Home Ganesh Puja ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ: ଜାଣନ୍ତି କି ଭଣ୍ଡ ଗଣେଶ କିଏ ?

ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ: ଜାଣନ୍ତି କି ଭଣ୍ଡ ଗଣେଶ କିଏ ?

74

ଭଗବାନ୍ ଶ୍ରୀ ଗଣେଶଙ୍କର ଅନେକ ସ୍ୱରୂପ ରହିଛି। ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ। ପୁରୀ, ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହି ମନ୍ଦିରର ନାମ କାଞ୍ଚି ଗଣେଶଙ୍କର ମନ୍ଦିର ବୋଲି ଉଲ୍ଲେଖ ଅଛି। ଏହି ମନ୍ଦିରରେ ଥିବା ଗଣେଶଙ୍କୁ ଭଣ୍ଡ ଗଣେଶ କୁହାଯାଏ। ଏହି ଗଣେଶ ବିଗ୍ରହ କାଞ୍ଚି ଶିଳ୍ପକଳାର ଏକ ନିଦର୍ଶନ। କାଞ୍ଚି ଗଣେଶଙ୍କୁ ସାଧାରଣତଃ ଭଣ୍ଡ ଗଣେଶ କୁହାଯାଏ। ଭଣ୍ଡ ଗଣେଶଙ୍କ ଅନ୍ୟାନ୍ୟ ନାମ ହେଲା ଉଚ୍ଛିଷ୍ଟ ଗଣେଶ, କାମଦ ଗଣେଶ, ଶକ୍ତି ବିନାୟକ ଏବଂ ତାନ୍ତ୍ରିକ ଗଣେଶ। ଦେବୀ ମୂର୍ତ୍ତିଙ୍କ ଭଗରେ ଶୁଣ୍ଢ ଭର୍ତ୍ତିକରି ରହିଥିବା ଯୋଗୁଁ ଏହି ଗଣେଶଙ୍କୁ ଭଣ୍ଡ ଗଣେଶ କୁହାଯାଏ। ଭଣ୍ଡ ଗଣେଶଙ୍କର ଶୁଣ୍ଢ ବାମକୁ ମୋଡ଼ି ହୋଇ ରହିଥିବାରୁ ଏହାଙ୍କୁ ବାମାବର୍ତ୍ତ ଗଣେଶ ମଧ୍ୟ କୁହାଯାଏ। ଭଣ୍ଡ ଗଣେଶ କଳା ମୁଗୁନି ପଥରରେ ତିଆରି। ସେ ସିଂହାସନ ଉପରେ ଅର୍ଦ୍ଧ ପର୍ଯ୍ୟଙ୍କାସନରେ ବିରାଜମାନ କରିଛନ୍ତି। ଅର୍ଥାତ୍ ସେ ଡାହାଣ ପାଦ ଭାଙ୍ଗିଛନ୍ତି ଓ ବାମ ପାଦ ଲମ୍ବାଇଛନ୍ତି। ତାଙ୍କ ମସ୍ତକରେ ମୁକୁଟ ରହିଛି ଓ ସେ ଏକ ସର୍ପକୁ ଉପବିତ ବା ପଇତା ଭାବେ ଧାରଣ କରିଛନ୍ତି। ତାଙ୍କର ଚାରିଟି ହାତ ଅଛି। ଭଣ୍ଡ ଗଣେଶ ଉପର ଡାହାଣ ହାତରେ ଏକ ଭଗ୍ନ‌ଦନ୍ତ, ତଳ ଡାହାଣ ହାତରେ ଜପମାଳା ବା ଅକ୍ଷମାଳା ଏବଂ ଉପର ବାମ ହାତରେ ପରଶୁ ଧାରଣ କରିଛନ୍ତି ଆଉ ତଳ ବାମ ହାତରେ ସିଦ୍ଧି ଦେବୀଙ୍କୁ ଆଲିଙ୍ଗନ କରି ନିଜର ଲିଙ୍ଗ ମର୍ଦ୍ଦନ କରିଛନ୍ତି।ଭଣ୍ଡ ଗଣେଶଙ୍କ ବାମ ଜଙ୍ଘରେ ବସିଥିବା ଦେବୀ ମୂର୍ତ୍ତୀଙ୍କ ସ୍ୱରୂପକୁ ଶାସ୍ତ୍ରବିତ ମାନେ ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣନା କରିଥାଆନ୍ତି। ଭଣ୍ଡ ଗଣେଶଙ୍କ ବାମ ଜଙ୍ଘରେ ବସିଥିବା ଦେବୀ ମୂର୍ତ୍ତୀଙ୍କର ଜନନେନ୍ଦ୍ରିୟରେ ଗଣେଶଙ୍କ ବାମାବର୍ତ୍ତ ଶୁଣ୍ଢ ପ୍ରବେଶ କରିଛି। ଏହି ଦେବୀ ମୂର୍ତ୍ତୀ କିଏ, ଏ ନେଇ ଅନେକ ମତ ରହିଛି। କେତେକ ଏହାଙ୍କୁ ଗଣେଶଙ୍କର ଶକ୍ତି ସିଦ୍ଧିଦେବୀ କ‌ହୁଥିବା ବେଳେ ଅନ୍ୟ କେତେକ ଏହାଙ୍କୁ ବିଘ୍ନେଶ୍ୱରୀ ପ୍ରତ୍ୟାଙ୍ଗନା କ‌ହିଥାଆନ୍ତି।
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ।
ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.