Home Top News ଭିତରେ ଭିତରେ ଚର୍ଚ୍ଚା ଜୋର୍ ଚାଲିଛି: ସେବେ ଧକ୍କା ମାରିଥିଲେ, ଆଉ ଏବେ ହାତ ..

ଭିତରେ ଭିତରେ ଚର୍ଚ୍ଚା ଜୋର୍ ଚାଲିଛି: ସେବେ ଧକ୍କା ମାରିଥିଲେ, ଆଉ ଏବେ ହାତ ..

57

ଭୁବନେଶ୍ୱର: ସେବେ ଧକ୍କା ମାରିଥିଲେ, ଆଉ ଏବେ ହାତ ଧରିଦେଲେ! ସେବେ ଉଦ୍ଦେଶ୍ୟ ଥିଲା ଅପରାଜିତାଙ୍କ ବାଟ ଓଗାଳିବା ଆଉ ଏବେ ଧର୍ମେନ୍ଦ୍ରଙ୍କ ପାଇଁ ବାଟ କଢ଼େଇ ନେବା। ଓଡ଼ିଶା ବିଜେପି ଏବେ ଚରମ ଗୋଷ୍ଠୀ କନ୍ଦଳ ଦେଇ ଗତି କରୁଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ପତିଆରା ଲଢ଼େଇ କାରଣରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଲଢ଼େଇ, ଗୋଛି କଟାକଟି, ଆକ୍ଷେପ ଆଦି ବଢ଼ିଯାଇଛି। ଏମିତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗ୍ରହରେ ଓଡ଼ିଶା ବିଜେପିରେ ଅଧିକାଂଶ ନେତାନେତ୍ରୀ ପଦପଦବୀ ପାଇଛନ୍ତି। ତେଣୁ ଆନୁଗତ୍ୟ ରହିବା ସ୍ୱାଭାବିକ। ଆଉ ଏହି ଆନୁଗତ୍ୟ ଦେଖାଇବା ପ୍ରତିଯୋଗିତାରେ ଆଗ ଧାଡ଼ିରେ ଅଛନ୍ତି ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ। ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ଠାକୂର ରଞ୍ଜିତ ଦାସ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଧକ୍କା ମାରିବାର ଭିଡିଓ ଭାଇରାଲ୍ ହେଲା। ରାଜ୍ୟ ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଖୋଦ୍ ଅମିତ ଶାହା ଦଳ ଭିତରେ ଚାଲିଥିବା ବିଶୃଙ୍ଖଳା ଏବଂ ଗୋଷ୍ଠୀ କନ୍ଦଳକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରି ତୁଙ୍ଗ ନେତୃତ୍ୱଙ୍କୁ ଭତ୍ସନା ତଥା ତାଗିତ୍ କରି ଯାଇଥିଲେ। ଏହି ଘଟଣା ରାଜ୍ୟ ବିଜେପି ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଖୁବ୍ ଖରାପ ପ୍ରଭାବ ପକାଇଥିଲା। କାରଣ ଏହା ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଏହା ପରିଣାମ ବୋଲି କୁହାଗଲା। ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ଛବିକୁ ମଳିନ କଲା। କାରଣ ରଞ୍ଜିତ ଦାସଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଜଣେ ଖାସ୍ ଅନୁଗତ ଭାବରେ ସମସ୍ତେ ଜାଣନ୍ତି। ତେଣୁ, ଏହା ଧର୍ମେନ୍ଦ୍ର କରାଇଛନ୍ତି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଲା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଧକ୍କା ମାରିଥିଲେ, ଆଉ ଏବେ ସିଧା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ସୁରକ୍ଷା କର୍ମୀଙ୍କ ହାତ ଧରିଦେଲେ। ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କୁ ଭୁବନେଶ୍ୱର ବିମାନବନ୍ଦରେ ସ୍ୱାଗତ କରିବା ସମୟରେ ଆରମ୍ଭରୁ ଥିଲେ ଠାକୂର ରଞ୍ଜିତ ଦାସ। କାରଣ ସେ ଏବେକାର କାର୍ଯ୍ୟକ୍ରମର ବ୍ୟବସ୍ଥା ପ୍ରମୂଖ। ତେବେ, ଠାକୂର ବୋଧେ ଦଳୀୟ ବ୍ୟବସ୍ଥା ନବୁଝି ମନ୍ତ୍ରୀଙ୍କ ବ୍ୟବସ୍ଥା ବୁଝୁଥିଲେ। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଡ୍ଡାଙ୍କୁ ସ୍ୱାଗତ ଜଣାଇଲେ। ପରେ ପରେ ଅନ୍ୟମାନେ। ନଡ୍ଡାଙ୍କ ସାଙ୍ଗରେ ସାଙ୍ଗରେ ଯିବାକୁ ଚାହିଁଲେ ଧର୍ମେନ୍ଦ୍ର। କିନ୍ତୁ ବ୍ୟବସ୍ଥା ହୋଇପାରିଲାନି। ନଡ୍ଡାଙ୍କ ସୁରକ୍ଷା କର୍ମୀ ପଛେ ପଛେ ରହିଲେ। କାହାରିକୁ ଛାଡ଼ୁନଥିଲେ। ଧର୍ମେନ୍ଦ୍ର ଆଉ ଠାକୂର କାନରେ କଣ କୁହାକୁହି ହେଲେ। ତା’ପରେ ଠାକୂର ମନ୍ତ୍ରୀଙ୍କ ପାଇଁ ବାଟ କଢ଼ାଇ ନେଲେ। ଏପରିକି ନଡ୍ଡାଙ୍କ ସୁରକ୍ଷା କର୍ମୀଙ୍କ ହାତକୁ ଧରି ପକାଇଲେ । ଶେଷରେ ମନ୍ତ୍ରୀ ଆଗକୁ ଆସିଗଲେ, କିନ୍ତୁ ବାହାରକୁ ଆସି ଦେଖିବାରେ ଯୁଆଡ଼େ ଦେଖିଲେ ନଡ୍ଡାଙ୍କ ସହ ଅପରାଜିତାଙ୍କ ପ୍ଲା- କାର୍ଡ। ଅପରାଜିତାଙ୍କୁ ବୋଧେ ସୁଯୋଗ ଦିଆଯାଉ ନଥିଲା, ବାଟ ଓଗଳା ଯାଉଥିଲା। କିନ୍ତୁ, ଫୁଲମାଳ ପିନ୍ଧାଯିବା ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ଅପରାଜିତାଙ୍କୁ ହାତ ଠାରି ପାଖକୁ ଡାକି ନେଇଥିଲେ। ଯାହାକୁ ନେଇ ଏବେ ରାଜ୍ୟ ବିଜେପିରେ ଭିତରେ ଭିତରେ ଚର୍ଚ୍ଚା ଜୋର୍ ଚାଲିଛି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.