Home ଓଡ଼ିଶା କିଏ ହେବ ବିଜେପି ରାଜ୍ୟ ସଭାପତି; କିଏ ରହିବ ମହିଳା ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚା...

କିଏ ହେବ ବିଜେପି ରାଜ୍ୟ ସଭାପତି; କିଏ ରହିବ ମହିଳା ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚା ଦାୟିତ୍ୱରେ: ରଣନୀତି ଆରମ୍ଭ

2031

ଚାଟୁକାରିତା ଏବଂ ଚାପୁଲୁସିର ଏହି ଦୌଡ଼ରେ ଓଡ଼ିଶା ବିଜେପିର ଆଜି ଯେଉଁ କିଛି ନେତା ମୁଣ୍ଡ ଟେକିଛନ୍ତି, ସେମାନଙ୍କ ପାଖରେ ହୁଏତ ନେତୃତ୍ବର ଅଭାବ ଥାଇପାରେ, କିନ୍ତୁ ସେମାନେ ସବୁ ଆଜି ଜଣେ ଜଣେ ବଡ଼ ନେତା!

ଭୁବନେଶ୍ୱର: କିଏ ହେବ ବିଜେପି ରାଜ୍ୟ ସଭାପତି ଆଉ କିଏ ରହିବ ମହିଳା ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚା ଦାୟିତ୍ୱରେ?ଏହାକୁ ନେଇ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇ ଗଲାଣି।ଡିସେମ୍ବର ସୁଧା ସୂଧା ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହୋଇଯିବ।ତେଣୁ ଏହା ପୂର୍ବରୁ ବିଭିନ୍ନ ରାଜ୍ୟ ସଭାପତି ଚୟନ ହେବେ।ଓଡ଼ିଶା ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କର ମଧ୍ୟ କାର୍ଯ୍ୟକାଳ ସରିଯାଉଛି।ଏମିତିରେ ବସନ୍ତ ପଣ୍ଡା ପୁଣି ରିପିଟ୍ ହେବେ ନାଁ ନୂଆ ଚେହେରା ଦେଖିବାକୁ ମିଳିବ ତାହା ଦେଖିବାକୁ ବାକି ରହିଲା।ତେବେ, ରାଜ୍ୟ ସଭାପତି ନିର୍ବାଚନ ପୂର୍ବରୁ ଜିଲ୍ଲା ସଭାପତି ଏବଂ ତା’ ପୂର୍ବରୁ ବ୍ଲକ,ମଣ୍ଡଳ ଏବଂ ଜୋନ ଆଦିର ସଭାପତି ଚୟନ ହୋଇଯିବ।ତା’ର ପ୍ରକ୍ରିୟା ଏବେ ଆରମ୍ଭ ହୋଇ ଗଲାଣି।ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଭିତରେ ଭିତରେ ଏଣେ ଏ’ ପ୍ରକ୍ରିୟା ଚାଲିଛି।ତଳଠାରୁ ଆରମ୍ଭ କରି ଉପର ଯାଏଁ ନେତା, କାର୍ଯ୍ୟକର୍ତ୍ତା ଯିଏ ଯାହା ଯୋଜନାରେ ଲାଗି ଯାଇଛନ୍ତି।ନିର୍ବାଚନ ନୁହଁ, ଯାହା ଜଣାପଡ଼ୁଛି ସହମତିରେ ହିଁ ସଭାପତି ଚୟନ ହେବ।ତେବେ ଏହି ସହମତି ସଙ୍ଗଠନ ଆଧାରରେ ହେବ ନାଁ’ ଜଣଙ୍କୁ ଲଦି ଦିଆଯିବ ତାହା ଆଗକୁ ଜଣାପଡ଼ିବ।

ସଭାପତି ରେସରେ ଏବେକାର ସଭାପତି ବସନ୍ତ ପଣ୍ଡାଙ୍କ ରିପିଟ୍ ହେବା କଥା ସହ ଆଉ ଯେଉଁ ମାନଙ୍କ ନାଁ ଚର୍ଚ୍ଚାରେ ଅଛି ସେଥିରେ ଆଗରେ ଅଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି।ଏହା ସହ କନକ ବର୍ଦ୍ଧନ ସିଂହଦେଓ, ଜୟ ନାରାୟଣ ମିଶ୍ର, ଜୁଏଲ ଓରାମ, ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ସମେତ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ବିଜୟ ମହାପାତ୍ରଙ୍କ ନାମ ମଧ୍ୟ ଆଲୋଚନା ହେଉଛି।କନକ ବର୍ଦ୍ଧନ ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା।ସେ ପୂର୍ବରୁ ମଧ୍ୟ ସଭାପତି ରହି ସାରିଛନ୍ତି।ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି।ଜୟ ନାରାୟଣ ମିଶ୍ର ଜଣେ ନିର୍ବାଚିତ ବିଧାୟକ।ନବୀନ ପଟ୍ଟନାୟକଙ୍କ ଦୃଢ଼ ବିରୋଧୀ ଭାବରେ ସେ ଜଣାଶୁଣା।ବିରୋଧୀ ଦଳ ନେତା ପାଇଁ ତାଙ୍କ ନାଁ’ ସବୁଠାରୁ ଅଧିକ ଆଲୋଚନା ହେଉଥିଲା।କିନ୍ତୁ ଶେଷରେ ତାହା ହେଲା ନାହିଁ।ଜୁଏଲ ଓରାମ ମନ୍ତ୍ରୀ ପଦ ପାଇ ପାରିନାହାଁନ୍ତି।ଗତ ଥର ସେ ଏକମାତ୍ର ବିଜେପି ସାଂସଦ ଭାବରେ ଜିତି ପାରିଥିବା ବେଳେ ଚଳିତ ଥର ପୁନର୍ବାର ମଧ୍ୟ ବିଜୟ ବଜାୟ ରଖିଛନ୍ତି।ସେ ମଧ୍ୟ ପୂର୍ବରୁ ରାଜ୍ୟ ସଭାପତି ପଦ ତୁଲାଇ ସାରିଛନ୍ତି।ସୁରେଶ ପୂଜାରୀ ଜଣେ ନିର୍ବାଚିତ ସାଂସଦ।ସେ ମଧ୍ୟ ପୂର୍ବରୁ ସଭାପତି ଦାୟିତ୍ୱ ତୁଲାଇ ସାରିଛନ୍ତି।ବିଜୟ ମହାପାତ୍ର ନବୀନ ପଟ୍ଟନାୟକଙ୍କର ଦୃଢ଼ ବିରୋଧୀ।ରାଜ୍ୟର ଜଣେ ବରିଷ୍ଠ ନେତା।ସାରା ଓଡ଼ିଶାରେ ରାଜନୀତି ସ୍ଥିତି ବାବଦରେ ତାଙ୍କର ଭଲ ଧାରଣା ଅଛି।କିନ୍ତୁ ତାଙ୍କର ସମସ୍ୟା ଗୋଟିଏ, ସେ ମୂଳ ବିଜେପିର ନୁହଁ।ଆଲୋଚନା ଭିତରେ ମନମୋହନ ସାମଲଙ୍କ ନାମ ମଧ୍ୟ ଅଛି।ମନ ମୋହନ ପୂର୍ବରୁ ରାଜ୍ୟ ସଭାପତି ମଧ୍ୟ ରହି ସାରିଛନ୍ତି।ସେହିପରି ଆଉ ଯେଉଁ ଜଣଙ୍କ ନାମ ଆଲୋଚନା ହେଉଛି ସେ ହେଲେ ରାଷ୍ଟ୍ରୀୟ ପ୍ରବକ୍ତା ଡଃ: ସମ୍ବିତ ପାତ୍ର।ପୁରୀ ଲୋକସଭା ଆସନରୁ ଲଢ଼ି ହାରି ଯାଇଛନ୍ତି।ସେ ଯଦି ପୂର୍ବରୁ ଓଡ଼ିଶାରେ ସମୟ ଦେଇଥାଆନ୍ତେ, ହୁଏତ ଫଳାଫଳ ଭିନ୍ନ ହୋଇଥାଆନ୍ତା।ଏବେ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ଛାଡ଼ି ତାଙ୍କୁ ସଭାପତି କଲେ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଭଲ ଏବଂ ଶାଣିତ ଆକ୍ରମଣ କରିପାରିବେ ବୋଲି ଆଲୋଚନା ହେଉଛି।କିନ୍ତୁ, ଯଦି କେନ୍ଦ୍ର ବିଜେପି ନବୀନଙ୍କ ପ୍ରତି କୋହଳ ମନୋଭାବ ରଖୁଥାଏ, ତେବେ ହୁଏତ ଅଯଥାଟାରେ ସମ୍ବିତଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଆଣି ଓଡ଼ିଶା ଦାୟିତ୍ୱ ଦିଆ ନ’ଯାଇ ପାରେ।ଏଣେ ମୋଦୀ ଯେହେତୁ ବିଜେପିର ସମସ୍ତ ସାଂସଦ ମାନଙ୍କୁ ପାର୍ଲିଆମେଣ୍ଟରେ ଅଧିକ ସମୟ ଦେବା ପାଇଁ ଆଗ୍ରହ କରିଛନ୍ତି, ସେହି ଦୃଷ୍ଟିକୋଣରୁ ସାଂସଦ ଥିବା ଜୁଏଲ, ବସନ୍ତ ଏବଂ ସୁରେଶ ପୂଜାରୀଙ୍କୁ ହୁଏତ ରାଜ୍ୟ ସଭାପତି କରାନ’ଯାଇ ପାରେ।ତେବେ, ଏସବୁ ଭିତରେ ଏମାନଙ୍କ ମଧ୍ୟରେ ଯାହାର ଦକ୍ଷତା ସବୁଠାରୁ କମ୍, ସେହି ସମୀର ମହାନ୍ତିଙ୍କ ନାଁ’ ଅଧିକ ଆଲୋଚନାରେ ଅଛି।କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପିରେ ନିଜର ଆଧିପତ୍ୟ ବିସ୍ତାର କରି ବସିଥିବା ଗୋଷ୍ଠୀ ସମୀରଙ୍କ ସପକ୍ଷରେ ଅଛନ୍ତି।ତେଣୁ ଏବେଠୁ ମଣ୍ଡଳ, ଜୋନ ଏବଂ ଜିଲ୍ଲା ସଭାପତି ପଦବୀ ଗୁଡ଼ିକ ନିଜ ଅକ୍ତିଆରରେ ରଖିବାକୁ ସେହି ଗୋଷ୍ଠୀ ଲାଗି ପଡ଼ିଛନ୍ତି।

ସଭାପତି ସମେତ ସଂପୂର୍ଣ୍ଣ ସଙ୍ଗଠନ ନିଜ କଣ୍ଟ୍ରୋଲରେ ରଖିବାକୁ ପ୍ରୟାସ ତ’ ଆରମ୍ଭ ହୋଇ ଯାଇଛି।ନିଜ ଅନୁଗତଙ୍କୁ ସଭାପତି ପଦରେ ବସାଇବା ପୂର୍ବରୁ ଜିଲ୍ଲା ସଭାପତି ପଦବୀ ଗୁଡ଼ିକ ନିଜ କଣ୍ଟ୍ରୋଲରେ ରଖିବାରେ ପୂରା ଚେଷ୍ଟା ଚାଲିଛି।ବାସ୍ ଏତିକି ହୋଇଗଲେ ଏବଂ ରାଜ୍ୟ ସଭାପତି ନିଜ ଲୋକ ହୋଇଗଲା ପରେ ସେହି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ନେତା ଅନ୍ୟାନ୍ୟ ସବୁ ପଦବୀ ଗୁଡ଼ିକ ମାଡ଼ି ବସିବେ ବୋଲି ଅନାଇ ବସିଛନ୍ତି।ଏବଂ ଏହାପରେ ମଧ୍ୟ ବିଭିନ୍ନ ମୋର୍ଚ୍ଚା ପାଇଁ ମଧ୍ୟ କାହାକୁ ସବୁ ଦାୟିତ୍ୱ ଦିଆଯିବ।ସେଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୁଇଟି ମୋର୍ଚ୍ଚା ହେଲା ମହିଳା ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚା।ମହିଳା ମୋର୍ଚ୍ଚା ପାଇଁ ଏବେକାର ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପି ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର, ବ୍ରଜରାଜ ନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ସ୍ମୃତି ପଟ୍ଟନାୟକ, ସମ୍ପାଦିକା ରଶ୍ମିରେଖା ଦାସ ଏପରିକି ସୁରମା ପାଢ଼ୀଙ୍କ ନାମ ମଧ୍ୟ ଆଲୋଚନା ହେଉଛି।ତେବେ ପୂର୍ବରୁ ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଏପରିକି ରାଷ୍ଟ୍ରୀୟ ଅଧ୍ୟକ୍ଷା ରହି ସାରିଥିବାରୁ ସୁରମାଙ୍କର ସମ୍ଭାବନା କମ୍ ଜଣାପଡ଼ୁଛି।ସୁରମାଙ୍କର ମଧ୍ୟ ପୂର୍ବ ପ୍ରଭାବ ଆଉ ନାହିଁ।ପୂର୍ବତନ ବିଧାୟିକା ରାଧାରାଣୀ ସବୁଠାରୁ ଅଧିକା ଯୋଗ୍ୟ ଥିଲେ ମଧ୍ୟ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଭିତରେ କୋଶଳୀ ଭାଷା/ ସମ୍ବଲପୁରୀ ଭାଷା ଆନ୍ଦୋଳନରେ ସାମିଲ ହୋଇ ସେ ନିଜକୁ ଆଞ୍ଚଳିକ ବିବାଦ ଭିତରକୁ ଟାଣି ଦେଇଛନ୍ତି, ନିଜକୁ କେବଳ ପଶ୍ଚିମ ଓଡ଼ିଶା ନେତ୍ରୀ ଭିତରେ ସୀମିତ ରଖି ଦେଇଛନ୍ତି।ଅଳ୍ପଦିନ ହେଲା ରାଜନୀତିକୁ ଆସି ଲେଖାଶ୍ରୀ ଖୁବ୍ ପପୁଲାର ହୋଇ ପାରିଛନ୍ତି।କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା, ବିଜେପିର ବିଭିନ୍ନ ଯୋଜନା ଗୁଡ଼ିକୁ ସେ ଖୁବ୍ ଶୀଘ୍ର ବୁଝିନେଇ ଉପସ୍ଥାପନା କରିପାରୁଛନ୍ତି।ରାଜ୍ୟ ସରକାରଙ୍କର ତୃଟି ଖୋଜି ଖୁବ୍ ଆଗ୍ରେସିଭ୍ ହୋଇ ସମାଲୋଚନା କରୁଛନ୍ତି।ସେ ଜଣେ ଭଲ ବକ୍ତା ମଧ୍ୟ।କିନ୍ତୁ, ତାଙ୍କର ଏକ ବଡ଼ ସମସ୍ୟା ହେଲା ସେ ସମସ୍ତଙ୍କୁ, ବିଶେଷ କରି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ ଚାଲି ପାରୁନାହାଁନ୍ତି।ମହିଳା କାର୍ଯ୍ୟକର୍ତ୍ତାମାନେ ତାଙ୍କ ଠାରୁ ଏକ ଦୂରତା ଅନୁଭବ କରୁଛନ୍ତି।ଶୋଭନା ମହାନ୍ତିଙ୍କର ରାଜ୍ୟ ସ୍ତରରେ ଭଲ ସଂପର୍କ, କିନ୍ତୁ ସେ ତାଙ୍କ ନିଜ ଅଞ୍ଚଳ ବାଲେଶ୍ୱର ସଙ୍ଗଠନ ସ୍ତରରେ କିଛିଟା ବିବାଦୀୟ ରହିଛନ୍ତି।ସ୍ମୃତି ପଟ୍ଟନାୟକଙ୍କର ସଙ୍ଗଠନ ଦକ୍ଷତା ଖୁବ୍ ଭଲ।କିନ୍ତୁ ସେ ନିଜକୁ ଜଣେ ମାସ୍ ନେତ୍ରୀ କରାଇ ପାରିନାହାଁନ୍ତି।ରଶ୍ମିରେଖା ଦାସ ଜଣେ ଯୁବା ମହିଳା ନେତ୍ରୀ ଭାବରେ ଖୁବ୍ ଆଗ୍ରେସିଭ୍ ହୋଇ କାମ କରନ୍ତି, କିନ୍ତୁ ଏବେ ବି ସେ ଯୁବା ଅଛନ୍ତି।ସଂପୂର୍ଣ୍ଣ ପରିପକ୍ୱ ହୋଇପାରି ନାହାଁନ୍ତି।ପ୍ରଭାତୀଙ୍କୁ ସିନା ସୁଯୋଗ ମିଳି ମଧ୍ୟ ସେ ତାଙ୍କ ନିଜ ତୃଟି କାରଣରୁ ନିମାପଡ଼ାରେ ପରାଜିତ ହୋଇଛନ୍ତି, କିନ୍ତୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବରେ ଭଲ ସଙ୍ଗଠନ କାମ କରିଛନ୍ତି।ପ୍ରଭାତୀ ପରିଡ଼ା ଦାୟିତ୍ୱ ନେବା ପରଠାରୁ ମୂଳ ବିଜେପି ଏବଂ ଯୁବ ମୋର୍ଚ୍ଚା ଅପେକ୍ଷା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାରେ ମହିଳା ମୋର୍ଚ୍ଚା ଆଗରେ ରହି ଆସିଛି।ମହିଳା ମୋର୍ଚ୍ଚା ସଙ୍ଗଠନକୁ ମଧ୍ୟ ଅଧିକ ବ୍ୟାପକ କରାଇ ପାରିଛନ୍ତି ପ୍ରଭାତୀ।ତେଣୁ ତାଙ୍କୁ ରିପିର୍ଟ କରାଯିବା କଥା ମଧ୍ୟ ଆଲୋଚନା ହେଉଛି।

ଯୁବ ମୋର୍ଚ୍ଚା ଦାୟିତ୍ୱ କାହାକୁ ମିଳିବ ସନ୍ଦେହ।ଏବେକାର ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କର ପ୍ରଦର୍ଶନ ସେପରି ଉଲେଖନୀୟ ନ’ଥିଲା।ଏଣେ ରାଜ୍ୟ ଭିତରେ ଅନେକ ସ୍ଥାନରେ ବିଜେପିର ଅନେକ ଦକ୍ଷ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳୁନାହିଁ।ଯୁବ ମୋର୍ଚ୍ଚା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ଥିଲେ ମଧ୍ୟ ରାଜ୍ୟ ବିଜେପି ଯେ ତାକୁ ମାନିବ, ସେପରି କିଛି ମାନେ ଥିଲା ଭଳିଆ ଲାଗୁ ନାହିଁ।ଏବେକାର ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱ ରଞ୍ଜନ ବଡ଼ଜେନା ଏବଂ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୂର ରଞ୍ଜିତ ଦାସ ଯୁବ ମୋର୍ଚ୍ଚା ସଭାପତି ପାଇଁ ଆଶାୟୀ ଥିବା କୁହାଯାଉଛି।ସେ ଯାହା ହେଉ।କିନ୍ତୁ, ଏସବୁ ଭିତରେ ନିର୍ଭର କରୁଛି କିଏ ହେବ ସଭାପତି?ଯଦି ସଙ୍ଗଠନ ଆଧାରରେ ସଭାପତି ଚୟନ ହେବ, ତେବେ ଅନ୍ୟାନ୍ୟ ପଦବୀ ଗୁଡ଼ିକ କିଏ ହେବ କିଏ ନ’ ହେବ ତାହା ଦେଖିବାର କଥା।କିନ୍ତୁ, ଯଦି ସଭାପତି ପଦରେ ନିଜ ଅନୁଗତଙ୍କୁ ବସାଇ ଦିଆଯିବ, ତେବେ ଏତେ ଆଲୋଚନା କାହିଁକି? ବାକି ସବୁ ପଦବୀ ପାଇଁ ଭିତରେ ଭିତରେ ଆପଏଟମେଣ୍ଟ୍ ହୋଇ ଯିବେ।କାରଣ, ସେତେବେଳେ କେବଳ ଚାଟୁକାରୀତା ଏବଂ ଖୋସାମତି କାମ ଦେବ।ଆଉ, ଚାଟୁକାରିତା ଏବଂ ଚାପୁଲୁସିର ଏହି ଦୌଡ଼ରେ ଓଡ଼ିଶା ବିଜେପିର ଆଜି ଯେଉଁ କିଛି ନେତା ମୁଣ୍ଡ ଟେକିଛନ୍ତି, ସେମାନଙ୍କ ପାଖରେ ହୁଏତ ନେତୃତ୍ବର ଅଭାବ ଥାଇପାରେ, କିନ୍ତୁ ସେମାନେ ସବୁ ଆଜି ଜଣେ ଜଣେ ବଡ଼ ନେତା!//-ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.