Home Top News ଷ୍ଟକହୋମ୍ ସିଣ୍ଡ୍ରୋମ୍: ନେତା ମଦାରୀ ତୁମେ ମାଙ୍କଡ଼ – ହଜିଯାଏ ସ୍ୱାଧୀନତା, ଲାଗିଯାଏ ପରାଧୀନତାର ବେଡ଼ି...

ଷ୍ଟକହୋମ୍ ସିଣ୍ଡ୍ରୋମ୍: ନେତା ମଦାରୀ ତୁମେ ମାଙ୍କଡ଼ – ହଜିଯାଏ ସ୍ୱାଧୀନତା, ଲାଗିଯାଏ ପରାଧୀନତାର ବେଡ଼ି ..

85

ନିଜର ସ୍ୱାର୍ଥ ସାଧନ ପାଇଁ ଜଣେ ମଦାରୀ ଜଙ୍ଗଲରୁ ଅସହାୟ ଅବସ୍ଥା ଦେଖି କୌଣସି ଏକ ଶିଶୁ ମାଙ୍କଡ଼ଟିଏ ଅଖାରେ ପୁରାଇ ନେଇ ଆଣେ। ମାଙ୍କଡ଼ଟି ଅତ୍ୟନ୍ତ ଦୁର୍ବଳ ହୋଇନଯିବା ପର୍ଯ୍ୟନ୍ତ ତାକୁ ଅନାହାରରେ ରଖେ। ଶିଶୁ ମାଙ୍କଡ଼ଟି ଅତ୍ୟନ୍ତ କ୍ଷୁଧାର୍ତ୍ତ ହୋଇ ଅତି ବିକଳ ଭାବେ ମଦାରୀ ଆଡ଼କୁ ଚାହିଁରହେ। ସେତେବେଳେ ତାକୁ କିଛି ଖାଦ୍ୟ ଖାଇବାକୁ ଦିଆଗଲେ ସେ ମଦାରୀର ଦାସ ହୋଇ ରହିବାକୁ ଆଗ୍ରହ ପ୍ରକାଶ କରେ। ମଦାରୀର ଅନେକ ଅସ୍ବଭାବିକ ନିର୍ଦ୍ଦେଶକୁ ମାଙ୍କଡ଼ଟି ମାନି ଚାଲିଥିବା ପର୍ଯ୍ୟନ୍ତ ସେ ତାକୁ ଅଳ୍ପ ଅଳ୍ପ ଖାଇବାକୁ ଦେଉଥାଏ। କିଛି ଦିନ ପରେ ମଦାରୀ ତାକୁ ଚିରାଫଟା, ମଇଳା କନାରେ ତିଆରି ପୋଷାକ ପିନ୍ଧାଇଦିଏ। ମଦାରୀ ତାକୁ ନାଚ ଏବଂ ଅନ୍ୟାନ୍ୟ ଖେଳ ଶିଖାଏ। ହାତରେ ଏକ ବାଡ଼ି ଧରି ମାଙ୍କଡ଼ଟିକୁ ଭୟଭୀତ କରାଇ ମଦାରୀ ଏସବୁ କରିଥାଏ। କଥା ନ’ମାନିଲେ ତାକୁ ବାଡ଼ାଏ, ଭୋକ ଉପାସରେ ରଖେ। ତାକୁ ମଇଳା ବାସୀରୁଟି, ଦେଖଣାହାରୀଙ୍କ ଠାରୁ ମିଳୁଥିବା ପାଚିଲା କଦଳୀ, ସିଝା ଚଣା, ଢାବାରୁ ପରିତ୍ୟକ୍ତ ପଚାସଢ଼ା ଖାଦ୍ୟ ଏବଂ ଅଳିଆ ଗଦାରେ ପଡ଼ିଥିବା ପରିବା ଚୋପା ଖାଇବାକୁ ଦିଏ। ଯେତେବେଳେ କି ବାସ୍ତବରେ ଜଣେ ମଣିଷ ଅପେକ୍ଷା ମାଙ୍କଡ଼ଟିଏ ଭଲ ଫଳମୂଳ ଖାଇଥାଏ। ସେ ଜଙ୍ଗଲ, ଗଛ ଡାଳରେ ବୁଲିବୁଲି ସତେଜ ଫଳ ଖାଇଥାଏ। ଯେତେବେଳେ କି ମଣିଷ ବଜାରରୁ କିଣି ଖାଉଥିବା ଫଳ, ପନିପରିବା ଆଦି ବାସୀ ହୋଇଥାଏ। ମଦାରୀ ମାଙ୍କଡ଼କୁ ଦିନସାରା ମାଇଲ ମାଇଲ ବାଟ ଚଲାଇ ଚଲାଇ ନିଏ। ଜଙ୍ଗଲରେ ଥିଲେ ଏଇ ମାଙ୍କଡ଼ ଛୁଆଟି କେବଳ ଖେଳିବା ସମୟ ବ୍ୟତୀତ ତଳକୁ ଆସିନଥାନ୍ତା। କିନ୍ତୁ, ମଦାରୀ ପାଖରେ ତାକୁ ସେଇ କୋମଳ ପାଦରେ ଯନ୍ତ୍ରଣାକୁ ନେଇ ରାସ୍ତାରେ ବୁଲିବାକୁ ପଡ଼େ। ରାତିରେ ସେ ମଦାରୀର ଖଟିଆରେ ବନ୍ଧା ହୋଇ ଧୂଳି ମଇଳାପୂର୍ଣ୍ଣ ଭୂମି ଉପରେ ଶୁଏ।ବାସ୍ତବରେ, ଏହି ସମୟରେ ଛୁଆ ମାଙ୍କଡ଼ଠାରେ “ଷ୍ଟକହୋମ୍ ସିଣ୍ଡ୍ରୋମ୍” ନାମକ ଏକ ଲକ୍ଷଣ ଦେଖାଯାଏ। ଯଦି, କୌଣସି ବ୍ୟକ୍ତି ମଦାରୀଠାରୁ ମାଙ୍କଡ଼ଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରେ, ତେବେ ମାଙ୍କଡ଼ଟି ମଦାରୀ କାନ୍ଧକୁ ଡେଇଁ ପଡ଼ି ସେହି ବ୍ୟକ୍ତିକୁ ଖିଙ୍କାରି ହୁଏ। ତା’ର ମାଲିକଙ୍କୁ ଆଉ କେହି ଆଘାତ କରୁ ବୋଲି ସେ ଚାହେଁ ନାହିଁ। ଏଭଳି ଭାବରେ ମାଙ୍କଡ଼ ଛୁଆଟିର ଜୀବନ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। ମାଙ୍କଡ଼ଟି ଧୀରେ ଧୀରେ ରୁଗ୍ଣ ହୋଇଯିବା ପରେ ମଦାରୀ ତାକୁ ଫିଙ୍ଗିଦେଇ ଆଉ ଏକ ନୂଆ ଶିଶୁ ମାଙ୍କଡ଼ ସନ୍ଧାନରେ ଲାଗିଯାଏ। “ଷ୍ଟକହୋମ୍ ସିଣ୍ଡ୍ରୋମ୍” ହେଉଛି ଏକ ମାନସିକ ପ୍ରତିକ୍ରିୟା। ଯେତେବେଳେ କେହି ଅପହୃତ, ବନ୍ଧକ କିମ୍ବା ଦୁର୍ବ୍ୟବହାର ପୀଡ଼ିତ ଅପହରଣକାରୀ କିମ୍ବା ଦୁର୍ବ୍ୟବହାରକାରୀ ସହିତ ବନ୍ଧନରେ ଆବଦ୍ଧ ହୋଇଯାଆନ୍ତି, ସେତେବେଳେ ଏହା ଘଟିଥାଏ। ଏହି ମାନସିକ ସମ୍ବଦ୍ଧ ଦିନ, ସପ୍ତାହ, ମାସ, କିମ୍ବା ବର୍ଷ ବର୍ଷ ଧରି ପୀଡ଼ିତ ମନରେ ବିକଶିତ ହୋଇଥାଏ। ସେମାନେ ଏତେ ଭୟାଳୁ ଏବଂ ନିସଙ୍ଗ ଅନୁଭବ କରନ୍ତି, ଏତେ ବିଭ୍ରାନ୍ତ ହୋଇଯାଆନ୍ତି, ଯେ ନିଜର ଅପହର୍ତ୍ତା, ଦୁର୍ବ୍ୟବହାରକାରୀକୁ ନିଜର ତ୍ରାଣକର୍ତ୍ତା ବୋଲି ଭାବିନିଅନ୍ତି। ସ୍ୱାଧୀନତା ହଜାଇ ଦେଇଥିବା ସେହି ଅପହର୍ତ୍ତାକୁ ସେମାନେ ଅନ୍ୟମାନଙ୍କ ଅପେକ୍ଷା ନିଜର ଆତ୍ମୀୟ ବୋଲି ମନେକରନ୍ତି।ଅନେକ ସମୟରେ ନେତା ଏବଂ କର୍ମୀଙ୍କ ଭିତରେ ସଂପର୍କ ସେହି ମଦାରୀ – ମାଙ୍କଡ଼ ପରି ଅନୁଭବ ହୁଏ। ନେତା ଚାହେଁ ତା’ ଅନୁଗତ କର୍ମୀ ସବୁବେଳେ ତା’ ପାଖରେ ସେହିପରି ରହୁ। ନେତା କେବେ ଚାହେଁ ନାହିଁ ତା’ର ଜଣେ କର୍ମୀ ତା’ ଠାରୁ ଦୂରେଇ ଯାଇ, କେଉଁଠି କର୍ମ ସଂସ୍ଥାନ ପାଇ ଜୀବନରେ ଉନ୍ନତି କରୁ। ସେ ଚାହେଁ, ଜୀବନ ସାରା ତା’ର କର୍ମୀ ତା’ ପାଖରେ ସେମିତି ପଡ଼ିରହୁ। ତା’ ପାଇଁ ରାଲି କରୁ, ତା’ ପାଇଁ ଗଣ୍ଡଗୋଳ କରୁ, ତା’ ପାଇଁ କେସ୍ ଖାଉ ଏବଂ ତାର ଜୟ ଜୟକାର କରୁ।ଏଥିପାଇଁ ସେ କର୍ମୀ ଜଣଙ୍କୁ କିଛି କଣ୍ଟ୍ରାକ୍ଟ୍ରି କାମ, କିଛି ଗୋଟେ ସାଙ୍ଗଠନିକ ପଦବୀ, କିଛି ଖର୍ଚ୍ଚବାର୍ଚ୍ଚ ଏବଂ ଅନେକ ଗୁଡ଼ିଏ ମିଥ୍ୟା ପ୍ରତିଶୃତି ଦେଇ, ଲୋଭ ଦେଖାଇ ନିଜର ଅନୁଗତ କରି ରଖିଥାଏ। କର୍ମୀ ମଧ୍ୟ ସେହିପରି। ସେ ତା’ର ନେତା ପାଇଁ ନିଜର ଯୁବାବସ୍ଥା ନଷ୍ଟ କରିଦିଏ। ନିଜ ନେତା ପାଇଁ ନିଜର ବନ୍ଧୁ, ଆତ୍ମୀୟଙ୍କ ଠାରୁ ଦୂରେଇ ଯାଏ। ନେତା ପାଇଁ କର୍ମୀ ଏତେ ଅନୁଗତ ହୋଇଥାଏ ଯେ, ଅନେକ ସମୟରେ ନିଜର ବନ୍ଧୁଙ୍କ ସହ ଗଣ୍ଡଗୋଳ କରିବସେ। ନିଜ ନେତା କରିଥିବା ଭୁଲ୍ ଯଦି କେହି ଦର୍ଶାଇଦିଏ ଅନୁଗତ କର୍ମୀ ଜଣଙ୍କ ତାଙ୍କୁ ଗାଳିଗୁଲଜ କରେ। ଅନେକ ସମୟରେ ନିଜ ନିଜ ନେତାଙ୍କ ପାଇଁ ଭାଇ ଭାଇ ଭିତରେ ମଧ୍ୟ ଗଣ୍ଡଗୋଳ ହୁଏ, ହତ୍ୟାକାଣ୍ଡ ବି ହୁଏ। କର୍ମୀ ଗୋଟେ କ୍ରୀତଦାସ ପରି ହୋଇଯାଏ। ଏପରି ସ୍ଥଳରେ କର୍ମୀ ଜଣଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଅଗ୍ରସର ହୁଏ। ଧୀରେଧୀରେ ତାଙ୍କୁ “ଷ୍ଟକହୋମ୍ ସିଣ୍ଡ୍ରୋମ୍” ଗ୍ରାସ କରିଯାଏ। ନେତା ଜଣଙ୍କ ଏପରି ବ୍ୟବସ୍ଥା କରନ୍ତି ଯେପରି କି ତାଙ୍କ ଅନୁଗତ କର୍ମୀ ଆଉ କାହା ସଂପର୍କରେ ରହିବେ ନାହିଁ। ତାଙ୍କୁ ଅନ୍ୟ ନେତୃତ୍ୱଙ୍କ ଠାରୁ ଦୂରେଇ ରହିବା ପାଇଁ ବାରଣ କରନ୍ତି। ଏକପ୍ରକାର ତାଙ୍କୁ ଏକୁଟିଆ କରିଦିଅନ୍ତି। ଦୁନିଆ ଠାରୁ ଦୂରେଇ କେବଳ ନିଜ ଭିତରେ ସୀମିତ କରି ରଖିଦିଅନ୍ତି। ନେତା ହାତ ଖସାଇ ଦେଲେ, କର୍ମୀର ପତନ ସୁନିଶ୍ଚିତ ଏପରି ମନୋଭାବ ସୃଷ୍ଟି କରାନ୍ତି। କର୍ମୀ ଜଣଙ୍କ ମଧ୍ୟ ସେହି ନେତାଙ୍କୁ ସପୂର୍ଣ୍ଣ ଦଳ, ସଂପୂର୍ଣ୍ଣ ବ୍ୟବସ୍ଥା ବୋଲି ଭାବି ନେଇ ତାଙ୍କ ଅଧୀନରେ ରୁହନ୍ତି। କୂପମଣ୍ଡୁକ ହୋଇ ସେ କେବଳ ସେହି ନେତାଙ୍କ ମଧ୍ୟରେ ସୀମିତ ହୋଇ ରହିଯାଆନ୍ତି। ନେତା ଯାହା କୁହନ୍ତି ତାହା ହିଁ ସତ୍ୟ, ବାକି ଦୁନିଆଁ ମିଛ ବୋଲି ଭାବିନିଅନ୍ତି। ଆଉ ଯଦି କେବେ ସେ ବାସ୍ତବତା ବୁଝିପାରନ୍ତି, ସେତେବେଳକୁ ସବୁ ସରି ଯାଇଥାଏ!
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.