Home ଜିଲ୍ଲା ପରିକ୍ରମା ଅଣଚାଷୀଙ୍କ ହାତରେ ସରକାରୀ କୁକୁଡ଼ା ଚିଆଁ , ବିଭାଗୀୟ କାର୍ଯ୍ୟାଳୟରେ ନାହିଁ ଚାଷୀଙ୍କ ତାଲିକା

ଅଣଚାଷୀଙ୍କ ହାତରେ ସରକାରୀ କୁକୁଡ଼ା ଚିଆଁ , ବିଭାଗୀୟ କାର୍ଯ୍ୟାଳୟରେ ନାହିଁ ଚାଷୀଙ୍କ ତାଲିକା

22

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ୍ ବହୁଦରଡ଼ା ଠାରେ ରହିଛି ଡିଷ୍ଟ୍ରିକ୍ଟ ପଲ୍ୟୁଟାରୀ ହେଚେରୀ(କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର) । ସେଠାରେ ପ୍ରତିମାସ ଉତ୍ପାଦନ ହେଉଛି ୪ହଜାରରୁ ଉର୍ଦ୍ଧ୍ୱ କୁକୁଡ଼ା ଚିଆଁ । ଅର୍ଥାତ୍ ବର୍ଷକୁ ୪୮ହଜାର ଚିଆଁ ଉତ୍ପାଦନ ହେଉଛି । ଚଳିତ ବର୍ଷ କରୋନା ପରିସ୍ଥିତିରେ ମାର୍ଚ୍ଚ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ଉତ୍ପାଦନ କେନ୍ଦ୍ର ବନ୍ଦ ରହିଥିଲା । କିନ୍ତୁ ବିଗତ ବର୍ଷମାନଙ୍କରେ ପ୍ରତ୍ୟେକ ବର୍ଷ ନିୟମିତ ବ୍ୟବଧାନରେ ଚିଆଁ ଉତ୍ପାଦନ ହୋଇଛି । ଏଗୁଡ଼ିକୁ ଜିଲ୍ଲାର ସମସ୍ତ ବ୍ଲକର ପ୍ରାଣୀଧନ ଅଧିକାରୀଙ୍କ କାର୍ଯ୍ୟାଳୟର ସୁପାରିଶରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ପ୍ରଦାନ କରାଯାଉଛି । ଏସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ଜିଲ୍ଲାରେ ପ୍ରାୟ ୨ଶହ ଚାଷୀ ଗୋଟିଏ ମାସରେ ଏହା ଦ୍ୱାରା ଉପକୃତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ପ୍ରାଣୀଧନ କାର୍ଯ୍ୟାଳୟରୁ ଏହି ତଥ୍ୟ ମିଳିଛି । ଅର୍ଥାତ୍ ଗତ ୪ବର୍ଷ ମଧ୍ୟରେ ପାଖାପାଖି ୨ଲକ୍ଷ କୁକୁଡ଼ା ଚିଆଁ ବିଭିନ୍ନ ମହିଳା ଗୋଷ୍ଠି ଜରିଆରେ ଚାଷୀଙ୍କୁ ପ୍ରଦାନ କରାଯାଉଛି । ଯାହାକି କୁକୁଡ଼ା ଚିଆଁ ଉତ୍ପାଦନ ପରବର୍ତ୍ତୀ ବଣ୍ଟନ ବ୍ୟବସ୍ଥାର ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଥ୍ୟ ଅନୁଯାୟୀ ୨୦୧୫ ମସିହା ଡିସେମ୍ବର ମାସ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ପ୍ରଦତ୍ତ ଅର୍ଥରେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ବିଭାଗ ପକ୍ଷରୁ ବହୁଦରଡ଼ା ଠାରେ ଚିଆଁ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଥିଲା । କୁକୁଡ଼ା ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଅର୍ଥ ମଞ୍ଜୁର ହୋଇଥିବାବେଳେ, ତତ୍କାଳୀନ ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡାକ୍ତର ହୃଦାନନ୍ଦ ଦାସଙ୍କ ଉଦ୍ୟମକ୍ରମେ ବହୁ ଲକ୍ଷ ଟଙ୍କା ବିନିମୟରେ ମେସିନ ବସାଯିବା ସହ ଏହି ଚିଆଁ ଉତ୍ପାଦନ କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା । ତେବେ ରାଜନୈତିକ ବିବାଦ କାରଣରୁ ଉକ୍ତ କେନ୍ଦ୍ରର ଶୁଭଉଦଘାଟନ ହୋଇ ପାରିନଥିଲେ ମଧ୍ୟ ଚିଆଁ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଇତିମଧ୍ୟରେ ୪ବର୍ଷ ସମ୍ପୂର୍ଣ୍ଣ ହୋଇଛି । ବିଭାଗୀୟ ତଥ୍ୟ ଅନୁଯାୟୀ ସ୍ଥାପନ ହୋଇଥିବା ମେସିନର କ୍ଷମତା ହେଉଛି ମାସକୁ ୫ହଜାର । ଅର୍ଥାତ୍ ଥରକରେ ୫ହଜାର ଅଣ୍ଡା ଉକ୍ତ ମେସିନରେ ବସାଯାଇ ଚିଆଁ ଉତ୍ପାଦନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ । ଗୋଟିଏ ଅଣ୍ଡା ଚିଆଁର ରୂପ ନେବାକୁ ୧୫ରୁ ୨୦ ଦିନ ଲାଗିଥାଏ । ପ୍ରଥମାବସ୍ଥାରେ ବନରାଜ ପ୍ରଜାତିର ଅଣ୍ଡା ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ରେନବୋ ରୋଷ୍ଟର କେଜ ଜାତୀୟ ଅଣ୍ଡାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । କାରଣ ଚିଆଁ ଉତ୍ପାଦନ ପାଇଁ ଏହି ଅଣ୍ଡା ଅଧିକ ଫଳପ୍ରଦ ହେଉଛି । ଉତ୍ପାଦନ କ୍ଷମତା ୮୨ ପ୍ରତିଶତ ରହୁଛି ।

୫ହଜାର ଅଣ୍ଡା ମଧ୍ୟରୁ ୪ହଜରରୁ ଉର୍ଦ୍ଧ୍ୱ ଚିଆଁ ଉତ୍ପାଦନ ହେଉଛି । ପୂର୍ବ ବର୍ଷମାନଙ୍କରେ ପ୍ରତ୍ୟେକ ଚିଆଁକୁ ୨୭ଟଙ୍କାରେ ବିକ୍ରି କରାଯାଉଥିଲା । କିନ୍ତୁ କରୋନା ପରେ ଅଣ୍ଡାର ମୂଲ୍ୟବୃଦ୍ଧି ହେତୁ ଚିଆଁର ମୂଲ୍ୟ ୩୦ଟଙ୍କା ସ୍ଥିର ହୋଇଛି । ବିଭିନ୍ନ ବ୍ଲକର ପ୍ରାଣୀଧନ କାର୍ଯ୍ୟାଳୟ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠି ଜରିଆରେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଚିଆଁ ବିକ୍ରି କରୁଛନ୍ତି । କିନ୍ତୁ ଏହି ବିଭାଗୀୟ ଚିଆଁ ବାସ୍ତବ କୁକୁଡ଼ା ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ ବୋଲି ଅଭିଯୋଗ ହେଉଛି । ତେବେ କୁକୁଡ଼ା ଚାଷୀମାନେ ଏହି ପ୍ରଜାତିର କୁକୁଡ଼ା ଚିଆଁ ନେବାକୁ କୁଣ୍ଠାବୋଧ କରୁଛନ୍ତି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ସଂଜୟ କୁମାର ପଣ୍ଡା କହିଛନ୍ତି । ବିଶେଷକରି କମ୍ ସମୟରେ ଅଧିକ ଲାଭ ମିଳୁଥିବାରୁ ଅଧିକାଂଶ କୁକୁଡ଼ା ଚାଷୀ ବ୍ରଏଲର କୁକୁଡ଼ା ଚାଷକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ବାସ୍ତବରେ ଜିଲ୍ଲାର ଶତାଧିକ କୁକୁଡ଼ା ଚାଷୀ ଏହି ଚିଆଁ ପ୍ରତି ଆଗ୍ରହୀ କି ନୁହେଁ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି, ତାହା ବହୁମୂଲ୍ୟର ପ୍ରଶ୍ନ । ତେବେ ଏସମସ୍ତ କଥାରୁ ଗୋଟିଏ ତଥ୍ୟ ସ୍ପଷ୍ଟଯେ ସରକାରଙ୍କ ପ୍ରଚେଷ୍ଟାରେ ପ୍ରାଣୀଧନ ବିଭାଗ ଦ୍ୱାରା କୁକୁଡ଼ା ଚାଷ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.