପରିଧିକୁ ବୃଦ୍ଧି କରାଯାଇ ଏହା ଅଧୀନରେ ବକେୟା ମୂଳଧନ ବ୍ୟତୀତ ପଇଠ ହୋଇନଥିବା ସୁଧ (ଦୁଇଟି ତୈ୍ରମାସ କିମ୍ବା ଏନପିଏ ତାରିଖ, ଯାହା ପ୍ରଥମେ ଆସୁଥିବ)କୁ ମଧ୍ୟ ରଖାଯାଇଛି।

ମୂଳଧନ ଏବଂ ସୁଧ, ଉଭୟ କ୍ଷେତ୍ରରେ ସୁରକ୍ଷା ପରିଧିକୁ ବର୍ତମାନର ୬୦ ପ୍ରତିଶତରୁ ବୃଦ୍ଧି କରାଯାଇ ୯୦ ପ୍ରତିଶତ କରି ଦିଆଯାଇଛି।

ଶିପମେଂଟ ପୂର୍ବ କିମ୍ବା ପରବର୍ତ୍ତୀ ପର୍ଯ୍ୟାୟ ଲାଗି ଇସିଆଇଏସ ପାଇଁ ଗୋଟିଏ ଏକକ ଦସ୍ତାବିଜ ଜାରି କରାଯିବ। ବର୍ତମାନ ଏଥିପାଇଁ ଇସିଜିସି ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ଦସ୍ତାବିଜ ଜାରି କରାଯାଉଛି।

ଏହି ଯୋଜନାରେ ଦାବିର ସମାଧାନ ଲାଗି ପ୍ରକ୍ରିୟାକୁ ସରଳ କରିବା ଏବଂ ବୀମାଭୁକ୍ତ ବ୍ୟାଙ୍କ ପକ୍ଷରୁ ଡିଫଲ୍ଟ ମାମଲାରେ ଅଗ୍ରୀମ ଉପଯୋଗ ପ୍ରମାଣ ଉପସ୍ଥାପନ କରିବା ଲାଗି ୩୦ ଦିନ ମଧ୍ୟରେ ୫୦ ପ୍ରତିଶତ ପରିଶୋଧ ଲାଗି ଯୋଜନା କରାଯାଇଛି।

ଇସିଆଇଏସ ସହାୟତା ୫ ବର୍ଷର ଅବଧି ପାଇଁ ଲାଗୁ ହେବ ଏବଂ ଏହା ଶେଷ ହେବା ପରେ ବ୍ୟାଙ୍କଗୁଡ଼ିକୁ ନିୟମିତ ସୁବିଧା ବ୍ୟତୀତ ମାନକ ଇସିଜିସି କଭର ମଧ୍ୟ ଯୋଗାଇ ଦିଆଯିବ।

୮୦ କୋଟି ଟଙ୍କାରୁ କମ ସୀମା ଥିବା ଆକାଉଂଟ ଲାଗି ବାର୍ଷିକ ୦.୬୦ ପ୍ରିମିୟମ ଦର ଏବଂ ୮୦କୋଟିରୁ ଅଧିକ ଲାଗି ସେହି ବର୍ଦ୍ଧିତ କଭର ସହିତ ବାର୍ଷିକ ୦.୭୨ ପ୍ରିମିୟମ ଦର ସୁବିଧା ମିଳିବ।

ମୂଳଧନ ଏବଂ ସୁଧ ଉପରେ ମାସିକ ଆଧାର ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଇସିଜିସିକୁ ପ୍ରିମିୟମ ପଇଠ କରିବେ, କାରଣ ଏହି କଭରରେ ଉଭୟ ବକେୟା ରାଶି ଲାଗି କଭର ଦିଆଯିବାର ପ୍ରସ୍ତାବ ରହିଛି।

ଏହି ଯୋଜନା ଅନ୍ତର୍ଗତ ଇସିଜିସି ଅଧିକାରୀମାନଙ୍କ ଦ୍ୱାରା ବ୍ୟାଙ୍କ ଦସ୍ତାବିଜ ଏବଂ ରେକର୍ଡର ନିରୀକ୍ଷଣ ୧୦ କୋଟି ଟଙ୍କାରୁ ଅଧିକ କ୍ଷତି ଲାଗି ବାଧ୍ୟତାମୂଳକ ହେବ। ଅନ୍ୟପକ୍ଷରେ ବର୍ତମାନ ଏହି ସୀମା ୧ କୋଟି ଟଙ୍କା ରହିଛି।

ପ୍ରି-ଶିପମେଂଟ/ପୋଷ୍ଟ ଶିପମେଂଟ, ଡିଫଲ୍ଟ ରିପୋର୍ଟ, ଦାବି ଦାଖଲ କରିବା, ନିର୍ଦ୍ଦିଷ୍ଟ ମଞ୍ଜୁରି ତାଲିକାରେ ଋଣଦାତାଙ୍କୁ ସାମିଲ କରିବା, ରିକଭରୀ ସୂଚନା ଦେବା, କ୍ରେତା ଯାଂଚ ନିର୍ଦ୍ଦିଷ୍ଟ ଅନୁମୋଦନ ତାଲିକା ଏବଂ ନିଷିଦ୍ଧ କଭର ବର୍ଗର ଯାଂଚ ଅନ୍ତର୍ଗତ ପ୍ରିମିୟମ ସହିତ ମାସିକ ଘୋଷଣା ଏବଂ ନିର୍ଦ୍ଧାରିତ ତାରିଖରେ ସୀମା ବୃଦ୍ଧି ଦାବି ଲାଗି ଅନ୍ୟ ବ୍ୟବସ୍ଥାଗତ ଦିଗ ଇସିଜିସି କଭରର ବର୍ତମାନ ସର୍ତାବଳୀ ଅନୁସାରେ ଜାରି ରହିବ।

ଋଣଦାତାଙ୍କ ଲାଗି ଉପଯୁକ୍ତ ତତ୍ପରତା ଅନୁଯାୟୀ ବ୍ୟାଙ୍କଗୁଡ଼ିକ ରପ୍ତାନି ଅର୍ଥ ଯୋଗାଣ ସଂକ୍ରାନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ନିଜ ଅନ୍ତରୀଣ ଦିଶା-ନିର୍ଦ୍ଦେଶର ପାଳନ କରିବେ।

ଦାବିଗୁଡ଼ିକର ଶୀଘ୍ର ସମାଧାନ କାରଣରୁ ଏହି ପ୍ରସ୍ତାବିତ କଭର ଫଳରେ ପୁଞ୍ଜିଗତ ଆଶ୍ୱସ୍ତି, କମ ବ୍ୟବସ୍ଥାର ଆବଶ୍ୟକତା ଏବଂ ନମନୀୟତା ଜରିଆରେ କ୍ରେଡିଟ ଖର୍ଚ୍ଚରେ ହ୍ରାସ ଘଟିବ। ଏଥିସହିତ ରପ୍ତାନି କ୍ଷେତ୍ର ଲାଗି ଯଥାସମୟରେ ପର୍ଯ୍ୟାପ୍ତ କାର୍ଯ୍ୟଶୀଳ ପୁଞ୍ଜି ଉପଲବ୍ଧ ହେବ।

ଇସିଜିସି ହେଉଛି ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ଥିବା କମ୍ପାନୀ। ଋଣ ବୀମା ସେବା ପ୍ରଦାନ କରିବା ଜରିଆରେ ରପ୍ତାନିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୧୯୫୭ରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ପ୍ରି-ଶିପମେଂଟ ଓ ପୋଷ୍ଟ ଶିପମେଂଟ ପର୍ଯ୍ୟାୟରେ ରପ୍ତାନିକାରୀଙ୍କୁ ଦିଆଯାଉଥିବା ରପ୍ତାନି ଋଣ ଯୋଗୁ ହେଉଥିବା କ୍ଷତିରୁ ବ୍ୟାଙ୍କଗୁଡ଼ିକୁ ସୁରକ୍ଷା ପ୍ରଦାନ ଲାଗି ଏହି କମ୍ପାନୀ ରପ୍ତାନି କ୍ରେଡିଟ ବୀମା ଉପଲବ୍ଧ କରାଇଥାଏ। ରପ୍ତାନି ଋଣଦାତାଙ୍କ ଦେବାଳିଆପଣ କିମ୍ବା ସ୍ଥଗିତ ଡିଫଲ୍ଟ ବିପଦ କାରଣରୁ ସାଧାରଣତଃ ଏପରି କ୍ଷତି ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.