Home ଓଡ଼ିଶା ଜୁନ ୧୯ରେ ହୋଇଥିବା ସର୍ବଦଳୀୟ ବୈଠକ ସମ୍ପର୍କିତ ବିବୃତ୍ତି

ଜୁନ ୧୯ରେ ହୋଇଥିବା ସର୍ବଦଳୀୟ ବୈଠକ ସମ୍ପର୍କିତ ବିବୃତ୍ତି

312


ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଗତକାଲିର ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ଅତିରଞ୍ଜିତ ଓ ଏକ ଖରାପ ଢଙ୍ଗରେ କେତେକ ସ୍ଥାନରେ ପ୍ରଚାର କରିବା ପାଇଁ ପ୍ରଚେଷ୍ଟା ଚାଲିଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପ୍ରକୃତ ନିୟନ୍ତ୍ରଣ ରେଖାର ଉଲଂଘନକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ। ସେ ନିର୍ଦ୍ଦିଷ୍ଟ ଭାବେ ଜୋର ଦେଇ କହିଛନ୍ତି ଯେ, ଅତୀତରେ ଏହାକୁ ଅବହେଳା କରାଯାଇଥିଲେ ମଧ୍ୟ ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖାର ଉଲଂଘନକୁ ଜୋରଦାର ପ୍ରତିହତ କରିବେ।

ସର୍ବଦଳୀୟ ବୈଠକରେ ସୂଚନା ଦିଆଯାଇଥିଲା ଯେ, ଚୀନ ସେନାର ଏକ ବଡ ଦଳ ନିୟନ୍ତ୍ରଣ ରେଖା ନିକଟରେ ଠୁଳ ହୋଇଥିଲେ ମଧ୍ୟ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା। ନିୟନ୍ତ୍ରଣ ରେଖାର ଉଲଂଘନ ସମ୍ପର୍କରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜୁନ ୧୫ ତାରିଖ ଦିନ ଗଲୱାନ ଘାଟିରେ ଚୀନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା ଓ ସେମାନଙ୍କୁ ନିବେଦନ ସତ୍ତ୍ୱେ ସେମାନେ ସେଥିରୁ ନିବୃତ୍ତ ହୋଇନଥିଲେ। ଜୁନ ୧୫ ତାରିଖ ଦିନ ଗଲୱାନ ଘାଟିରେ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ବଳିଦାନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ରଖିଥିଲେ। ଚୀନ ସେନାର ଅନୁଚିତ କାର୍ଯ୍ୟର ଦୃଢ ମୁକାବିଲା କରି ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଥିବା ଆମ ସଶସ୍ତ୍ର ସେନାର ଯବାନମାନଙ୍କ ଦେଶପ୍ରେମ ଓ ସାହସିକତା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆମ ସେନାର ସାହସିକତା ଯୋଗୁଁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟକୁ ଚୀନ ସୈନିକମାନେ ଆସିପାରିନଥିଲେ। ଷୋଢଶ ବିହାର ରେଜିମେଣ୍ଟର ସୈନିକମାନଙ୍କ ତ୍ୟାଗ ଯୋଗୁଁ ଚୀନ ପକ୍ଷରୁ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା ଓ ସେମାନଙ୍କର ନିୟନ୍ତ୍ରଣ ରେଖା ଉଲଂଘନର ସମସ୍ତ ଯୋଜନାକୁ ଆମ ଯବାନମାନେ ପଣ୍ଡ କରିଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବାକ୍ୟ “ଯେଉଁମାନେ ଆମ ଦେଶର ସୀମାକୁ ଉଲଂଘନ କରିବେ ସେମାନଙ୍କୁ ଆମ ଦେଶ ମାତୃକାର ବୀର ସନ୍ତାନ ଉଚିତ ଶିକ୍ଷା ଦେବେ” ଭଳି ବାଣୀ ଆମ ସଶସ୍ତ୍ର ସେନାର ମର୍ଯ୍ୟାଦାକୁ ଉଜ୍ଜୀବିତ କରିଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, “ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଆମ ସେନା କେବେ ବି ପଶ୍ଚାତପଦ ଦେବେ ନାହିଁ”।

ଭାରତୀୟ ଭୂଖଣ୍ଡ କଣ ତାହା ସ୍ପଷ୍ଟ ଭାବେ ଭାରତୀୟ ମାନଚିତ୍ରରେ ଚିହ୍ନିତ ଅଛି। ସରକାର ତାହାକୁ ରକ୍ଷା କରିବା ପାଇଁ ଅଙ୍ଗୀକାରବଦ୍ଧ। ଏହା ମଧ୍ୟରେ କେତେକ ବେଆଇନ ଦଖଲ ହୋଇଛି। ଗତ ୬୦ ବର୍ଷ ମଧ୍ୟରେ କିପରି ଦେଶରୁ ୪୩, ୦୦୦ କିଲୋମିଟର ଜମି ଜବରଦଖଲ ହୋଇଛି ତାହାର ମଧ୍ୟ ସୂଚନା ସର୍ବଦଳୀୟ ବୈଠକରେ ଦିଆଯାଇଥିଲା। ସରକାର କୌଣସି ମତେ ବାସ୍ତବିକ ନିୟନ୍ତ୍ରଣ ରେଖାର ଏକତରଫା ପରିବର୍ତ୍ତନକୁ ଅନୁମତି ଦେବେ ନାହିଁ ବୋଲି ବୈଠକରେ ସ୍ପଷ୍ଟ କରିଦିଆଯାଇଥିଲା।

ଯେତେବେଳେ ଆମର ବୀର ସୈନିକମାନେ ସୀମା ସୁରକ୍ଷା ଦାୟିତ୍ଵ ତୁଲାଉଛନ୍ତି ସେମାନଙ୍କର ମନୋବଳକୁ ହ୍ରାସ କରିବା ପାଇଁ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦୁର୍ଭାଗ୍ୟପୂର୍ଣ୍ଣ। ତେବେ ଜାତୀୟ ବିପତ୍ତି ବେଳେ ସରକାର ଏବଂ ସଶସ୍ତ୍ର ସେନା ପ୍ରତି ସବୁ ପ୍ରକାରର ସମର୍ଥନ ନେଇ ସର୍ବଦଳୀୟ ବୈଠକରେ ମତ ପ୍ରକାଶ ପାଇଥିଲା। କୌଣସି ଉଦ୍ଦେଶ୍ୟ ପ୍ରଣୋଦିତ ଅପପ୍ରଚାର ଯୋଗୁଁ ଭାରତୀୟ ଏକତା ପ୍ରଭାବିତ ହେବ ନାହିଁ ବୋଲି ଆମେ ଦୃଢ ନିଶ୍ଚିତ, ଏ କଥା ବୈଠକରେ ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.