Home କଳାହାଣ୍ଡି ଆଶଙ୍କାରେ ଇନ୍ଦ୍ରାବତୀ, ପଙ୍କରେ ପୋତି ହେଉଛି ଇନ୍ଦ୍ରାବତୀ ଜଳଭଣ୍ଡାର

ଆଶଙ୍କାରେ ଇନ୍ଦ୍ରାବତୀ, ପଙ୍କରେ ପୋତି ହେଉଛି ଇନ୍ଦ୍ରାବତୀ ଜଳଭଣ୍ଡାର

711

କଳାହାଣ୍ଡି – ୧୯.୦୬.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସମଗ୍ର ଭାରତ ବର୍ଷର ସର୍ବବୃହତ ଜଳ ବିଦ୍ୟୁତ ଯୋଜନା ଆଶଙ୍କାରେ ଗତି କରୁଛି। ଏହାର ଜଳଭଣ୍ଡାର ପ୍ରତି ବର୍ଷ ମୃତିକା କ୍ଷୟ ଜନିତ ପଙ୍କରେ ପୋତି ହେବାକୁ ବସିଛି। ଜଳସୋ୍ରତରେ ଆସୁଥିବା ପଙ୍କ ଇନଟେକ ୱେଲ ସମ୍ମୁଖରେ ଜମାଟ ବାନ୍ଧି ରହୁଛି। ଫଳତଃ ଜଳପତନ ହ୍ରାସ ହେବାରେ ଲାଗିଛି। ଏଥେôଯାଗୁଁ ହେଡଷ୍ଟୋରେଜ ଲେବୁଲ ୬୨୫ ମିଟର ପର୍ଯ୍ୟନ୍ତ ଜଳସେଚନ କିମ୍ବା ବିଦ୍ୟୁତ ଉତ୍ପାଦନ ପହଂଚାଇବାକୁ ନେଇ ସମସ୍ୟା ସୃଷ୍ଟି ହେଉଥିବା ବିଭାଗୀୟ ପଦାଧିକାରୀ ମାନଙ୍କ ସୂତ୍ରରୁ ପ୍ରକାଶ। ଜୁନ ୨୦୧୯ ମାସ ସୁଦ୍ଧା ଇନ୍ଦ୍ରାବତୀର ଜଳଭଣଯଡାରରେ ଜଳପତନ ୬୨୮.୮୭ ମିଟର ରହିଥିବା ବେଳେ ଦୈନିକ ହାରାହାରୀ ବିଦ୍ୟୁତ ଉତ୍ପାଦନ ୧୦୦ ମେଗାୱାଟ ରହିଥିବା ଜଣାପଡିଛି। ଜଳପତନ ୬୨୮ ମିଟର ତଳକୁ ଖସିଆସିବା ସହିତ ବିଦ୍ୟୁତ ଉତ୍ପାଦନ ଚାଲୁରହିଲେ ଟରବାଇନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ବିଭଗୀୟ ପଦାଧିକାରୀ ମାନଙ୍କ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ ଯେ, ଗତ ୧୯୯୯ ମସିହାରେ ଇନ୍ଦ୍ରାବତୀ ଜଳଭଣ୍ଡାର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହାର ଜଳଭଣ୍ଡାର ୨୬୩୦ ବର୍ଗ କିଲୋମିଟର କ୍ୟାଚମେଂଟ ଇଲାକାରେ କ୍ରମାଗତ ଜଙ୍ଗଳ ଅବକ୍ଷୟ ଓ ମୃତିକା କ୍ଷୟ ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ପଙ୍କ ଜମାଟ ବାନ୍ଧିବା ଆରମ୍ଭ ହୋଇଯାଇଥିଲା। ଏହାକୁ ନେଇ ମହୁଲପାଟଣାରୁ ୨ କି.ମି. ଦୂରରେ କୋକେଇପଦର ପାଖରେ ସିଲଟ ଚେକ ଡେମ ୩ କୋଟୀ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା। ହେଲେ ଏହି ବ୍ୟୟ ବହୁଳ ପ୍ରକଳ୍ପ ୩୦ ଜୁନ ୨୦୦୨ ରେ ସଂପୂର୍ଣ୍ଣ ହୋଇଯାଇଥିବା ଦର୍ଶାଯାଇଥିବା ବେଳେ ୯ ଜୁନ ୨୦୦୩ ବର୍ଷାରେ ୮୦୦୦ କ୍ୟୁବିକ ମିଟର ପଥର ବନ୍ଧ ଖସି ପଡିଥିବାର ଜଣାପଡିଛି। ଜୁଲାଇ ୨୦୦୩ ରେ ଏହା ଜଣାପଡିବାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ରିପୋର୍ଟ କରାଯାଇଥରଲେହେଁ ବିଭଗୀୟ ଉଦାସୀନତା ଯୋଗୁଁ ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏବେ ଜଙ୍ଗଳ ଅବକ୍ଷୟ, ପୋଡୁଚାଷ ପାଇଁ ଜଳଭଣ୍ଡାର ଇନଟେକ ୱେଲ ମୁହାଣରେ ବର୍ଷକୁ ୩୦୦୦ କ୍ୟୁବିକ ମିଟର ପଙ୍କ ଜମାଟ ହେଉଥିବା ଅନୁମାନ କରାଯାଉଥିବା ଜଣାପଡିଛି। ଏହି ଅନୁମାନ ଯଦି ସତ୍ୟ ହୋଇଥିାଏ ତେବେ ୨୦ବର୍ଷ ମଧ୍ୟରେ ୬୦ ହଜାର କ୍ୟୁବିକ ମିଟର ପଙ୍କ ଜଳଭଣ୍ଡାର ମଧ୍ୟରେ ଜମାଟ ବାନ୍ଧି ହୋଇଯାଇଥିବା ଆଶଙ୍କା କରାଯାଉଛି। ଇନ୍ଦ୍ରାବତୀ ଜଳଭଣ୍ଡାର ଆଗାମୀ ଦିନରେ ପୋତି ହୋଇଯିବ ବୋଲି ଗତ ୨୦୦୦ ମସିହାରେ ପୁଣେସ୍ଥିତ କେନ୍ଦ୍ରୀୟ ଜଳବିଦ୍ୟୁତ ରିସର୍ଚ୍ଚ କେନ୍ଦ୍ର ଅନୁଧ୍ୟାନ କରି ଦର୍ଶାଇଥିବା ପ୍ରକାଶ। ଏହାସହିତ ଡେମ ସେଫଟି ରିଭୁ୍ୟ ପେନାଲ ଦର୍ଶାଇଥିବା କେତେକ ତ୍ରୃଟିକୁ ବିଭାଗୀୟ ପଦାଧିକାରୀ ଅଣଦେଖା କରୁଥିବା ମଧ୍ୟ ଆଲୋଚନା ହେଉଛି। ଏଭଲି ସ୍ଥିତିରେ ଇନଟେକ ୱେଲ ସମ୍ମୁଖରେ ଥିବା ପଙ୍କ ପରିମାଣ ସ୍ପଷ୍ଟ କରାନଯାଇ ତଥା ପଙ୍କୋଦ୍ଧାର କରାନଯାଇ ବିଦ୍ୟୁତ ଉତ୍ପାଦନ ଚାଲୁରଖିଲେ ଗତ ୧୨/୦୬/୨୦୦୮ରେ ଟନେଲ ଭୁଷୂଡି ଯେଉଁ କ୍ଷୟକ୍ଷତି ହୋଇଥିଲା ତାହାର ପୁନରାବୃତି ହୋଇପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଇନ୍ଦ୍ରାବତୀ ଜଳଭଣ୍ଡାର କଳାହାଣ୍ଡିର ୧ଲକ୍ଷ ୨୬ ହଜାର ହେକ୍ଟର ଜମିରେ ଜଳସେଚନ କରିବା ସହିତ ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ ଉତ୍ପାଦନ କରି ରାଜସ୍ୱ ଆଦାୟ କରାଯାଉଥିବା ଜଣାପଡିଛି। ଗତ ୨୦୧୬-୧୭ ବର୍ଷରେ ଇନ୍ଦ୍ରାବତୀରୁ ୧୫୨୨ ମିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ କରାଯାଇ ୧୨୫ କୋଟୀ ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିବା ବେଳେ ୨୦୧୭-୧୮ ଓ ୨୦୧୮-୧୯ ଦୁଇବର୍ଷ ମଧ୍ୟରେ ୩୮୮୪ ୟୁନିଟ ବିଦ୍ୟୁତ ଉତ୍ପାଦନ କରାଯାଇ ୩୦୮ କୋଟୀ ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିବା ଜଣାପଡିଛି। ଜଳଭଣ୍ଡାର ତଥା ପାୱାର ହାଉସ ଦାୟୀତ୍ୱରେ ଥିବା ଓଏଚପିସି କର୍ତ୍ତୃପକ୍ଷ ଇନଟେକ ୱେଲ ସମ୍ମୁଖରେ ପଙ୍କ ଜମାଟ ବାନ୍ଧିବା ବିଷୟକୁ ସ୍ୱୀକାର କରିବା ସହିତ ପଙ୍କ ଉଦ୍ଧାର କରିବାର ପ୍ରୟାସ କରାଯାଉଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.