Home ଅପରାଧ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି !

ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି !

125

ଭୁବନେଶ୍ୱର/କଟକ: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ। ସିକନ୍ଦର ଟ୍ୱିଟ୍ କରିଛନ୍ତି, “ବାଲେଶ୍ୱର ଉପ ନିର୍ବାଚନରେ ପ୍ରଚାର କରୁଥିବା ସମୟରେ ହଠାତ୍ ହୃଦଘାତରେ ପୀଡ଼ିତ ହୋଇ ଆମ ପ୍ରିୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ। ତାଙ୍କର ଅମର ଆତ୍ମା ସତଗତି ନିମନ୍ତେ ପ୍ରାର୍ଥନା କରିବା ସହିତ, ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ॐ ଶାନ୍ତି।

ବାସ୍ତବରେ ମନ୍ତ୍ରୀ ପ୍ରତାପ ଜେନା ଜୀବିତ ଅଛନ୍ତି ଏବଂ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ବୋଧେ ଜାଣିଶୁଣି ଏପରି ଭୁଲ୍ ଖବର ପୋଷ୍ଟ୍ କରିଥିବା ଜଣାପଡ଼ିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ଟ୍ୱିଟକୁ ପ୍ରତିବାଦ କରିବାକୁ ଯାଇ ସିକନ୍ଦର ଜାଣିଶୁଣି ଏପରି ଟ୍ୱିଟ୍ କରିଥିବା ଜଣାପଡ଼ୁଛି। ସୂଚନାଯୋଗ୍ୟ ଯେ ବିଜେପି ନେତା ସମୀର ଦେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ତେବେ, ମନ୍ତ୍ରୀ ପ୍ରତାପ ଜେନା ସମ୍ଭବତଃ କୌଣସି ସୂତ୍ରରୁ ସମୀର ଦେଙ୍କ ଭୁଲ୍ ମୃତ୍ୟୁ ଖବର ପାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ୍ କରିଥିଲେ। ସମୀର ଦେଙ୍କ ମୃତ୍ୟୁ କଟକ ରାଜନୀତି ପାଇଁ ଅପୂରଣୀୟ କ୍ଷତି ଦର୍ଶାଇ ଶୋକସନ୍ତପ୍ତ ପରିବାର ଏବଂ ବନ୍ଧୁ ପରିଜନଙ୍କୁ ସମବେଦନା ଜଣାଇ ଟ୍ୱିଟ୍ କରିଥିଲେ ପ୍ରତାପ। ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା। ପ୍ରତାପ ଜେନା କ୍ଷମା ମାଗନ୍ତୁ ବୋଲି ଦାବୀ କରାଯାଇଥିଲା। ଏହାପରେ ଭୁଲ୍ ଜାଣିପାରି ପ୍ରତାପ ଜେନା ସେ ଟ୍ୱିଟ୍ ହଟାଇ ଦେଇଥିଲେ। କିନ୍ତୁ, ସେତେବେଳକୁ ବିଳମ୍ବ ହୋଇ ସାରିଥିଲା। ଜଣେ ମନ୍ତ୍ରୀ ହୋଇ କୌଣସି ଘଟଣାର ସତ୍ୟତା ନ’ଜାଣି ଏପରି ସମ୍ବେଦନଶୀଳ ଘଟଣା ବାବଦରେ ଭୁଲରେ ହଠାତ୍ ଏପରି ଟ୍ୱିଟ୍ କରିଦେବାକୁ ନେଇ ବିଭିନ୍ନ ମହଲରୁ ପ୍ରତାପ ଜେନାଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଜୀବିତ କିନ୍ତୁ ଅସୁସ୍ଥ ଥାଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ସମୟରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପୂର୍ବରୁ ମିଥ୍ୟା ମୃତ୍ୟୁ ଖବର ନେଇ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ୍ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଏହାକୁ ନେଇ ପ୍ରବଳ ଟ୍ରୋଲ୍ ହେବା ପରେ ଅନୁଭବ ମହାନ୍ତି ସେ ଟ୍ୱିଟକୁ ଡିଲିଟ୍ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ, ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଜଣେ ଏହି ଫେକ୍ ନ୍ୟୁଜ୍ ଦେଇଥିଲା କହି ପରୋକ୍ଷରେ ଜଣଙ୍କୁ ଇଙ୍ଗିତ କଲା ପରି ତାଙ୍କ ଉପରେ ଦୋଷ ଲଦି ଦେଇଥିଲେ ଅନୁଭବ। ଅବଶ୍ୟ ସେହିଦିନ ବିଳମ୍ବିତ ରାତିରେ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଘଟିଥିଲା।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.