Odiapua.com

ପାଟକୁରା ନିର୍ବାଚନ : ଆତ୍ମ ସମର୍ପଣ

ଭୁବନେଶ୍ୱର ୨୪-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏହି ନିର୍ବାଚନରେ ପରାଜୟ ବରଣ କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ଆମେ ଖବର ପ୍ରକାଶ କରିଥିଲୁ : “ପାଟକୁରା ନିର୍ବାଚନ – ଧର୍ମକୁ ଆଖିଠାର”। ଶେଷରେ ଏହି କଥାହିଁ ସତ୍ୟରେ ପରିଣତ ହେଲା। ନିକଟରେ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନ ସହିତ ଯଦି ପାଟକୁରା ନିର୍ବାଚନ ହୋଇଥାନ୍ତା ତେବେ ପରିସ୍ଥିତି ନେଇଥାନ୍ତା ଭିନ୍ନ ରୂପ। ବିଜେପି ପ୍ରାର୍ଥୀ ହିସାବରେ ବିଜୟ ମହାପାତ୍ର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିସାରିଥିଲେ। ତାଙ୍କ ବିରୁଦ୍ଧରେ ଶାସକ ବିଜୁ ଜନତା ଦଳର ଯେ କୌଣସି ପ୍ରାର୍ଥୀ ଯଦି ମଇଦାନକୁ ଓହ୍ଲାଇଥାନ୍ତେ ତେବେ ବିଜେଡ଼ି ପ୍ରାର୍ଥୀଙ୍କର ପରାଜୟ ଥିଲା ସୁନିଶ୍ଟିତ। ତେଣୁ ଏ ସମସ୍ତ କଳ୍ପନାକୁ ପ୍ରତିରୋଧ କରିବା ପାଇଁ ଶାସକ ବିଜେଡ଼ି ଖେଳିଥିଲା ଭୟଙ୍କର ରାଜନୈତିକ ଷଢ଼ଯନ୍ତ୍ର। ନିର୍ବାଚନ ସମୟରେ ପାଟକୁରାର ବିଜେଡ଼ି ବିଧାୟକ ଥିବା ବେଦ୍ ପ୍ରକାଶ ଅଗ୍ରୱାଲାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଏହି କଥା ବିଜେଡ଼ି ଶିବିର ଭଲ ଭାବରେ ଜାଣିଥିଲା। ତେଣୁ ତାଙ୍କ ବଦଳରେ ଯଦି ବିଜେଡ଼ି ଅନ୍ୟ କାହାକୁ ପ୍ରାର୍ଥୀ କରିଥାନ୍ତା କିମ୍ବା ବେଦୁଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିଥାନ୍ତା ତେବେ ସେଠାରୁ ବିଜୟ ମହାପାତ୍ର ଜିତିବା ନେଇ ସମସ୍ତ ପ୍ରକାର ସରକାରୀ ଏବଂ ବେସରକାରୀ ଗୁଇନ୍ଦା ସଂସ୍ଥା ବିଜେଡ଼ି ସରକାରକୁ ଅବଗତ କରାଇ ସାରିଥିଲେ। ସେଣୁ ଏହି ପରିସ୍ଥିତିରୁ ବଞ୍ଚିବା ପାଇଁ ବିଜେଡ଼ି ଖେଳିଥିଲା ଏହି ରାଜନୈତିକ ଚାଲ୍। ବେଦ୍ ପ୍ରକାଶ ଅଗ୍ରୱାଲାଙ୍କର ନାଁ ପାଟକୁରାରେ ବିଜେଡ଼ି ପ୍ରାର୍ଥୀ ପାଇଁ ଘୋଷଣା କରାଗଲା। ତାଙ୍କ ପ୍ରାର୍ଥୀତ୍ତ୍ୱ ଘୋଷଣା ସମୟରେ ସେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ। ଦଳୀୟ ଟିକେଟ ଗ୍ରହଣ କରିବା ପାଇଁ ତାଙ୍କୁ ଯେନତେନ ପ୍ରକାରେଣ ଡାକ୍ତରଖାନାରୁ ଆଣି ଟିକେଟ ଦିଆଯାଇଥିଲା। ଟିକେଟ୍ ଗ୍ରହଣ ସମୟରେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ନଥିଲେ। ଟିକେଟ ପ୍ରଦାନ କରୁଥିବା ଲୋକଙ୍କୁ ମଧ୍ୟ ସେ ଠିକ୍ ଭାବରେ ଚିହ୍ନିପାରୁ ନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ବିଜେଡ଼ି ଶିବିର ସ୍ପଷ୍ଟ ଭାବରେ ଜାଣିଥିଲା ବେଦ ପ୍ରକାଶ ଅଗ୍ରୱାଲାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଏବଂ ଯେକୌଣସି ସମୟରେ ତାଙ୍କର କିଛି ମଧ୍ୟ ଘଟିପାରେ। ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ସ୍ପଷ୍ଚ ଭାବରେ ଏ ତଥ୍ୟ ମଧ୍ୟ ସରକାରଙ୍କୁ ଦେଇସାରିଥିଲେ। ଦଳୀୟ ଟିକେଟ ନେବାଠାରୁ ଆରମ୍ଭ କରି ନାମାଙ୍କନ ପତ୍ର ଦାଖଲ ପର୍ଯ୍ୟନ୍ତ ବେଦ୍ ପ୍ରକାଶ ଅଗ୍ରୱାଲ୍ ଜାଣିପାରୁନଥିଲେଯେ, ସେ କ’ଣ କରୁଛନ୍ତି। ତଥାପି ତାଙ୍କ ପରିବାର ଲୋକଙ୍କର ସହମତି ଏବଂ ବିଜେଡ଼ିର ଘୃଣ୍ୟ ଷଢ଼ଯନ୍ତ୍ର ଏ ଯୋଜନାର ସଫଳ ରୂପାୟନ କରିଥିଲା ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ଏହା ପରେ ଯାହା ଘଟିଲା ତାହା ଆଜି ସବୁ ଗଣ ମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି। ଏହି ସମସ୍ତ ଖେଳ ପରେ ମଧ୍ୟ ଶାସକ ବିଜେଡ଼ିର ନିଜ ଉପରେ ଭରସା ପାଉନଥିଲା। ସେଥିପାଇଁ ବିଜେପି ସହିତ କରିଥିଲା ରାଜନୈତିକ ସନ୍ଧି। ଯାହା ଆମେ ପୂର୍ବ ଲେଖାରେ ପ୍ରକାଶିତ କରିସାରିଛୁ। ତେଣୁ ବିଜୟ ମହାପାତ୍ରଙ୍କୁ ନିର୍ବାଚନରେ ହରାଇ ବିଜେଡ଼ିର ତୁଙ୍ଗ ଓ ପାଟକୁରା ନିର୍ବାଚନ ଦାୟୀତ୍ତ୍ୱରେ ଥିବା ନେତୃବୃନ୍ଦ ବିଭିନ୍ନ ଗଣମାଧ୍ୟମରେ ସଫଳତାର ଗୁଣଗାନ କରୁଥିଲେ ମଧ୍ୟ ପ୍ରଚ୍ଛଦପଟରେ ଏହି ନିର୍ବାଚନ ଜିତିବା ପାଇଁ କି ପ୍ରକାର ଷଢ଼ଯନ୍ତ୍ର ରଚାଯାଇଥିଲା ଏବେ ତାହା ହୃଦୟଙ୍ଗମ କରୁଥିବେ। ତେଣୁ ଏହି ନିର୍ବାଚନ ଏକ ପ୍ରତିଦ୍ୱନ୍ଦୀତା ମୂଳକ ନିର୍ବାଚନ ନଥିଲା। ଏହି ନିର୍ବାଚନ ଥିଲା ବିଜେଡ଼ି ଆଗରେ ବିଜେପିର ଆତ୍ମ ସମର୍ପଣ।

ପାଟକୁରା ନିର୍ବାଚନ: ଧର୍ମକୁ ଆଖିଠାର