Home ଓଡ଼ିଶା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରଷୋତ୍ତମ ରୂପାଲାଙ୍କ ଦ୍ୱାରା ୧୦ ହଜାର କୋଟି ଟଙ୍କାର ‘ଏନ୍‌ସିଡିସି...

କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରଷୋତ୍ତମ ରୂପାଲାଙ୍କ ଦ୍ୱାରା ୧୦ ହଜାର କୋଟି ଟଙ୍କାର ‘ଏନ୍‌ସିଡିସି ଆୟୁଷ୍ମାନ ସହକାର’ ପାଣ୍ଠି ଆରମ୍ଭ

61


– ଏହି ଅର୍ଥ ଦ୍ୱାରା ସମବାୟ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରାଯିବ

– ସମବାୟ ସଂସ୍ଥା ଏହି ଯୋଜନାର ଉପଯୋଗ କରି ଗ୍ରାମୀଣ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଆଜି ‘ଆୟୁଷ୍ମାନ ସହକାର’ ନାମରେ ଏକ ଅନୁପମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ଏଥିପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି) ମିଳିତଭାବେ ଏକ ବିତ୍ତୀୟ ପ୍ରତିଷ୍ଠାନ ଗଠନ କରିଛନ୍ତି; ଯାହା ବିକାଶ କାର୍ଯ୍ୟ ପାଇଁ ଅର୍ଥ ଯୋଗାଇ ଦେବ।

ଆଜି ଏ ସଂପର୍କରେ ଘୋଷଣା କରି ଶ୍ରୀ ରୂପାଲା କହିଛନ୍ତି ଯେ ଏନ୍‌ସିଡିସି ଦେଶର ଯୋଗ୍ୟ ସମବାୟ ସଂସ୍ଥାଗୁଡିକୁ ଆସନ୍ତା ବର୍ଷଗୁଡିକ ପାଇଁ ୧୦ ହଜାର କୋଟି ଟଙ୍କାର ଋଣ (ଟର୍ମ ଲୋନ) ଯୋଗାଇ ଦେବ। ବର୍ତ୍ତମାନର କରୋନା ମହାମାରୀ ଫଳରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ଅନୁଭୂତ ହେଉଛି। ଏହାକୁ ପୂରଣ କରିବା ପାଇଁ ଏନ୍‌ସିଡିସି ଏକ ଯୋଜନା ପ୍ରସ୍ତୁତ କରିଛି। କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଗ୍ରାମାଞ୍ଚଳରେ କୃଷି ଓ କୃଷକ କଲ୍ୟାଣ କାର୍ଯ୍ୟକ୍ରମକୁ ସୁଦୃଢ କରିବେ। ଶ୍ରୀ ରୂପାଲା କହିଛନ୍ତି ଯେ ଆୟୁଷ୍ମାନ ସହକାର ଯୋଜନା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କାର୍ଯ୍ୟକ୍ରମକୁ ବୈପ୍ଳବିକ ରୂପ ଦେବ। କୃଷକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଣ ସୁବିଧା ଯୋଗାଇ ଦେବାକୁ ସମବାୟ ସଂସ୍ଥାଗୁଡିକ ଆଗେଇ ଆସିବାକୁ ସେ ମଧ୍ୟ ଏହି ଅବସରରେ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ଏନ୍‌ସିଡିସିର ପରିଚାଳନା ନିର୍ଦେଶକ ସନ୍ଦୀପ ନାୟକ କହିଛନ୍ତି ଯେ ଦେଶରେ ଏବେ ପ୍ରାୟ ୫୨ଟି ହସ୍ପିଟାଲ ସମବାୟ ସଂସ୍ଥା ଦ୍ୱାରା ଚାଲିଛି। ଏସବୁ ହସ୍ପିଟାଲରେ ମୋଟ ଶଯ୍ୟାସଂଖ୍ୟା ୫ ହଜାରରୁ ଅଧିକ। ଏନ୍‌ସିଡିସି ଯେଉଁ ପାଣ୍ଠି ଋଣ ଆକାରରେ ଯୋଗାଇବ ସମବାୟ ସଂସ୍ଥାଗୁଡିକ ତାହାକୁ ନେଇ ସ୍ୱାସ୍ଥ୍ୟସେବାରେ ବିନିଯୋଗ କଲେ ଗ୍ରାମାଞ୍ଚଳରେ କୃଷକ ଓ ଅନ୍ୟାନ୍ୟ ଲୋକେ ବିଶେଷ ଉପକୃତ ହେବେ। ଏନ୍‌ସିଡିସିର ଯୋଜନା ୨୦୧୭ ଜାତୀୟ ସ୍ୱାସ୍ଥ୍ୟ ନୀତି ସହ ଅଙ୍ଗୀଭୂତ ହୋଇଛି। ଏଥିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାଣ୍ଠି ବିନିଯୋଗ, ସ୍ୱାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନ, ନୂଆ ଟେକ୍ନୋଲଜିର ସୁବିଧା ଲାଭ, ମାନବ ସମ୍ବଳର ବିକାଶ, ମେଡିକାଲ ସୁବିଧା ଅଧିକରୁ ଅଧିକ ଯୋଗାଣ ଏବଂ ଚାଷୀଙ୍କୁ ସ୍ୱଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ଏହି ଯୋଜନାର ପୂର୍ଣ୍ଣାଙ୍ଗ ରୂପରେଖରେ ହସ୍ପିଟାଲ, ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା, ନର୍ସିଂ ଶିକ୍ଷା, ପାରାମେଡିକାଲ ଶିକ୍ଷା, ସ୍ୱାସ୍ଥ୍ୟବୀମା, ଆୟୁଷ ଭଳି ସାମଗ୍ରିକ ସ୍ୱାସ୍ଥ୍ୟସେବା ଆଦି ଅନ୍ତର୍ଭୁକ୍ତ। ଆୟୁଷ୍ମାନ ସହକାର ଯୋଜନାରେ ଯେଉଁ ଋଣ ଯୋଗାଣ ପାଣ୍ଠି ବ୍ୟବସ୍ଥା କରାଯାଇଛି ତାହାକୁ ବିନିଯୋଗ କରି ସମବାୟ ସଂସ୍ଥାମାନେ ଚଳାଉଥିବା ହସ୍ପିଟାଲରେ ଡାକ୍ତରୀ ଓ ଆୟୁଷ ଶିକ୍ଷାର ବ୍ୟବସ୍ଥା କରିପାରିବେ।

ଜାତୀୟ ଡିଜିଟାଲ ହେଲ୍ଥ ମିଶନ ଯାହା ୨୦୨୦ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସେହି ଢାଞ୍ଚାରେ ଏନ୍‌ସିଡିସିର ଆୟୁଷ୍ମାନ ସହକାର ଯୋଜନା କାର୍ଯ୍ୟ କରିବ। ଏହାଦ୍ୱାରା ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ଧରଣର ପରିବର୍ତ୍ତନ ସମ୍ଭବ ହୋଇପାରିବ। ଦେଶର ଗ୍ରାମାଞ୍ଚଳରେ ସମବାୟ ସଂସ୍ଥାମାନଙ୍କର ଦୃଢ ଉପସ୍ଥିତି ରହିଛି। ଏହିସବୁ ସଂସ୍ଥା ସ୍ୱାସ୍ଥ୍ୟସେବା ଯୋଗାଣ ହାତକୁ ନେଲେ ଏହା ସଫଳ ହୋଇପାରିବ।

ଯେକୌଣସି ସମବାୟ ସମିତି ନିଜର ବାଇ-ଲ’ ଅନୁସାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯୋଗାଇ ଦେବାକୁ ଯୋଗ୍ୟ ବିବେଚିତ ହେବେ। ସେମାନଙ୍କୁ ଏନ୍‌ସିଡିସି ପକ୍ଷରୁ ଋଣ ଅର୍ଥ ଯୋଗାଇ ଦିଆଯିବ। ଏହି ଅର୍ଥ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଜରିଆରେ କିମ୍ବା ସିଧାସଳଖ ସଂପୃକ୍ତ ସଂସ୍ଥାକୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏ କ୍ଷେତ୍ରରେ ସଂପୃକ୍ତ ସମବାୟ ସଂସ୍ଥା ଅନ୍ୟାନ୍ୟ ସୂତ୍ରରୁ ଚାହିଁଲେ ଅନୁଦାନ ଓ ସବ୍‌ସିଡି କିପରି ପାଇବେ ତାହାର ମଧ୍ୟ ବ୍ୟବସ୍ଥା ରହିଛି।

ଆୟୁଷ୍ମାନ ସହକାର ଯୋଜନାରେ ହସ୍ପିଟାଲର ମରାମତି, ଜୀର୍ଣ୍ଣୋଦ୍ଧାର, ଆଧୁନିକୀକରଣ, ସଂପ୍ରସାରଣ, ନୂଆ ହସ୍ପିଟାଲ ପ୍ରତିଷ୍ଠା, ସ୍ୱାସ୍ଥ୍ୟସେବା ଯୋଗାଣ, ସ୍ୱାସ୍ଥ୍ୟ ଶିକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନ ଆଦି ଅନ୍ତର୍ଭୁକ୍ତ।

ଏହି ବ୍ୟବସ୍ଥାରେ ନିମ୍ନଲିଖିତ ବିଷୟବସ୍ତୁମାନ ରହିଛି।

(୧) ହସ୍ପିଟାଲ ବା ମେଡିକାଲ/ ଆୟୁଷ/ ଦନ୍ତ/ ନର୍ସିଂ/ ଫାର୍ମାସି/ ପାରାମେଡିକାଲ/ ଫିଜିଓଥେରାପି କଲେଜମାନ ୟୁଜି ଏବଂ ପିଜି କାର୍ଯ୍ୟକ୍ରମ ଚଳାଇବା ପାଇଁ ଏହି ଋଣ ନେଇପାରିବେ।

(୨) ଯୋଗ ୱେଲନେସ ସେଣ୍ଟର ପାଇଁ ଏହି ପାଣ୍ଠିରୁ ଋଣ ନେଇହେବ।

(୩) ଆୟୁର୍ବେଦ, ଏଲୋପ୍ୟାଥି, ୟୁନାନି, ସିଦ୍ଧ, ହୋମିଓପ୍ୟାଥି ଏବଂ ଅନ୍ୟାନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଏହି ଯୋଜନାର ହିତାଧିକାରୀ ହୋଇପାରିବେ। ଯେଉଁମାନେ ବୟସ୍କମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ବା ଚିକିତ୍ସା ପାଇଁ ଔଷଧ ପ୍ରଦାନ ଆଦି ସେବା କରୁଛନ୍ତି ସେଭଳି ସଂସ୍ଥା ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର, ମାନସିକ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନ, ମୋବାଇଲ କ୍ଳିନିକ ସେବା, ହେଲ୍‌ଥ କ୍ଳବ ଓ ଜିମ୍‌ ଆଦି ଯଦି ସମବାୟ ଭିତ୍ତିରେ କାର୍ଯ୍ୟ କରୁଥାଏ ସେମାନେ ମଧ୍ୟ ଏହି ପାଣ୍ଠିରୁ ଋଣ ନେଇପାରିବେ।

(୪) ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସଂସ୍ଥା, ଟ୍ରମା ସେଣ୍ଟର, ଆୟୁଷ ଔଷଧ ପ୍ରସ୍ତୁତକାରୀ, ଡ୍ରଗ ଟେଷ୍ଟିଂ ଲ୍ୟାବ, ଦନ୍ତ ଚିକିତ୍ସା କେନ୍ଦ୍ର, ଚକ୍ଷୁ ଚିକିତ୍ସା କେନ୍ଦ୍ର, ଲାବରେଟୋରୀ ସେବା ଯୋଗାଣକାରୀ ସଂସ୍ଥା ଓ ଡାଇଗ୍ନୋଷ୍ଟିକ ସେବା ଯୋଗାଉଥିବା ସଂସ୍ଥା ମଧ୍ୟ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

(୫) ବ୍ଳଡ ବ୍ୟାଙ୍କ ଓ ଟ୍ରାନ୍ସଫ୍ୟୁଜନ ସଂସ୍ଥା, ପଞ୍ଚକର୍ମ, ଠୋକଣମ୍‌, କ୍ଷାରସୂତ୍ର ଚିକିତ୍ସା କେନ୍ଦ୍ର ଏବଂ ରେଜିମେଣ୍ଟାଲ ଥେରାପି ପ୍ରଦାନ କରୁଥିବା ୟୁନାନି କେନ୍ଦ୍ର ମଧ୍ୟ ଋଣ ସୁବିଧା ପାଇପାରିବେ।

(୬) ସେହିଭଳି ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ଯତ୍ନ କେନ୍ଦ୍ର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର, ଟେଲି ମେଡିସିନ ଓ ଦୂରଦୂରାନ୍ତରେ ମେଡିକାଲ ସେବା ଯୋଗାଉଥିବା ସଂସ୍ଥା, ଲଜିଷ୍ଟିକ ହେଲ୍ଥ ଓ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନକାରୀ ସଂସ୍ଥା, ସୂଚନା ଓ ଯୋଗାଯୋଗ ଟେକ୍ନୋଲଜି ସଂକ୍ରାନ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ଏବଂ ଆଇଆରଡିଏ ଦ୍ୱାରା ମାନ୍ୟତାପ୍ରାପ୍ତ ସ୍ୱାସ୍ଥ୍ୟ ବୀମାକାରୀ ସଂସ୍ଥା ଏହାର ମଧ୍ୟ ସୁଯୋଗ ନେଇପାରିବେ।

(୭) ଏନ୍‌ସିଡିସି ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଯେଉଁ ସଂସ୍ଥାକୁ ଯୋଗ୍ୟ ବୋଲି ବିବେଚିତ କରିବ ସେ ମଧ୍ୟ ଏହି ଋଣ ପାଇପାରିବ।

ଏହି ଯୋଜନାରେ ପରିଚାଳନାଗତ ଆବଶ୍ୟକତା ପୂରଣ ପାଇଁ କାର୍ଯ୍ୟକାରୀ ପୁଞ୍ଜି ଓ ମାର୍ଜିନ ମନିର ବ୍ୟବସ୍ଥା ରହିଛି। ଯେଉଁ ସମବାୟ ସମିତିରେ ମହିଳା ସଦସ୍ୟଙ୍କ ସଂଖ୍ୟା ଅଧିକ ସେମାନଙ୍କ ପାଇଁ ଋଣ ଉପରେ ୧ ଶତାଂଶ ସୁଧ ରିଆତିର ବ୍ୟବସ୍ଥା ରହିଛି।

ଏନ୍‌ସିଡିସି ୧୯୬୩ରେ ସଂସଦର ଏକ ଆଇନ ବଳରେ ଦେଶରେ ସମବାୟ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ବିକାଶ ପାଇଁ ଗଠିତ ହୋଇଥିଲା। ସେବେଠାରୁ ଏ ଯାଏଁ ଏହି ସଂସ୍ଥା ୧.୬୦ ଲକ୍ଷ କୋଟି ଟଙ୍କା ବିଭିନ୍ନ ସମବାୟ ସଂସ୍ଥାକୁ ଋଣ ଆକାରରେ ଯୋଗାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.