Home Top News ଭଦ୍ରକ ବିଜେପିରେ ଗୋଷ୍ଠୀ କନ୍ଦଳ: ଯୁବମୋର୍ଚ୍ଚା ସଭାପତିଙ୍କ ପରେ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଉପରେ ଆକ୍ରମଣ!

ଭଦ୍ରକ ବିଜେପିରେ ଗୋଷ୍ଠୀ କନ୍ଦଳ: ଯୁବମୋର୍ଚ୍ଚା ସଭାପତିଙ୍କ ପରେ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଉପରେ ଆକ୍ରମଣ!

102

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପିରେ ଗୋଷ୍ଠୀ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। କିଛି ଦିନ ତଳେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଏବେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଉପରେ ଆକ୍ରମଣ ହୋଇଛି। କିଛିଦିନ ତଳେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ କୋର୍ଟ ପରିସରରୁ ଉଠାଇ ନେଇ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଭିତରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏପରିକି ଦୁର୍ବୁତ୍ତ ମାନେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ ପରିସ୍ରା ପିଆଇବାକୁ ଉଦ୍ୟମ କରିବା ସହ ପେଟ୍ରୋଲ ପକାଇ ନିଆଁ ଲଗାଇ ଜୀବନରେ ମାରିଦେବା ଉଦ୍ୟମ ହୋଇଥିବା ଭଳି ଜଘନ୍ୟ ଅଭିଯୋଗ ହୋଇଥିଲା। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଏନେଇ ଅଭିଯୋଗ କରିବା ପରେ ଥାନାରେ ଏନେଇ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୧,୩୨୩, ୨୯୪, ୩୬୫, ୩୦୭, ୫୦୬ ଏବଂ ୩୪ ଆଇପିସି ଅନୁଯାୟୀ ୩୧୬/୨୦୨୧ରେ ଏକ ମାମଲା ରୃଜୁ ହୋଇଛି। ତେବେ, ପୋଲିସ୍ ଏପର୍ଯ୍ୟନ୍ତ ଜଣେ ହେଲେ ଅଭିଯୁକ୍ତକୁ ଗିରଫ କରିନାହିଁ। ଭଦ୍ରକ ବିଜେପିର କିଛି ଶୀର୍ଷ ନେତୃତ୍ୱଙ୍କ ସମେତ ରାଜ୍ୟ ନେତୃତ୍ୱ ଘଟଣାର ଆପୋଷ ବୁଝାବଣା କରାଇ ବିବାଦର ସମାଧାନ କରାଇବା ଉଦ୍ୟମରେ ଅଛନ୍ତି ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଭଦ୍ରକ ଯାଇଥିଲେ ସୁଦ୍ଧା କିଛି ନେତୃତ୍ୱଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଫେରିଯାଇଛନ୍ତି। ଜିଲ୍ଲାରେ ଏତେବଡ଼ ବିବାଦ ଦେଖାଦେଇଥିଲେ ମଧ୍ୟ ତାର ସମାଧାନ ଦିଗରେ କୌଣସି ପ୍ରକାର ଆନ୍ତରିକ ଉଦ୍ୟମ ନକରି ସେ ଫେରିଯାଇଛନ୍ତି। ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ନୀରବ ରହିଛନ୍ତି। ଯୁବମୋର୍ଚ୍ଚା ଭିତରେ ଘଟିଥିବା ଏପରି ଗଣ୍ଡଗୋଳର ବାସ୍ତବ ସମାଧାନ କରିବାକୁ କିଛି ଜିଲ୍ଲା ନେତୃତ୍ୱ ଆନ୍ତରିକତାର ସହ ଚାହୁଁନଥିବା କୁହାଯାଉଛି। ଏପରିକି କିଛି ଜିଲ୍ଲା ନେତୃତ୍ୱଙ୍କର ଏପରି ବିଶୃଙ୍ଖଳା ପଛରେ ପ୍ରଚ୍ଛଦ ସମର୍ଥନ ରହିଥିବା କଥା ମଧ୍ୟ କୁହାଯାଉଛି। ଏଠି ଜିଲ୍ଲା ସଭାପତିଙ୍କର ଗୁରୁତ୍ୱ ବୋଲି କିଛି ନାହିଁ। ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ ନିଜକୁ ଅସହାୟ ଅନୁଭବ କରୁଛନ୍ତି। ଗତ ସାଧାରଣ ନିର୍ବାଚନରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ପାର୍ଥି ହୋଇଥିବା ନେତାମାନେ ନିଜକୁ ସର୍ବଶକ୍ତିମାନ ବୋଲି ଭାବୁଛନ୍ତି। ସେମାନେ ଯେମିତି ଚାହୁଁଛନ୍ତି ଜିଲ୍ଲାକୁ ସେମିତି ଚଲାଉଛନ୍ତି। ବିଚରା ଜିଲ୍ଲା ସଭାପତି କେବଳ ଏକ କିରାଣୀ ସଦୃଶ୍ୟ କାମ କରୁଛନ୍ତି।

ଯୁବମୋର୍ଚ୍ଚା ସଭାପତିଙ୍କ ଉପରେ ଆକ୍ରମଣ ପରେ ଏବେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ଉପରେ ଆକ୍ରମଣ ହୋଇଛି। ତେବେ, ଯୁବ ମୋର୍ଚ୍ଚା ସଭାପତିଙ୍କ ଉପରେ ଫିଜିକାଲ୍ (ପ୍ରତ୍ୟକ୍ଷ) ଆକ୍ରମଣ ହୋଇଥିବା ବେଳେ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଉପରେ ସାଇବର ଆର୍ଟାକ୍ (ସୋସିଆଲ୍ ମିଡିଆରେ ଆକ୍ରମଣ) ଚାଲିଛି। ପ୍ରାୟୋଜିତ ଭାବରେ ଦଳ ଭିତରେ ଏକ ଗୋଷ୍ଠୀ, ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଉପରେ ପରୋକ୍ଷ ତଥା ପ୍ରତ୍ୟେକ୍ଷ ଭାବରେ ସୋସିଆଲ୍ ମିଡିଆ ମାଧ୍ୟମରେ ଆକ୍ରମଣ ଚଲାଇଛନ୍ତି। ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। କିନ୍ତୁ, ରାଜ୍ୟ ନେତୃତ୍ୱଙ୍କ ସମେତ ଜିଲ୍ଲା ନେତୃତ୍ୱ ନିରବଦ୍ରଷ୍ଟା ସାଜିଛନ୍ତି। ଆଉ କିଛି ମଜା ଦେଖୁଛନ୍ତି ଏବଂ ଏ’ ଗୋଳିଆ ପରିସ୍ଥିତି ଭିତରେ ନିଜ ନିଜର ଫାଇଦା ଖୋଜୁଛନ୍ତି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.