Home Top News ନିଜ ଦଳ ନେତାଙ୍କ କୁଶପୁତ୍ତଳିକା ଦାହ କରିବ କି ବିଜେପି ମହିଳା ମୋର୍ଚ୍ଚା?

ନିଜ ଦଳ ନେତାଙ୍କ କୁଶପୁତ୍ତଳିକା ଦାହ କରିବ କି ବିଜେପି ମହିଳା ମୋର୍ଚ୍ଚା?

80

ଭୁବନେଶ୍ୱର: ୨୦୧୬ ମସିହା ନଭେମ୍ବର ୬ ତାରିଖରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଘଟିଲା ଏକ ଅମାନବୀୟ ଘଟଣା। ଏକ ବିଦେଶୀ ମଦ ଦୋକାନର ଜଣେ ସେଲ୍‌ସମ୍ୟାନ୍‌ଙ୍କୁ ଜିଅନ୍ତା ଜାଳି ଦେଇଥିଲେ ଦୁର୍ବୃତ୍ତ। ମୃତକ ଜଣଙ୍କ ଥିଲେ କୁଜଙ୍ଗ ବ୍ଲକ୍‌ ପଙ୍କପାଳ ଗ୍ରାମର ଫକୀର ଜେନାଙ୍କ ପୁଅ ଉଲ୍ଲାସ। ସେ ନିକଟସ୍ଥ ଏକ ବିଦେଶୀ ସେଲସମ୍ୟାନ୍ ଭାବରେ କାମ କରୁଥିଲେ। ମଦ ଦୋକାନ ଭିତରେ ଥିବାବେଳେ ଦୁର୍ବୃତ୍ତମାନେ ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ। ଦୋକାନରେ ନିଆଁ ଜଳୁଥିବା ଦେଖି ଲୋକମାନେ ତୁରନ୍ତ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ସହିତ ଦୋକାନ ଭିତରେ ପଶି ଉଲ୍ଲାସଙ୍କ ମୃତଦେହ ଉଦ୍ଧାର କରିଥିଲେ। ଆଣ୍ଠୁମାଡ଼ି ବସିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପ୍ରଘଟ ହେବା ପରେ ଉତ୍ତ୍ୟକ୍ତ ଲୋକମାନେ ମଦ ଦୋକାନ ଭଙ୍ଗାରୁଜା କରିଥିଲେ। ମୃତ ଉଲ୍ଲାସଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଥିଲେ। ମୃତକଙ୍କ ସାନ ଭାଇ ଉମେଶ ଜେନା ଏ ସଂପର୍କରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ଭାଇକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଏହାପରେ ୨୦୧୭ ମସିହାରେ ସେହି ମଦ ଦୋକାନରେ କାମ କରୁଥିବା ଆଉ ଜଣେ କର୍ମଚାରୀ ପ୍ରଦୀପ ପ୍ରଧାନଙ୍କର ହୋଇଥିଲା ମୃତ୍ୟୁ। ଗଛରେ ଝୁଲୁଥିବା ଅବସ୍ଥାରେ ପ୍ରଦୀପଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲେ ମଧ୍ୟ ଉଲ୍ଲାସଙ୍କ ହତ୍ୟା ଘଟଣା ସହିତ ଯୋଡ଼ି ଏହା ଏକ ଯୋଜନାବଦ୍ଧ ଭାବେ ହତ୍ୟା ବୋଲି ଅଭିଯୋଗ ହୋଇଥିଲା। ପ୍ରଦୀପଙ୍କ ହାତ ଭାଙ୍ଗି ଯାଇଥିବାରୁ ସେ କିପରି ଗଛ ଉପରେ ଚଢ଼ି ଆତ୍ମହତ୍ୟା କଲେ ବୋଲି ତାଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଥିଲେ।

ପୁଅ ପାଇଁ ନ୍ୟାୟ ଦାବୀରେ ଲଢ଼ିଲଢ଼ି ହତାଶ ହୋଇ ଏବେ ଉଲ୍ଲାସଙ୍କ ମା’ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଦୀର୍ଘ ଦିନ ପରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଭିଯୋଗରେ ପୋଲିସ୍ ଉଲ୍ଲାସଙ୍କ ମା’ ଏବଂ ପରିବାର ଲୋକଙ୍କୁ ଗିରଫ କରିଥିଲା। ଏବେ ଅବଶ୍ୟ ସେମାନେ ମୁକ୍ତ ହୋଇଛନ୍ତି। ଉଲ୍ଲାସଙ୍କ ମା’ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏବଂ ଉଲ୍ଲାସଙ୍କ ପରିବାର ଲୋକଙ୍କୁ ବିଧାୟକ ସମ୍ବିତ ରାଉତ ଟେଲିଫୋନ ମାଧ୍ୟମରେ ଧମକ ଦେଇଥିବା ଅଭିଯୋଗ ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରୁଛି ବିଜେପି। ଏହାକୁ ନେଇ ଜଗତସିଂହପୁର ବିଜେପି ମହିଳା ମୋର୍ଚ୍ଚା ପାରାଦ୍ୱୀପ, କୁଜଙ୍ଗ ଆଦି ସ୍ଥାନରେ ସମ୍ବିତ ରାଉତଙ୍କ ଇସ୍ତଫା ଦାବୀ କରି ତାଙ୍କ କୁଶପୁତ୍ତଳିକା ଦାହ କରିଛି। ଏମିତି ଦିନେ ବାପ ଦାମ ରାଉତଙ୍କ କୁଶପୁତ୍ତଳିକା ଦାହ କରିଥିଲା ଏହି ବିଜେପି ମହିଳା ମୋର୍ଚ୍ଚା। ବାପ ବୟସର ଦାମ ରାଉତଙ୍କୁ ଶକୁନି କହିବା ପରେ ଲେଖାଶ୍ରୀଙ୍କ ଉଦ୍ଦେଶ୍ୟରେ ଦାମ ବାବୁଙ୍କ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ମନ୍ତବ୍ୟକୁ ନେଇ ହୋ ହଲ୍ଲା କରିଥିଲା ବିଜେପି ମହିଳା ମୋର୍ଚ୍ଚା। ଦାମ ବାବୁଙ୍କୁ ମହିଳା ବିରୋଧୀ ବୋଲି ଦର୍ଶାଇ ତାଙ୍କ ଇସ୍ତଫା ଦାବୀ କରିଥିଲା। ଆଉ ୨୦୧୯ ପୂର୍ବରୁ ସେହି ଦାମ ବାବୁଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରି ଦଳରେ ସାମିଲ କରାଇବା ସହ ଟିକେଟ ମଧ୍ୟ ଦେଇଥିଲା। କେବଳ ସେତିକି ନୁହେଁ, ଦାମ ବାବୁ ହୋଇଥିଲେ ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ। ଆଉ ପ୍ରଚାର ବେଳେ ଗୋଟିଏ ଗାଡ଼ିରେ ଦାମ – ଲେଖାଶ୍ରୀଙ୍କ ଦୁର୍ଲଭ ଯୋଡ଼ି ମଧ୍ୟ ଦେଖିବାକୁ ମିଳିଥିଲା। ବିଜେପିରେ ଯୋଗଦେବା ପରେ ସେତେବେଳେ ଆଉ ଦାମ ବାବୁ ମହିଳା ବରୋଧୀ ନଥିଲେ? ଆଉ, ପଦ୍ମ ପୋଖରୀରେ ବୁଡ଼ ପକାଇ ବୋଧେ ଦାମ ବାବୁ ପୁରୁଷତ୍ୱ ପ୍ରାପ୍ତି କରି ସାରିଥିଲେ!

ଏଠି କଥା ଉଠୁଛି ଉଲ୍ଲାସଙ୍କ ମା’ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏବଂ ଉଲ୍ଲାସଙ୍କ ପରିବାର ଲୋକଙ୍କୁ ବିଧାୟକ ସମ୍ବିତ ରାଉତ ଟେଲିଫୋନ ମାଧ୍ୟମରେ ଧମକ ଦେଇଥିବା ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚ୍ଚା। କିନ୍ତୁ, ଏଠି ବିଜେପିର ନୀତି ଆଉ ନିୟତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାରଣ ଉଲ୍ଲାସଙ୍କ ପାଇଁ ବାରମ୍ବାର ନ୍ୟାୟ ଦାବୀ କରିକରି ୨୦୧୮ ମସିହା ନଭେମ୍ବର ମାସରେ ଉଲ୍ଲାସ ଜେନା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି କୁଜଙ୍ଗରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଏକ ପଦଯାତ୍ରା କରାଯାଇଥିଲା। ସିବିଆଇ ତଦନ୍ତ ଦାବୀରେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଉଲ୍ଲାସଙ୍କ ମା’ ଏବଂ ସମ୍ବିତ ରାଉତଙ୍କ ମଧ୍ୟରେ କଥାବାର୍ତ୍ତାର ଭିଡିଓ ଭାଇରାଲ୍ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ସମ୍ବିତ ରାଉତଙ୍କ ସମର୍ଥକ ଲୋକ ଉଲ୍ଲାସଙ୍କ ପରିବାର ଲୋକଙ୍କୁ ଧମକାଇବା ନେଇ ଏବେ ବିଜେପି ମହିଳା ମୋର୍ଚ୍ଚା ଚିତ୍କାର କରୁଛି। ବାସ୍ତବରେ କିନ୍ତୁ ଏବେ ଚର୍ଚ୍ଚା ଧରିଥିବା ଉକ୍ତ ଭିଡିଓଟି ୨୦୧୯ ନିର୍ବାଚନ ପୂର୍ବରୁ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଉଲ୍ଲାସ ଦାମ ବାବୁଙ୍କୁ ଠୋ – ଠୋ କରି ଚାପୁଡ଼ା ମାରିବା କଥା କହୁଛନ୍ତି। ଉଲ୍ଲାସଙ୍କ ମା’ ଦାମ ବାବୁଙ୍କ ପୁଅ ସମ୍ବିତ ରାଉତଙ୍କ ପାଖରେ ଦାମ ବାବୁଙ୍କ କଳାକାରନାମା ବିଷୟରେ ଅଭିଯୋଗ କରିଥିଲେ ଏବଂ ନ୍ୟାୟ ଭିକ୍ଷା କରିଥିଲେ। ଉଲ୍ଲାସଙ୍କ ମା’ କହିଥିବା ସମସ୍ତ ଘଟଣା ମୋବାଇଲରେ ରେକର୍ଡ କରାଯାଇଥିଲା। ସେହି ଭିଡିଓଟିକୁ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଭିଡିଓଟି ୨୦୧୯ ଏପ୍ରିଲ ୧୭ ତାରିଖରେ ଭାଇରାଲ ହୋଇଥିଲା ଏବଂ ଭିଡିଓ ଭାଇରାଲ୍ ହେବା ପରେ ସମ୍ବିତ ରାଉତଙ୍କ ସମର୍ଥିତ ଗୁଣ୍ଡା ଏବଂ କର୍ମୀ ୨୦୧୯ ଏପ୍ରିଲ ୧୭ ତାରିଖ ବିଳମ୍ବିତ ରାତିରେ ଉଲ୍ଲାସ ଜେନାଙ୍କ ଘରକୁ ଯାଇ ତାଙ୍କ ମା’, ଭାଇ ଏବଂ ପରିବାର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ଉଲ୍ଲାସଙ୍କ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ଦାମ ବାବୁ ଚାପ ପକାଇ ଦାବି ଦେଇଥିଲେ ବୋଲି ଉଲ୍ଲାସଙ୍କ ମା’ଙ୍କର ସ୍ପଷ୍ଟ ଅଭିଯୋଗ ଥିଲା। ଭାଇରାଲ୍ ଭିଡିଓଟିରେ ସମ୍ବିତ ରାଉତଙ୍କୁ ଏହି କଥା ହିଁ କହୁଛନ୍ତି ଉଲ୍ଲାସଙ୍କ ମା’। ଦାମ ବାବୁ ଆସିଥିଲେ ଠୋ – ଠୋ ଚାପୁଡ଼ା ମାରି ଥାଆନ୍ତି ବୋଲି କହୁଛନ୍ତି ଉଲ୍ଲାସଙ୍କ ମା’। ଅର୍ଥାତ୍ ଉଲ୍ଲାସଙ୍କ ହତ୍ୟାକାରୀଙ୍କୁ ଘଣ୍ଟ ଗୋଡ଼ାଇଥିଲେ ଦାମ ରାଉତ। ଏହି ଭିଡିଓ ତ’ ୨୦୧୯ ନିର୍ବାଚନ ପୂର୍ବରୁ ଭାଇରାଲ୍ ହୋଇ ସାରିଥିଲା। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଦାମ ବାବୁଙ୍କୁ ଫିଙ୍ଗି ଦେବା ପରେ ଗୋଟାଇ ଆଣି କୋଳେଇ ନେଇଥିଲା ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରି ବିଜେପି ଟୋପି ପିନ୍ଧାଇଲେ। ଦାମ ବାବୁଙ୍କୁ ଦଳରେ ସାମିଲ କରାଇ ଟିକେଟ ଦେବା ସହ ପ୍ରଚାର କମିଟି ଅଧ୍ୟକ୍ଷ କରାଇଥିଲା ବିଜେପି। ସେତେବେଳେ ଉଲ୍ଲାସ ମା’ଙ୍କ ଆଖିର ଲୁହ ବିଜେପିକୁ କ’ଣ ଦେଖାଯାଇ ନଥିଲା? ତେଣୁ ଏବେ ବିଜେପି ମହିଳା ମୋର୍ଚ୍ଚା ଯେଉଁ ସମ୍ବିତ ରାଉତଙ୍କ କୁଶପୁତ୍ତଳିକା ଦାହ କରୁଛି, ତା’ ସାଙ୍ଗରେ ଉଲ୍ଲାସଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଇ ଘଟଣାକୁ ଚାପି ଦେଇଥିବା ଦାମ ରାଉତ ଏବଂ ଦାମ ବାବୁଙ୍କୁ ବିଜେପିରେ ସାମିଲ କରାଇ ଟିକେଟ ଦେଇଥିବା ତାଙ୍କ ନିଜ ଦଳର ନେତୃତ୍ୱଙ୍କ ମଧ୍ୟ କୁଶପୁତ୍ତଳିକା ଦାହ କରୁ ବିଜେପି ମହିଳା ମୋର୍ଚ୍ଚା। ନଚେତ୍ ଲୋକେ କହିବେ ମହିଳା ସୁରକ୍ଷା ନେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ମହିଳା ମୋର୍ଚ୍ଚା।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.